Unknown

 

 

 

 

 

 

 

 

 

 

 

ଭୁଲ

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

 

ଆମ ଘର ଭାରି ବଡ଼ ଘର ଥିଲା । ବାପାଙ୍କର ଓକିଲାତିରେ ଖୁବ୍‌ପ୍ରସାର ଥିଲା, ତା’ ଛଡ଼ା ଜମିଦାରୀ । ଟଙ୍କାରେ ସେତେବେଳେ ଘର ଦୁଆର ସତେ ଯିମିତି ବଦାଡ଼ି ମରା ହୋଇଥାଏ । ମୋର ପିଲାଦିନ କଥା ମୁଁ କହୁଛି । ମୁଁ ତ ପଇସାକୁ ପଇସା ପରି ଦେଖୁ ନ ଥିଲି, ମନେକରୁଥିଲି ଅବା ଗୋଡ଼ି ଖପରା ସେଗୁଡ଼ାକ–ଇମିତି ବେଖାତିର । ବାପାଙ୍କର ପୁଅଝିଅଙ୍କ ଭିତରେ ମୁଁ ଥିଲି ସବା ସାନ । ସେଥିପାଇଁ ସେ ମୋତେ ଭାରି ଗେହ୍ଲା କରୁଥାନ୍ତି, ଆଉ ମୋତେ ଡାକୁଥାନ୍ତି ଗେହ୍ଳୀ ବୋଲି । ବାପାଙ୍କୁ ମୋ ଭାଇ ଭଉଣୀ ସମସ୍ତେ ଭାରି ଡରୁଥିଲେ । ତାଙ୍କ ସାଙ୍ଗରେ ଖାଇବା ଦୂରେ ଥାଉ, ତାଙ୍କ ଛାଇ ପର୍ଯ୍ୟନ୍ତ କେହି ମାଡ଼ନ୍ତି ନାହିଁ; ମୁଁ କିନ୍ତୁ ସାଙ୍ଗରେ ନ ବସିଲେ ବାପାଙ୍କୁ ଭାତ ନ ରୁଚେ–ଇମିତି ଗେହ୍ଲା କରୁଥାନ୍ତି ମୋତେ ।

 

ସବୁ ଗେହ୍ଲା ପଣ ଚୁଲିକୁ ଗଲା ସେଇ ଦିନ, ଯେବେ ପାବା ମୋତେ କେଉଁ ପାଷାଣ ହୃଦୟରେ କେଜାଣି, ସାତ ପର ପରି ସବୁ ଦିନ ପାଇଁ ଆଖି ଆଗରୁ ଅନ୍ତର କରିଦେଲେ–ଟିକିଏ ବି ହେଜିଲେ ନାହିଁ । ମୋର ବାହାଘର ହୋଇଗଲା, ସତେ ଯେମିତି ଗୋଟାଏ ଅଜଣା ଆଗତ ସୁଖର ଚମକ ଲଗାଇ ଦେଇ ଦିହରେ । ପିଲାଦିନକୁ ଭୁଲିଲି, ବାପା ବୋଉଙ୍କୁ ଭୁଲିଲି, ଗେହ୍ଲାପଣକୁ ଭୁଲିଲି । ସବୁ ଭୁଲି ଚାଲିଲି ଗୋଟାଏ ମିଛମିଛକା ଧୂଳିଘରର ଘରଣୀ ହେଇ ସୁଖ ସଂସାର ପାତିବା ଆଶାରେ । ମିଛ ହେଉ ସତ ହେଉ, ସୁଖର ହଉ ଦୁଃଖର ହଉ, ତା’ ଛଡ଼ା ମୋର ଆନ ଗତି ତ ନ ଥିଲା ସେତେବେଳେ ।

 

ତାଙ୍କ ଘର ଅତି ଗରିବ ଥିଲେ । ବଉର ମୋର ବଡ଼ ଘରକୁ ନାପସନ୍ଦ ସବୁଦିନେ । ‘ବଡ଼ଘରେ ଝିଅ ଦେବାଠୁଁ ଇନ୍ତୁଡ଼ିରୁ ତଣ୍ଟି ଚିପି ମାରିଦବା ଭଲ’ ଏ କଥା ସେ କଥାରେ କଥାରେ କେତେଥର କହିଛି । ତା’ର ମଉଳା ଝୁଅ ଭଉଣୀ କିଏ, କାଳେ ଖୁବ୍‌ ବଡ଼ ଘରେ ପଡ଼ିଥିଲା । ତା’ ବର କାଳେ ହାତରେ ପଇସା ପାଇ ପିଲାଦିନେ ବଡ଼ ଫେଚକା ହେଇ ପଢ଼ାଶୁଣାରେ ଆଉ ମନ ଦେଲା ନାହିଁ । ବଡ଼ ହେଲାକୁ ଖରାପ ଲୋକଙ୍କ ସାଙ୍ଗରେ ପଡ଼ି ନାନାଦି ବଦ୍‌ଖରଚ କଲା । ଶେଷକୁ ନିଜ ହାତକୁ ସମ୍ପତ୍ତି ଆସିଲାରୁ ମଦ ଖାଇ, ବାଇ ନାଟ କରି ସବୁ ଉଡ଼େଇ ଦେଲା । କହିଲା ବେଳକୁ ମୋ ଛାତିରୁ ରକ୍ତ ଶୁଖି ଯାଉଛି–ସେ କାଳେ ମୋ ମାଉସୀକି ରାତି ଅଧରେ ମଦ ଖାଇ ଆସି ପିଟେ । ନିହାତି ବେଳକୁ ସେ ଏତେ ଦୁଃଖ ଆଉ ସହି ନ ପାରି ବିଷ ଖାଇ ମରିଗଲା ।

 

ସେ କଥାଟା ମୋ ବଉ ମଥାରେ ଇମିତି ପଶିଥିଲା ଯେ ସେ ସବୁବେଳେ କହୁଥାଏ–ମୋ ଝିଅକୁ ମୁଁ ବଡ଼ ଘରେ କେବେ ଦେବିନାହିଁ ।

 

ବାପା ହସି ହସି କହନ୍ତି–ଝୁଅ ତେବେ କଅଣ ଧାନ କୁଟିବେ ?

 

ବଉ କହେ–ହଁ ଧାନ କୁଟିବେ, ସେଇ ଆଚ୍ଛା ।

 

ବଉ କଥା ହିଁ ରହିଲା । ମୋ ପାଇଁ ସିମିତି ବଡ଼ ଘର ନ ଦେଖି ବାଛି ବାଛି ତାଙ୍କ ମନେ ମନେ ଖୁବ୍‌ ଭଲ ଯୋଗ୍ୟ ବରରେ ଦେଲେ ।

 

ବାହାଘର ପରେ ତାଙ୍କର ବି.ଏ.ପାସ୍‌ ଖବର ଆସିଲା । ସମସ୍ତେ କହିଲେ, ବହୂ ବଡ଼ ସୁଲକ୍ଷଣୀ । ଅଷ୍ଟମଙ୍ଗଳା ବେଦି ଉପରେ ମୋ ନାଁ ରଖାଗଲା–ସୁଲକ୍ଷଣୀ । ସେଇ ଦିନଠୁଁ ୟାଙ୍କ ଘରେ ମୋ ଡାକ ନାଁ ହେଲା–‘ସୁଲି’ । ଶାଶୁ ବି ଡାକନ୍ତି ସେଇ ନାଁ ଧରି । କିନ୍ତୁ ଇଏ ଡାକନ୍ତି ମୋର ଆଗ ନାଁ ଧରି ଗେହ୍ଲି ବୋଲି । ମନେ ଅଛି ସେ ଥରେ ଚାକିରି ଖୋଜି ସହରକୁ ଯାଇଥିବାବେଳେ, ସେଠୁ ଖଣ୍ଡେ ଚିଠି ଲେଖିଥିଲେ, ତାଙ୍କର ସବୁ ସୁଆଗ, ସବୁ ସ୍ନେହ ଭରି ଦେଇ–

 

‘‘ଶ୍ରୀମତୀ ସୁଲକ୍ଷଣା ଦେଈ

ଉଦାରଚରିତାସୁ

ଶତବାର ଆଦରସମ୍ଭାଷଣାନନ୍ତର ନିବେଦନମିଦଂ ।’’

 

ପ୍ରାଣର ଗେହ୍ଲୀ,

 

ପ୍ରଥମେ ଏଡ଼େ ବଡ଼ ଶିରୋନାମା ପରେ ଗେହ୍ଲୀ ସମ୍ବୋଧନଟା କିମିତି ଖରାପ ଲାଗୁଥିବ, ନୁହେଁ ? କିନ୍ତୁ ସତ କହୁଛି ଗେହ୍ଳୀ, ମୋତେ ତୋର ଏଇ ନାମଟି ବଡ଼ ଭଲ ଲାଗେ । କେଜାଣି କେତେ ଅମୃତ ଭରି ରହିଛି ଯେମିତି ସେଇ ଅକ୍ଷର ଯୋଡ଼ିକରେ ।...’’

 

ତାଙ୍କର ଏହି ଟାପରା ଲେଖା ଭିତରେ ଯେ କେତେ ଆଦର, କେତେ ଶରଧା ଭରି ରହିଥିଲା, ତାଙ୍କ ହୃଦୟ ଭିତରେ ମୋ ପ୍ରତି ପ୍ରୀତିର ଗଭୀରତା କେତେ, ତା’ର ମାପ କାଠିଟି ପରି ସେହି ଚିଠି ଖଣ୍ଡକ ଯେ କେଡ଼େ ଲଳିତ, କେଡ଼େ କରୁଣ, ତା’ ମୁଁ ପାଷାଣୀ ସେତେବେଳେ ଭଲ କରି ବୁଝି ପାରିଥିଲେ ମୋ ଜୀବନଟାରେ ଏତେ ବଡ଼ ଗୋଟାଏ ଭୁଲ ହୋଇ ଥାଆନ୍ତା କାହିଁକି ? ସେ ଲେଖିଥିଲେ ଆହୁରି ଅନେକ କଥା ସେ ଚିଠିରେ । ସେ ସବୁ କଥାରେ କହି ହେବ ନାହିଁ । ଠାଏ ଲେଖାଥିଲା, ମୋ ଆଖିରେ ଜଳ ଜଳ ଦିଶି ଯାଉଛି ସେ ଅକ୍ଷର ଗୁଡ଼ାକ–‘‘ଚାକିରି ପାଇଲା ଭଳି ତ ଲାଗୁନାହିଁ । ଯଦି ଚାକିରି ନ ମିଳେ–ଯଉଁଟା କି ଖୁବ୍‌ ସମ୍ଭବ–ତେବେ କ’ଣ କରିବା ଗେହ୍ଲୀ-! ଆଜିଯାଏ ତ ମା’ ଏକ ରକମରେ ଧାନ କୁଟି ପାଠ ପଢ଼େଇ ମଣିଷ କଲା । ଆଉ କେତେ ଦିନ ଏମିତି ଚଳିବ ? ଶେଷରେ କ’ଣ କେଳା କେଲୁଣୀଙ୍କ ପରି ବାର ଦୁଆରେ ହାତ ପାତି କାଳ କାଟିବାକୁ ହେବ ନା ?’’

 

ଆଉରି କେତେ କଅଣ । କିନ୍ତୁ ଏତକ ଯେ ସେ ଲେଖିଥିଲେ, ମୋତେ ତାଙ୍କର କେତେ ଆପଣାର, କେତେ ନିକଟର ମନେ କରି, ତା’ ମୁଁ ଟିକିଏ ହେଲେ ବୁଝି ପାରିଲି ନାହିଁ ସେତେବେଳେ-। ସେତେବେଳେ ତ ନିଜ ବଡ଼ପଣରେ ନିଜେ ଛିଡ଼ି ପଡ଼ୁଥାଏଁ– ଏ କଥା ମନରେ ପଶନ୍ତା ବା କିମିତି-? ମୋ ମନକୁ ମୁଁ କହିଲି ସେ ଚିଠି ପଢ଼ି–କେଳାଙ୍କ ପରି ଯଦି ବାରବୁଲା ହୋଇ ବୁଲିବାକୁ ହବ ବୋଲି ଜାଣିଥିଲ, ତେବେ ଆଉ ଗୋଟିକର ହାତ ଧରି ତାକୁ ଇମିତି ଦହଗଞ୍ଜ କରି ମାରିବାକୁ ଘରକୁ ଆଣିଲ କାହିଁକି ? ମନେ ମନେ ବାପାବୋଉଙ୍କୁ ବି ମୁଁ ଗାଳି ଦେଲି ଢେର୍‌ । ଛି, ଆଜି ଲାଜ ମାଡ଼ୁଛି ସେ କଥା ମନେ କରି । ସତେ କେଡ଼େ ଖରାପ ମଣିଷ ମୁଁ ।

 

ଶେଷ ଆଡ଼କୁ ତାଙ୍କର ସେଇ ଚିଠିଟି ବଡ଼ କରୁଣ ହୋଇ ଆସିଥିଲା । ସ୍ପଷ୍ଟ ଭାବରେ ଗୋଟି ଗୋଟି ହୋଇ ସାମାନ୍ୟ ବଙ୍କା ତେଢ଼ା ଢଳଢଳ ଅକ୍ଷରରେ ଲେଖାଥିଲା,–‘‘ଗେହ୍ଲୀ, ଘରୁ ଆସିଲା ଦିନୁ ମୋ ମନରେ ଟିକିଏ ବୋଲି ସୁଖ ନାହିଁ । ଦିନଗୁଡ଼ାକ ଅତି ବଡ଼ ବଡ଼ ଲାଗୁଛି । ରାତି ତ ଆହୁରି ବେଶୀ । ପାହିବାକୁ ତା’ର ଯେମିତି ଭାରି କଷ୍ଟ । ପାହାନ୍ତା ପାହାନ୍ତା ଟିକିଏ ଆଖି ମାଡ଼ି ପଡ଼େ । କେତେ ଥର ତତେ ସପନ ଦେଖେଁ, ସେ ସୁଖଟିକକ ବି ବେଶୀ ବେଳ ରହିପାରେ ନାହିଁ । ସବୁବେଳେ ପ୍ରାଣ ଖାଲି ହାହା କରି ଉଠୁଛି । ତୋ ବିନା ଜୀବନ ମୋ ପକ୍ଷରେ ଦୁର୍ବହ ହୋଇ ପଡ଼ିଛି ଗେହ୍ଲୀ । କିନ୍ତୁ କରିବି କଅଣ ? ମୋର ବା କି ଚାରା ଅଛି କହ । ଘରେ ତୋତେ ଏକାକୀ ରଖି ମୋର ଏଇ ବିଦେଶବାସ ତ ବିହି ଲେଖିଛି । ମଣିଷ ଆମେ, ତା’ର ଅନ୍ୟଥା କରିବା କିମିତି-?’’

 

ଅଭିମାନ ଆଉ ଅହଙ୍କାରରେ ତମତମ ହୋଇ ଉଠି ଚାଲିଗଲି ମନେ ମନେ କହି–‘‘ଆହା, ମୋତେ ନ ଦେଖିଲେ ତମକୁ ଭାତ ରୁଚୁ ନ ଥିବ–ମୋ କଥା ଭାଳି ଗଳାରେ ଫାଶୀ ଲଗେଇ ଦବ ପରା ! ଅତି କଥାଗୁଡ଼ାକ ।’’

 

ଚିଠି ଖଣ୍ଡକ ପଲଙ୍କ ଉପରେ ପକେଇ ଦେଇ ଉଠିଯିବା ଆଗରୁ ଆଉ ଥରେ ଅମନ–ମନରେ ଉଠେଇ ନେଇ ଦେଖିଲି ତଳେ ଲେଖା ଥିଲା–‘‘ତୋର ଅତି ଆପଣାର ‘ସେଇ’ ।’’

 

‘ପୁନଶ୍ଚ’ ଦିଆ ହୋଇ ପୁଣି ଲେଖା ହୋଇଥିଲା, ‘‘ମନରେ ବେଶୀ ଦୁଃଖ କରିବୁ ନାହିଁ, ମୁଁ ଦଶ ବାର ଦିନ ଭିତରେ ଘରକୁ ନିଶ୍ଚେ ଯିବି ।’’

 

ସେ ସିନା ଲେଖିଥିଲେ ଏ କଥା, ମୋ ମନ ତ କାହିଁ ଚାତକ ଭଳି ଚାହିଁ ନ ଥିଲା ତାଙ୍କ ଆସିବାକୁ । ମୋ ମନରେ ତ କାହିଁ ଗୋଟାଏ ଅଥୟତା ଆସିଲା ନାହିଁ–ସତେ ସେ କେବେ ଆସିବେ–ଏହି ଦଶ ବାର ଦିନ କିମିତି କଟିବ, ଇୟା ଭାବି । କାହିଁକି ? ନବପରିଣୀତା ଯୁବତୀ ନାରୀର ସ୍ୱାମୀ ସମାନ ସ୍ୱର୍ଗଲାଭ ପାଇଁ ପ୍ରାଣ ଟିକିଏ ହେଲେ ବ୍ୟାକୁଳ ନ ହେବାର କାରଣ କ’ଣ ? ସ୍ୱାମୀର ଏତେ ଶରଧା, ଏତେ ସୁଆଗ ମତେ ସୁଖ ଲାଗନ୍ତା କଅଣ ନା, ଓଲଟି ମୁଁ ତାକୁ ବିଷ ପରି ମଣିଲି । ସ୍ୱାମୀର ବିରହରେ ମନ ଅଧୀର ହେବା ଦୂରେ ଥାଉ କ’ଣ ହେଲା ନା, ଗୋଟାଏ ଅଯଥା ଅହଙ୍କାରରେ ମୁଁ ନିଜକୁ ନିଜେ ପୋତି ମାଡ଼ି ରଖୁଥିଲି । କାହିଁକି ? ସେ କ’ଣ ମୋ ମନଲାଖି ବର ହୋଇ ନ ଥିଲେ ? ହୋଇ ନ ଥିବେ ଅବା ! କିନ୍ତୁ ନ ହେବାର ତ କିଛି କାରଣ ନ ଥିଲା । କେଉଁ ଗୁଣରେ ମୁଁ ତାଙ୍କଠୁ ଯୋଗ୍ୟ, କେଉଁ ସୁନ୍ଦର ପଣରେ ମୁଁ ତାଙ୍କଠୁ ବେଶୀ ? କୁନ୍ଦି ଦେଲାପରି ଦେହଟି ତାଙ୍କର ପାଚିଲା ଆମ୍ବ ପରି ଚହଟ । ଟିପ ମାରିଦେଲେ ସତେ କି ରକତ ଚୁଇ ଉଠିବ । ଏଡ଼େ ସୁନ୍ଦର ହୋଇ ବି ସେ ମୋ ମନ କିଣି ପାରିଲା ନାହିଁ । ଏଡ଼େ ଶାନ୍ତ ସରଳ ନମ୍ର ସେ, ଏଡ଼େ ଭୋଳା ପ୍ରେମବୋଳା ମିଠା କଥା ତାଙ୍କର, ମୁଁ ହତଭାଗିନୀ ତେବେ ବି ତାଙ୍କୁ ଥରେ ହୃଦୟ ଭରି ଭଲ ପାଇ ପାରିଲି ନାହିଁ ? ସତେ ଆଜି ଭାବିଲେ ମନେ ହୁଏ, ମୁଁ ତାଙ୍କର କେଉଁ ଗୁଣକୁ ଲଛ ? କିନ୍ତୁ ସେତେବେଳେ ତ ସବୁ ବୁଝି ସୁଦ୍ଧା ଅବୁଝା ପାଲଟିଥିଲି । ମୋ ବୁଦ୍ଧିରେ ଯେମିତି ନିଆଁ ଲାଗିଥିଲା, ମୋତେ ଯିମିତି କାଳ ଘୋଟିଥିଲା । ତା’ ନୋହିଥିଲେ ଜାଣି ଶୁଣି ଇମିତି ଭୁଲ କିଏ କରେ ? ନିଜେ ପୋତି ହୋଇମରିବା ଲାଗି କିଏ ନିଜେ ନିଜେ ଗାତ ଖୋଳି ବସେ ? ଯେଉଁ ଡାଳରେ ଗୋଡ଼ ଥାଏ, ସେଇ ଡାଳ ମୂଳରେ କିଏ ଚୋଟ ଲଗାଏ ? ଛାଡ଼ !!

 

ପ୍ରତ୍ୟେକ ବିବାହିତ ଲୋକ ଜାଣିଥିବେ, ବାହା ହବାର କେଇ ଦିନଯାକେ କାଉଁରୀ ଦେଶର କୁହୁକ କାଠିଛୁଆଁ ହାଲୁକା ଆକାଶରେ ସପନ ସୁଖର ପୁଲକ ପରଶ ଲାଗି ରହିଥିଲା ପରି ଜୀବନଟା ଏଇ ସଂସାର ଭିତରେ ଥାଇ ସୁଦ୍ଧା ନ ଥିଲା ପରି କେଡ଼େ ଭୋଳା, କେଡ଼େ ମତୁଆଲା ! ମୁଁ ଆଜି ଅନୁମାନ କରୁଛି, ନାରୀହୃଦୟ ସେତେବେଳେ କେବଳ ସାର୍ଥକତାରେ ଭରି ରହିଥିବ । ସଂସାରର ସହସ୍ର ଆବର୍ଜନା, ଜଗତର ଯାବତ ଜଞ୍ଜାଳ ସେ ସାର୍ଥକତା ନିକଟରେ ନିତାନ୍ତ ଉପେଷଣୀୟ ମନେ ହେଉଥିବ । କିନ୍ତୁ ମୋର ହେଲା କ’ଣ ? ମୋ ଜୀବନର କାବ୍ୟ ଯିମିତି ବିଧାତା ନୂତନ ପ୍ରଣାଳୀ, ନୂତନ ଶୈଳୀରେ ଲେଖି ଆରମ୍ଭିଲେ ।

 

କି କୁକ୍ଷଣରେ ମୁଁ ଏ ଘରେ ଗୋଡ଼ ଦେଇଥିଲି କେଜାଣି, ସେତିକି ବେଳରୁ ତା’ ଉପରୁ ଯିମିତି ମୋର ଜୀଅ ଛାଡ଼ି ଚାଲି ଯାଉଥିଲା । ଲୋକ ଯାହା କହୁଥିଲେ ମୁଁ ବି ଭାବୁଥିଲି ସେଇଆ । ମୋର ସବୁବେଳେ ଗୋଟାଏ ଏଇ ଧାରଣା ରହିଲା ଯେ, ମୁଁ ଆସି ଯିମିତି ଏ ଘରଟାକୁ ଉଜ୍ଜ୍ୱଳ କରିଛି, ମୋ ବାପ ମା’ ଏଠି ମୋତେ ବିଭା ଦେଇ ଏମାନଙ୍କୁ ଯେପରି କୃତାର୍ଥ କରିଛନ୍ତି ! ମୁଇଁ ଯିମିତି ଏ ଘରର ଲକ୍ଷ୍ମୀ ଉଦୟ ହୋଇଛି । ଲୋକଙ୍କର ପ୍ରଶଂସା, ବଉଙ୍କର ଶରଧା, ତାଙ୍କର ସ୍ନେହ ପ୍ରୀତି ସବୁ ମୋର ଏ ଧାରଣାକୁ ଆହୁରି ଦୃଢ଼ୀଭୂତ କରି ଦେଉଥିଲା । ମୁଁ ଭାବୁଥିଲି, ଏସବୁ ୟାଙ୍କର କୃତଜ୍ଞତା ପ୍ରକାଶ ନୁହେଁ ତ ଆଉ କ’ଣ ?

 

ହାୟ, ଆଜି ମନେ ପଡ଼ିଲେ ନିଜକୁ ଶହେବାର ଧିକ୍‍କାରି ବି ଶାନ୍ତି ମିଳେ ନାହିଁ । କେତେ ଫୁଲ–ଫୁଟା ଫଗୁଣ ନିଶାରେ ରୂପେଲି ଚାନ୍ଦିନୀ ଚାନ୍ଦୁଆ ତଳେ ତାଙ୍କର ପ୍ରୀତି–ଭାଷାକୁ ମୁଁ ଉପେକ୍ଷା କରି ଦେଇଛି ଖାଲି ଅଭିମାନରେ, ଆତ୍ମବଡ଼ିମାରେ । ସରଳ ସେ, ଏଭଳି ଅଭିମାନକୁ ଚତୁରୀର ମନେ କରି କେତେ ଥର ତା’ର ପର ଦିବସମାନଙ୍କରେ ନାନା ରହସ୍ୟ କରିଛନ୍ତି । ମୁଁ କିନ୍ତୁ ମନପ୍ରାଣ ଦେଇ ତାଙ୍କର ଆଶା ତୃପ୍ତ କରିଛି କ୍ୱଚିତ୍–କେବଳ ଭିକ୍ଷା ଦେଇ କୃତାର୍ଥ କରିଛି ମାତ୍ର-

 

ଅନେକ ଦିନ ପରେ ସୁଦ୍ଧା ଚାକିରି ନ ପାଇଲାରୁ ବାପା ତାଙ୍କୁ ଓକିଲାତି ପଢ଼ିବାପାଇଁ କହିଲେ । ପଢ଼ିବା ଖର୍ଚ୍ଚ ଲାଗି ମାସକୁ ପଚାଶ ଟଙ୍କା ଲେଖାଏଁ ଦେବାକୁ ବି ରାଜି ହେଲେ । ଏ କଥା ଶୁଣି ମୋ ଗୋଡ଼ ଆଉ ତଳେ ପଡ଼ିଲା ନାହିଁ । ବାପା ସାହାଯ୍ୟ ନ କଲେ ୟାଙ୍କର କି କ୍ଷମତା, ଏ ଓକିଲାତି ପଢ଼ନ୍ତେ ! ଗରବରେ ମୁଁ ଛିଡ଼ି ପଡ଼ୁଥିଲି ଏ କଥା କହି । କିନ୍ତୁ–କିନ୍ତୁ ମୂଲ ଲାଗି ହଉ ପଛେ ସ୍ୱାମୀ ଅରଜନରେ ପେଟ ପୋଷି, କୁଡ଼ିଆଟିରେ ମଧ୍ୟ ସ୍ତ୍ରୀର ଯେ କେତେ ସୁଖ, କେଡ଼େ ସୌଭାଗ୍ୟ ତା’ ବୁଝିବା ଭଳି ଅବସ୍ଥା ମୋର ନ ଥିଲା ସେତେବେଳେ । ମୋ ବାପାଙ୍କର ଦୟା ବିନା ୟାଙ୍କର ଆନ ଗତି ନାହିଁ, ସେ ଟଙ୍କା ନ ଦେଲେ ୟାଙ୍କର ନ ଚଳେ; ଏଇ ଭାବନା ଭିତରେ ଖାଲି ଗର୍ବ ନୁହେଁ, ଇମିତି ଗୋଟାଏ ସ୍ୱାର୍ଥପରତା ଥିଲା ଯେ, ଯାହାଙ୍କୁ ଜୀବନର ଏକାନ୍ତ ଆପଣାର କରିବାକୁ ହେବ ତାଙ୍କୁ ମୁଁ କିଭଳି ଗୋଟାଏ ଅପର ମନେ କରି ପତରରେ ବି ପକାଇଲି ନାହିଁ । ତାଙ୍କର ଗରବପଣିଆ ତାଙ୍କୁ ଇମିତି ଛୋଟ କରି ମୋ ଆଖିଆଗରେ ଦେଖାଇଲା ଯେ, ଯଦି ଠିକ୍‌ ସତ କହେ, ମୁଁ ମନେ କଲି ସେ ଯେପରି ମୋର ଅନୁଗତ–ମୋର ଦାସ ।

 

ଏଇ ଭାବନା ହେଲା ମୋର କାଳ । ଏଇ ହେଲା ମୋ ଜୀବନ ପଥର ଅସଲ ଖାତ । ଜୀବନଟା ଯାକ ଯାହାକୁ ନିହାତି ନିଜର କରି ସୁଖେ ହେଉ ଦୁଃଖେ ହେଉ ଦିନ କାଟିବା ମୋର କର୍ତ୍ତବ୍ୟ ଆଉ ଧର୍ମ ହୋଇଥାନ୍ତା, ଏଇମିତି ଗୋଟାଏ ସାମାନ୍ୟ ମନର କଳୁଷକୁ ମୁହଁ ଦେଇ ତାଙ୍କଠୁଁ ମୁଁ ଭିତରେ ଭିତରେ କିମିତିକା ଖାପଛଡ଼ା ହୋଇଆସିଲି । ଅଯୋଗ୍ୟ ବୋଲି, ଅନାଡ଼ି ବୋଲି, ଗରିବ ବୋଲି ଯଦି ଦିନେ ହେଲେ ତାଙ୍କଠି ଦୟା ହୋଇଥାନ୍ତା ମୋର, ତେବେ ବୋଧହୁଏ ଏଡ଼େ ବଡ଼ ଭୁଲ୍‌ଟାଏ କରି ନ ଥାନ୍ତି ସହଜରେ । କିନ୍ତୁ ତା’ ହେଲା କେଉଁଠିଁ ! ମୁଁ କେବଳ ସେଥିପାଇଁ ତାଙ୍କୁ ଘୃଣା କରି ଶିଖିଲି, ଲାଞ୍ଛନା ଦେଇ ଶିଖିଲି, ଉଠୁଣୁ ବସୁଣୁ ତାଙ୍କୁ ଖୁଣ୍ଟା ଦେବାରେ ଲାଗିଲି ।

 

ତାଙ୍କୁ ଏପରି ନିଉଛୁଣା ମନେ କରିବାକୁ, ତାଙ୍କ ପରି ଅନାଡ଼ିର ହାତ ଧରି ନିଜ ଭାଗ୍ୟକୁ ନିନ୍ଦା କରିବାକୁ, ଜାଣି ଶୁଣି ନିଜ ମନକୁ ନିଜ ଇଚ୍ଛାରେ ଜାଳି ପୋଡ଼ି ଦହଗଞ୍ଜ କରିବାକୁ, ଜୀବନଟାକୁ ଅନ୍ଧପରି ଖସଡ଼ା ପଥରେ ନେଇ କଚାଡ଼ି ଦେବାକୁ ମୁଁ ଖୁସିରେ ଶିଖୁ ନ ଥିଲି । ମୋ ଚାରିପାଖରେ ବାଆ ବତାସ ଇମିତି ପ୍ରବଳ ହୋଇ ଉଠିଲା ଯେ ସେତେବେଳେ, ମୋ ମନର ଏତିକି ଟିକିଏ ନିଆଁ ଝୁଲ ପାଖରେ ଝୋଟ ବିଡ଼ା ରଖି ସାରା ଦୁନିଆଟାକୁ ଜାଳି ପୋଡ଼ି ଦେବାକୁ ବସିଲା ଯେମିତି । ମୋର ଚାରା କଅଣ, ମୁଁ ସେଥିରୁ ରକ୍ଷା କରନ୍ତି ନିଜକୁ ? କହିଲେ ମିଛ ମାନିବ, ମୋତେ ଯିମିତି କିଏ ଗୋଟାଏ ନିହାତି ଅଜଣା ଅଚିହ୍ନା ବାଟରେ ଟାଣି ଘୋଷାରି ନେଉଯାଉଥିଲା–ବାଧା ଦେବାକୁ ମୋର ଯେପରି ସାହସ ଉଭେଇ ଯାଇଥିଲା କୁଆଡ଼େ ।

 

ତାଙ୍କର ପିଲାଦିନର ସଙ୍ଗୀ–କାଳେ ଅନ୍ତରଙ୍ଗ ବନ୍ଧୁ ସେ; ଆଚ୍ଛା ସୁନ୍ଦର ନାଁଟିଏ–‘କିଶୋର’–ଯିମିତି ରୂପ–ସିମିତି ନାଁ–ସିମିତି ବି....ନାଃ, ସେଟା ମୋ ମୁହଁରେ ଶୋଭା ପାଇବ ନାହିଁ । ଲୋକେ କେତେ କଥା କହି ତିଆରିବେ । କିନ୍ତୁ ତାଙ୍କ ସାଙ୍ଗରେ ଯିଏ ଥରେ ମିଶିବାର ସୁଯୋଗ ପାଇଛି, ସେ ଜାଣେ ସେ କେଡ଼େ ଗୁଣର, କେଡ଼େ ସରଳ ନିର୍ମଳ ସୁନ୍ଦର ହୃଦୟର ଲୋକ ସେ । ଯଦି ତାଙ୍କର କିଛି ଦୋଷ ଥାଏ, ସେ ଯଦି ଜୀବନରେ କିଛି ଭୁଲ କରିଥାନ୍ତି, ତେବେ ଧରିନିଅ, ତା’ ସେ କରି ନାହାନ୍ତି, କରିଛି ମୁଁ । ଇମିତି କହିବାର କାରଣ ଅଛି ।

 

ମୋ ବାହାଘର ବେଳକୁ ସେ ବାହା ହୋଇ ନ ଥିଲେ । ସେଥିପାଇଁ ବୋଧହୁଏ ବନ୍ଧୁ ବାହାଘରରେ ତାଙ୍କର ଏତେ ଫୁର୍ତ୍ତି । ବାହାହେଲେ ଲୋକଙ୍କର ବାହାଘର ନିମନ୍ତରେ ଯେତେ ଆନନ୍ଦ, ଆମୋଦ, ନିଜ ବାହାଘରର ଗୋଟାଏ ସୁଖ କଳପନା କରି ଅବିହଡ଼ ଟୋକାଙ୍କର ତାଠୁଁ ଢେର୍‌ବେଶୀ ଆନନ୍ଦ ହୁଏ କି କଅଣ ! ମୁଁ ପରା ଦେଖିଛି, କି କୌତୁକ, କି ହସ ତାଙ୍କର ! କିନ୍ତୁ ସେଇ ଚଞ୍ଚଳ ପ୍ରାଣ ଭିତରେ ଯେ ଏଡ଼େ ବଡ଼ ଗୋଟାଏ ଗୁପ୍ତ ବେଦନାର ଆଘାତ ଲାଗିଛି, ତା’ କିଏ କାହିଁକି ଜାଣିବ ! ଆଃ–ଆଜି ମୋର ବଡ଼ ଦୟା ହୁଏ ସେ କଥା ଭାବିଲେ ।

 

ରୁମାଲ କାଗଜରେ ଛାପା ତାଙ୍କର ଖଣ୍ଡିଏ ‘ନବ ବାନ୍ଧବୀଙ୍କୁ ପ୍ରୀତି ଉପହାର’ କବିତା ଆଜି ଯାଏ ବି ମୋ ପାଖରେ ଅଛି । ଓଃ, ଗୋଟାଏ ନିର୍ମମ ସ୍ମୃତି ସେ ।

 

କୁବେର ବରରେ ବର ଯଦି ତେବେ

ଦିଅ ଗୋ ବରଣମାଳିକା

(ତମର) ବିରହୀ ପକ୍ଷରେ,

(ମୋତେ) ଗରିବରୁ ଅତି ଗରିବ କରି ଗୋ

ଠିଆ କରି ରଖ ବାଳିକା

(ତମର) ଅଳକା କକ୍ଷରେ ।

+ + +

ସୁର ପୁରୁଷରେ ବର ଯଦି ତେବେ

ବାହି ଚାଲ ରଥ ସାରଥି

(ତମର) ନୟନ ଇଙ୍ଗିତେ,

(ମୋତେ) ତମ ରଥ ତଳେ ପେଷି ଦେଇ ଆଗୋ

ଶୁଣାଅ ମଧୁର ଭାରତୀ

(ତମର) ବିଜୟ ସଙ୍ଗୀତେ ।

 

ଲେଖାଟି ଏଡ଼େ ସୁନ୍ଦର ଯେ ମୁଁ ତାକୁ ବାର ବାର ନ ପଢ଼ି ରହି ପାରିଲି ନାହିଁ । ପଦ ଗୁଡ଼ିକ ଏଡ଼େ ଲଳିତ ଯେ ପାଞ୍ଚ ଛଅ ଥର ପଢ଼ି ମୋର ସବୁ କଣ୍ଠସ୍ଥ ହୋଇଗଲା । ମୋର ଯେତେବେଳେ ତାଙ୍କୁ ଭଲକରି ଦେଖିବାର ସୁବିଧା ହୋଇ ନ ଥିଲା, ତାଙ୍କର ଏଇ କବିତାଟି ପଢ଼ି ମନେ ମନେ ଭାବୁଥିଲି–ସେ ବା କେଡ଼େ ସୁନ୍ଦର ହେଇ ନଥିବେ ! ପରେ ଯେତେବେଳେ ଦେଖିଲି, ମନେ ହେଲା, ମୁଁ ଯାହା ଭାବିଥିଲି, ତା’ଠୁଁ ଯିମିତି ବେଶୀ ସୁନ୍ଦର ସେ ।

 

ଦିନେ ଶୋଇଲାବେଳେ ତାଙ୍କ କଥା–ବେଶୀ ତାଙ୍କ କବିତା କଥା ଭାବୁ ଭାବୁ–ୟାଙ୍କୁ ହଠାତ୍‌ ପଚାରି ପକାଇଲି–ଆଚ୍ଛା, ତମକୁ କ’ଣ ଆସିବ ନାହିଁ ?

 

ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–କଅଣ ?

 

ମୁଁ ନିର୍ଲଜୀଙ୍କ ପରି କହିଲି–ତାଙ୍କପରି କବିତା ଲେଖି ।

 

ସେ ପଚାରିଲେ–କାହାପରି ?

 

ମୋତେ ତ ବଡ଼ ଲାଜ ମାଡ଼ିଲା । ମୁଁ ନ ଜାଣିଲା ପରି କହିଲି–କଅଣ ଟି ତାଙ୍କ ନାଁ–ମୁଁ ଜାଣେ ନାହିଁ–ସେଇ ମ ତମର ଭାରି ସାଙ୍ଗୀ !

 

କିଶୋର ?

 

କହିଲି–‘ହଁ’ ।

 

‘ଆଉ କଉଁ ଗୁଣଟା ଅଛି ?’ କହି ମୁଁ ବିରକ୍ତ ହୋଇ କଡ଼ ଲେଉଟାଇ ଶୋଇଲି । ସେ ମୋ କାନ ପାଖୁଟାରେ ମୁହଁ ଲଗେଇ ଦେଇ କହିଲେ–ଏଇ ଗୁଣଟି ଅଛି, ଜାଣିଲ ?

 

ସେ ଏତେ ରସିକତା କଲେ ମଧ୍ୟ ମୁଁ ଭୁଲି ପାରିଲି ନାହିଁ ସେଦିନ ଯେ, ସତେ ୟାଙ୍କଠାରୁ ସେ କେତେ ଗୁଣର ! ଆଉ ଯଦି ସତ କହିବି ତ ମାଇପି ଜାତିଟା ଯିମିତି ଗୁଣରେ ମୋହି ହବାର ଜୀବ, ଇମିତି ଆଉ କେହି ନୁହନ୍ତି ଦୁନିଆରେ । ତା’ ବୋଲି ମୁଁ ଯେ ସତ ସତ ତାଙ୍କ ଗୁଣରେ ମୋହି ହୋଇଗଲି ବା ତାଙ୍କ ପ୍ରେମରେ ପଡ଼ିଗଲି ସେତିକିରେ, ଇୟା ଯିମିତି ନ ବୁଝନ୍ତି କେହି । ତେବ, ସେ ଲୋକଟିକୁ ମୋର କିମିତି ବଡ଼ ପସନ୍ଦ ହେଲା । ତା’ ସଙ୍ଗେ ସଙ୍ଗେ ଯେ ମୋର ନିଜ ସ୍ୱାମୀଙ୍କ ପ୍ରତି ସାମାନ୍ୟ ହତାଦର ଭାବ ନ ଆସିଛି, ଇୟା ମୁଁ ନିଶ୍ଚୟ କରି କହି ପାରୁନାହିଁ ।

 

ସେ ଆଉ ଗୋଟିଏ ଯୋଡ଼ିଏ ଜିନିଷ ବାହହାଘରକୁ ମୋତେ ଉପହାର ଦେଇଥିଲେ । ଗୋଟିଏ ଛୋଟିଆ ହାତ ବାକସରେ ସାବିନି, ବାସନା ତେଲ, ପାଉଡ଼ର, ଇମିତି କେତେ ଜିନିଷ, ଆଉ ଗୋଟିଏ ଚମଡ଼ାର ବ୍ୟାଗ୍‌ ଭଳି ହୋଇଥାଏ–ତା’ ଦିହରେ କାଗଜ, ପେନ୍‌ସିଲ, ଲଫାପା, ଫାଉଣ୍ଟେନ୍‍ ପେନ୍‌ ଓ ଆଉ ଆଉ ଲେଖିବା ସରଞ୍ଜାମ । ସେଥିରେ ଠାଏ ଲେଖା ଥାଏ ‘ଭୁଲନା‘ । ସତରେ ଏକା, ସେ ଅଲକ୍ଷଣା ଲେଖାଟା ଭିତରେ କଣ ଥିଲା କେଜାଣି–କିଏ ଯାଦୁ କରିଥିଲା କି କଅଣ, ମୁଁ ତ ତାଙ୍କୁ ଏଡ଼େ ସହଜରେ ଭୁଲି ପାରିଲି ନାହିଁ–ଆଜିଯାଏ ବି । ବେଳେ ବେଳେ ତାଙ୍କ କଥା କାହିଁକି ଆପଣା ଛାଏଁ ମନକୁ ଆସେ । ସେଇ ଭାବନା ପଛେ ପଛେ ଯେ ଗୋଟାଏ କୌଣସି ରକମର ଖରାପ ବା ପାପ ଆସି ମନ ଭିତରେ ପଶିବ, ମୁଁ ଇୟା ସନ୍ଦେହ ବି କରି ନ ଥିଲି କେବେ-। କିନ୍ତୁ ଯୋଉ ଦିନଠାରୁ ମୁଁ ଆପଣାକୁ ଆପେ ସନ୍ଦେହ କରିଛି, ପର ପୁରୁଷଟାକୁ ମୋ ମନ ଭିତରେ ଭଲରେ ହେଉ ମନ୍ଦରେ ହେଉ ଏତେ କାହିଁକି ଭାଳି ହେଉଅଛି, ଏ କଥା ମେ ମନକୁ ଯୋଉଁ ଦିନ ଆସିଛି, ସେଇ ଦିନ ମୁଁ ଜାଣିଲି, ଜାଣିଶୁଣି ଭୁଲ ନ କରି ଆଉ ଚାରା ନାହିଁ । ମଣିଷ ଯାହାକୁ ସବୁବେଳେ ଡରୁଥାଏ, ତା’ର ମରଣ ହୁଏ ଯିମିତି ସେଇ ଗାତରେ । ମୁଁ ପଡ଼ିବି ପଡ଼ିବି ବୋଲି ଡରି ଡରି ଶେଷକୁ ସେଇଥିରେ ପଡ଼ିଗଲି ।

 

କିନ୍ତୁ ଏଥିପାଇଁ ମୁଁ କଅଣ ଏକାକୀ ଦାୟୀ ? ମୁଁ ଯଦି ସବୁଦିନେ କ’ଣ–ଭୁଆସୁଣୀଟି ହୋଇ ସବୁବେଳେ ପରଦାନ୍‌ସିନ୍‌ ରହିଥାନ୍ତି, ମୋର ଏ ଭୁଲ ହୋଇଥାନ୍ତା କାହିଁକି ? ଭରା ଯଉବନରେ ମନ ଯେତେବେଳେ ଅଜଟ ଧରି ବସେ, ସେତେବେଳେ ମୁହଁ ଦେଇ ଦେଇ ପଛକୁ ପୁଣି ଆକଟି ବସିଲେ ଆଉ ହେବ କଅଣ ?

 

ସେ ମୋତେ ମୁଁହ ଦେଇଥିଲେ–ପ୍ରଶ୍ରୟ ଦେଇଥିଲେ, ସେଥିରେ ତାଙ୍କର ଦୋଷ ? ମୁଁ ସିନା ନିଜ ମୁଣ୍ଡରୁ ଅପରାଧଟା ତାଙ୍କ ଆଡ଼କୁ ଗଡ଼େଇ ଦେବି ଖାଲି ମନକୁ ସାକୁଲେଇବା ବାହାନାରେ; କିନ୍ତୁ ମୋ ଭୁଲ ପାଇଁ ଆଉ କିଏ ବା ଦାୟୀ ହବ କାହିଁକି ? କଣ–ଭୁଆସୁଣୀ ହେଇ ରହି ନ ଥିଲି ବୋଲି ଆଜି ଭାବୁଛି, ହୁଏତ ସିମିତି ଆକଟରେ ଥିଲେ ମୋର ଏ ଭୁଲ ହେଇ ନ ଥାନ୍ତା । କିନ୍ତୁ କଣ–ଭୁଆସୁଣୀମାନଙ୍କର ଯେ ଇମିତି ଭୁଲ ହଉ ନ ଥିବ, ଇୟା କହିଲା କିଏ ? ବରଂ ତାଙ୍କ ଭୁଲକୁ ସୁଧାରିବାର ଆଉ ବାଟ ନ ଥାଏ । ଆଖି ବୁଜି ଯେ ଖସଡ଼ା ପଥରେ ଖସେ, ପତନ ଛଡ଼ା ତା’ର ଆଉ ଅନ୍ୟ ବାଟ ଆସିବ କେଉଁଠୁ ?

 

ମୋତେ ଦିନେ ସେ ଡାକି କହିଲେ, ‘ଗେହ୍ଲୀ’ ଦେଖିଲୁଣି, ତୋର ଖଣ୍ଡେ ଚିଠି ଆସିଛି ।’

 

ମୁଁ ଉତ୍ସାହ ଆନନ୍ଦରେ ପଚାରିଲି–‘କୋଉଁଠୁ ଆସିଛି ? କିଏ ଦେଇଛି ?’

 

ଆହା, ଏଡ଼େ ସରଳ ଯେ ସେ, ତାଙ୍କ କହିବାରେ ଯିମିତି ଗୋଟାଏ ଅକପଟ ସହଜ ସ୍ୱାଚ୍ଛନ୍ଦ୍ୟ ଥିଲା । ସେ କହିଲେ–‘କିଶୋର ଦେଇଛି ।’ ତାଙ୍କ ଓଠ ଅଗରେ ଅଳପ ଚଞ୍ଚଳ ମଧୁର ହସଟିଏ ଖେଳିଗଲା–ଅତି ଅକପଟ, ଅତି ସରଳ, ଆଉ ତରଳ ।

 

ମୋ ନାମରେ ଚିଠି ଆସିଥିବା କଥା ଶୁଣି ଭିତରଟା କିମିତି ଗୋଟାଏ ସାର୍ତକତାରେ ଭରି ଉଠୁଥିଲା ମୋର । ମଣିଷ ଯେତେବେଳେ ବେଶୀ ଚିଠିପତ୍ର କାରବାର କରି ନ ଥାଏ, ଯଦି କଉଁଠୁ କିମିତି ଖଣ୍ଡେ ଅଧେ ଚିଠି ଆସିଥାଏ ତା’ ନାମରେ, ସେ ଖଣ୍ଡେ ଯେ ଅମୃତବୋଳା ହେଲା ପରି କେଡ଼େ ଭଲ ଲାଗେ, କେଡ଼େ ଅପୂର୍ବ ଜଣାଯାଏ ତାକୁ, ତା’ ମୁଁ କେବଳ ସେତିକି ବେଳେ ବୁଝି ପାରିଥିଲି ।

 

‘କିଶୋର ବାବୁ ଦେଇଛନ୍ତି ?’ ମୁଁ ପଚାରିଲି ।

 

ସେ କହିଲେ ‘ହଁ’ ।

 

‘ପଢ଼’ ବୋଲି କହି ସେ ଚିଠିଖଣ୍ଡ ମୋ ହାତକୁ ବଢ଼େଇ ଦେଲେ ।

 

କିନ୍ତୁ ତାକୁ ହାତକୁ ନେବା ପାଇଁ ମୋର ଯିମିତି ସାହସ ହେଉ ନ ଥିଲା । ସେତେବେଳକୁ ମୋ ମନରେ ଯେ କିମିତି ଗୋଟାଏ ପାପ ଛୁଇଁ ସାରିଲାଣି, ତା’ ମୁଁ ଆଜି ଯେତେ ବୁଝି ପାରୁଚି ସେତେବେଳେ ପାରି ନ ଥିଲି । ଚିଠି ଖଣ୍ଡଟା ଯିମିତି ବହୁ କଷ୍ଟରେ ନେଇ ପଢ଼ିଲି । ବେଶୀ କିଛି ଲେଖା ହୋଇ ନ ଥିଲା । ଯାହା ଲେଖା ଥିଲା ତା’ରି ଭିତରେ ସତେ ଯିମିତି କିଏ କୁହୁକ କାଠି ଛୁଇଁ ଦେଇଥିଲା ପରି ଲାଗିଲା ମୋତେ ।

 

ଚିଠି କାଗଜର ଉପରେ ଲେଖା ହୋଇଥିଲା,–‘ପତି ପରମ ଗୁରୁ’ । ପାପର ଯେ କେତେ ସୁନ୍ଦର ଆବରଣ ଘେନି ସେ ଲେଖା ଆସିଥିଲା, ତା’ ମୁଁ ପରେ ବୁଝି ପାରିଲି ।

 

ସେଇ ଗୋଲାପି କାଗଜରେ ସୁନ୍ଦର ନୀଳ କାଳିରେ ମୁକୁତା ଭଳି ଅକ୍ଷରରେ ଲେଖା ଥିଲା–

 

ଶ୍ରୀମତୀ ସୁଲକ୍ଷଣା ଦେଈ

 

କାନ୍ତକାରେଷୁ....

 

ଜଗତର ଗୋଟାଏ ଚଞ୍ଚଳ ଜନଗହଳ ସ୍ଥାନରେ ରହି ଆଜି ଗୋଟିଏ ନୀରବ ନିଶ୍ଚଳ ସୁନ୍ଦର ପଲ୍ଲୀ ଅଭିମୁଖରେ ମୋର ଏ ଭାଷା । ମନର ସବୁ ଉଚ୍ଛୃଙ୍ଖଳତା, ସବୁ ଚାଞ୍ଚଲ୍ୟ କଳ୍ପନାସ୍ରୋତରେ ଭାସିଯାଇ ସେଇଠି ନୀରବ ନିଷ୍ପନ୍ଦ ହୋଇ ଯାଉଛି । ଦୁଇଜଣ; ଜଣେ ଅନ୍ତରତମ ବନ୍ଧୁ, ଅନ୍ୟଜଣେ ତା’ର ଅତି ଆପଣାର–ଅନ୍ତରର ଅନ୍ତରତମ ପ୍ରଦେଶର । ଏଇ ଦୁଇଜଣଙ୍କର ମଧୁମୟ ଦିବସଗୁଡ଼ିକ ଗଣନା କରି ଆଜି ମୋର ଅସୀମ ସୁଖ । ତମ ଦୁହିଙ୍କର ଏଇ ଅନାବିଳ ସୁଖମୟ ଜୀବନ ଭିତରେ ମୋ ଭଳି ଗୋଟିଏ ନିତାନ୍ତ ଗରିବ ବନ୍ଧୁକୁ ଭୁଲି ଯିବ ନାହିଁ, ଏତିକି ମୋର ଭିକ୍ଷା । ଇତି ।

 

ତମର

ଅତି ଅକିଞ୍ଚନ

‘କିଶୋର’

 

ମୋତେ ସେ ସବୁବେଳେ ଲଗେଇଲେ ଇୟାର ଉତ୍ତର ଦବାକୁ । ଲଜ୍ଜା ଆଉ ଭୟରେ ମୋ ମନ ମୋତେ ସେତେବେଳକୁ ଘାରି ପକାଉଥିଲା । ମୁଁ ଲେଖି ପାରନ୍ତି ବା କିମିତି ? ଯାହା ହଉ, ଦିନା କେତେ ପରେ ମୁଁ ଖଣ୍ଡେ ଚିଠି ଲେଖି ବସିଲି । ଶିରୋନାମାଟା ଲେଖିବାରେ ହିଁ ବଡ଼ ଗୋଳମାଳ ଉଠିଲା ।

 

ଲେଖିଲି–‘ବନ୍ଧୁବର !’

 

‘ଛି’ ବୋଲି କହି ସେ ଖଣ୍ଡି ଚିରି ପକାଇଲି । ଆଉ ଖଣ୍ଡରେ ଲେଖି ବସିଲି–

 

‘ପ୍ରିୟ କିଶୋର ବାବୁ !’

 

ଏଥର ମନ ମାନିଲା । କିନ୍ତୁ କ’ଣ ଯେ ଲେଖିବି, ଭାବି ମୋଟେ ଠିକ୍‌ କରି ପାରିଲି ନାହିଁ । ଲେଖିଲି ଶେଷରେ–‘‘ଚିଠିର ଉତ୍ତର ଦବାରେ ଟିକିଏ ଡେରି ହେଇଗଲା ବୋଲି ମନରେ ରାଗ କରିଥିବେ; କିନ୍ତୁ କରିବି କଅଣ ? ଘରର ଜଞ୍ଜାଳ ତ ଜାଣନ୍ତି । ଚିଠି ଲେଖିବାର ସୁବିଧା ପାଇ ନ ଥିଲି ବୋଲି ଯେ.....’’

 

ଏଇଠି କ’ଣ ଲେଖିବି ? ‘ଭୁଲି ଯାଇଥିଲି ତମକୁ, ଇୟା ନୁହେଁ ।’ ଏଇୟା ? ‘ଛି’ ବୋଲି କହି ଏଣୁ ତେଣୁ ଗୁଡ଼ାଏ କଅଣ ଲେଖି ପକାଇ ତାକୁ ପୁଣି କାଟିଲି । ଚିଠି ଖଣ୍ଡଟା ନିହାତି ମେଳିଛିଆ ଦେଖାଗଲା ବୋଲି ତାକୁ ଚିରି ଟିକି ଟିକି କରି ପକାଇଲି । ଆଉ ଖଣ୍ଡକରେ ସେଇ କଥାକୁ ପୁଣି ଲେଖିଲି । ଟିକିଏ ତରତର କରି ଉତାରି ପକେଇବାରୁ ଅକ୍ଷରଗୁଡ଼ାକ ବଙ୍କା ତେଢ଼ା ହେଇଗଲା । ସେ ଖଣ୍ଡଟା ବି ଗଲା । ଟିକିଏ କୋଉଠି ଅକ୍ଷର ଖରାପ ହୋଇଯାଇଥିଲେ ମୋର ଯେ କ’ଣ ହୋଇଯାଇଥାନ୍ତା, ମୋତେ ପଛେ ପାଠୋଈ ବୋଲି କେହି ସାଟିଫିକଟ ଦେଇ ନ ଥାନ୍ତେ ନାହିଁ, ମୁଁ ହୁଣ୍ଡୀଟା କଅଣ କଲି କି, ବାର ବାର କାଟି ବାର ବାର ବାଗେଇ ସେ ଚିଠି ଖଣ୍ଡକ କେତେ ମେହେନ୍ତ କରି ଲେଖିଲି–

 

ଚିଠି ଲେଖିବାର ସୁବିଧା ପାଇ ନ ଥିଲି ବୋଲି ଦେଇ ନାହିଁ । ସେଥିପାଇଁ କ୍ଷମା ମାଗୁଛି-। ମନେ କରିବେ, ମୁଁ ଚିଠି ଲେଖିବାକୁ ଭୁଲି ଯାଇଥିଲି; କିନ୍ତୁ ତା’ ନୁହେଁ ।’’

ଏତିକି ଲେଖିଛି, ସେ ସିଆଡ଼ୁ ଆସି ମୋ ଆଖି ଦି’ଟା । ବୁଜି ଧଇଲେ । ମୁଁ ତାଙ୍କୁ ଦେଖି ପାରି ନଥିଲି । ନ ଦେଖି ଥିଲେ ବି ମୋ ଆଖିକି ମୁଠେଇ ରଖିଲା ଭଳି ସାହସ ଯେ ତାଙ୍କ ଛଡ଼ା ଆଉ କାହାରି ନୁହେଁ, ଏ କଥା ମୁଁ ବୁଝିପାରିଥିଲି ବେଶ୍‌ । ମୁଁ ତାଙ୍କ ହାତ ଦି’ଟାକୁ ମୋ ମୁଁହରୁ ଛଡ଼େଇ ଦେବାକୁ ବୃଥା ଚେଷ୍ଟା କଲି ।

‘କିଏ କହିଲୁ’–‘କିଏ କହିଲୁ’ ବୋଲି ପଚାରୁ ପଚାରୁ ସେ ମା ମୁଣ୍ଡ ଉପରେ ନଇଁପଡ଼ି ଚିଠିଟାକୁ ପଢ଼ିନେଲେ । ତାଙ୍କ ହାତ କାହିଁକି ଆପେ ଆପେ ଛାଡ଼ି ହୋଇଗଲା । ମୁଁ ଆଖି ଖୋଲି ଦେଖିଲି, ମତେ ଯିମିତି ଦିଶିଲା, ସେ ଦି’ଟା ଡାଗରା ଡାଗରା ଆଖିରେ ଚିଠିଟାକୁ ଅନେଇଛନ୍ତି । ତାଙ୍କ ଭିତରେ ଯେ କିଛି ଗୋଟାଏ ସନ୍ଦେହ ଥିବ, ସେ କଥା ଖାଲି ମୋ’ରି ମନ ମୋତେ ଡରଉଥିଲା ସିନା, କିନ୍ତୁ ସେତେବେଳେ ବି ସେ ସେଇମିତି ସରଳ ଆଉ ଅକପଟ ଥିଲେ ।

‘କାହା ପାଖକୁ–କିଶୋର ପାଖକୁ ଲେଖୁଛୁ ?’ ମୁଁ ମୁଣ୍ଡ ଟୁଙ୍ଗାରି ହଁ ଟା ଭଲ କରି ଜଣେଇବା ଆଗରୁ ସେ ପୁଣି କହିଲେ–‘ରହ, ରହ, ଲଫାପା ବନ୍ଦ କରି ଦେବୁ ନାହିଁ । ମୁଁ ବି ଖଣ୍ଡେ ଚିଠି ଦେଇ ଦେବି ତାରି ଦିହରେ ।’ –କହି ସେ ତରତର ହେଇ ଘରୁ ବାହାରି ଗଲେ । ତାଙ୍କର ସବୁଦିନେ ଏଇମିତିଆ ତୁରୁତୁରିଆ ସ୍ୱଭାବ ।

ଚିଠିରେ କଅଣ ସେଦିନ ସବୁ ଲେଖିଲି, ମୋର ଠିକ୍‌ ଠିକ୍‌ ମନେ ନାହିଁ । ତା’ର ଉତ୍ତର ଆସିଲା ଦୀର୍ଘ । ଏତେ ଅଞ୍ଚଳ ସେ ଚିଠି ଆସିଲା ଯେ ମୋର ମନ ହେଲା, ମୋ ଚିଠିକି ସେ ଯିମିତି ଟାକି ବସିଥିଲେ ଡାହାଣାଙ୍କ ପରି । ଏ ଚିଠିଟାର ଢଙ୍ଗ ରଙ୍ଗ କିମିତି ଟିକିଏ ବଦଳି ଯାଇଥିଲା ପରି ଜଣା ଗଲା । ଲେଖା ଥିଲା ଆଦରର ନୂଆବଉ,

ଚିଠି ଖଣ୍ଡକ ପାଇ ବଡ଼ ଅନୁଗୃହୀତ ହେଲି । ତମର ଅମୂଲ୍ୟ ପ୍ରସାଦରୁ ଏହିପରି କଣିକାଏ ମିଳୁଥିଲେ ମୋ ଭଳି ହତଭାଗା ଯେ ଆପଣାକୁ କେଡ଼େ ଭାଗ୍ୟବାନ ମନେ କରିବ ତା’ କଥାରେ କହି ହେବ ନାହିଁ । ଗରିବ ପ୍ରତି ଯଦି ଏତିକି ଦୟା ସବୁ ଦିନେ ଅକ୍ଷୁର୍ଣ୍ଣ ରହି ପାରିବ, ତେବେ ମୁଁ ନିଜକୁ ଏତେ ହୀନ ମନେ କରିବି ନାହିଁ । ତମେ ମୋତେ ଯେ ଘରର ଏତେ ଜଞ୍ଜାଳ ଭିତରେ ଚିଠି ଦବାକୁ ଭୁଲି ଯାଇ ନାହିଁ, ମୋ ଭଳି ଗୋଟିଏ ନିହାତି ନିଉଛୁଣାର କଥା ଯେ ତମ ଭଳି ଜଣେ ସୁଖୀ ସଂସାରୀର ମନେ ଅଛି, ଏ ମୋର କମ୍‌ ଗୌରବର କଥା ନୁହେଁ । ମୋ ଜୀବନରେ ୟାଠାରୁ ବଳି ସୁଖ ଅଛି ବୋଲି ମୁଁ ଭାବି ପାରୁ ନାହିଁ । ଜୀବନର ସବୁ ସୁଖ ଆଶା ଗୋଟାଏ ଶୁଭ ମୁହୂର୍ତ୍ତରେ ତମ ଦୁହିଙ୍କର ଯେପରି ପୂର୍ଣ୍ଣ ହୋଇଛି ସେହିପରି ଅପର ମୁହୂର୍ତ୍ତରେ ମୋର ଚୂର୍ଣ୍ଣ ହୋଇ ଯାଇଛି ଏକାବେଳକେ । କେବଳ ତମରି ପରି କେତେଜଣ ମୋତେ ଆପଣା ମଣୁଥିବା ଲୋକଙ୍କ କରୁଣା ଆଶା କରି ରହିବା ଛଡ଼ା ମୋର ଆନ ପନ୍ଥା ନାହିଁ । ମୋର ଏଇ କ୍ଷୁଦ୍ର ଜୀବନ ଟିକକ ଯେ କେତେ ହତାଶାର ଝଞ୍ଜା ଶିର ପରେ ସହି ନେଇଛି ତା’ ବିବୃତି କରି କିଛି ଲାଭ ନାହିଁ । ବରଂ ତାହାଦ୍ୱାରା ତୁମ୍ଭମାନଙ୍କ ମନରେ ଦୁଃଖ ଦେବାହିଁ ସାର ହେବ । ସେଇ ଭୟରେ ତ ମୋର ଏତେ ବଡ଼ ବିଶ୍ୱସ୍ତ ବନ୍ଧୁ ନିକଟରେ ମଧ୍ୟ ମୁଁ କେବେ ମୋର ଦୁଃଖର କାହାଣୀ କହିପାରି ନାହିଁ । ମୋର ଦୁଃଖ ଅକଳନ୍ତି ନୂଆବଉ ! ଏ ଜୀବନଟା ଖାଲି ଧରି ରହିଛି ତମରିମାନଙ୍କ ପରି କେତେ ଜଣ ନିହାତି ଆପଣା ଲୋକଙ୍କର ମୋ ପ୍ରତି ଶୁଭ କାମନା, ସୁଖ ପାଇବାକୁ ଆଶା କରି । ତମେ ଯେ ମତେ ଭୁଲି ଯାଇ ନାହଁ, ଏଇ କଥା ପଦକ ମୋ ଭିତରେ ନୂଆ ପ୍ରାଣ ଖେଳେଇ ଦେଲାପରି ଲାଗୁଛି । ଏହା ଛଡ଼ା ଅଧିକ ସୌଭାଗ୍ୟ ଆଉ କ’ଣ ହେଇପାରେ ? ପରସ୍ପର ମଧ୍ୟରେ ସ୍ନେହ ପ୍ରୀତିର ଆଦାନପ୍ରଦାନ ହିଁ ମର୍ତ୍ତ୍ୟକୁ ସ୍ୱର୍ଗ ଭୂଇଁରେ ପରିଣତ କରେ । ଆଜି ମୁଁ ତରୁଣ ଆଉ ତମର ସ୍ନେହ ଲଭି ସ୍ୱର୍ଗର ପାରିଜାତ ପାଇଲା ପରି ମନେ କରୁଛି । ଏ ଅମୂଲ୍ୟ ସମ୍ପଦ ମୁଁ ଏ ଜୀବନରେ ଯେପରି ନ ହରାଏ । ଭଗବାନଙ୍କଠାରେ ଚିରଦିନ ଏଇ ପ୍ରାର୍ଥନା–ଆଉ ତମ ଦୁହିଙ୍କ ପାଖରେ ଏଇ ଭିକ୍ଷା ।

ଏତିକିରେ ଚିଠିଟା ଶେଷ କରି ଦେବାକୁ ଇଚ୍ଛା ଥିଲା । କିନ୍ତୁ ଆଉ ଗୋଟିଏ କଥା ନ ଲେଖିଲେ ଲେଖାଟା ଅପୂର୍ଣ୍ଣ ରହିଯିବ ମନେ କରି ପୁଣି ଟିକିଏ ଲେଖୁଛି । କ୍ଷମା କରିବ । ଏ ଚିଠିରେ ନୂଆବଉ ସମ୍ବୋଧନଟା ଟିକିଏ ଆଶ୍ଚର୍ଯ୍ୟ କରିଥିବ ତମକୁ । କିନ୍ତୁ ମୋର ମନେହୁଏ ଏଟା ଅସଙ୍ଗତ ହେବ ନାହିଁ । ତରୁଣ ଆଉ ମୁଁ ଦୁହେଁ ଦୁହିଁଙ୍କଠାରୁ ଏତେ କମ୍‌ ସାନ ବଡ଼ ଯେ କିଏ କାହାଠାରୁ କେତେ ସାନ ବା କେତେ ବଡ଼, ସେ ପ୍ରଶ୍ନ ତମ ବାହାଘର ଆଗରୁ କେବେ ଉଠି ନ ଥିଲା-। ବାହାଘର ସମୟରେ ତମକୁ ମୁଁ ନୂଆବଉର ସମ୍ପର୍କରେ ଥଟ୍ଟା କରି ପାରିବି କି ନାହିଁ, ଏଇ ସମସ୍ୟା ସମାଧାନ କରିବାକୁ ଯାଇ ଜଣାଗଲା ଯେ ତରୁଣ ମୋଠୁଁ ୨୦/୨୫ ଦିନ ବଡ଼ । ଯଦି ସେ ସାନ ହୋଇଥାନ୍ତା ତେବେ ମୋର ଛାଇ ପର୍ଯ୍ୟନ୍ତ ମାଡ଼ିବା ତମ ପକ୍ଷରେ ପାପ ବୋଲି ଧରା ହୁଅନ୍ତା । ସୌଭାଗ୍ୟରୁ ସେ ବିପଦଟା କଟିଗଲା । ତେଣୁ ମୁଁ ଆଜି ନୂଆବଉ ସମ୍ବୋଧନ କରି କରି କିଛି ଅନ୍ୟାୟ କରିଛି ବୋଲି ମନେ ହେଉ ନାହିଁ । ପ୍ରଥମ ଚିଠି ବୋଲି ହଠାତ୍‌ ଏପରି ସମ୍ବୋଧନ କରିବାକୁ କିମିତି ଅଡ଼ୁଆ ଲାଗୁଥିଲା; କିନ୍ତୁ ତମର ଚିଠି ଖଣ୍ଡକଦ୍ୱାରା ତମେ ମୋତେ ଯେତେ ଆପଣାର କରି ନେଇଛ ମୁଁ ଯଦି ସେଇ ଅନୁପାତରେ ତମକୁ ନିକଟର ମନେ ନ କରେ ତେବେ ମୋର ଭୀଷଣ ଅନ୍ୟାୟ ହେବ । ଆଶା କରେଁ, ଏ ଆନ୍ତରିକ ସମ୍ବୋଧନ ମୋର ଅଗୃହୀତ ହେବ ନାହିଁ । ତମର ସ୍ନେହ ଆଶା କରି ରହିଲି । ଇତି ।

ଅଭାଗା କିଶୋର

 

ସେ ଚିଠିର ଉତ୍ତର ବି ମୋତେ ଦବାକୁ ପଡ଼ିଥିଲା । ମୋର ଅଳପ ଅଳପ ମନେ ପଡ଼ୁଛି; ମୁଁ ଲେଖିଥିଲି–

 

‘‘ଆଦରର କିଶୋରବାବୁ !

 

ଆପଣଙ୍କର ଚିଠି ଖଣ୍ଡିକ ଯେଉଁ କରୁଣ ଭାଷା ଘେନି ଆସିଥିଲା, ତା’ ମୋର ହୃଦୟରେ ବଡ଼ ଦାରୁଣ ବ୍ୟଥା ଦେଇଛି । ଆପଣଙ୍କର ଏତେ ଦୁଃଖ ବାସ୍ତବିକ ମୁଁ ଏହାର ଆଭାସ ମଧ୍ୟ ପାଇ ପାରି ନ ଥିଲି । ଆଜି ବୁଝୁଛି କେତେକ ପରିମାଣରେ, ବିଭାଘର ସମୟରେ ଆପଣଙ୍କ କବିତାର ମର୍ମ କଅଣ । କିଶୋରବାବୁ, ହୃଦୟର ଏହି ଗୋପନତମ କଥାଟିକୁ ମୋ ନିକଟରେ ନ ଲୁଚାଇ କହି ପାରିବେ କି–କେଉଁ ରୂପସୀର ପ୍ରେମ କାମନାରେ ଆପଣ ପାଗଳ–କାହାର ବିରହରେ ଆପଣ ବିଧୁର ?’’

 

ୟା ଛଡ଼ା ମୁଁ ତାଙ୍କଠୁ ବୟସରେ ସାନ ହେବି ବୋଲି ନୂଆବଉ ସମ୍ବୋଧନ କରିବାକୁ ମନା ବି କରିଥିଲି ସେ ଚିଠିରେ । ତା’ର ଉତ୍ତରରେ ସେ ଲେଖିଲେ–

 

‘‘ଆଦରର–କ’ଣ ହେବ ଭାବି ପାରୁ ନାହିଁ......

 

ମୋର ଦୁଃଖରେ ତମେ ଯେ ଏତେ ବେଶୀ ଦୁଃଖିତ ହେବ ମୁଁ ତା’ ସ୍ୱପ୍ନରେ ବି ଭାବି ନ ଥିଲି । କିନ୍ତୁ ଦୁଃଖ କରି ଲାଭ କଅଣ ? ସେ ଦୁଃଖର ଦାଗ ଆଉ ଏ ଜୀବନରେ ଲିଭି ଯିବାର ନୁହେଁ । କହି ପାରୁ ନାହିଁ, ଯଦି ତମର ଆଶୀର୍ବାଦରୁ ଏହି ଦୁଃଖରେ ଦୁଃଖରେ ମୋର ମରଣ ହୁଏ ତେବେ ପରଜନ୍ମରେ–ନାଃ–ସେ ଆଶା ମଧ୍ୟ କରିବା ବୃଥା । ଯାହା ହୋଇ ଯାଇଛି, ସେ ଆଉ ପୁଣି ଫେରିବ କିପରି ?

ତମେ ଅନୁରୋଧ କରିଛ, ମୋର ମନକଥା ଜଣାଇବାକୁ; କିନ୍ତୁ ଜାଣି ଲାଭ କଅଣ ? ମୋର ଦୁଃଖ ଭୋଗିବାର କଥା, ମୁଁ ଭୋଗୁଛି ଏବଂ ଭୋଗିବି । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆସିଲେ ବି ତାକୁ ଅନ୍ୟଥା କରି ପାରିବେ ନାହିଁ । ମୋ ହୃଦୟର ଏଡ଼େ ବଡ଼ ବେଦନାକୁ ତମ ଭଳି ଆପଣାର ଲୋକ ଆଗରେ ଲୁଚାଇବା ମୋର ଉଚିତ ନୁହେଁ । କିନ୍ତୁ ମୁଁ ଭଲ କରି ଜାଣେ ଯେ କହି କୌଣସି ଲାଭ ନାହିଁ । ଯାହା ହବାର ନୁହେଁ ସେ ବିଷୟ ବୃଥାରେ ଉତ୍‌ଥାପନ କରି ଖାଲି ମନ କଷ୍ଟର କାରଣ ହେବି ସିନା । ମୋତେ କ୍ଷମାକର, ମୁଁ ଏଡ଼େ ସହଜରେ ସେ କଥା କହିପାରୁନାହିଁ । କିଏ ଯେପରି ଭିତରେ ଥାଇ ବାନ୍ଧି ରଖୁଛି ତାକୁ ମୋତେ କ୍ଷମା କରିବ । ଆଉ ଅଧିକା କ’ଣ ଲେଖିବି ! ଭଲ ଅଛି । ତମମାନଙ୍କର ଶୁଭ କାମନାରେ ରହିଲି । ଇତି ।

ତମର ଦୁଃଖୀ ବନ୍ଧୁଟିଏ’’

ଯାହା ହବାର ନୁହେଁ, ତା’ ଯଦି ନିହାତି ନ ହୁଏ ବି, ସେ କଥାଟାକୁ ଲୁଚେଇ ରଖି ମନଭିତରେ ଏତେ ଦହଗଞ୍ଜ ହେବାରେ ଲାଭ କଅଣ ? ମୁଁ ତା’ ଉତ୍ତରରେ ଲେଖିଥିଲି,–‘‘କିଶୋରବାବୁ, ଆପଣ ଯୁବକ । ଯେ କୌଣସି ବିଷୟ ହେଉ ପଛେ, କିଶୋର ବୟସରେ ଏଭଳି ହତାଶ ଭାବ ପୋଷଣ କରିବା ଉଚିତ ନୁହେଁ । ଆପଣଙ୍କ ହୃଦୟର ଏତେ ବଡ଼ ଗୋପନୀୟ ବ୍ୟଥାର ସାମାନ୍ୟ ଭାଗ ଗ୍ରହଣ କରିବାର ସୁଯୋଗ ଦିଅନ୍ତୁ, ଶ୍ରୀଚରଣରେ ଏତିକି ଭିକ୍ଷା । ମୋର ବିଶ୍ୱାସ, ମୁଁ ଦୁତୀ ହୋଇ, ସୂର୍ଯ୍ୟପୂଜା ଛଳରେ ଶ୍ରୀମତୀଙ୍କୁ ନୀପତରୁ ମୂଳ କୁଞ୍ଜକୁଟୀରରେ କୃଷ୍ଣଙ୍କ ସହିତ ଭେଟ କରାଇ ଦେଇ ପାରିବି ।’’

ଏଭଳି ଅନେକ କଥା ଲେଖିଥିଲି । ତା’ର ଉତ୍ତର ଆସିଲା, ଆଉ ସବୁ ଚିଠିର ଉତ୍ତର ଆସିଲାପରି, ମଝିରେ ଗୋଟାଏ ଦିନ ଛାଡ଼ିଦେଇ ଏଡ଼େ ଚଞ୍ଚଳ ନୁହେଁ, ଟିକିଏ ଆହୁରି ଡେରିରେ । ଉତ୍ତରଟାକୁ ମୋତେ ତିନି ଚାରି ଦିନ ତକେଇବାକୁ ପଡ଼ିଲା । ଚିଠି ଖଣ୍ଡେ ପାଇବା ପାଇଁ ମନ କାହିଁକି ଭାରି ଗୁଡ଼େଇ ତୁଡ଼େଇ ହେଉଥାଏ । କେତେ ଆଶା ଆଶଙ୍କା ମଝିରେ ଚିଠି ଖଣ୍ତକ ଯିମିତି ପାଇଲି, ସବୁ କାମ ପଛରେ ପକାଇ ଦେଇ, ଲଫାପାକୁ ଚିରି ତରତର କରି ପଢ଼ି ବସିଲି ଆଗ ।

‘‘ହୃଦୟର–

ମୋ ପ୍ରତି ଏତେ ସହାନୁଭୂତି ତମର–ମୋ ଦୁଃଖରେ ଏତେ କାତର ତମେ ! ନିହାତି ଆପଣାର ବୋଲି ଯାହାଙ୍କୁ ମନେକରେଁ ସେମାନଙ୍କଠାରୁ ବି ଏତେ ଦୟା, ଏତେ ସ୍ନେହ ପାଇ ନାହିଁ ଦିନେ । ତଥାପି ମୁଁ ଏଡ଼େ ନିଷ୍ଠୁର, ଏଡ଼େ ଅକୃତଜ୍ଞ ଯେ, ତମପରି ଏତେ ଅନ୍ତରର ଲୋକ ନିକଟରେ ହୃଦୟର ଲୁପ୍ତପ୍ରାୟ ଏଡ଼େ ସାମାନ୍ୟ କଥାଟିକୁ ପ୍ରକାଶ କରି ପାରୁନାହିଁ । ଏଥିପାଇଁ ଆଜି ମୁଁ ନିଜକୁ ଯେପରି ଅପରାଧୀ ମନେ କରୁଛି–ନିଜକୁ ନିଜେ ଯେତେ ଭର୍ତ୍ସନା ଦେଉଛି, ତା’ ଯେ ଅନ୍ତର ବୁଝେ ସେଇ ଜାଣେ ।

ମୋର ଦୁଃଖ ଦୂର କରିବାକୁ ଚେଷ୍ଟା କରିବ ବୋଲି ତମେ ଲେଖିଛ । ମୁଁ ବୁଝୁଛି ତାହା ତମର କେତେ ଅନ୍ତରର ବାଣୀ । କିନ୍ତୁ ପାରିବ କି ? ସମାଜ, ସଂସ୍କାର ଉଭୟ କଣ୍ଟକ ହୋଇ ସେ ପଥରେ ବାଧା ଦେଇ ଆସୁଛନ୍ତି ଏବଂ ଦେବେ । ସେ ବାଧା ଏଡ଼ି ଦବାର ଶକ୍ତି ତମର ନାହିଁ, ମୋର ନାହିଁ କିମ୍ବା ଆଉ କାହାରି ଥାଇ ନ ପାରେ, ସେଥିପାଇଁ ମୁଁ ସେ ଆଶା ଛାଡ଼ି ଦେଇଛି । କେବଳ ନିରାଶାର ବ୍ୟଥା ଟିକକ ନେଇ ଆଜି ନିର୍ଜନ ପୂଜା ଆରମ୍ଭ କରି ବସିଛି । ଦ୍ୱିତୀୟର ଛାୟାପାତରେ ସେ ପୂଜା ବ୍ୟର୍ଥ ହୋଇଯିବ । ମୋତେ କ୍ଷମା କର, ମୁଁ କହି ପାରିବି ନାହିଁ । ମୋତେ ଏହିପରି ମୋର ଯଜ୍ଞବେଦୀରେ ବଳି ହେବାକୁ ଦିଅ । ଜୀବନରେ ମୋର ଆଉ ଆକାଂକ୍ଷା ନାହିଁ କିଛି । ମୁଁ ବେଶୀ ଲେଖିପାରୁ ନାହିଁ । ବଡ଼ ବ୍ୟଥା...ଏତିକି....

 

ତମର ଦୁଃଖୀ ବନ୍ଧୁଟିଏ ।’’

 

ଚିଠି ଖଣ୍ଡି ପଢ଼ି ହଠାତ୍‌ ମୋ ଭିତରେ କାହିଁକି ଥର ଉଠେଇ ଆସିଲା । ‘ସମାଜ’ ଆଉ ‘ସଂସ୍କାର’ । ସେ ପୁଣି ବାଧା ଦେବେ ! ଅର୍ଥ ? ଏଡ଼େ ସହଜ କଥାଟାକୁ ମୁଁ କାହିଁକି କେଜାଣି ଗୋଟାଏ ବିଚିତ୍ର ଅନୁମାନରେ ଜଟିଳ କରି ପକାଇଲି । ତା’ର ପ୍ରକୃତ ଅର୍ଥ କଅଣ, ମୋ ମନରେ ବାରମ୍ବାର ଏ ପ୍ରଶ୍ନ ଉଠିଲା । ଅଡ଼ୁଆ ସୂତାର ଖିଅ ନ ମିଳିଲା ପରି ମୁଁ ସେକଥାଟାର ମୂଳଅଗ ଧରି ପାରିଲି ନାହିଁ । ନିହାତି ନ ପାରିଲା ପରି ମୁଁ ସେକଥାଟାର ମୂଳଅଗ ଧରି ପାରିଲି ନାହିଁ । ନିହାତି ନ ପାରିଲେ ମଣିଷ ଯିମିତି ମନକୁ ମନକୁ ଗୋଟାଏ କିଛି ସ୍ଥିର କରିନିଏ ମୁଁ ସେଇପରି ଭାବିଲି,– କିଛି ନାହିଁ, ବୋଧହୁଏ ଯାହାକୁ ସେ ମନଲାଖି କନିଆ ବାଛିଛନ୍ତି, ସେ ବିଧବାଟିଏ ବୋଲିକି କ’ଣ ସମାଜ ଆଉ ସଂସ୍କାର ଏତେ ବାଧା ଦଉଛନ୍ତି । ତେବେ, ସମାଜରେ ତ ବିଧବା–ବିବାହ ଚଳିଲାଣି ଆଜିକାଲି, ଆଉ ପୁଣି ଭାଳେଣି କାହିଁକି ସେଥିପାଇଁ ? ସଂସ୍କାର ତ ନିଜ ମନର କଥା । ମନରେ ଜୋର ଥିଲେ ସଂସ୍କାରକୁ ଏଡ଼ି ଦେବା କେତେ ମାତର ?

 

ଯାହା ହେଉ ଏ ଅନୁମାନ ମୋର ସତ ହେଉ ବା ମିଛ ହେଉ, ମନରେ ଗୋଟାଏ କଥା ଠିକ୍‌ କରି ନେଇ ସାରିଲା ପରେ ଟିକିଏ ନିଶ୍ଚିନ୍ତ ହୋଇ ମୁଁ ତାଙ୍କ ପାଖକୁ ଖଣ୍ଡେ ଉତ୍ତର ଦେଲି । ସେଥିରେ ମୁଁ ପାଗଳୀଙ୍କ ଭଳିଆ ନ ଭାବିଲା ନ ଚିନ୍ତିଲା ପରି କ’ଣ ଗୁଡ଼ାଏ ଏଣୁତେଣୁ ଏକା ନଅସକେ ଗାରେଇ ପକେଇ ଶେଷକୁ ଲେଖିଥିଲି–

 

‘‘ପ୍ରକୃତ ପ୍ରେମ ନିକଟରେ ବଜ୍ରଦୃଢ଼ ସମାଜ, ସହସ୍ର ବର୍ଷର ସଂସ୍କାର ମଧ୍ୟ ପରାଜୟ ସ୍ୱୀକାର କରେ । ଏ ଗୋଟାଏ ବଡ଼ ଆପତ୍ତି ହୋଇ ନ ପାରେ । ଆପଣ ଆପଣଙ୍କର ପ୍ରାଣର କଥା ଲେଖନ୍ତୁ । ମୁଁ ସମସ୍ତ ବାଧା ଏଡ଼ାଇ ଦେବାକୁ ଚେଷ୍ଟା କରିବି । ଆପଣଙ୍କୁ ସୁଖୀ କରାଇବା ଲାଗି ମୁଁ ଜୀବନ ମୂରୁଛି ଦେଇପାରେ ।’’

 

ମୋ ମଗଜରେ କଅଣ ପଶିଲା କେଜାଣି, ମୁଁ ଏତକ ଲେଖିଦେଇ ମୋର ପତନପଥ ମୁଁ ନିଜେ ସରଳ କରିଦେଇ ବସିଲି । ସେତେବେଳେ ଯଦି ମୋ ମନକୁ ଟିକିଏ ବୋଲି ପାପ ଛୁଇଁ ଥାଆନ୍ତା, ତେବେ ବୋଧହୁଏ ଏଡ଼େ ସହଜରେ ମୁଁ ଏଡ଼େ ବଡ଼ କଥା ଲେଖିବାକୁ ସାହସ କରି ନ ଥାନ୍ତି ।

 

ସେ ଚିଠି ଗଲା । ତା’ର ଅନେକ ଦିନ ପର୍ଯ୍ୟନ୍ତ ମୁଁ ଆଉ ଉତ୍ତର ପାଇଲି ନାହିଁ । ମନ ମୋର ସେତେବେଳେ ଯେଉଁ ବ୍ୟସ୍ତ ହେଉଥାଏ, ଜୀବନ ଭିତରେ ସେଭଳି ଆଉ କେବେ ଅନୁଭବ କରି ନ ଥିଲି କି କଅଣ,–କାହିଁକି କିଛି ବୁଝି ପାରେ ନାହିଁ ।

 

ସେ ସେତେବେଳକୁ କଟକ ଗଲେଣି ଓକିଲାତି ପଢ଼ିବାକୁ । ତାଙ୍କ ନଥିବା ବେଳେ ଏକା ଆମ ଦୁହିଙ୍କର ଚିଠି ଲେଖାର ସୁଅଟା ଭାରି ଖର ଗତି ଧରି ବସିଲା । ମୋର ଆଉ କାହାରିକି ଭୟ, ଲଜ୍ଜା କି ସଙ୍କୋଚ କିଛି ରହିଲା ନାହିଁ ।

 

ତାଙ୍କ ପାଖରୁ ଚିଠି ଖୁବ୍‌ କମ୍‌ ଆସେ । ସେ ସବୁ ଦିନେ ବଡ଼ ଶାନ୍ତିପ୍ରିୟ ଲୋକ । ବେଶୀ ଗୁଡ଼ାଏ ବକିବାର କି ଗପ କରିବାର ମୁଁ ତାଙ୍କୁ କେବେ ହେଲେ ଦେଖିନାହିଁ । ବିଦେଶ ଗଲେ ମାସେ ଦି’ମାସକେ ଖଣ୍ଡେ ଲେଖନ୍ତି । କିନ୍ତୁ ସେଇ ଖଣ୍ଡିଏ ଖଣ୍ଡିଏ ଲେଖା ଏଡ଼େ ସରଳ ଆଉ ସରସ ଯେ, ଠିକ୍‌ ମନ ଜାଣି ଲେଖିଲା ପରି–ତା’ ଯେ କୌଣସି ସ୍ତ୍ରୀ ପକ୍ଷରେ ଗର୍ବ କରିବାର ବିଷୟ-। କିନ୍ତୁ ହେଲେ ହେବ କଅଣ ? ମୁଁ ହୀନ କପାଳୀ ତ ତାଙ୍କୁ ତୁଳନା କରି ବସିଲି କିଶୋରବାବୁଙ୍କ ସାଙ୍ଗରେ । କିଶୋରବାବୁ ଜଣେ ପର ମଣିଷ; ଅଥଚ ସେ ଯେତେ ବ୍ୟାକୁଳ ମୋ ପାଇଁ, ମୋର ଭଲ ମନ୍ଦ ସେ ଯେତେ ବୁଝନ୍ତି, ଆପଣାର ଲୋକ ହୋଇ, ନିଜର ସ୍ୱାମୀ ହୋଇ, ତା’ର ଦଶ ଭାଗରୁ ଭାଗେ ବି କରନ୍ତି ନାହିଁ ଏ ।

 

ହାୟ ! ଆଜି ସିନା ଭାବୁଛି, ତାଙ୍କ ପ୍ରତି ଏପରି ଅନ୍ୟାୟ ବିଚାର କରିବାରେ ମୁଁ କେଡ଼େ ବଡ଼ ଅପରାଧ କଲି; ଯାର ପ୍ରାୟଶ୍ଚିତ୍ତ ମୋର ଆଜିଯାଏ ଶେଷ ହୋଇଛି କି ନାହିଁ, କିଏ କହିବ ?

 

ଅନେକ ଦିନ ପରେ ଏକା ସାଙ୍ଗରେ ଦୁଇଖଣ୍ଡି ଚିଠି ମୋ ହାତକୁ ଆସିଲା । ଠିକଣା ଲେଖାରୁ ହସ୍ତାକ୍ଷର ଠଉରାଇ ଜାଣିଲି, ଗୋଟିଏ କିଶୋର ବାବୁଙ୍କଠୁଁ, ଆଉ ଗୋଟିଏ ତାଙ୍କଠୁଁ ଆସିଛି । କାହାକୁ ଆଗ ଖୋଲି ପଢ଼ିବି, ମୋ ମନ ଭିତରେ ଗୋଳ ଉଠିଲା । କିଶୋର ବାବୁଙ୍କ ଚିଠି ଖଣ୍ଡ ଆଗେ ପଢ଼ିବା ପାଇଁ ଯେତେ ଇଚ୍ଛା ହଉଥିଲେ ବି, କି ଗୋଟାଏ ଅପୂର୍ବ ଲାଜ ସେ କେଜାଣି, କି ଗୋଟାଏ ଦୁରୂହ ସନ୍ଦେହ ସେ କରିପାରୁ ନାହିଁ, ମୋତେ ବଡ଼ ବାଧା ଦେଲା । ମୁଁ ଆଉ ସେକଥା କରିପାରିଲି ନାହିଁ ତାହାରି ଯୋଗୁଁ । ତାଙ୍କ ଚିଠିଟି ଖୋଲି ପଢ଼ିଲି । ସେ ଲେଖିଥିଲେ ଯେ ଚାରି ପାଞ୍ଚ ଦିନ ଭିତରେ ଆସି ମୋତେ ଆଉ ବୋଉଙ୍କୁ କଟକ ନେଇଯିବେ । ବାପା ଦେଉଥିଲେ ମାସକୁ ୪୦ଟି ଟଙ୍କା । ସେତିକିରେ ଯେ କଟକ ପରି ସହର ଜାଗାରେ ଘରଭଡ଼ା କରି କୁଟୁମ୍ବ ନେଇ ମଣିଷ କିମିତି ଚଳିବ ମୁଁ ବୁଝି ପାରିଲି ନାହିଁ । ମୋ ମନରେ ଆନନ୍ଦ ହେଲା–ରାଗ ବି ହେଲା । ବହୁଦିନ ପରେ ମଫସଲ ଛାଡ଼ି କଟକ ଭଳି ସହରକୁ ଯିବାଲାଗି କାହା ମନ ନ ବଳିବ ! ତା’ପରେ ପୁଣି ସ୍ୱାମୀ ନିକଟରେ ଯାଇ ରହିବା କେଡ଼େ ସୌଭାଗ୍ୟର କଥା, ତା’ ପ୍ରତ୍ୟେକ ନାରୀ ବୁଝି ପାରୁଥିବେ । ମୁଁ ଖୁସି ହେଲି ଖାଲି ଏତିକି ପାଇଁ ନୁହେଁ । ପ୍ରଚ୍ଛନ୍ନ ଭାବରେ ଆଉ ଗୋଟାଏ କି ଆନନ୍ଦ ବି ହେଲା ମୋର । ସେଟା ଯେ କିଶୋର ବାବୁଙ୍କ ସହିତ ଦେଖା ହେବ ଏଥି ପାଇଁ, ଠିକ୍‌ ତା ବି ନୁହେଁ । ତାଙ୍କ ହୃଦୟର କଥାଟାକୁ ତାଙ୍କ ଭିତରୁ କାଢ଼ି ନ ପାରିଲା ଯାଏଁ ମୁଁ ଆମ ମାଇପି ଜାତିଟାର ଜନମ ଦୋଷକୁ ଘେନି ବଡ଼ ବେଦମ୍‌ ହୋଇ ପଡ଼ୁଥିଲି । କଥାଟାକୁ ଜାଣିବା ମୂଳରେ ଯେ ମୋର ନିଜର ଗୋଟାଏ କିଛି ସ୍ୱାର୍ଥ–ଅଭିସନ୍ଧି ଥିଲା, ଏହା କହିଲେ ବଡ଼ ଅନ୍ୟାୟ ଓ ମିଥ୍ୟା ହେବ । ଖାଲି ଗୋଟାଏ ଅଜଣା କଥା ଜାଣିବାର ପ୍ରବଳ ଇଚ୍ଛାକୁ ଦବେଇ ନ ପାରି ମୁଁ ଅଥୟ ହେଉଥିଲି । କିଶୋର ବାବୁଙ୍କ ପାଖକୁ ମୁଁ ଯେତେ ଚିଠି ଲେଖିଛି ତା’ ମୂଳରେ ଏଇ ଟିକକ ଆଗ୍ରହ-। ଯିଏ ଯାହା ବୁଝୁ, ସେଥିଲାଗି ଯେ ଯାହା କହିବ କହୁ ପଛେ, ମୋ ମନକୁ କିନ୍ତୁ ଟିକିଏ ବୋଲି ପାପ ଛୁଇଁ ନ ଥିଲା ସେତେବେଳେ । ଯାହାପାଇଁ ମୋର ଏଡ଼େ ବଡ଼ ଗୋଟାଏ ଭୁଲ ହେଲା, ତା’ ସେ ମୋର ସରଳ ପ୍ରାଣର ଆଗ୍ରହାତିଶଯ୍ୟର ସର୍ଜନା, ଇୟା କହିଲେ କିଏ କାହିଁକି ବିଶ୍ୱାସ କରିବ-?

 

ରାଗ ବି ହେଲା । ମଫସଲ ଗାଁରେ ବାଡ଼ିଘରେ ଶାଗ ମାରିସ ଦି’ କେରା କରି ଜାଳକୁଟା ଦି’ଖଣ୍ଡ ସାଉଁଟି ଯୁଗ ନ ଗଲାକୁ ଭୋକେ ଶୋଷେ ଚଳି ଯାଉଛନ୍ତି ସିନା ! ଘର ବି ଛିଆଁ ହେବାକୁ ନାହିଁ ଯେ ଚାଳ ତମାମ କଣା ହେଇ ପାଣି ପଡ଼ୁଛି । ବାହାଘର ବେଳେ ବୋଉ ମୋ ହାତ ବାକସରେ ଯଉଁ ଟଙ୍କା ପାଞ୍ଚଶ ଦେଇଥିଲା ସେଥିରୁ କିଛି କିଛି ଖରଚ କରି ଦୁଃଖେ ସୁଖେ ଦିନ କଟେଇ ଦବା କଥା । ସେଥିରେ ପୁଣି ସହରରେ ଭଡ଼ାଘର କରି ରହିବାକୁ ମନ । ୟାଙ୍କ ମୁହଁକୁ ଲାଜ ନାହିଁ କି ୟାଙ୍କ ବଡ଼ଲୋକିକୁ ଲାଜ ନାହିଁ !

 

କେତେ ଦିନ ପରେ ସେ ଆସିଲେ । ଆଗ ଘର ଭିତରକୁ ପଶି ଆସି ତୁରୁଙ୍ଗ ଉପରୁ ସେ ଲଫାପା ସମେତ କିଶୋର ବାବୁଙ୍କ ଚିଠି ଖଣ୍ଡ ଉଠାଇ ପଢ଼ିଲେ–

 

‘‘ପ୍ରାଣର–

 

ମନରେ ବଡ଼ ଚାଞ୍ଚଲ୍ୟ ହେତୁ ଅନେକ ଦିନୁ ଲେଖି ପାରି ନାହିଁ । ପଦାରବିନ୍ଦରେ ଏ ଅପରାଧ ପାଇଁ କ୍ଷମା କରିବ । ମୁଁ ବହୁତ ଭାବି ସ୍ଥିର କରିଛି ଯେ ତମ ନିକଟରେ ମୋ ପ୍ରାଣର କଥା କହିବି, ଯାହାକି କେବଳ ମୋ ଛଡ଼ା ଆଉ ଯଦି ଈଶ୍ୱର ଥାଆନ୍ତି ପ୍ରକୃତ ଅନ୍ତର୍ଯ୍ୟାମୀ ରୂପରେ, ତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ । କହିବି ନିଶ୍ଚୟ, ତେବେ ଏତେ ହଠାତ୍‌ ନୁହେଁ । ସୁବିଧା ଦେଖି କହିବି । ମୁଁ ତରୁଣ ନିକଟରେ ପ୍ରସ୍ତାବ କରିଛି–ସେ କଟକ ନେଇ ଆସିବ । ଆସିଲେ କହିବି-। ଅଧିକ ଆଉ ଲେଖିବ କଅଣ ? ଭଲ ଅଛି । ଆଶା କରେ ଭଲରେ ଥିବ । ମଙ୍ଗଳ କାମନା କରି ରହିଲି । ଇତି ।

 

ବିନୀତ କିଶୋର’’

 

ସେ ଯେତେବେଳେ ଏ ଚିଠି ପଢ଼ୁଥିଲେ, ମୁଁ ତାଙ୍କ ମୁହଁକୁ ଚାହିଁଥାଏ–ପ୍ରଥମେ ପ୍ରଥମେ କିମିତି ପାଉଁଶିଆ ଫିକା ପଡ଼ି ଆସିଲା । ତା’ପରେ ପରେ ଏକାବେଳକେ ଲାଲ୍‌ । ମୁଁ ପଛରେ ଥାଇ ତାଙ୍କ କଡ଼ବାଟେ ଅନେଇ ଦେଖିଲି, ତାଙ୍କ ଆଖି ଲାଖି ରହିଛି ଚିଠି ଶେଷରେ ଯୋଉଁଠି ‘ପୁନଶ୍ଚ’ ଦିଆଯାଇ ଲେଖା ହୋଇଥିଲା–‘ଚିଠିଖଣ୍ଡ ପଢ଼ି ଚିରି ପକାଇବ ।’ ଜିଭଟା କାମୁଡ଼ି ପକାଇ ଫେରି ପଡ଼ିଲି ଗୋଟାଏ କି ଜିନିଷ ଖୋଜିବାର ବାହାନାରେ । ମନେ ହେଲା ମୋ ଛାତିରେ ଯିମିତି ଗୋଟାଏ ଖିଲ ପଶି ଯାଇଛି ସେତିକି ବେଳୁ । ମୁଁ ଯେ ଚିଠିଖଣ୍ଡ ପଢ଼ିସାରି ଚିରି ନ ପକେଇ ରଖି ଦେଇଥିଲି, ତା’ର କାରଣ, କାହିଁକି କେଜାଣି ଆଉ ଥରେ ଦୁଇଥର ସେ ଚିଠି ଖଣ୍ଡଟାକୁ ପଢ଼ିବାର ଇଚ୍ଛା ହଉଥିଲା । କିନ୍ତୁ ଘରର ଏତେ ଜଞ୍ଜାଳ ଯେ କାମଧନ୍ଦାରେ ରହି ଏକାବେଳକେ ଭୁଲିଗଲି ସେ କଥା–ଚିଠିଟା ଅଛି ତ ଅଛି, ବେଳ ହେଲେ ପଢ଼ିବି, ଏଇ ହେଳାରେ ।

 

ଯାହା ହବାର ଥିଲା ସେ ହେଲା । ସେଥିଲାଗି ମୋର ଏତେ ଭାଳେଣି ପଡ଼ିଲା କାହିଁକି-? ମୋ ମନରେ ତ କିଛି କପଟ ନ ଥିଲା, ମୋତେ ତ ପାପ ଛୁଇଁ ନ ଥିଲା, ତେବେ ଏଇ କଥାକୁ ଏତେ ଡରିଲି କିଆଁ ? ଠିକ୍‌ ଡରି ନାହିଁ ମୁଁ । ମନରେ କିମିତି ଗୋଟାଏ ଆଶଙ୍କା ହଉଥାଏ–କାଳେ କ’ଣ ଭାବିବେ ପରା । ଯାହା ମନରେ ଏଭଳି ଆଶଙ୍କା ହୁଏ, ସେ ଏକାବେଳକେ ନିଷ୍କଳଙ୍କ, ୟା କହିଲେ କିଏ କାହିଁକି ବିଶ୍ୱାସ କରିବ ?

 

ସେ ସେତେବେଳେ କ’ଣ ଭାବିଲେ ମୁଁ ଜାଣେ ନାହିଁ । କିନ୍ତୁ ଏତିକି ବୁଝିଲି, ସେଇ ମୁହୂର୍ତ୍ତଠାରୁ ମୋ ନିକଟରେ ତାଙ୍କର ଚିର ମୁକ୍ତ ହୃଦୟର ଗୋଟିଏ ଅଶଂରେ ମୋର ପ୍ରବେଶ ନିଷେଧ ହୋଇଗଲା । ଅନ୍ତତଃ ମୁଁ ମନେ କଲି ସେଇପରି ।

 

ମୁଁ କିଛି ଜାଣି ପାରିଲି ନାହିଁ କି କିଛି ବୁଝି ପାରିଲି ନାହିଁ । ସେ ଯେ ତାଙ୍କ ଭିତରେ ଭିତରେ ଗୋଟାଏ ସନ୍ଦେହ ଭାବ ପୋଷି ସାରିଲେଣି, ମୋ ମନ ସିନା ମୋତେ ଡରାଉଥିଲା ଇମିତି, କିନ୍ତୁ ତା’ର ପତ୍ତା ବି ପାଇଲି ନାହିଁ କେବେ । ସେ ସେଇମିତି ଗେଲଥଟାରେ ଛୁଟି କେଇଟା ଦିନ କଟାଇ ଦେଲେ । ସ୍ୱାମୀଙ୍କୁ ନିକଟରେ ପାଇ ସତ କହୁଛି ମୁଁ ସବୁ ଦୁଃଖ ଯେପରି ପାସୋରି ପକେଇଲି କୁଆଡ଼େ । ଧୀରେ ଧୀରେ ବି ମୋ ମନର ଡରଟା ଭାଙ୍ଗି ଆସୁଥିଲା ।

 

ସେ କାଲି କଟକ ଯିବେ, ଆଜି ରାତି ସିମିତି ବେଶୀ ହେଇ ନ ଥାଏ । ଶୀତଦିନିଆଁ ରାତି ବୋଲି ଖିଆପିଆ ଟିକିଏ ବେଳସୁଁ ସରିଯାଇଥାଏ ସେ ଦିନ ।

 

‘‘ମୁଁ ତ ଏଥର ତୋତେ କଟକ ନେଇପାରୁନାହିଁ ଗେହ୍ଲି !’’ ସେ କହିଲେ,–‘‘ବଡ଼ ଅସୁବିଧା ସେଠି । ମୁଁ ସିନା ମେସ୍‌ ଗୋଟାକରେ ଏଣୁ ତେଣୁ ଗଣ୍ଡାଏ ଖାଇ ଚଳେଇ ନିଏଁ, ତମେ ସବୁ ଗଲେ ତ ପୁଣି ଅଲଗା ଘର ଭଡ଼ା ନେଇ ରହିବାକୁ ପଡ଼ିବ । ଖର୍ଚ୍ଚ ହବ ଅନେକ ।’’

 

ପଇସା ଖରଚର ଡରଟା ଟିକିଏନାକୁରୁ ଥିଲେ ହେଲା କଅଣ, କଟକ ଯିବା ଲାଗି ମନଟା କିନ୍ତୁ ବଡ଼ କାଲୁବାଲୁ ହଉଥିଲା । ୟାଙ୍କର ଇମିତିକା କଥା ଶୁଣି ମୁଁ ମନକୁ ମନ ହଠାତ୍‌ କହି ପକାଇଲି, ‘ଇସ୍‌, ମୁଁ କଟକ ଗଲେ ୟାଙ୍କ–’ ଆଉ କହିପାରିଲି ନାହିଁ । କହ ଆସୁଥିଲି ‘ୟାଙ୍କ ବାପା ମାଲ ସରି ଯାଉଥିଲା ପରି କଥା କହୁଛନ୍ତି ?’ କିନ୍ତୁ ତାଙ୍କ ମୁହଁରେ ଏଡ଼େ ବଡ଼ କଥାଟେ କହିଲା ଭଳି ସାହସ ମୋର ହେଲା ନାହିଁ । ବରଂ ପର ମୁହୂର୍ତ୍ତରେ ମୁଁ ଟିକିଏ ନରମି ପଡ଼ି ତାଙ୍କଠୁଁ ଖଣ୍ଡେ ଦୂରରେ ଠିଆ ହୋଇ କହିଲି–‘‘ମୋତେ କାହିଁକି କହୁଚ ସେ କଥା ? ମୁଁ କଅଣ କହୁଥିଲି କି ଏତେ ମୋତେ କଟକ ନେଇ ଚାଲ, କଟକ ନେଇ ଚାଲ ବୋଲି ? ତମେ ତ ଲେଖିଥିଲ, ଏଥର ଯିବି ଯେ ସାଙ୍ଗରେ ନେଇ ଆସିବି; ମୁଁ ତ ଆବୁଡ଼ା ପଡ଼ୁ ନଥିଲି ଯିବାପାଇଁ । ନ ନବ ତ ନାହିଁ, ମୋତେ ଏତେ କଇଫତ୍‌ ଦିଆ ହଉଛି କାହିଁକି ? ମୁଁ କ’ଣ ହାକିମ ନା ରାଣୀ ଯେ–’’

 

ସେ ଅଳପ ହସି ଦେଇ କହିଲେ–‘ରାଣୀ ।’

 

‘ରଖିଦିଅ ସେ ଖୋସାମତିଆ କଥା ଗୁଡ଼ାକ ?’–ମୁଁ ରାଗରେ କହିଲି ।

 

ତାଙ୍କ ମନ ଭାଙ୍ଗିଗଲା । ତାଙ୍କ ମୁହଁ ଚାହିଁ ମୁଁ ସେ କଥା ବେଶ୍‌ ବୁଝି ପାରିଲି । କିନ୍ତୁ ସେ ତାହା ଜଣେଇ ଦେଲେ ନାହିଁ । କହିଲେ,–‘‘ନା, ଖୋସାମତିଆ କଥା କିଛି ନୁହେଁ, ତମେ ଯଦି କହିବ ତ ମୁଁ ନେଇଯିବି, ମୋର କିଛି ଆପତ୍ତି ନାହିଁ ।’’

 

ଏ କଥା ସେ ମନଟାକୁ ସଫା କରି କହିଲେ ବୋଲି ମୋର ଯଦି ବିଶ୍ୱାସ ହୋଇଥାନ୍ତା, ତେବେ କଟକକୁ ଯିବାଲାଗି ଏତେ ବେଶୀ ଆଗ୍ରହ ଥିଲାବେଳେ ମୁଁ କ’ଣ କେବେ ମନା କରିଦେଇ ପାରିଥାଆନ୍ତି ନା,–‘ମୋ ଦିନ ସରୁନାହିଁ ଯେ କଟକ ଯିବି ?’

 

ଖାଲି ମନା ଯେ କରି ଦେଲି ତା’ ନୁହେଁ, କଥାଟାକୁ ଟିକିଏ ଚିଡ଼ି କରି କହିଲି । ସେ ମନରେ ବଡ଼ ଆଘାତ ପାଇଲେ ମୋ କଥାରେ । ତା’ ନୋହିଥିଲେ ମୋତେ ଆଉ କିଛି ନ କହି ଜୁଳୁଜୁଳୁ କରି ମଶୁରି ଛାତଟାକୁ ଚାହିଁ ଅନେକ ବେଳ ଯାଏଁ ସେମିତି ଚିତ୍‌ହୋଇ ପଡ଼ି ରହି ଥାଆନ୍ତେ କାହିଁକି ? ମୁଁ ମଶୁରି ପକେଇ ଦେଇ ଶୋଇଲି । ତାଙ୍କୁ ବୋଧହୁଏ ଆଉ ନିଦ ହେଲା ନାହିଁ । ସେ ଦଶା ନିଦ ମୋ ଆଖିକି ବି କଷା କଲା ନାହିଁ । ଅଧ ରାତିରେ ମୁଁ ତାଙ୍କୁ ଡ଼ାକିଲି–‘କି, ଶୋଇଲଣି କି ?’ ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ ନାହିଁ । ନିଦରୁ ଉଠିଲା ମଣିଷ ପରି ଟିକିଏ ମୋଡ଼ିଭିଡ଼ି ହେଇ କହିଲେ, ‘ଉଁ, କଅଣ କହୁଛୁ ?’ ମୁଁ କିନ୍ତୁ ବୁଝି ପାରିଲି ଯେ ସେ ନିଦ ହେବାର ବାହାନା କରୁଛନ୍ତି । ମନ ଦୁଃଖରେ ସତେ ସେ ଏତେ ବେଳ ଯାଏ ଶୋଇ ନାହାନ୍ତି । ମୋରି ଭାରି ଦୟା ହେଲା । ମୁଁ ପଚାରିଲି–‘ନିଦ ହଉ ନାହିଁକି ?’

 

ସେ ଅନ୍ୟମନସ୍କ ଥିଲା ପରି କହିଲେ–‘ଏଁ–ହଁ ।’

 

କଥାବାର୍ତ୍ତା ଆରମ୍ଭ କରିବା ଉଦ୍ଦେଶ୍ୟରେ ମୁଁ ପଚାରିଲି–‘‘ସତେ ତମେ କାଲି କଟକ ଯିବ ନା ?’’

 

‘‘ଯିବି ବୋଲି ତ କହିଲି, ଆଉ କେତେ ଥର କହିଲେ ଯାଇ ତମେ ବୁଝିବ ?’’ ସେ ଟିକିଏ ବିରକ୍ତିସ୍ୱରରେ କହିଲେ ।

 

ତଥାପି ମୁଁ ଧୀର ଭାବରେ କହିଲି,–‘‘ଦିନେ ଅଧେ ରହିଗଲେ କିଛି କ୍ଷତି ହବ ନା ?’’

 

‘‘ରହିବାର ତ କିଛି ଦରକାର ନାହିଁ, କାହିଁକି ରହିବି ?’’

 

‘‘ମୁଁ କହୁଛି ବୋଲି ।’’

 

‘‘ରହି ଲାଭ ?’’

 

ମୋର ଭାରି ଦୁଃଖ ହେଲା । ମୁଁ କ’ଣ କହିବାକୁ ଯାଉଥିଲି ଆଉ କହି ପାରିଲି ନାହିଁ । ମୋ ଭିତରର କେତେ ପ୍ରୀତି, କେତେ ସୁଆଗ, ସୁଖ ଆଶା ଘେନି ମୁଁ ତାଙ୍କୁ ଡାକିଥିଲି, ଆଦର କରି କହୁଥିଲି । ଆଉ ଦିନେ ଦୁଇଦିନ ରହିଯାଅ, ଆଉ କିଛି ଦରକାର ନ ଥାଉ ପଛେ ଖାଲି ମୋରି ପାଇଁ–ମୋତେ ଟିକିଏ ସୁଖୀ କରିବା ପାଇଁ ଆଉ ଦିନେ ଦୂଇ ଦିନ ରହିଥାନ୍ତେ । କିନ୍ତୁ ମୋ ସୁଖ ଦୁଃଖରେ ତାଙ୍କର ଯାଏ ଆସେ କେତେ ? କହିଲେ,–‘ରହି ଲାଭ ?’ ସତରେ ରହି ତାଙ୍କର ବା ଲାଭ କଅଣ ? ମୋ କଥା ବା ରଖନ୍ତେ କେଉଁ ଲାଭ ଆଶାରେ ? ହେଲା ନାହିଁ ସେ । ମୋ କଥା ରହିଲା ନାହିଁ । ମୋ ଦମ୍ଭ ଭାଜିଗଲା । ମୋ ବୁକୁ ଚିରି ଫାଡ଼ି ହୋଇଗଲା ପରି ମୋତେ ଲାଗିଲା । ମୁଁ ଚୁପ୍‌ ହୋଇ ରହିଲି ।

 

କଅଣ ଭାବିଲେ କେଜାଣି, କିଛି କ୍ଷଣ ପରେ ସେ ମୋ ଓଠଟିକି ଟେକି ଧରି ବଡ଼ ଆଦରରେ କହିଲେ,–‘ରାଗିଲ କି ?’

 

ମୋ ଅଭିମାନର ଆବଦ୍ଧ ଝରଣା ଭାସିଗଲା ପରି ମୁଁ ଅଜସ୍ର ଲୁହ ବୁହାଇ କାନ୍ଦିବାକୁ ଲାଗିଲି । ସେ ବୁଝି ପାରି ମୋ ମୁହଁଟିକୁ ତାଙ୍କ ଛାତି ନିକଟରେ ଭିଡ଼ି ରଖିଲେ । ‘ଛି, କାନ୍ଦ ନା’ ବୋଲି କହି ମୋ କପାଳ ଉପରେ ଗୋଟିଏ ଗାଢ଼ ଚୁମ୍ବନ ଦେଲେ ।

 

ମୁଁ ସେତେବେଳେ କାନ୍ଦି, ଲୁହ ଗଡ଼ାଇ ଯେତେ ସୁଖ ପାଇଥିଲି; ଜୀବନରେ ଯେବେ ଖୁବ୍‌ ହସିଛି, ନାଚିଛି, କୁଦିଛି, ସେ ଭଳି ସୁଖ ହେଇ ନାହିଁ କେବେ କୋଉଥିରେ ।

 

କେତେ କ୍ଷଣ ପରେ ଆଦରରେ ଡାକିଲେ,–‘ଗେହ୍ଲୀ !’

 

ମୁଁ ସକେଇ ହେଇ କହିଲି–‘କଅଣ ?’

 

‘ମୁଁ ତୋତେ ଏଥର ସାଙ୍ଗରେ ନେଇଯିବି ।’

 

ମୁଁ କେବଳ ସକେଇ ହୋଇ କାନ୍ଦିବାରେ ଲାଗିଲି । ନିଜକୁ ସମ୍ଭାଳି ନେଇ ପାରୁ ନ ଥାଏଁ-

 

‘ତୋତେ ଛାଡ଼ି ମୁଁ ଏକୁଟିଆ ରହି ପାରିବି ନାହିଁ ।’ ତାଙ୍କର ସୁଗୋଲ ବାହୁ ମୋ ଗଳା ଚାରି ପାଖରେ ବେଢ଼ି ହୋଇ ରହିଲା ।

 

ଏଥର ମନ ଉପରେ କେଜାଣି କିଭଳି ଗୋଟାଏ ପ୍ରଭାବ ପଡ଼ିଲା ଜାଣେ ନାହିଁ, ମୁଁ ତୁନି ହୋଇଗଲି ଆପେ ଆପେ । ବୋଧହୁଏ ଗୋଟାଏ ପାହାଡ଼ ପରି ଲାଜ ଆସି ମୋତେ ତୁନି କରିଦେଲା । ମୁଁ ଆଉ କାନ୍ଦି ପାରିଲି ନାହିଁ । ବରଂ ଟିକିଏ କଉତୁକ କରିବା ପାଇଁ କଷ୍ଟ କରି କହିଲି–‘ମିଛ କଥା ।’

 

ସେ ମୋତେ ଅତି ପାଖକୁ ଭିଡ଼ିନେଇ କହିଲେ, ‘‘ସତ କହୁଛି ଗେହ୍ଲୀ, ତୋତେ ଛାଡ଼ି ମୁଁ ମୁହୂର୍ତ୍ତେ ବି ବିଦେଶରେ ରହି ପାରିବି ନାହିଁ ଏଣିକି ।’’

 

‘‘ଏ କଥା କହୁଛି କିଏ, ପୁଣି ଆଉ ଟିକିଏ ଆଗରୁ ନ ନବାକୁ କହୁଥିଲା କିଏ ?’’ ମୁଁ କହିଲି ।

 

‘‘ସେଟା ମୋର ଦୋଷ ଗେହ୍ଲୀ !’’ ସେ ବଡ଼ ବିନୟ ସ୍ୱରରେ କହିଲେ,–‘‘ସତ କହିବି, କାହିଁକି ମୁଁ ମନା କରୁଥିଲି ସାଙ୍ଗରେ ନେବାଲାଗି ? ତୁ କିଛି ମନେ କରିବୁ ନାହିଁ ତ କହ, ମୁଁ କହିବି-।’’

 

‘‘କହିବାକୁ ହବନାହିଁ, ମୁଁ ଜାଣେ ।’’

 

ମୁଁ ହତଭାଗୀ, ମୋର ଗୋଟାଏ ଭାରି ବଦଗୁଣ ଏ । ଯେତେବେଳେ ସେ ମୋ ଉପରେ ରାଗିବେ, ମୁଁ ତାଙ୍କୁ ନ ବହଲେଇବାଯାଏ, ତାଙ୍କ ଗୋଡ଼ ହାତ ଧରି ଶାନ୍ତ ନ କରିବା ଯାଏ ଥୟ ଧରି ରହିପାରେ ନାହିଁ, ଅଥଚ ସେ ମୋତେ ଶରଧା କରି ବସିଲେ ମୁଁ ଆଉ କଉଣସି ମତେ ଧରା ଛୁଆଁ ନ ଦିଏ । ଏଥିପାଇଁ କେତେ ଥର ଯେ ବିପଦରେ ପଡ଼ିଚି, କେତେ ଥର ଯେ ଶରଧା କରିବାକୁ ଆସି ମୋ ବ୍ୟବହାରରେ ସେ ରାଗି ନିଆଁ ହେଇ ଯାଇଛନ୍ତି ତା’ର ଠିକ୍‌ ନାହିଁ; ଏଥର କିନ୍ତୁ ମୋ ଭାଗ୍ୟକୁ ସେ ନ ରାଗି, ବରଂ ଅଧିକ ଆଦର କରି କି କଅଣ, ପଚାରିଲେ–‘‘କ’ଣ ଜାଣୁ କହିଲୁ, ଦେଖିବା ଭଲା !’’

 

ମୁଁ କହିଲି,–‘‘ତମର ମୋ ଉପରେ ବଡ଼ ସନ୍ଦେହ ସେଇଥିପାଇଁ ସେଠିକି ନଉନାହଁ ।’’

 

ସେ ଗୋଟାଏ ନିଶ୍ୱାସ ଛାଡ଼ି, ଛେପ ଢୋକି କହିଲେ–‘‘ସନ୍ଦେହ ମୋର ଆଗରୁ କେବେ ହୋଇ ନ ଥିଲା ଗେହ୍ଲୀ । ସନ୍ଦେହ କରିବାଟା ଯେ କେଡ଼େ ଖରାପ ତା’ ଆଜି ମୁଁ ବେଶ୍‌ ବୁଝିପାରୁଛି-। ସନ୍ଦେହ କରେ ଯେ ମରେ ସେ । ସେ ଦିନ ସେଇ ଚିଠି ଖଣ୍ଡ ପଢ଼ି ମୋ ମନରେ କାହିଁକି ଗୋଟାଏ ଅବିଶ୍ୱାସ ଜନ୍ମିଲା । ତା’ପରେ ସେଇ ସାମାନ୍ୟ ମଇଳା ଟିକକ ମୋ ପେଟ ଭିତରେ ଥାଇ ମୋତେ ଇମିତି ହଲାପଟା କରିଛି ଯେ ଏଇ କେତେ ଦିନ, ମୁଁ ତୋତେ ସେ କଥା କହିବି କିମିତି-? ମୁଁ ଜାଣେ ତୁ ସରଳ । ତୋ ଭିତରେ କିଛି ହେଲେ କପଟତାର ସ୍ଥାନ ନାହିଁ । ତଥାପି ମୁଁ ତୋତେ ଅବିଶ୍ୱାସ କରିଛି–ସନ୍ଦେହ କରିଛି, ମୁଁ ନିଜକୁ ନିଜେ ଜାଳି ପୋଡ଼ି ମାରିଛି । କିନ୍ତୁ ଆଜି ମୁଁ ତୋତେ ହୃଦୟର ଏତେ ନିକଟରେ ପାଇ ଯୋଉ ଆନନ୍ଦ ପାଉଛି, ତୋ ପାଖରେ ମୋ ମନର ଭାରକୁ ହାଲୁକା କରି ପକାଇ ଯୋଉ ଆଶ୍ୱାସନା ପାଉଛି, ମୁଁ ଜାଣେ ନାହିଁ ଗେହ୍ଲୀ, ୟାଠାରୁ ବଳି କି ସ୍ୱର୍ଗ ସୁଖ ଅଧିକା ଥିବ କୋଉଠି !’’

 

ମୁଁ ତୁନି ରହିଥିଲି ସେତେବେଳେ । ସେ ମୋତେ ନିବିଡ଼ ଆଲିଙ୍ଗନରେ ଦେହ ମନ ବାନ୍ଧିରଖି କହିଲେ–‘‘ଗେହ୍ଲୀ, ଗେହ୍ଲୀ, କହି ମୋତେ କ୍ଷମା କରିଛୁ ?’’ ମୋ ମନରେ ବାରମ୍ବାର ପ୍ରଶ୍ନ ଉଠିଲା–‘ଏଇ କଅଣ ସ୍ୱର୍ଗ ? ଏଇ କଅଣ ଜୀବନ–ମୀମାଂସାର ଚରମ ନିଷ୍ପତ୍ତି–ପରମ ସାର୍ଥକତା-?’

 

ହୃଦୟର ପ୍ରତି ସ୍ପନ୍ଦନ ଯେପରି ବିଦ୍ରୋହୀ ହୋଇ ମନା କରି ଉଠିଲା–‘ନା, ନା–ଏ କଦାପି ନୁହେଁ ।’

 

ମୁଁ ଭାବିଲି–ଏତେ ସନ୍ଦେହ, ଏତେ ଅବିଶ୍ୱାସ ଯୋଉଠି, ପୁଣି ପରୀକ୍ଷଣରେ ସମାନ ଇନ୍ଦ୍ରିୟସୁଖ ପାଇଁ ଯୋଉଠି ଏତେ ଖୋସାମତ, ଏତେ କପଟପଣିଆ, ସେଠି କାହୁଁ ସମ୍ଭବିବ ?

 

କିନ୍ତୁ ମୋର ଭୁଲ ହେଲା ଏଇଠି ।

 

ମୁଁ କଟକ ଆସିଲି । ଆସିବାବେଳେ ଆନନ୍ଦ ଥିଲା ଫୁର୍ତ୍ତି ଥିଲା । କିନ୍ତୁ ସତରେ ମୁଁ କ’ଣ ଶାନ୍ତି ପାଇଲି ସେଠି ? ଆଦୌ ନୁହେଁ । ମନରୁ ମୋର ସ୍ୱଚ୍ଛନ୍ଦତା ଯିମିତି ହଜିଗଲା କୁଆଡ଼େ । ବରଷାଦିନିଆ ନଈପାଣିପରି ଭିତରଟା ଯେମିତି ବଡ଼ ଗୋଳିଆ–ଇମିତି ଲାଗିଲା ଖାଲି । ସହରଟାଯାକ ସେଇ ସବୁଦିନିଆ ‘ହୋହା’ ଭିତରେ ଯେମିତି ଭାରି ଅବରଜ୍ୟା–ବଡ଼ ମେଳିଛିଆ । ଏଠିକି ଆସିବାର ବେଶୀ ଦିନ ଯାଇ ନାହିଁ–ଦୁଇ ଚାରି ଦିନ ପରେ ମୋର ପ୍ରାଣ ଗୋଟାଏ ଖୁବ୍‌ ନିରୋଳା ଜାଗାର ଅନିଷା କରି ବସିଲା । ମନ ଚାହିଁଲା, କଅଣ ଗୋଟାଏ କଥା ଘେନି ଚିନ୍ତା କରିବାକୁ ସେ ଟିକିଏ କିମିତି ସମୟ ପାଆନ୍ତା ।

 

ଯୁବକ ଯୁବତୀଙ୍କର ଚଞ୍ଚଳ ପ୍ରାଣରେ ଯେତେବେଳେ ଏକାଗ୍ରତା ଆସେ, କୋଳାହଳମୟ ଜୀବନ ଯେତେବେଳେ ଶାନ୍ତି ନୀରବତା ଖୋଜି ବୁଲେ, ସେତେବେଳଟା ଏଡ଼େ ବିପଦର ସମୟ ବୋଲି ମୋର ଧାରଣା ନ ଥିଲା । ମୋ ଗୋଡ଼ ଯେ ଯଉବନସରର ଶିଉଳି ଦେହରେ ଖସି ବୁଲିଲାଣି ସେତେବେଳକୁ, ସେଟା ମୁଁ ଭଲକରି ବୁଝିପାରୁ ନ ଥିଲି । ସେ ଖସଡ଼ାରେ ଚାଲିବାକୁ ହିଁ ନିହାତି ଅବୁଝା ପିଲାପରି ମୁଁ ମଣୁଥିଲି ଆନନ୍ଦ–ସାର୍ଥକତା ।

 

ମୁଁ ବାହା ହେଇଥିଲି–ନା, ମୋତେ ବାହା କରି ପକେଇଥିଲେ–ଯଉବନ ଯେତେବେଳେ ଆଶାର କୁହୁକ କାହାଣୀ ଶୁଣାଇବାକୁ ଆରମ୍ଭ କରିଥିଲା, ଶେଷ କରି ପାରି ନାହିଁ, ସେତିକିବେଳେ । ବସନ୍ତ ହାଉଆ ତା’ର ଭଳି ଭଳି ଫୁଲଗନ୍ଧ ଆଣି ପ୍ରାଣଟାକୁ କିପରି ପ୍ରତିକ୍ଷଣରେ ନୂଆ ନୂଆ ପୁଲକରେ ସରସ ସତେଜ କରି ଦେଇଯାଏ, ସେ ଅନୁଭବ ହେଲା ମୋର ଆଜି–ବାହା ହେବାର ଏତେ ଦିନ ପରେ । ଯୁବକ ଯୁବତୀଙ୍କର ଜୀବନ ଯେତେବେଳେ କେତେ ରୋମାଞ୍ଚକର ମିଳନ ସୁଖର ଆନନ୍ଦ ପଛରେ ଉନ୍ମତ୍ତ ଅନସରଣ କରି ଚାଲେ, ମୋ ହାତ ଗୋଡ଼ରେ ଜଞ୍ଜିର ଲାଗିଗଲା ଠିକ୍‌ ସେତିକିବେଳେ । ନିତି ନିତି ନୂଆ ଲୋକଙ୍କର ସଙ୍ଗସୁଖରେ ଜୀବନ ଯେ ମହତ୍‌ ହୁଏ, ଉଦାର ହୁଏ, ଏ ଭାବନା ମୋର ମନକୁ ଛୁଇଁଲା ଆଜି, ଯେତେବେଳେ ଜଣକ ଗୋଡ଼ରେ ଏକାବେଳକେ ବନ୍ଧାହୋଇ ସାରିଥିଲି ମୁଁ–ସମାଜ ଯେବେ ଗୋଟାଏ ଲୋକକୁ ମୋତେ ଆବୋରି ରଖି ମୋ ଉପରେ ଯାବତ ଅତ୍ୟାଚାର କରିବାକୁ ପ୍ରଶ୍ରୟ ଦଉଥିଲା–ସଂସ୍କାର ଯେତେବେଳେ ମୋର ବିଦ୍ରୋହୀ ମନକୁ ଦମନ କରିବା ଲାଗି ଧାରୁଆ ହତିଆର କଲିଜା ଉପରେ ପଜେଇ ରଖିଥିଲା ।

 

ସେ ମୋତେ ଦିନେ ସଫା ସଫା କହିଲେ–‘‘ସହର ବଜାର ଜାଗାରେ ଏତେ ବେଶୀ ଦାଣ୍ତଘାଟକୁ ବାହାରିଲା ଠିକ୍‌ ନୁହେଁ ।

 

ମୁଁ ପଚାରିଲି–‘‘କାହିଁକି ?’’

 

‘‘ଏଟା ଯେ ବଜାରୀଙ୍କ ଆଡ୍‌ଡା ଜାଗା’’–ସେ କହିଲେ ।

 

‘‘ବଜାରୀ ମୋର କଅଣ କରିବେ ?’’

 

ସେ ବିରକ୍ତ ହୋଇ ଜବାବ୍‌ ଦେଲେ–‘‘ସେ ଯାହା କରନ୍ତୁ ନ କରନ୍ତୁ, ତମେ ଆଉ ବାହାରକୁ ବାହାରିବ ନାହିଁ ସିମିମି । ସେଟା ଖୁବ୍‌ ନିରାପଦ ନୁହେଁ ।’’

 

ମୋର ବି କିମିତି ଟିକିଏ ରାଗ ହେଲା । ମୁଁ ନ ଡରି କହିଦେଲି–‘‘ସେଇୟା ତ କହିବ ମୋ ବାହାରକୁ ବାହାରିବା ତମ ଆଖିରେ ଯାଉ ନାହିଁ । ଏତେ ଆଉ ବୁଲେଇ କରି ନାକ ଦେଖା ନା ମ ! ମୋତେ କଅଣ ତମେ ହୁଣ୍ତୀ ମନେ କରି ପାଇଛ ନା ?’’

 

ସେ କିଛି ନ କହି ଚାଲିଗଲେ । ମୁଁ କିନ୍ତୁ ସେଇ ଦିନୁ ବେଶ୍‌ ବୁଝି ପାରିଲି, ମୋର ମୋ ଉପରେ କେତେ ଅଧିକାର । ମୁଁ ଯେ ଆଗରୁ କେବେ ଏ କଥା ନ ଭାବିଛି, ତା’ ନୁହେଁ; କିନ୍ତୁ ଆଜି କାହିଁକି ଏ କଥାଟା ମୋ ମନରେ ବଡ଼ ଲାଗିଲା । ଘା’ ଉପରେ ଘାସ କେରାଏ ବାଜିଲେ ଯେତେ ବାଧେ, ଭଲ ବେଳେ ଲକ୍ଷ ପାହାର ବସିଲେ ବି କିଛି ହୁଏ ନାହିଁ ସେଠି । ବେଳେ ବେଳେ ଇମିତି ସମୟ ଆସେ, ସବୁଦିନିଆ ଦୋହଘଷା ସାମାନ୍ୟ କଥାଟି ମନ ଭିତରେ ଭିତରେ ଏଡ଼େ ବଡ଼ ହେି ଉଠେ ଯେ ସର୍ବଘୋଟ ମନଟା ମଧ୍ୟ ଅଥୟ ହୋଇ ପଡ଼େ ତା’ ଦାଉରେ । ମୋର ସେଇୟା ହେଲା-। ସ୍ତ୍ରୀ ହୋଇ ଜନମ ହେବାଟା ଏଡ଼େ ବଡ଼ ଅପରାଧ ଯେ କାହିଁକି ହେଲା, ଏ ପ୍ରଶ୍ନ ମୋ ମନଭିତରେ ଅନେକ ଥର ଉଠିଛି; କିନ୍ତୁ ଆଜି କାହିଁକି ସେଇ କଥାଟା ଭାରି ବଡ଼ ହେଇଉଠିଲା କେଜାଣି–ମୋର ସବୁ ଫୁର୍ତ୍ତି, ସବୁ ସୁଖ ହରି ନେବା ଲାଗି ଯିମିତି ।

 

ମୋର ସବୁ ଜଳିଗଲା–ସବୁ ପୋଡ଼ିଗଲା । ମୋତେ ଯେ କାହିଁକି ମରଣ ନ ହେଲା ସେଠି, ହଠାତ୍‌ ଯେତେବେଳେ କବାଟ ଫାଙ୍କରେ ଅନେକ ଦେଖିଲି ଦାଣ୍ତରେ ଠିଆ ହେଇଛନ୍ତି–କିଶୋର ବାବୁ, ଆଉ ବଡ଼ ପାଟିଟାଏ କରି କହୁଛନ୍ତି–‘‘କି ହେ ବନ୍ଧୁ, ବାନ୍ଧବୀଙ୍କର ଦର୍ଶନ ତେବେ ଆଉ ଏଣିକି ମିଳିବ ନାହିଁ ?’’ ମୁଁ ମରି ନ ଥିଲି ବଞ୍ଚିଥିଲି । କିନ୍ତୁ ମୋ ଭିତରେ ଭିତରେ ମୁଁ ମିଳେଇ ଯାଉଥିଲି ଯିମିତି ।

 

ସେ ଦିନ ତାଙ୍କ ଆଗରେ ମୁଁ ଆଉ ବାହାର ହେଇ ପାରିଲି ନାହିଁ । ସେ ଅନେକ ବେଳଯାଏ ତାଙ୍କ ସାଙ୍ଗରେ ଗପସପ କରି ବାହାରିବା ବେଳକୁ ମୋତେ ଶୁଭିଲା ଭଳି ଗଳାରେ କହିଲେ–‘‘ଆଚ୍ଛା, ବାନ୍ଧବୀଙ୍କୁ ମୋର ସ୍ନେହ ଜଣାଇ ଦେବୁ; ଆଉ କହିବୁ ଯେ ୧୪୪ ଧାରାଟା ଯେପରି ମୋ ପାଖରେ ଜାରି ନ ହୁଏ ।’’

 

ଏ ତାଙ୍କର ସେ କଥାକୁ ‘ହୋ’ ‘ହୋ’ କରି ହସି ଉଡ଼େଇ ଦେଲେ । କିନ୍ତୁ ମୋ ଭିତରେ ଭିତରେ ଯୋଉ ଅପମାନର ନିଆଁ ଜଳିଗଲା, ଯୋଉ ଅନୁତାପର ହାବେଳି ଛୁଟିଗଲା, ତା’ ମୁଁ ଜାଣେ ।

 

ସେ ରାତିଟାଯାକ ମୋତେ ଆଉ ନିଦ ହେଲା ନାହିଁ । ବିଛଣାରେ ପଡ଼ି ଖାଲି ଭାବିବାକୁ ଲାଗିଲି–ମୁଁ ଜନ୍ମ ହେଲି କାହିଁକି ? ବିନା ଦୋଷରେ ଏଇଭଳି ଅପମାନ ପାଇବା ଲାଗି ସିନା ! ମୋ ଜୀବନର ଉଦ୍ଦେଶ୍ୟ କଅଣ ସବୁ କଥାରେ ଜଣକ ହୁକୁମର ଚାକର ହେଇ ରହିବା ? ନିଜର ବୋଲି ଦାବି କରିବାର କଅଣ କିଛି ନାହିଁ ? ମୋର ପ୍ରକୃତ ସୁଖ କ’ଣ ଏଇଥିରେ–ଏଇ ଅନ୍ଧାର ଭିତରେ ମୁଁ ଖୋଜି ପାଇବି ? ଏଭଳି କେବେ ପ୍ରଶ୍ନ ମନରେ ଉଠିବାରୁ ମୁଁ ନିଜେ ଅବାକ୍‌ ହୋଇଗଲି । ମଣିଷର ମନ ଯେତେବେଳେ ଏଇମିତି କଉଣସି କାରଣରୁ ବିରକ୍ତ ହୋଇଥାଏ, ସେତେବେଳେ ଏଇମିତି କେତେଗୁଡ଼ିଏ ସରଗଛିଣ୍ତା ଆକାଶ ପାତାଳ କଥା ଆସି ମନକୁ ଭୁଲାଇ ବହଲାଇ ଦବାକୁ ଚେଷ୍ଟା କରେ–କିନ୍ତୁ ପାରେ ନାହିଁ, ବରଂ ବଢ଼େ ।

 

ଯାହାହେଉ, ମୁଁ ସବୁ ପ୍ରଶ୍ନର ଗୋଟି ଗୋଟି କରି ମୀମାଂସା କରି ବସିଲି, କିନ୍ତୁ ପାରିଲି କି ? ସବୁ ଗୋଳିଆମିଶା ହୋଇଗଲା । ଭାବନା ଯେତେ ଗଭୀର ହେବାକୁ ଲାଗିଲା, ମୋ ଉପରେ ଯିମିତି କିଏ ଗୋଟାଏ କମଳ ଘୋଡ଼ାଇ ମାଡ଼ିବସିଛି, ଆଉ ମୁଁ ଖାଲି ଅଣନିଶ୍ୱାସୀ ହୋଇ ଛାଟିପିଟି ହେଉଛି ତା’ ଭିତରେ ପଡ଼ି । ମୁଁ ବାରମ୍ବାର ମନେ ମନେ ଉତ୍ତେଜିତ ହୋଇ ମନକୁ ମନ କହିଲି–‘ଆଉ ଏ ପଘାରେ ଛନ୍ଦି ହେଇ ରହି ପାରିବି ନାହିଁ, ନା–ନା, କଦାପି ନୁହେଁ ।’ ପ୍ରାଣ ଚାହିଁଲା କେବଳ ମୁକ୍ତି–ମୁକ୍ତି । ହୃଦୟ ମୋର ଖୋଜିଲା–ନିର୍ଜନତା, ନୀରବତା–ଆମୋଦ, ଆନନ୍ଦ । ମୋର ଖାଲି କାହିଁକି ମନେ ହେଲା, ଏ ଘରେ ଥିବାଯାଏ ଏ ସବୁ ଆଶା ଯେପରି ଆକାଶକୁସୁମ ।

 

କିନ୍ତୁ ଯିବି କୋଉଠିକି ? ପରକ୍ଷଣରେ ମୋରି କଥାରେ ମୋତେ ହସ ମାଡ଼ିଲା ।

 

ରାତିଟା ସେ ଦିନ କଟିଲା ସେଇମିତି ଉଜାଗରରେ । ବଡ଼ି ଭୋରରୁ, ସେ ଶୋଇଥିଲେ-। ମୁଁ ଉଠିଆସି ଦେଖିଲି ବୋଉ ନିଜ ହାତରେ ଘର ଓଳଉଛନ୍ତି । କାଲି ପୁଣି ତାଙ୍କୁ ଜର ହେଇଥିଲା ଯେ ରାତିଟା ବିନସୁଦ୍‌ ଉପାସରେ ଯାଇଚି । ମୁଁ ତରବରର କରି ତାଙ୍କ ହାତରୁ ପହଁରାଟା ଛଡ଼େଇ ନେଇ ଖରିକି ବସିଲି । ସେ ଆରାମରେ ନିଶ୍ୱାସଟାଏ ଛାଡ଼ି ଧୀରେ ଧୀରେ କଙ୍କାଳ ସିଧା କରୁଁ କରୁଁ କହିଲେ–‘‘ତୁ କଅଣ ସବୁଯାକ ଓଳେଇ ପାରିବୁ ମା ? ମୋତେ ପହଁରାଟା ଦେ ! ତୁ ଯା, ଲୁଗାଟା ପାଲଟି ପକେଇ ଶାଗ କେରେ ଖରଡ଼ି ଦବୁ । ମୋ ପେଟ ବଡ଼ ଗରମ । ସେଥିପାଇଁ କାଲି ମୋ ଦିହଟା ଇମିତି ଜର ଜର ଲାଗିଲା । ଗଣ୍ତାଏ ପଖାଳ ଖାଇଦେଲେ ପେଟ ଥଣ୍ତା ହେଇଯିବ ।’’

 

ତାଙ୍କର କଥା ସବୁ ଦିନେ ଏଇଭଳି । ଗାଁରେ ଥିଲାବେଳେ ସେ ମୋତେ ମୋଟେ କାମ କରେଇ ଦିଅନ୍ତି ନାହିଁ । କହନ୍ତି, ମୋ ଅନ୍ତେ ତ ତୋତେ ସବୁ କାମ ହାତରେ କରିବାକୁ ପଡ଼ିବ–ଗରିବ ଘରେ ପଡ଼ିଛୁ, ଖଟି ଖଟି ହାଡ଼ ମାଉଁସ ଏକାଠି ହୋଇଯିବ–ମୋ ଶକ୍ତି ପାଉଥିବା ଯାଏ ତୋ ମଥାରେ କାହିଁକି ଏତେ ଚପଟ୍‌ ଦେବି ? ପିଲା ମନ ତୋର, ଫୁଲଟି ପରି ସ୍ୱଭାବ । ସଂସାର ଭିତରେ ପଶି ଆଜହୁଁ ହନ୍ତସନ୍ତ ହବୁ କାହିଁକି ?’’

 

ସତରେ ଯେ ସେୟା କହନ୍ତି ବୋଲି ମୁଁ କିଛି ନ କରେ ତା’ ନୁହେଁ; କିନ୍ତୁ ଏଇ ଭଳି କଥା ପଦିକରେ ଯେ କେତେ ଶାନ୍ତି, କେତେ ଆଶ୍ୱାସନା ଭରି ରହିଥାଏ, ତା’ କଅଣ କହି ହେବ ସହଜରେ ? କିନ୍ତୁ ସେ ମୋହ ବି ମୋତେ ଟାଣି ରଖି ପାରିଲା ନାହିଁ ତ କାହିଁ !

 

କଟକ ଆସିବା ଦିନରୁ ମୋତେ ଟିକିଏ ବେଶୀ କାମ କରିବାକୁ ପଡ଼ିଲା । ସେଥିପାଇଁ ଯେ ମୁଁ କେବେ ଆପତ୍ତି କରିଛି ତା’ ନୁହେଁ । ଘରର ଅବସ୍ଥାକୁ ଚାହିଁ, ନିଜର ମୁଣ୍ତ ମମୂଜି କିମିତି ଖରଚ କରିବାକୁ ହବ ସେ କଥା ମୁଁ ବହୁତ ଭାବୁଥିଲି । ଭରଭଡ଼ା, ଖିଆପିଆ, ତାଙ୍କ କଳେଜ ଖରଚ ବାଦ୍‌ଦେଇ ଚାକର ପୁଝାରୀ ରଖିବା ଭଳି ସାଧ୍ୟ ଆମର ନ ଥିଲା ସେତେବେଳେ । ବାଧ୍ୟ ହୋଇ ମୋତେ ଯାବତ ଘର ଜଞ୍ଜାଳରେ ଘାଣ୍ଟି ହବାକୁ ପଡ଼େ । ବୋଉ ବି ଆଜିକାଲି କାମକୁ ପାରନ୍ତି ନାହିଁ । କିନ୍ତୁ ସବୁ କାମରେ ମୁଁ ଏତେ ଲାଗିବାକୁ ମଧ୍ୟ ସେ ଭଲ ପାଆନ୍ତି ନାହିଁ ।

 

ମୁଁ ଘର ଖରକି ଦଉଛି, ସେତିକିବେଳେ ‘ସେ’ ବିଛଣାରୁ ଉଠିଆସି ଡାକିଲେ–‘‘ଟିକିଏ ଇଆଡ଼େ ଆସିବ ? ଘର ଝାଟେଇବାକୁ ଆଉ କଅଣ କେହି ମିଳିଲେ ନାହିଁ ? ତମେଇ କଲେ ହବ, ନ ହେଲେ ନାହିଁ ?’’

 

ବୋଉଙ୍କ କାନକୁ ଏ କଥା ଗଲା । ସେ କହିଲେ–‘‘ଇଲୋ ଯାଆ ଲୋ, ପୁଅ କାହିଁକି ଡାକୁଛି । ସେ ଟିକକ ଯାହା ବାକି ଅଛି ପଛରେ ପଛେ ତର ହେଲେ ଆସି ଓଳେଇ ଦେଇ ଯିବୁ ।’’

 

ସେ ସିନା କହିଲେ ଯା, କିନ୍ତୁ ମନରେ ବିଚାରିଥିବେ କଅଣ ବୋଲି ମୁଁ ଖାଲି ଭାବି ଭାବି ସରମରେ ଘାଣ୍ଟି ହେଇଯାଉଥିଲି ଗୋଟିପଣେ । ପହଁରାଟାକୁ ଚଟ୍‌କିନା ତଳେ ପକେଇ ଦେଇ ବ୍ୟସ୍ତ ହୋଇ ଚାଲିଗଲି ଘର ଭିତରକୁ । ଦେଖିଲି, ସେ ଦାନ୍ତ ଘଷି ସାରି ମୁହଁ ଧୋଇ ବସିଛନ୍ତି । ମତେ କହିଲେ–‘ଆର୍ଶୀ ପାନିଆ ଦେଲ, ଆଉ ଟ୍ରଙ୍କରୁ ବାସି କାମିଜ୍‌ ଖଣ୍ତେ ।’

 

ମୁଁ କାଢ଼ିଦେଲି । ସେ ଜାମାଯୋଡ଼ ହେଇ କୁଆଡ଼କୁ ବାହାରିଲେ । ମୁଁ ପଚାରିଲି–ନ ଖାଇ କୁଆଡ଼େ ବାହାରିଲ ଏଇଲେ, କଲେଜ ?’

 

‘ହଁ’ ସେ ଉତ୍ତର ଦେଲେ ।

 

‘‘ଦି’ଟା କିଛି ପାଟିରେ ପକାଇ ଯିବ ନାହିଁ ?’’

 

‘‘ଘରେ ତମର କ’ଣ ଥିବ ଯେ ମଣିଷ ଖାଇବ ?’’

 

‘‘ତମେ ତ ଏତେ ବେଳସୁଁ ଯାଅ ନାହିଁ କେବେ’’–ମୁଁ କହିଲି–‘‘ମୁଁ ଏବେ ଜାଣିଲି କିମିତି ଆଜି ଏତେ ତରବର ହେଇ ବାହାରିବ ବୋଲି ? ଟିକିଏ ବସ, ଦୁଇଟା ରସଗୋଲା କିଣିଆଣୁ ବଜାରରୁ ?’’

 

‘‘ମୋତେ କଅଣ କିଣି ଖାଇ ଆସେ ନାହିଁକି ?’’ କହି ସେ ଚାଲିଗଲେ । ଆଜି ଯେ ରାଗର ଜୁଆରଟା ହଠାତ୍‌ ଇମିତି ମାଡ଼ି ପଡ଼ିବ, ମୁଁ ତା’ ଭାବି ପାରି ନ ଥିଲି ଆଗରୁ । କାରଣ ବା ଖୋଜି ପାଆନ୍ତି କଅଣ ? ତେବେ ଦିନେ ଦିନେ ଇମିତି ଶୁଖିଲା ଭୂଇଁରେ କଚାଡ଼ି ପଡ଼ିବାକୁ ତାଙ୍କୁ ସୁଖ ଲାଗୁଥିଲା ବୋଧହୁଏ ।

 

କିନ୍ତୁ ଏଇ ରାଗଟା କଅଣ ? ବିନା ଦୋଷରେ ମୋ ଉପରେ ଇମିତି କାହିଁକି ରାଗିବେ ସେ–‘ତାଙ୍କର କି ଅଧିକାର ଅଛି ! ବାପ–ମା’ ମୋର ହାତ ଗୋଡ଼ ବାନ୍ଧି ସଁଅପି ଦେଇଥିଲେ କ’ଣ ଏଇଥିପାଇଁ ? ତମେ ରାଗିବ, ମାରିବ, ପିଟିବ, ସବୁ କରିବ, ଆଉ ମୁଁ ତାହା ମଲା ମଣିଷ ପରି ସହି ଯାଉଥିବି ଚିରଦିନ । କାହିଁକି ?

 

ହାୟ, ଚାଣ୍ତାଳୀ–ମୁଁ ଭାବିଲି ନାହିଁ ସେତେବେଳେ–ମଣିଷ ରାଗେ କାହା ଉପରେ ! ଯାହା ଉପରେ ଯାହାର ଅଧିକାର ନାହିଁ, ସେ ତା’ ଉପରେ କ’ଣ ରାଗିପାରେ କେବେ ? ଯୁଣି ସେ ଅଧିକାର ଯଦି ହୃଦୟର ଜୟରେ ପ୍ରତିଷ୍ଠିତ ହୋଇ ନ ଥାଏ ?

 

ଯେ ଯାହାକୁ ସୁଖ ପାଏ ତା’ର ଅଭିମାନ, ତା’ର ରାଗ କ’ଣ ପ୍ରକୃତ ? ନା–କଦାପି ନୁହେଁ । ସେ ପ୍ରେମର ଗୋଟାଏ ବାହ୍ୟିକ ଆବରଣ–ନା–ତା’ ବି ନୁହେଁ, ପ୍ରେମର ଅନ୍ୟ ଗୋଟାଏ ରୂପ ସେ । କିନ୍ତୁ ମୁଁ କ’ଣ ତା’ ବୁଝିଲି ସେତେବେଳେ ?

 

ସେ ଦିନ ସେ ଆସିଲେ ଢେର ବେଳେକେ । ମୁଁ ରାନ୍ଧିବାଢ଼ି ହାଣ୍ତିଶାଳରୁ ବାହାରୁଥାଏଁ ତେତେବେଳକୁ । ମସିଆ ଲୁଗା ଖଣ୍ତେ ପିନ୍ଧିଥାଏଁ, ହାତଯାକ କଳା ଲାଗିଥାଏ ବଲବଲ ହୋଇ, ଧୂଆଁଟାରେ ଚାହିଁ ଚାହିଁ ଆଖିରୁ ପାଣି ବୋହିଯାଉଥାଏ । ନିଆଁ ପାଖରେ ବସି ମୁହଁଟା କଳାକାଠ ପଡ଼ିଯାଇଥିଲା ବୋଲି ସେ ଯିମିତି ମୋତେ ଦେଖିଚନ୍ତି, ତାଟକା ହୋଇ କହିଲେ–‘‘ଏମିତି ଦିଶୁଛ କାହିଁକି ?’’

 

‘‘କିମିତି ?’’ ମୁଁ ପଚାରିଲି ।

 

‘‘ଶୁଖିଲାଟା ।’’

 

‘‘ତମ ଘରେ ଯୋଉ କାମ–’’

 

‘‘ତମେ କାହିଁକି କାମ କରୁଛ ? ମୁଁ ତ ବାର ବାର କରି ମନା କଲି–ନା–ତମେ ସେ ହାଣ୍ତିଶାଳ ଫାଣ୍ତିଶାଳ ପାଖକୁ ଯିବ ନାହିଁ, ଗଲ କାହିଁକି ଭଲା ?’’

 

‘‘ଯିବ ତେବେ କିଏ ?’’

 

‘‘ଆଉ କଅଣ କେହି ନାହାନ୍ତି ?’’

 

‘‘କହୁନା କିଏ ଅଛି ?’’

 

‘‘ପୁଝାରୀ ରଖ ତେବେ ।’’

 

‘‘ଦରମା ?’’

 

‘‘ଦରମା ମୁଁ ଦେବି ନା ତମେ ଦବ ?’’

 

‘‘ହ– ।’’

 

ତାଙ୍କ କଥାକୁ ନୁଖୁରା ମନେ କରି ମୁଁ କହିଦେଇ ଫେରି ଚାଲି ଆସୁ୍ଥିଲି ଏତକ, ସେ ପଛରୁ ଡାକିଲେ ‘‘ମଲା, ଚାଲିଗଲ କି !’’

 

ମୁଁ କହିଲି–‘‘ତେଲ ନେଇ ଆସେଁ, ଗୋଧୋଇବ ପରା ?’’

 

‘‘ମୁଁ କଅଣ କହିଲି ତମକୁ ଗାଧୋଇବା ପାଇଁ ?’’

 

‘‘ଆଉ କ’ଣ ଗାଧୋଇବ ନାହିଁ କି ଆଜି ?’’

 

‘‘ନା, ଗାଧୋଇବି ନାହିଁ ।’’

 

‘‘ତେବେ ଲୁଗା ପାଲଟି ପକାଅ, ମୁଁ ଭାତ ବାଢ଼ି ଆଣେ ।’’

 

‘‘ନାଇଁ, ମୁଁ ଖାଇବି ନାହିଁ ଆଉ–ଖାଇ ଆସିଛି ।’’

 

‘‘ଆଉ ତେବେ ଡାକୁଥିଲ କାହିଁକି ?’’

 

‘‘ଖାଇବା କଥା ଛଡ଼ା କଅଣ ମଣିଷର ଆଉ କିଛି ନ ଥାଏ କହିବାକୁ ? ଆସ, ଏଆଡ଼େ ଆସ !’’ କହି ସେ ଘର ଭିତରକୁ ଚାଲିଗଲେ ।

 

ଦଲାଣ ଦୁଆର ମୁହଁକୁ ଯୋଉଁ ଖରା ଟିକକ ଚାଳ ଉପରୁ ମାଡ଼ି ଆସିଥାଏ, ତା’ରି ଦିହରେ ମସିଣା ଖଣ୍ତେ ପକାଇ ବୋଉ ସେତେବେଳେ ଅଧଛାଇ ଅଧଖରାରେ ଦିହ ଦେଖାଇ ଶୋଇ ଥାଆନ୍ତି ଚାହାନ୍ତା ହେଇ ।

 

ମୁଁ ଘର ଭିତରକୁ ଯାଇ ଥିର ଗଳାରେ କହିଲି–‘‘କଅଣ କହୁଛ କହ ।’’

 

‘‘ମୁଁ ଆଜି ବଡ଼ ଅପମାନ ପାଇଲି’’–ସେ କହିଲେ ।

 

ସକାଳର ଅଭିମାନ ସେତେବେଳେ ତାଙ୍କଠାରେ ତିଳେ ହେଲେ ନ ଥିଲା । ମୁଁ ମନେ କରିଥିଲି ଅବା ରାଗରେ ଗାଧୋଇ ଖାଇ ଆସିଛନ୍ତି ବୋଲି ମିଛରେ ଛଳ କରି କହୁଛନ୍ତି ମୋ ଆଗେ । କିନ୍ତୁ ତାଙ୍କର ସେ କଥା ଶୁଣି, ଆଉ ତାଙ୍କର ଶୁଖିଲା ମୁହଁ ଦେଖି ମୋର ବଡ଼ ଦୟା ହେଲା-। ମୁଁ ପଚାରିଲା–‘‘କାହିଁକି ? କିଏ ଅପମାନ ଦେଲା ?’’

 

ସେ ସବୁ ଧୀରେ ଧୀରେ କହିଲେ,–‘‘ଆଜି ଠାଏ ନିମନ୍ତ୍ରଣ ଥିଲା, ମୋର ଜଣେ କଲେଜ ସାଙ୍ଗ–ତାରି ଘରେ; ଏଇ ଦୁଇ ତିନି ମାସ ହେଲା ନୂଆ ହୋଇ ବାହା ହେଇଛି । ତାକୁ ସେଥିପାଇଁ ସମସ୍ତେ ଫିଷ୍ଟ ଦେବାକୁ ଲଗାଇଲେ । ଆଜି ସେ ଡାକିଥିଲା ଆମ ସମସ୍ତଙ୍କୁ । ଖାଇ ପିଇ ସାରିଲୁ । କିଶୋର କହିଲା, ‘ଯାହାଙ୍କ ଲାଗି ଆଜି ଏ ଆନନ୍ଦ, ତାଙ୍କର ଅଭାବରେ ଏ ଉତ୍ସବର ଗୋଟିଏ ଅଙ୍ଗ ଅପୂର୍ଣ୍ଣ ରହିଗଲା’ ।’’

 

‘ଏଡ଼େ ବେହିଆ ନା କିଶୋରବାବୁ ?’ ମୁଁ ମନେ ମନେ ଭାବିଲି । ସେ କହିଯିବାରେ ଲାଗିଲେ–‘‘ସେ ବନ୍ଧୁଟି–ତା’ ନାଁ ରମେଶ–କହିଲା–‘ସତେ ! ତେବେ ଅଭାବଟା ପୂର୍ଣ୍ଣ ହେଉ !’ କହି ସେ ଘର ଭିତରକୁ ଲକ୍ଷ୍ୟ କରି ଡାକିଲା–‘ମାଧୁରି, ମାଧୁରି, ଟିକିଏ ଏଣିକି ଆସି ପାରିବ !’ ମୁଁ ତ କାବା ହେଇ ଚାହିଁ ରହିଲି । କାହାକୁ ଡାକିଲା ସେ ! ସତେ କ’ଣ ତା’ର ସ୍ତ୍ରୀ ଏତେ ଲୋକଙ୍କ ଆଗକୁ ଆସିବ ? କଅଣ କହିବି, ସତକୁ ସତ ଚାହୁଁ ଚାହୁଁ ସେ ଆସି ଆମ ସମସ୍ତଙ୍କୁ ପ୍ରଣାମ କଲା । ଆମେ ସେଠି ସାତ ଆଠଜଣ ଥାଉଁ । ସମସ୍ତେ ପୁଣି କଲେଜ ପିଲା ।’’

 

‘‘ଆଚ୍ଛା, ତା’ର କଅଣ ଶାଶୁ ଶଶୁର ନ ଥିଲେ ?’’ ମୋତେ କାହିଁକି ଭାରି ଆଶ୍ଚର୍ଯ୍ୟ ଲାଗିଲାରୁ ମୁଁ ପଚାରିଲି ।

 

ସେ କହିଲେ, ‘‘ହଁ, ଥିଲେ ତ ହେଲା କଅଣ ? ସେମାନେ ସେଭଳି ଶିକ୍ଷିତ । ପରଦାକୁ ସେମାନେ ଘୃଣା କରନ୍ତି ।’’

 

‘‘ଆଉ ତମେ ?’’ ମୋତେ ଥଟା କରିବାକୁ ଗୋଟାଏ ସୁବିଧା ମିଳିଗଲା ।

 

ଲାଜରେ ତାଙ୍କ ମୁହଁ ତଳକୁ ହେଇଗଲା । ସେ କହିଲେ,–‘‘ମୁଁ କଅଣ ପରଦାକୁ ପସନ୍ଦ କରେ ବୋଲି ଭାବିଛ ?’’

 

‘‘ନାଃ–ଆଦୌ ନୁହେଁ ।’’

 

‘‘ସହର ବଜାର ଜାଗା ବୋଲି ସେ ଦିନ ମୁଁ ତମକୁ ସାବଧାନ କରେଇ ଦଉଥିଲି ସିନା ! ତା’ ବୋଲି କଅଣ ସବୁବେଳେ ଘର ଭିତରେ ଓଢ଼ଣା ପକେଇ ବସି ରହିବାକୁ ମୁଁ କହୁଛି ?’’

 

‘‘ନାଇଁ, ନ ହେଲା ନାଇଁ, ତା’ପରେ କଅଣ ହେଲା କହ’’ ମୁଁ ପଚାରିଲି ।

 

‘‘ତା’ପରେ ଆମେ ସମସ୍ତେ ତାକୁ ପ୍ରତି–ନମସ୍କାର କଲୁ । ସେ ବସିଲା ।’’

 

‘‘କଥା କହିଲା ନା ?’’

 

‘‘ନିଜ ଇଚ୍ଛାରେ ସିମିତି କିଛି କହି ନାହିଁ, ତେବେ ପଚାରିଲେ ଉତ୍ତର ଦଉଥାଏ ।’’

 

‘‘ସେଉଠୁ କଅଣ ହେଲା ?’’

 

‘‘ସେ ଚାଲିଗଲାରୁ ମୋତେ ସମସ୍ତେ ଅପମାନ ଦେଲେ ।’’

 

‘‘କଅଣ ଅପମାନ ଦେଲେ ?’’

 

‘‘କଅଣ ଅପମାନ ଦେଲେ ଆଉ ବୁଝି ପାରୁ ନା !’’

 

‘‘କଅଣ ?–ତମେ କାହିଁକି ବାହା ହେଇ ଫିଷ୍ଟ୍‌ ନ ଦେଲ, ଏଇୟା ତ ?’’

 

‘‘ଖାଲି ସେତିକି ନୁହେଁ; ତମେ କାହିଁକି ତମ ସ୍ତ୍ରୀଙ୍କୁ ପଦାକୁ ନ କାଢ଼ିଲ, ଇୟା ବି ।’’

 

‘‘ସତ କଥା କହିଲେ, ହେଲା କଅଣ ?’’–କହି ମୁଁ ହସି ଦେଇ ଚାଲି ଯାଉଥିଲି, ସେ ପୁଣି ପଛଆଡ଼ୁ ଡାକିଲେ–‘‘ମଲା–ଚାଲିଗଲ ନା !’’

 

‘‘କଅଣ କହୁଛ ଆଉ ?’’

 

‘‘ଆଜି କିଶୋର ହେରିକାଙ୍କୁ ଡାକିବ ଖାଇବା ଲାଗି ?’’

 

ତାଙ୍କର ଏଇମିତି ପିଲାଳିଆ ସ୍ୱଭାବ ମୋତେ ବେଳେ ବେଳେ ଭାରି ଭଲ ଲାଗେ । ଆଜି କିଶୋରହେରିକାଙ୍କୁ ଡାକିବାର ଉଦ୍ଦେଶ୍ୟ ଯେ ସେମାନଙ୍କ ଆଗରେ ନିଜ ସ୍ତ୍ରୀକୁ ଦେଖାଇହେବା ଏ କଥା ମୋତେ ଆଉ ବୁଝିବାକୁ ବାକି ରହିଲା ନାହିଁ । ଏଇ ମଣିଷ ମୋତେ ପୁଣି ଏତେ ତାଗିଦା କରୁଥିଲେ ବାହାରକୁ ବାହାରିବା ଲାଗି–ଦିନ ଗୋଟାଏ ବି ଯାଇ ନାହିଁ । ମତେ ଭାରି ହସ ମାଡ଼ିଲା । ମୁଁ କହିଲି,–‘‘ଆଗ ହଜମ ହଉ ଆଜି ଯା ଖାଇଛ, ତା’ପରେ ଦେଖାଯିବ ?’’

 

‘‘ତେବେ କାଲିକି ଡାକିବା ?’’

 

ତାଙ୍କର ଏତେ ଇଚ୍ଛା ଦେଖି ମୁଁ ଆଉ କିଛି ଆପତ୍ତି କଲି ନାହିଁ । କହିଲି, ‘‘ହଉ ଡାକ । କିନ୍ତୁ ଟଙ୍କାର କଅଣ ବନ୍ଦୋବସ୍ତ କରୁଛ ?’’

 

‘‘ହଁ, ଟଙ୍କାପାଇଁ କଅଣ କରିବା କହିଲ ?’’

 

‘‘ମୁଁ କଅଣ କରିବି ମୋତେ କହୁଛ ଯେ !’’

 

‘‘ଟଙ୍କା ତେବେ କୋଉଠୁ ଆଣିବୁ ?’’

 

‘‘ଧାର କର ।’’

 

‘‘ଶୁଝି ପାରିଲେ ତ !’’

 

‘‘ଆଉ କଅଣ କରିବ ! ଗହଣା ଖଣ୍ତେ ନେଇ କୋଉଠି ବିକ୍ରି କରି ଆଣ ତେବେ । ତା’ ଛଡ଼ା ତ ମୋତେ ଆଉ କିଛି ବାଟ ଦିଶୁନାହିଁ !’’

 

ସେ ବହୁତ ଭାବି ଇତସ୍ତତଃ ହୋଇ କହିଲେ, ‘‘ହଁ, ତା’ ଛଡ଼ା ଆଉ କି ଉପାୟ ଅଛି ?’’

 

ସେଇୟା ହେଲା । ଗହଣା ବିକ୍ରି ଟଙ୍କାରେ ତହିଁ ଆର ଦିନ ଫିଷ୍ଟ୍‌ର ବନ୍ଦୋବସ୍ତ କରାଗଲା । ତାଙ୍କ ମନଟା ସେ ଦିନ ଆଦୌ ଭଲ ନ ଥାଏ–ଏଇ ଗହଣା ପାଇଁ ।

 

ମୁଁ ତାଙ୍କୁ ଡାକି କହିଲି,–‘‘ତମେ କାହିଁକି ମନ ଊଣା କରୁଛ ? ଗହଣା କ’ଣ ମୋତେ ସ୍ୱର୍ଗକୁ ନେଇଯିବ କି ? ତମର ଯଦି ଗୋଟାଏ କାମରେ ଆସିଲା, ମୋର ସେଇ ସୁଖ । ମୁଁ ଆଦୌ ଭାବୁନାହିଁ ସେଥିପାଇଁ ।’’

 

ତାଙ୍କ ଆଖିରେ ଲୁହ ଭରି ଆସିଲା । କହିଲେ,–‘‘ଏ ହତଭାଗାଟାର ହାତ ଧରିଥିଲୁ ଯେ ଦିନେ ହେଲେ ସୁଖ ପାଇଲୁ ନାହିଁ ଜୀବନରେ !’’ କହି, ଖଟ ଉପରେ ପଡ଼ିଗଲେ ।

 

ଦେବତା ଆଉ କାହାକୁ କହନ୍ତି ? ସ୍ୱାମୀ ଦେବତା । ପ୍ରକୃତରେ ଦେବତା ସେ, ଏ ଧାରଣା ଯଦି ମୋର ସତରେ ହେଇଥାନ୍ତା ସେତେବେଳେ, ତେବେ ଜୀବନରେ ମୋର ଏଡ଼େ ବଡ଼ ଗୋଟାଏ ଭୁଲ ହୁଅନ୍ତା କାହିଁକି ?

 

ହାୟ, ସଂସାରରେ ସେତେବେଳେ ତାଙ୍କର ଅତି ଆପଣାର, ଅତି ବିଶ୍ୱାସୀ, ଏକମାତ୍ର ବନ୍ଧୁ ଯିଏ, ସେ ଏଇ ହତଭାଗିନୀ, ପାଷାଣୀ ମୁଇଁ, ଏ କଥା ଭାବିଲାକ୍ଷଣି ଆଜି ଦିହଟା ଯାକରେ କିଏ ଯେମିତି ନିଆଁ ନେଣ୍ତୁଆ ବୁଲେଇ ଦେଇ ଯାଉଛି ମୋର ।

 

ସେ ଦିନ ଫିଷ୍ଟ୍‌ ଖାଇବାକୁ ଆସିଥିଲେ ଅନେକ ଲୋକ । ତାଙ୍କ ଭିତରେ କିଶୋର ବାବୁ ନିଶ୍ଚୟ ଥିବେ ଭାବି ଗୋଟାଏ କି ଆଗ୍ରହରେ କିଜାଣି, କବାଟ ଫାଙ୍କରେ ଅନେକ ଦେଲା ବେଳକୁ ଦେଖିଲି, ସତକୁ ସତ ସେ ଆସିଛନ୍ତି, ଆଉ ମୋ’ରି ଆଡ଼କୁ ବଲବଲ କରି ଅନେଇ ରହିଛନ୍ତି ଯିମିତି-। ମୁଁ ଆଉ ତାଙ୍କୁ ଚାହିଁ ନ ପାରେ ଫେରିପଡ଼ି ରୋଷେଇବାସ ଦେଖିବାକୁ ଚାଲିଗଲି ।

 

ଖିଆପିଆ ସବୁ ହସ ଖୁସି ଭିତରେ ହେଇଗଲା । ଆଗରୁ ଯେତେବେଳେ ସମସ୍ତଙ୍କର ମଜଲିସ ବସିଥିଲା, ସେତେବେଳେ କୁଆଡ଼େ ମୋ କଥା ପଡ଼ିଥିଲା ସେଠି । କିନ୍ତୁ ନିଜେ କିଶୋରବାବୁ କୁଆଡ଼େ କହିଲେ,–‘ନାହିଁ, ଥାଉ । ସେ ରନ୍ଧାବଢ଼ାରେ ବ୍ୟସ୍ତ ଥିବେ–ଏଇଲେ ଆସି ପାରିବେ ନାହିଁ ଏଠିକି । ଆସିବାର ଦରକାର ବା କଅଣ ? ଯେ ପରଦାନସିନ୍‌ ତାକୁ ସିନା ବାଧ୍ୟ କରାଇ ବାହାରକୁ ଆଣିବାରେ ମଜା ଅଛି; ଯିଏ ପରଦାକୁ ଅସଭ୍ୟତା ବୋଲି ଘୃଣା କରେ, ଦରକାର ହେଲେ ସେ ତ ଆପେ ଆପେ ଆସିବ, ତାକୁ ପୁଣି ଗୋଟାଏ ଅଣାଇବ କଅଣ ମ ?

 

ଏ କଥାଟା ଯେତେବେଳେ ମୋ କାନକୁ ଆସିଲା, ମୁଁ ଲାଜରେ ମରିଗଲି । ଏଡ଼େ ବେହିଆ ଏ ଲୋକଟା, ଭାବି ହସିଲି ବି । ନ ଯାଇ ତ ଚାରା ନାହିଁ ସମସ୍ତଙ୍କ ଆଗକୁ । କିଶୋରବାବୁ ଆଉ କ’ଣ ବାଟ ରଖିଛନ୍ତି ନ ଯିବାର ? ତାଙ୍କ ବୁଦ୍ଧିଟାକୁ ମୁଁ ଧନ୍ୟ ଧନ୍ୟ ନ କହି ରହି ପାରିଲି ନାହିଁ ।

 

ଖିଆପିଆ ସରିବା ଯାଏ ମୁଁ ଅନେକ ବସିଥାଏ କେତେବେଳେ ୟାଙ୍କର ହୁକୁମ ହବ; ଆଉ ଛାତିଟା ଖାଲି ଥରୁଥାଏ ମୋର ।

 

ସେ ଆସି କେତେବେଳେ କହିଦେଇ ଗଲେ–‘ପାନ ଆଉ ମସଲା ନେଇ ବାହାରକୁ ଆସ !’ କହିଗଲେ ବି ମୁଁ ଯାଇ ପାରୁ ନ ଥିଲି । ମୋର ଗୋଟାଏ ଯିମିତି କଅଣ ହେଇଯାଉଥିଲା ଭିତରେ । କବାଟ ଏପାଖରୁ ମୋ ଗୋଡ଼ରେ ଯେମିତି କିଏ ଗୋଟାଏ ଜଞ୍ଜିର ବାନ୍ଧି ଦେଇଛି ଶକତ କରି । ମୁଁ ଯେତେ ଚେଷ୍ଟା କଲି, ଯେତେ ଥର ଛାତିରେ ସାହସ ବାନ୍ଧିଲି ଏଥର ନିଶ୍ଚୟ ଯିବି ବୋଲି, ସବୁ ବୃଥା ହୋଇଗଲା ।

 

ଠିକ୍‌ ଏତିକି ବେଳେ ଜଣେ କେହି ଆରମ୍ଭ କରିଦେବା ସଙ୍ଗେ ସଙ୍ଗେ ସମସ୍ତେ ଏକାଠି କହି ଉଠିଲେ,–‘‘ହୋଷ୍ଟେସ୍‌ କାହାନ୍ତି–ହୋଷ୍ଟେସ୍‌ ?’’

 

ମୁଁ ଆଉ ଏ ଅପମାନ ସହି ନ ପାରି ଏଡ଼େ ଚଞ୍ଚଳ ବାହାରି ପଡ଼ିଲି ଯେ ସେମାନେ ଯେପରି ସନ୍ଦେହ ନ କରନ୍ତି, ତାଙ୍କ କଥା ଶୁଣି ମୁଁ ଅଇଲି ବୋଲି ସିମିତି ଆଗରୁ ଆସୁଥିଲି ସେଆଡ଼ୁ ନିଜେ ନିଜେ ।

 

ଟେବୁଲ ଉପରେ ପାନଥାଳିଆଟା ଥୋଇଦେଇ ମୁଁ ତଳକୁ ମୁହଁ ପୋତି ଠିଆ ହେଲି । ଏତେ ଲୋକ ମିଶି ମୋତେ ଗୋଡ଼ ପାଖରୁ ମୁଣ୍ତଯାଏ ଦେଖୁଛନ୍ତି ପଡ଼ି, କିନ୍ତୁ ସମସ୍ତଙ୍କୁ ଦେଖିବା ପାଇଁ ମୋର ମନ ହେଉଥିଲେ ବି ମୁଁ ଦେଖିପାରୁ ନ ଥିଲି କାହାରିକି । କି ଗୋଟାଏ ତୁମୁଳ ଲଜ୍ଜା ମୋତେ ଗୋଟିମତେ ଗ୍ରାସ କରିଥାଏ କେଜାଣି ! ଇତି ମଧ୍ୟରେ ମୁଁ ସମସ୍ତଙ୍କୁ ପ୍ରତିନମସ୍କାର ଦେଇ ଗୋଟିଏ ଚଉକି ଉପରେ ବସି ସାରିଲିଣି; କିନ୍ତୁ ସେ ସବୁ କରିଛି ଯେମିତି ଗୋଟାଏ ଯନ୍ତ୍ରଚାଳିତ ପରି ।

 

ଯେତେବେଳେ ସବୁ ଲଜ୍ଜାକୁ ପକେଇ ଦେଇ ମୁଁ ଜଣକ ମୁହଁକୁ ଚାହିଁ ଦେଲି–ନ ଚାହିଁ ଆଉ ରହି ପାରିଲି ନାହିଁ ସ୍ଥିର ହୋଇ, ମୋ ଦିହଟା ଯାକରେ ଗୋଟାଏ ଚଞ୍ଚଳ ବିଜୁଳି ଖେଳିଗଲା ସତେକି, ଆଖି ପିଞ୍ଚା ପଡ଼ୁ ନ ପଡ଼ୁଣୁ । କିଶୋର ବାବୁ ସେ ! ମୋତେ ସେ କିମିତି ଗୋଟାଏ ପ୍ରକାରରେ ଚାହିଁ ରହିଥିଲେ ଯେ ମୁଁ ଆଉ ସିମିତି ଚାହାଣୀ କେବେ କେଉଁଠି ଦେଖିଥିଲା ପରି ମନେ ହେଲା ନାହିଁ ତା’ ଆଗରୁ । ମୋତେ ଭାରି ଲାଜ ମାଡ଼ିଲା । ସତ କହିବି ତ, ଭଲ ବି ଲାଗିଲା-

 

କେତେବେଳ ପରେ କଥାଛଳରେ ମୁଁ ପୁଣି ଚାହିଁଲି–ସେଇ ଚାହାଣୀ–ସେଇ ବିବଶ ମୁଖ–ଆଖି ଯୋଡ଼ିକ ସେଇପରି ଢଳ ଢଳ । ଆଃ, କି କାରୁଣ–ଯେମିତି କେଉଁ ରିକ୍ତ ପଥିକ ଚାହିଁ ରହିଛି କଉଁ ଦୁର୍ଲଭର ଆଶା ବାନ୍ଧି ।

 

ମୁଁ କିନ୍ତୁ ତାଙ୍କୁ ବାରମ୍ବାର ଚାହିଁ ବିଦାୟ ବେଳର ମୋର ଶେଷ ଚାହାଣୀରେ, ମୋର ଅଜାଣତରେ କିମିତି କହିଦେଇ ଆସିଲି ସେ ଦିନ ଯେ, ଯାହାକୁ ସେ ଦୂରରେ ବୋଲି ମନେ କରୁଛନ୍ତି ସେ ତାଙ୍କର ଖୁବ୍‌ ନିକଟରେ–ଅନ୍ତତଃ ତାଙ୍କ ପରି ଜଣେ ସୁଗୁଣୀ, ସୁପୁରୁଷ ପାଖରେ ।

 

ସମସ୍ତେ ଚାଲି ଗଲାରୁ ଇଏ ମୋତେ ପଚାରିଲେ, ‘‘କି ଲାଜ ଛାଡ଼ିଗଲା ଏଥର ?’’

 

ମୁଁ କହିଲି–‘‘୧୪୪ ତ ଉଠେଇ ଦେଲ, ଆଉ ଲାଜ ରହିବ କାହିଁକି !’’

 

ସେ ହସିଲେ । ମୁଁ କିନ୍ତୁ ମନ ଭିତରେ ସେପରି ହାଲୁକା ବୋଧ କରୁ ନ ଥିଲି ସେ ଦିନ-

 

ସେ ଆସନ୍ତି, ଯେତେବେଳେ ଇଏ ନ ଥାନ୍ତି । ଏଟା ନିହାତି ଅସୁନ୍ଦର ଦେଖା ଯାଉଥିଲା ସଂସାରଟାକୁ, ମୋତେ, ସମସ୍ତିଙ୍କି । କିନ୍ତୁ ମୁଁ ତ କାହିଁ ତୁଣ୍ତ ଖୋଲି ଦିନେ ହେଲେ ମନା କରି ପାରିଲି ନାହିଁ ତାଙ୍କୁ, ନିତି ନିତି ଗୋଟାଏ ଅଭ୍ୟାସ କଲାଭଳି କେହି ନ ଥିବାବେଳେ ଆସିବା ପାଇଁ ମୋ କତିକି । ପ୍ରଥମେ ପ୍ରଥମେ ମୁଁ ସବୁବେଳେ ତାଙ୍କ ଆଗକୁ ବାହାରୁ ନ ଥାଏଁ–ବୋଉ ଥିଲେ ବୋଲି । ସେ ଗାଁଆକୁ ଚାଲିଗଲା ଦିନଠୁଁ ମୋର ତାଙ୍କ ଆଗକୁ ଅବାଧ ଗତି ହେଲା । ମୁଁ ପାନ ନେଇ ଦିଏଁ । ସେ କହନ୍ତି–‘ତମ ହାତଭଙ୍ଗା ପାନ ପରି ମୋତେ କାହିଁକି ଆଉ କଉଁଠା ପାନ ଏତେ ମିଠା ଲାଗେ ନାହିଁ ।’ ମୁଁ ନିରୀହ ବିଚାରୀ ୟା ଭିତରର ରସିକତାଟାକୁ ପ୍ରବଳ ଭାବରେ ହୃଦୟଙ୍ଗମ କରି ନ ପାରିଥିଲେ ବି ନିଜର ପ୍ରଶଂସାରେ ଉତ୍‌ଫୁଲ୍ଲ ହେଇ ପଡ଼ୁଥିଲି ଢେର୍‌ ବେଶୀ ।

 

ତା’ପରେ ସେ କ୍ରମେ ମୋତେ ଯେପରି ନାନାଦି ନୀତିଶିକ୍ଷା ଦେବାକୁ ବସିଲେ, ତାଙ୍କ ଆଗରେ ନିଲଜ ଭାବରେ ବସିବା, ଉଠିବା, କହିବା, ହସିବାକୁ ଆଉ କୁଣ୍ଠବୋଧ କରି ପାରିଲି ନାହିଁ-। ତାଙ୍କର କଥାଗୁଡ଼ିକ ବଡ଼ ଧୀର, ସ୍ୱରଟି ଖୁବ୍‌ ମଧୁର । ସେ କହନ୍ତି–‘‘ଯାହାକୁ ଭଲ ପାଇବ, ହୃଦୟ ନିଃଶେଷ କରି ତାକୁ ଭଲ ପାଇବାକୁ ହେବ; କାରଣ ସେଇ ତମର ପତି, ଗତି, ମୁକ୍ତି ।’’ ଏସବୁ ଉପଦେଶ କଥା ତାଙ୍କର, ଆଜି ମନେ ପଡ଼ିଲେ ରାଗ ବି ହୁଏ, ହସ ବି ମାଡ଼େ ।

 

ସେ ସବୁ ଦିନେ ଆସନ୍ତି କଅଣ ଗୋଟାଏ କଥା କହିବାକୁ ଯିମିତି । ଏଡ଼େ ବଡ଼କଥାଟା ଯେ, ସେ କହିପାରନ୍ତି ନାହିଁ । ଦିନ ଦିନ ସେଇମିତି ଅକୁହା ରହିଯାଏ । ଭୁଲି ଯାନ୍ତି ନାହିଁ ଯେ, ତେବେ କହୁଁ କହୁଁ କଥାଟା ଅଟକି ଯାଏ ଅଧ ବାଟରେ । ମୁଁ ବୁଝିପାରେ କଅଣ ଗୋଟାଏ କହିବାକୁ ଯାଇ ଲାଜ ଲାଗୁଥିବାରୁ ହେଉ ବା ଆଉ ଯଉଁଥି ପାଇଁ ହଉ, ସେ କହି ପାରୁ ନାହାନ୍ତି । ମୁଁ କିନ୍ତୁ ଜାଣିବାକୁ କଉଁ ଦିନ ହେଲେ ଆଗ୍ରହ ଦେଖେଇ ନାହିଁ । ସେଇଟା ସ୍ତ୍ରୀ ପ୍ରକୃତିର ଗୋଟାଏ ବିଶେଷତ୍ୱ ବୋଲି ମୁଁ ମନେ କରେଁ–ଗର୍ବ ବି ହୁଏ ।

 

ଦିନକରେ ସେ କହିଲେ–‘‘ମୁଁ କଟକ ଛାଡ଼ି ଆଉଠାଏ ଯାଉଛି ।’’

 

ମୁଁ ହଠାତ୍‌ ପଚାରି ପକେଇଲି–‘‘କାହିଁକି ?’’

 

କୁହାଟା ମୋର କିମିତି ଶେଷଆଡ଼କୁ ଥରି ଉଠିଲା–ଭିତରର ଗୋଟାଏ ବିଷାଦ ଭାବର ଇଙ୍ଗିତରେ ।

 

‘‘ଏଠି ଆଉ ବସି ରହିବାକୁ ଭଲ ଲାଗୁ ନାହିଁ ।’’

 

ମୁଁ ଅଳପ ରସରସିଆ ଭାଷାରେ କହିଲି–‘‘ଏକୁଟିଆଟା ମନ ନ ଲାଗିବାର ତ କଥା, ସେଥିପାଇଁ ତ ସେ ଦିନରୁ କହୁଚି ଗୋଟିଏ...’’

 

ଗୋଟାଏ ଦୀର୍ଘ ନିଃଶ୍ୱାସ ପକେଇ ସେ କହିଲୋ–‘‘ଛାଡ଼, ଆଉ ବାହା ହେବି !’’

 

‘‘କି, କ’ଣ ହେଇଚି କି ତମର, ବାହା ହେବ ନାହିଁ ?’’

 

‘‘ମନ ନ ମାନେ’ ପଢ଼ିଥିଲ ?’’

 

‘‘ହଁ, ପଢ଼ିଥିଲି ।’’

 

ସେ ମୋତେ ଦିନେ ଦିନେ ଖଣ୍ତିଏ ଲେଖାଏଁ ଉପନ୍ୟାସ ଦେଇ ଯାଉଥାଆନ୍ତି ପଢ଼ିବାକୁ-। ପଢ଼ା ସରିଲେ କଥାଏ ଦି’ କଥା ବହି ସମ୍ବନ୍ଧରେ ଆଲୋଚନା ବି ହୁଏ । ଆଲୋଚନାଟା ଜମେ ବେଶ୍‌ । କେବେ କେବେ ଇଏ (ମୋର ସ୍ୱାମୀ) ଥିଲେ ଆଲୋଚନାଟି ବେଶ୍‌ ଭୟଶୂନ୍ୟ ଭାବରେ ଚାଲେ । ଏଇ କେତେ ଦିନ ହବ ‘ମନ ନ ମାନେ’ ବୋଲି ଖଣ୍ତେ ବହି ଦେଇଗଲେ । ମୁଁ ପଢ଼ିଥିଲି; କିନ୍ତୁ ସେ ବହି ପଢ଼ିବାକୁ ଦେବା ଭିତରେ ଯେ କିଛି ଗୂଢ଼ ରହସ୍ୟ ଥିବ, ମୁଁ ଘୁଣାକ୍ଷରରେ ବି ଜାଣି ନ ଥିଲି ।

 

ମୁଁ କହିଲି–‘‘କଥାକୁ ବାଆଁରେଇ ଦଉଚ କିଆଁ ? ସତେ, କହିଲ ନାହିଁ ତମର ସେ ସୌଭାଗ୍ୟବତୀ ପ୍ରିୟତମାଟି କିଏ ?’’

 

‘‘କହି ଲାଭ କଅଣ ?’’

 

‘‘ମୁଁ ଟିକିଏ ଶୁଣିବି ।’’

 

‘‘ଶୁଣି ଲାଭ ?’’

 

‘‘ଲାଭ ଆଉ ଗୋଟାଏ କଅଣ ? ସବୁଠି କ’ଣ ଲାଭ ଆଶା ଥିଲେ କୁହାଯାଏ ନ ହେଲେ ନାହିଁ ? ହଉ ହେଲା, ଯଦି କହିବ ତ ତମର ତାଙ୍କ ପାଖକୁ ମୁଁ ଦୂତୀ ହେଇ ଯାଇ ସବୁ କଥା କହି ତୁଲେଇ ଦେବି ।’’

 

‘‘ତେବେ ବି ଲାଭ ନାହିଁ ।’’

 

‘‘ସେ ପୁଣି କି କଥା ?’’

 

‘‘ସେ ଯଦି ମୋତେ ଭଲ ପାଉଥାନ୍ତେ ତେବେ ସିନା ଯାଇଁ ମୋର ପ୍ରଣୟ ଚିଟାଉ ତମ ହାତରେ ପଠାଇବାରେ ଆନନ୍ଦ ରହନ୍ତା; କିନ୍ତୁ–’’

 

‘‘କାହିଁକି, ସେ ଭଲ ନ ପାଏ ବୋଲି ଜାଣିଲ କିମିତି ?’’

 

‘‘ସଂସାରରେ ମୋତେ କେହି ଭଲ ପାଆନ୍ତି ନାହିଁ ।’’

 

ତାଙ୍କର ଦୁଃଖ ଦେଖି ହଠାତ୍‌ ନ ଭାବି ନ ଚିନ୍ତି ଉତ୍ତେଜିତ ଭାବରେ କହି ପକାଇଲି, ଅବଶ୍ୟ ଖୁବ୍‌ ନମ୍ରତା ଏବଂ ଭଦ୍ରତାର ସହିତ–‘‘ତମପରି ପୁରୁଷକୁ ଯେ କୌଣସି ସ୍ତ୍ରୀ ଭଲ ପାଇ ପାରିବ ।’’

 

ସେ ହସି ହସି କହିଲେ–‘‘ସତେ ?’’

 

ମୋ କଥାଟା ଭିତରେ ଯେ ଏତେ ବଡ଼ ଲାଜର କଳାମେଘ ହୃଦୟର କେଉଁ ଅଜଣା କୋଣରେ ଅଦେଖା ଭାବରେ ଲୁଚି ରହିଥିଲା ଦଣ୍ତକ ଭିତରେ ବିଜୁଳି ଘଡ଼ଘଡ଼ି ଚମକାଇ ସମସ୍ତ ଆକାଶକୁ ଆଚ୍ଛନ୍ନ କରିଦେବାଲାଗି, ମୁଁ ଏତେବେଳେ ଯାଇ ବୁଝିଲି ସେ କଥା ।

 

ସେ କହିଲେ–‘‘ମୋର ଆଜି ଯଥେଷ୍ଟ ଆତ୍ମପ୍ରତ୍ୟୟ ହୋଇଛି । ଆଜି ମୋ ମନ ଭିତରୁ ନୀଚତ୍ୱବୋଧ ପ୍ରକୃତରେ ଘୁଞ୍ଚିଗଲା । ମୁଁ ଏତେଗୁଡ଼ାଏ ପାସ୍‌ କରି ମୋ ମନରେ ନିଜ ପ୍ରତି ଯେତେ ବିଶ୍ୱାସ ଜନ୍ମି ନ ଥିଲା, ଆଜି ତମର ଏହି କଥା ପଦିକ ମୋତେ ସେ ସବୁ ଆଣି ଦେଇଚି ।’’

 

ସେଦିନ ସେ ଉଠି ଚାଲିଗଲେ । ତା’ପରେ ପାଞ୍ଚ ଛଅ ଦିନ ଆଉ ତାଙ୍କର ଦେଖା ଦର୍ଶନ ବି ମିଳିଲା ନାହିଁ । ୟାଙ୍କୁ ପଚାରିବାକୁ କାହିଁକି କେଜାଣି ମନ ହେଲା ନାହିଁ । କିଶୋରବାବୁ ଯେ ଆମ ଘରକୁ ଏପରି ଘନ ଘନ ଯା–ଆସ କରନ୍ତି, ତା’ ବି ଦିନେ ହେଲେ ମୁଁ କହିନାହିଁ ତାଙ୍କ ପାଖରେ । ମୁଁ ବର୍ତ୍ତମାନ ବୁଝି ପାରିଥିଲେ ବି ଏଟା ଅନ୍ୟାୟ କରିଛି ବୋଲି, ସ୍ୱୀକାର କରିବାର ସାହସ ମୋର କିଏ କାଢ଼ି ନେଇଥିଲା ।

 

ଦିନେ ଡାକରେ ଖଣ୍ତେ ଚିଠି ପାଇଲି । ଚିଠିଟିର ଉପର ଦେଖି ବୁଝି ପାରିଲି ଯେ ରସିକ କିଶୋରବାବୁଙ୍କ ବ୍ୟତୀତ ଦ୍ୱିତୀୟ ବ୍ୟକ୍ତି ଲେଖି ନାହିଁ କେହି । ମୁଁ ମନେ କରିଥିଲି ସେ କଟକରେ ନ ଥିବେ । କିନ୍ତୁ ଚିଠି ଖଣ୍ତକରେ କଟକ ଚାନ୍ଦିନୀଚଉକ ପୋଷ୍ଟ ଅଫିସ ମୋହର ଛଡ଼ା ଆଉ କଉଁ ପୋଷ୍ଟ ଅଫିସର ମୋହର ଥିଲା । ମୁଁ ଚିଠିଟିକି ଆଗ୍ରହରେ ଚିରି ଦେଖିଲି ସେଇୟା । ତହିଁ ଆଗ ଦିନ ତାରିଖରେ ସେ କଟକର କଉଁ ନିର୍ଜନ କୋଠରୀରେ ବସି ରାତି ୧୨ଟା ବେଳେ ଲେଖିଛନ୍ତି–

 

କଟକ ତା ୫ । ୪ । ୨୫

ସମୟ–ରାତି ୧୨ଘଣ୍ଟା

 

ପ୍ରାଣର–

 

ବହୁ ଦିନ ପରେ ଆଜି ଏହି ଚିଠିଖଣ୍ତ ଲେଖି ବସିଛି ମନର ଅସମ୍ଭାଳ ଆବେଗ ଘେନି । ତମଠାରୁ ଆସି ସେ ଦିନ ମୁଁ ଆଉ କେଉଁଠାରୁ ଯିବାର ଯେଉଁ ବନ୍ଦୋବସ୍ତ କରିଥିଲି, ସବୁ ବନ୍ଦ କଲି-। ଆଜିଯାଏ ମୋର କାମ ଥିଲା ଏଇ ନିଭୃତ କୋଠରୀଟିରେ ବସି ତମର ପୂର୍ବ ଚିଠି ଗୁଡ଼ିକ ଗୋଛେଇ ପଢ଼ିବା । ପ୍ରତ୍ୟେକ ଚିଠିକୁ ଦଶ ବାର ଥରରୁ କମ୍‌ ପଢ଼ି ନ ଥିବି । ଯେତେ ଥର ପଢ଼ୁଥାଏଁ ସେତେ ନୂଆ ଭାବ ସେ ଲେଖା ଭିତରୁ ଫୁଟି ବାହାରୁଥାଏ ଯେପରି । ‘‘ପ୍ରକୃତ ପ୍ରେମ ନିକଟରେ ବଜ୍ରଦୃଢ଼ ସମାଜ, ସହସ୍ର ବର୍ଷର ସଂସ୍କାର ପରାଜୟ ସ୍ୱୀକାର କରେ ।’’ ଏ କଥା ମୋ ହୃଦୟର ପ୍ରତି ରନ୍ଧ୍ରରେ ରୁନ୍ଧ ହୋଇ ରହିଥିବ । ମୋ ହୃଦୟର ବ୍ୟଥା ପ୍ରତି ତମେ ତମର ପ୍ରତ୍ୟେକ ପତ୍ରରେ ଯେପରି ସମବେଦନା ପ୍ରକାଶ କରିଛି, ବିବାହ ହେଲେ ସଂସାର ଚକ୍ଷୁରେ ଯେ ମୋର ଅର୍ଦ୍ଧାଙ୍ଗିନୀ–ସହଧର୍ମିଣୀ ହେବ, ତା’ଠାରୁ ତା’ ପାଇ ପାରିବ ବୋଲି ମୋର ବିଶ୍ୱାସ ହେଉନାହିଁ ।

ଏହିଠି, ମୋ ଛାତିରେ–ନା–ମୋ କଲିଜା ମୂଳରେ ଗୋଟାଏ ରକା ପଶିଗଲା ଯିମିତି । ମୁଁ ବିଚଳିତ ନ ହୋଇ ପଢ଼ିଲି–

...ତମେ ଠିକ୍‌ ଲେଖିଛ । ସମାଜ କଅଣ–ସଂସ୍କାର କ’ଣ ? ମନୁଷ୍ୟକୁ ଘେନି ସମାଜ–ମାନବୀୟ ମନୋବୃତ୍ତିକି ଘେନି ସଂସ୍କାର । ସମାଜ ଯଦି ମନୁଷ୍ୟଠାରୁ ବିଚ୍ଛିନ୍ନ ହୋଇ ରହେ, ତେବେ ସମାଜର ଗନ୍ଧ, ସମାଜର ନାମ କେଉଁଠି ରହିବ ? ମନୁଷ୍ୟ ସାମାଜିକ ପ୍ରାଣୀ ସତ, କିନ୍ତୁ ମନୁଷ୍ୟଇ ଗଢ଼ିଛି ଏ ସମାଜକୁ–ନିଜେ ନିଜେ ଇଚ୍ଛା କରି ଗୋଟାଏ ସମାଜସୂତ୍ରରେ ନିଜକୁ ଆବଦ୍ଧ କରି ରଖିବାପାଇଁ । ନିଜ ଇଚ୍ଛାରେ ସେ ଯେ ସେ ଶୃଙ୍ଖଳାକୁ କାହିଁକି ଛିନ୍ନ କରି ନ ପାରିବ ମୁଁ କିଛି ବୁଝି ପାରୁ ନାହିଁ । ଏକ ସମାଜରେ ଯାହା ଘୃଣ୍ୟ ଅନ୍ୟ ସମାଜରେ ତାହା ପୁଣ୍ୟ–ଆଦର୍ଶ । ଏପରି ପରିସ୍ଥିତିରେ ମନୁଷ୍ୟ ଯଦି ଏକ ବିରାଟତର ସାମାଜିକ ଜୀବ ରୂପରେ ଗୋଟିଏ କ୍ଷୁଦ୍ର ସମାଜର ନିୟମ ଲଙ୍ଘନ କରି ଅନ୍ୟ ଏକ ସମାଜରେ ଯାଇ ଆଶ୍ରୟ ନିଏ, ତେବେ ପାପ କେଉଁଠି ? କହିବ,–ସଂସ୍କାର, କିନ୍ତୁ ସେ ସଂସ୍କାର ଏଇ ମନ ମୂଳରେ । ନରହତ୍ୟା ମହାପାପ; ଅଥଚ କର୍ତ୍ତବ୍ୟଅନୁରୋଧରେ ନରହତ୍ୟା ହିଁ ଧର୍ମ ରୂପରେ ଗଣ୍ୟ ହୋଇଥାଏ । ମନୁଷ୍ୟର ମନ ଏହି ମୁହୂର୍ତ୍ତରେ ଯାହା ଅନ୍ୟାୟ ମନେ କରେ, ପର ମୁହୂର୍ତ୍ତରେ ଅବସ୍ଥା କ୍ଷେତ୍ରରେ ତାକୁ କର୍ତ୍ତବ୍ୟ ମାନି ନେବାରେ ଆପତ୍ତି କଅଣ ? ମନ ଦୃଢ଼ କରି ପାରିଲେ କୁସଂସ୍କାରକୁ ଏଡ଼ି ଦେଇ ପାରି ହବ ନିଃସନ୍ଦେହରେ । ତମେ ଯାହା ଲେଖିଛ ମୁଁ ମର୍ମେ ମର୍ମେ ଅନୁଭବ କରି ପାରୁଛି ଆଜି । କିନ୍ତୁ–

ନା–ମୁଁ ଆଉ ଲେଖି ପାରୁ ନାହିଁ । ମୋର ହୃଦୟ, ବୁଝି ପାରୁ ନାହିଁ ଦୁଃଖରେ କି ସୁଖରେ, ଗୋଟାଏ ଆବଦ୍ଧ ଭାବର ଆବେଗରେ ମୋର ଶରୀରକୁ ଅକର୍ମଣ୍ୟ କରି ଦେଉଛି । ହାତ ଗୁଲୁ ନାହିଁ । ଲୁହଭରା ଆଖିରୁ ଅକ୍ଷର ମଧ୍ୟ ଦିଶୁନାହିଁ । ‘ମୋତେ ଯେ କୌଣସି ସ୍ତ୍ରୀଲୋକ ଭଲ ପାଇ ପାରିବ ।’ ତମର ଏହି କଥା ପଦିକର ଅସୀମ ସୁଖ ମନେ ଧରି ରହିଲି । କିନ୍ତୁ ଜାଣେ ନାହିଁ ତା’ର ସତ୍ୟାସତ୍ୟ କେବେ ପରୀକ୍ଷିତ ହେବ । ଇତି ।

ଅଭାଗା ବନ୍ଧୁ

ମୋର କାହିଁକି ଭାରି ଭୟ ହେଲା ଚିଠି ଖଣ୍ତ ପଢ଼ିସାରି । ଛାତିଟା ଖାଲି ଦାଉଁ ଦାଉଁ ନାଚିଲା ପଡ଼ି ଘଡ଼ିଏ ଯାଏଁ । ଚିଠି ଖଣ୍ତ ଚିରି ପକେଇ ଯାଇ ତକିଆରେ ମୁହଁ ଗୁଞ୍ଜି ଶୋଇ କେତେ କଅଣ ଭାବିଲି ।

କିଏ ଏ କିଶୋରବାବୁ ? ମୋର ଜୀବନନଦୀର ସହଜ ସରଳ ଗତିକ ଚଞ୍ଚଳ ଉଦ୍‌ବେଳ କରି ଦେଇ ସରଗରୁ ଆଣି ସପତ ପାତାଳରେ ନିପତିତ କରିବା ଲାଗି ଏ ପୁଣି କେଉଁ ନୂତନ ଭଗୀରଥଙ୍କର ଆବିର୍ଭାବ ହେଲା ?

ବଡ଼ ଖରା ହୋଇଥିଲା । ଗରମ ବି ପଡ଼ିଥାଏ ଭାରି । ମୁଁ ବିଛଣାରେ ଏ ପାଖ ସେ ପାଖ ଛଟପଟ ହୋଇ ହୋଇ ଖିଡ଼ିକି ବାଟେ କାଠଯୋଡ଼ିର ନିର୍ଜଳା ବାଲି ଆଡ଼କୁ ଚାହିଁ ଦେଖିଲି–ଗୋଟାଏ ହା–ହୁତାଶମୟ ଅଦୂର ଭବିଷ୍ୟତର ରିକ୍ତତା ଜଳିଉଠୁଛି ସେଠି । ସେ ନିଦାରୁଣ ଜ୍ୱଳନ୍ତ ସ୍ଥଳୀରେ ମୋର ମନେ ହେଲା, ନାଚୁଛନ୍ତି କିଶୋରବାବୁ ଠିକ୍‌ ମୋ’ରି ବୁକୁ ଉପରେ ଯେପରି ।

କିଶୋରବାବୁଙ୍କୁ ମୋତେ ଭୟ ବୋଧ ହେଲା । ତାଙ୍କ ନାମ ମନେ ପଡ଼ିଲାରୁ ଛାତି ଡେଇଁ ଉଠିଲା ଡରରେ । ଖରାଦିନିଆ ଦିପହର ତା’ର ସମସ୍ତ ଭୀଷଣତା ଘେନି କିଶୋରବାବୁଙ୍କୁ ସଜେଇ ବସିଲା ଏକ ନରରକ୍ତପାୟୀ ପିଶାଚ କରି ମୋରି ଆଗରେ । ମୁଁ ଚଣ୍ତାଳୀ କିନ୍ତୁ ସେ ଛବିକି ନ ଚାହିଁ ଆଖି ବୁଜିଦେଲି । ବାହାରର ବୀଭତ୍ସ ଦୃଶ୍ୟକୁ ଭୁଲି ମୋ ଭିତରେ ଏକ ମାୟାମୟ ନନ୍ଦନର କଳ୍ପନା କରି ବସିଲି । ସେ କିଶୋର ବାବୁ ଅତି ସୁନ୍ଦର, ଅମାୟିକ, ସାଧୁ ଲୋକ । ତାଙ୍କର ସେହି ସୁଠାମ ଶରୀର, ଉଜ୍ଜ୍ୱଳ ଆଖି, ସୁନ୍ଦର ମୁହଁ, ସରଳ ହସ ଭିତରେ ଯେ ସୃଷ୍ଟିନାଶୀ ଗରଳ ଭରି ରହିଥିବ, ତା’ ମୁଁ ଚେଷ୍ଟା କରି ମଧ୍ୟ ମୋତେ ବିଶ୍ୱାସ କରାଇ ପାରନ୍ତି ନାହିଁ । ମନେ ହେଲା, ଗରଳ ମଧ୍ୟ ତାଙ୍କ ପରଶରେ ଅମୃତ ହୋଇଯିବ କି ଆଉ । ତାଙ୍କର ସେ ଦିନର ସେ ଚାହାଣୀକି ମୁଁ ଆଖି ବୁଜି ବାର ବାର ଦେଖିବାକୁ ଲାଗିଲି । ମୋର ଯେପରି ଶହେ ବାର, ହଜାରେ ବାର, ଲକ୍ଷେ ବାର ମନେ ହେଲା–ମୋ ମନ ଭିତରେ ତାଙ୍କର ଏହି ଅବାଧ ପ୍ରବେଶ ଅତି ସୁନ୍ଦର, ଅତି ମଧୁର ।

 

ସେ ଆସି ମୋତେ କହିଲେ–‘‘ଏତେ ବେଳୁଟାରେ ଶୋଇଛ ଯେ ?’’ ମୁଁ କହିଲି–‘‘ରାନ୍ଧିବାଢ଼ି ରଖି ଦେଇଛି । କାମ ତ କିଛି ନାହିଁ । ଆଉ କରନ୍ତି କଅଣ ?’’

 

‘‘ଚିଠି ଲେଖୁନ ?’’

 

‘‘କଉଁଠିକି ?’’

 

‘‘କିଶୋର ପାଖକୁ ।’’ ସେ ହସିଲେ । ମୋ କଲିଜା କିନ୍ତୁ ଥରି ଉଠିଲା, ପବନରେ ବରଡ଼ାପତ୍ର ପରି ହଠାତ୍‌ ତାଙ୍କର ଏ କଥାରେ । ଥଟ୍ଟାରେ କଥାଟା ଉଡ଼େଇ ଦବା ଲାଗି ମୁଁ କହିଲି–‘ସେ ମୋର କିଏ କି ?’

 

‘‘ସେ ପରା ତମର–’’

 

‘‘କଅଣ ?’’

 

‘‘ସେଇୟା ।’’

 

‘‘ଛି ! ଲାଜ ମାଡ଼ୁନାହିଁ ନା ତମକୁ ଇମିତି କଥା କହିବାକୁ ?’’

 

‘‘ସମସ୍ତେ ତ କହୁଛନ୍ତି ସେୟା, ମୁଁ କଅଣ କରିବି କହ ।’’

 

‘‘ସମସ୍ତେ କ’ଣ କହୁଛନ୍ତି ? ତମରି ପରି ଖାଲି ସମସ୍ତେ ବେହିୟା ହେଇଛନ୍ତି ନା !’’

 

‘‘ତମେ ଶୁଣିନ କି ସେ ସବୁ କଥା ।’’

 

‘‘କାହିଁ ନା !’’

 

‘‘ଶୁଣିବ ?’’

 

‘‘ମୋର କିଏ ଶୁଣିଛି ସେ ଅଲଣା କଥାକୁ’’–କହି ମୁଁ ଚାଲିଯାଉଥିଲି । ସେ ପଛରୁ ପଣତ କାନିଟା ଟାଣି କହିଲେ–‘‘ନାଇଁ–ନାଇଁ, ଶୁଣି ଯା, ଗୋଟେ ବଡ଼ ମଜାର କଥା ।’’ ‘କଅଣ’ ବୋଲି ଫେରି ଠଆ ହେଲି । ସେ ଖଟ ଉପରକୁ ଟାଣି ନେଇ ବସେଇଲେ ଆଉ ନିଜେ ବସିଲେ ।

 

ଓଃ, କେଡ଼େ ସରଳ ସେ, କେଡ଼େ ପବିତ୍ର ତାଙ୍କ ହୃଦୟ ! ଆଜି ଭାବିଲେ ମୋ ପରି ରାକ୍ଷସୀକୁ ଟିକି ଟିକି କରି କାଟି କୁରୁର ଶିଆଳଙ୍କୁ ଖୋଇ ଦେବା ପାଇଁ ଇଚ୍ଛା ହୁଏ ।

 

ସେ କହିଲେ–‘‘ତମର କୁଆଡ଼େ କିଶୋର ସାଙ୍ଗରେ ସମ୍ବନ୍ଧ ଲାଗିଥିଲା ଆଗରୁ ? ଜାତକ ନ ପଡ଼ିବାରୁ ବନ୍ଦ ହେଲା; ସତେ ନା ?’’

 

‘‘କେଜାଣି ମୁଁ ଜାଣି ନାହିଁ ତ !’’

 

ସତରେ ଏକା କିଶୋରବାବୁ ସହିତ ମୋର ବାହାଘର ହେବା କଥା ଯେ କେବେ ପଡ଼ିଥିଲା ମୋର ଠୁଳେ ମନେ ନ ଥିଲା ସେତେବେଳକୁ । କେତେ ଲୋକଙ୍କ ସାଙ୍ଗରେ କେତେ ଥର ଲାଗି ଭାଙ୍ଗି ଯାଇଥିବ । ତା’ ଭିତରୁ ଯେ କିଶୋରବାବୁ ଜଣେ, ଏଟା ମୁଁ ଠିକ୍‌ କରି ଜାଣିବି କିମିତି ?

 

‘ଇସ୍‌, ସତେ ଯିମିତି ଜାଣି ନ ଥିବ କିଛି । ତମ ଦିହିଙ୍କ ଭିତରେ କାଳେ–’

‘କାଳେ–କଅଣ ?’ ମୁଁ ଟିକିଏ ରାଗିଯାଇ କହିଲି ।

 

‘‘ସତ କି ମିଛ ମୁ ଜାଣେ ନାହିଁ ।’’ ସେ ଥମି କରି କହିଲେ–‘‘ତେବେ ଲୋକେ ତ କହୁଛନ୍ତି ସିମିତି !’’

 

‘‘କଅଣ କହୁଛନ୍ତି ଲୋକେ–କହୁନ ସଫା କରି ?’’

 

‘‘କହୁଛନ୍ତି, ତମ ଦିହିଙ୍କର କାଳେ ଆଗରୁ ବଡ଼ ଲଭ୍‌ ଥିଲା ।’’

 

ମୁଁ ବିରକ୍ତ ହୋଇ କହିଲି–‘‘ଲବ୍‌ ଫବ୍‌ କଅଣ ମୁଁ ଜାଣେ ନାହିଁ–ମୋତେ ଓଡ଼ିଆରେ କୁହ-।’’

 

‘‘ତମେ ମୋତେ ବାହା ହବା ଆଗରୁ କିଶୋରକୁ ଭଲ ପାଉଥିଲ ?’’

 

‘‘ଏଇଲାଗେ ଯେ ଭଲ ନ ପାଏଁ ତା’ର ପ୍ରମାଣ କ’ଣ ?’’

 

ମୁଁ ଅବଶ୍ୟ ଏ କଥାଟା ଖାଲି ରାଗରେ କହି ଦେଇଛି କଥାଟାର ଗୁରୁତ୍ୱ ନ ବୁଝି । ସେ ବି ଏଡ଼େ ନିରୋଳ ହୃଦୟ ସରଳ ପ୍ରକୃତିର ଲୋକ ଯେ ତା’ର ଉତ୍ତରରେ ହସି ହସି କହିଲେ–‘‘ହେଲା, ଭଲ ପା ତମେ ତାକୁ । ଏଇଲେ ଗଲ ତମେ କିଶୋର ପାଖକୁ, ମୋର କିଛି ଆପତ୍ତି ନାହିଁ । କହିବ ତ ଡାକି ଆଣି ବାହା କରେଇ ଦେବି ଆଉ ଥରେ ।’’

 

‘‘ଛାଡ଼ ମୁଁ ଯାଏଁ, ତମ ପାଗଳାମି କଥା ମୋର କିଏ ଶୁଣୁଛି ?’’

 

‘ନାଇଁ ନାଇଁ, ଶୁଣ ଶୁଣ କି କଥା ହେଲା ସେ ଦିନ ।’ କହୁଁ କହୁଁ ମୁଁ ଚାହିଁ ଦେଖିଲି ତାଙ୍କ ମୁହଁ ଫିକା ପଡ଼ି ଆସିଲା । ଏତେବେଳ ଯାଏ ରହସ୍ୟ କରି କରି ଆୁ ନିଜକୁ ସଂଯତ ରଖି ପାରିଲେ ନାହିଁ । କହିଲେ–‘‘ବାସ୍ତବିକ ଆଜିକାଲିକା ଟୋକାଗୁଡ଼ାକ ଏଡ଼େ କଦର୍ଯ୍ୟ, କୁଚରିତ୍ର, ଆଉ ସନ୍ଦେହୀ ହୋଇଛନ୍ତି ଯେ ସ୍ତ୍ରୀ ପିଲାଙ୍କୁ ତାଙ୍କ ଆଗକୁ ଛାଡ଼ିବାରେ ଯେ କୌଣସି ଭଦ୍ରଲୋକ ଆପତ୍ତି କରିବ-।’’

 

‘‘କି, କଅଣ ଚରିତ୍ରହୀନତା କଲେ କି ସେ ?’’

 

‘‘ତମେ ପରା ସେ ଦିନ କିଶୋରକୁ କେତେବେଳେ ଅନେଇ ଥିଲ–କିଶୋର ପରା ତମକୁ ଅନେଇ ଥିଲା । ଏତିକିରୁ ଏମାନେ ଏକ ଦୀର୍ଘ ଜନରବ ଉଠେଇ ହେଇଚନ୍ତି ଯେ ତମ ଦୁହିଙ୍କ ଭିତରେ ପୂର୍ବରୁ ଲଭ୍‌ ଥିଲା, ବାହା ହବା ପରେ ବି କାଳେ ଲଭ୍‌ ଅଛି । କିଶୋର ବି କହିଛି ଯେ ତା’ର ତମ ସାଙ୍ଗରେ କେବେ ବିଭାଘର କଥା ଲାଗିଥିଲା ବୋଲି । ସେଇଠୁ କଥାଟା ନରାଟ ସତ୍ୟ ବୋଲି ମାନି ନେଇ ସମସ୍ତେ ତ ଗଣ୍ତଗୋଳ ଲଗେଇ ଦେଇଚନ୍ତି । କି ଲଜ୍ଜାର କଥା ! ମୁଁ ଅବଶ୍ୟ ଏ ସବୁକୁ ବିଶ୍ୱାସ କରିପାରୁନି । ତେବେ ତମେ ଆଉ ସେ ବଜାରୀ ଟୋକାଗୁଡ଼ାଙ୍କ ଆଗରେ କେବେ ହବନି ।’’

 

‘‘ମୁଁ କଅଣ ମନ କରି ହଉଥିଲି, ତମେ ନ କହିଥିଲେ ?’’ ମନେ ମନେ କହିହେଲି ।

 

ମୁଁ ଗଲି । ଖିଆପିଆର ବନ୍ଦୋବସ୍ତ କଲି । କିନ୍ତୁ ମନଟା ମୋର ସେ ଦିନଟି ଯାକ ଖାଲି କିମିତି ଘାଣ୍ଟି ଚକଟି ହେଲା ପଡ଼ି । ମୁଁ ଯେତେଥର ତାଙ୍କ ଆଗକୁ ବାହାରିଲି, ତାଙ୍କ ପାଖରେ ବସିଲି କି କଥା କହିଲି, ମୋର ଭିତରେ ଭିତରେ ମୋତେ ଚାବୁକ ପିଟି କହିଲା ପରି କିଏ ଯେମିତି କହୁଥାଏ–‘ତୁ କୁଟିଳା, ଦୁଶ୍ଚରିତ୍ରା, ଅସତୀ, ତୋର ସ୍ଥାନ ଏ ଦେବତା ନିକଟରେ ନୁହେଁ ।’

 

ସେ ମୋତେ ବେଳ ଉଣ୍ତି ଆଉ କଥାଏ ପଚାରିଲେ–‘‘କିଶୋର ଏଠିକି କେବେ କିମିତି ଆସେ, ମୋ ନ ଥିଲା ବେଳେ ?’’

 

ମୋ ଦିହରୁ ଲହୁ ଶୁଖିଗଲା ଚାଉଁକିନା । ମୁଁ କଅଣ କହିବି ଭାବିପାରୁ ନ ଥିଲି । ମୋ ମୁହଁରୁ ବାହାରି ପଡ଼ିଲା–‘‘କାଇଁ, ନାଇଁ ତ ।’’

 

ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–‘‘କଅଣ, କେବେ ଆସେ ନାହିଁ ?’’

 

ମୋର ଆଉ ଲୁଚେଇବାର ସାହସ ହେଲା ନାହିଁ । କହିଲି–ହଁ, କେବେ କେମିତି ଥରେ ଅଧେ ଆସିଥିବେ ତ ତମକୁ ନ ପାଇ ଫେରି ଯାଇଥିବେ, ତା’ ନ ହେଲେ ଏତେ ଥର ଆସିବା କଥା ତ ମୋ ମନେ ପଡ଼ୁନାହିଁ !’’

 

‘‘ମୁଁ ତ କହୁନାହିଁ ବେଶୀ ଯାଆ ଆସ କରେ ବୋଲି । ହଁ, ସେଇ କେବେ କିମିତି, ନୁହେଁ-?’’

 

ମୋର ମନେ ହେଲା, ତାଙ୍କ ମନରେ ବୋଧହୁଏ ସନ୍ଦେହର ଦ୍ୱିତୀୟ ରେଖା ପଡ଼ିଲା ଏଇଠି । ତାକୁ ଲିଭାଇବାର ସାଧ୍ୟ କାର ଯେ ମୁଁ ଲିଭାନ୍ତି !

 

ଦି’ପହରେ ତାଙ୍କୁ ବସି ପଙ୍ଖା କରୁଥାଏଁ । ସେ ଶୋଇ ପଡ଼ିଲେ । ମୋ ଆଖିରେ କିନ୍ତୁ ନିଦ ନାହିଁ । ହାତଟା କେବଳ ଗୋଟାଏ କଳପରି କାମ କରୁଥାଏ; କିନ୍ତୁ ମନ ଯାଇ ଉଡ଼ି ବୁଲୁଥାଏ କଉଁ କାଳୀଦହ ଉପରେ କେଜାଣି !

 

କେତେବେଳପରେ ମୁଁ ତାଙ୍କ ମୁହଁକୁ ଚାହିଁ ଦେଖିଲି ଦୁଇ ଟୋପା ଝାଳ ମୁକୁତା ବିନ୍ଦୁ ପରି ତାଙ୍କ କପାଳ ଉପରେ । ମୋ ମନ ଭିତରେ ଯେଉଁ ତୁମୁଳ ବିପ୍ଳବ, ସେ ଯେ କେବଳ ତାଙ୍କରି ଗାର୍ହସ୍ଥ୍ୟ ଜୀବନର ସୁଖ ଶାନ୍ତି ନଷ୍ଟ କରିବା ପାଇଁ, ମୋ ହୃଦୟରେ ଯେଉଁ ପଙ୍କିଳ କଳୁଷତା, ସେ ଯେ କେବଳ ତାଙ୍କରି ବିରୁଦ୍ଧରେ ଅଭିସନ୍ଧି, ମୁଁ ଆଜି ମୋ ଭିତରେ ଯାହା ଲୁଚାଇ ରଖିଛି ସେ ଯେ ତାଙ୍କରି ସତ୍ୟାନାଶର ଷଡ଼ଯନ୍ତ୍ର, ଏଟା ମୁଁ ବୁଝି ମଧ୍ୟ ଅବୁଝା ହୋଇଥିଲି ସେତେବେଳେ; କିନ୍ତୁ ତାଙ୍କ ମନରେ ଏତେ ଟିକିଏ ବି ଦୁଃଖର କିମ୍ବା ଚିନ୍ତାର ଛାୟାପାତ ହୋଇ ନ ଥିଲା । କି ଆଶ୍ଚର୍ଯ୍ୟ ଲୋକ ସେ ! ମୋ କାନିରେ ସେ ଝାଳ ଦୁଇ ଟୋପା ପୋଛି ଦେଲି । ନିଦ ଭାଜିଲା ନାହିଁ । କି ନିଶ୍ଚିନ୍ତ ଶୋଇବା ତାଙ୍କର ! କିଶୋରବାବୁଙ୍କ ସହିତ ମୋର ସାମନାସାମନି ଭେଟ ହେଲା ଦିନଠୁଁ ଆଜିଯାଏ ବି ମୁଁ ଇମିତି ଦିନେ ହେଲେ ନିଘନ ନିଦରେ ଶୋଇଥିବି କି ନାହିଁ ସନ୍ଦେହ ।

 

ଦାଣ୍ତରେ ଆସି କିଏ ଠିଆ ହେଲା । ମୁଁ ଗୋଡ଼ ଶଦ୍ଦରୁ ବୁଝିପାରିଲି କିଶୋରବାବୁ । ମୁଁ ତାଙ୍କୁ ଡାକିଲି ଦାଣ୍ତରେ କିଏ ଖୋଜୁଛି ବୋଲି । ସେ ଉଠି ମୁହଁ ଧୋଇ ପଚାରିଲେ–କିଏ ?’

 

ମୁଁ ଭିତରେ ଥରି ଥରି କହିଲି–କେଜାଣି ମୁଁ ଜାଣିବି କିମିତି ?

 

ସେ ବାହାରକୁ ଯାଇ କହିଲେ–କିରେ, କେଶ, ତୋର ତ କାହିଁ ଦେଖା ନାହିଁ, ଏତେ ବେଳୁଟାରେ କିମିତି କୁଆଡ଼େ ?

 

ଦୁଇ ବନ୍ଧୁ ଯାକ ବହୁତ ବେଳଯାଏ ଗପସପ କରି ଖରା ଟିକିଏ ଲେଉଟିଛି କି ନାହିଁ କୁଆଡ଼େ ବୁଲି ବାହାରି ଗଲେ । ମୁଁ ଦାଣ୍ତକୁ ଯାଇ ଦେଖିଲି ଟେବୁଲ ଉପରେ ଖଣ୍ତେ ବହି ପେଟେଇ ପଡ଼ିରହିଛି । ଉଠେଇ ପକେଇ ଦେଖିଲା ବେଳକୁ ସେ ବହିଟିର ଆଉ ଗୋଟାଏ ଜାଗା ଆପେ ଆପେ ଖୋଲିହୋଇ ଆସିଲା । ମୁଁ ମେଲେଇ ଦେଇ ଦେଖିଲି ଖଣ୍ତିଏ ଗୋଲାପି ଲଫାପା । ଘର ଭିତରକୁ ନେଇ ପଳେଇଲି । ଖୋଲି ପଢ଼ିଲି–

 

‘‘ପ୍ରାଣର ନୂଆବୋଉ,

 

ଚିଠିଖଣ୍ତ ପାଇଥିବ । ଉତ୍ତରରେ ବିଳମ୍ବ ଦେଖି ସାକ୍ଷାତ କରିବାକୁ ଆସିଥିଲି । ତରୁଣ ଥାଇପାରେ ଜାଣି ଚିଠି ଖଣ୍ତିଏ ବି ଲେଖି ଆଣିଥିଲି ସାଙ୍ଗରେ । ତାହା ଶ୍ରୀଚରଣରେ ଭେଟି ଦେଲି...।’’

 

ଭାବିଲି–ବେଶ୍‌; ମୋର ୟାଙ୍କ ଭିତରେ ଏପରି ଗୋଟାଏ ସମ୍ବନ୍ଧ ହେଇ ଗଲାଣି ଯଉଁଟା କି ତାଙ୍କୁ ସବୁବେଳେ ମୋର ଲୁଚାଇ ରଖିବାକୁ ପଡ଼ିବ । ସେତେବେଳେ ମୋର ଲୁଚାଇବା ଜିନିଷଟା ଏଡ଼େ ବଡ଼ ପାପ ବୋଲି କ’ଣ ଧାରଣା ଥିଲା ? ମୁଁ ତ ଲୁଚାଛପାରେ ଗୋଟାଏ ବାଳିକାସୁଲଭ ଆମୋଦ ଉଠାଉଥିଲି–ମୋର ତାଙ୍କୁ ଲୁଚାଇ କିଶୋରବାବୁଙ୍କ ସହିତ ମିଳାମିଶା କରିବାରେ ବଡ଼ ସୁଖ ଆଉ ଆନନ୍ଦ ଥିଲା ।

 

ହବ ନାହିଁ ? ମୁଁ ଯେତେବେଳେ ନିହାତି ପିଲା, ହୃଦୟର ଗୋଟାଏ ଜିନିଷକୁ ଲୁଚାଇ ରଖି ଆନନ୍ଦ ଅନୁଭବ କରିବାର ବଅସ ଯେବେ ଆସିବା ଉପରେ, ସେତେବେଳେ ମୋ ଅଜ୍ଞାତରେ ମୋ ମନକୁ, ମୋ ହୃଦୟକୁ, ମୋର ଶରୀର ଯୌବନ ସମସ୍ତକୁ ଗୋଟାଏ ଜାଗାରେ ନିଗୂଢ଼ ବନ୍ଧନରେ ବାନ୍ଧିଦେଲା ପରେ ମୁଁ ବା ମୁକ୍ତି ନ ଚାହିଁବି କାହିଁକି ? ମୋ ପ୍ରାଣ ନିରୋଳା ସମୟରେ ଚିତ୍କାର କରି ଉଠୁଥାଏ–‘‘ମୁକ୍ତି, ମୁକ୍ତି !’’ ମୋ ହୃଦଭିତର ଖୋଜୁଥାଏ–ଗୋଟିଏ ନିର୍ଜନ ଆନନ୍ଦ ।

 

‘‘...ତମର ମନେଥିବ, କେତେ ଅନୁରୋଧ କରିବା ପରେ ମଧ୍ୟ ମୁଁ ମୋର ଅନ୍ତରର କଥାଟି ତମ ପାଖରେ ଖୋଲି ପାରି ନାହିଁ । ଲେଖିଥିଲି କଟକ ଆସିଲେ, କହିବି । କିନ୍ତୁ ତଥାପି କହିପାରେ ନାହିଁ । ସେ ଦିନ ତମର ଏତେ ଅନୁରୋଧ ସତ୍ତ୍ୱେ ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରେ ସେ ବେଦନାର ଦାଗ ତମକୁ ଦେଖାଇ ଦେଇ ପାରିଲି ନାହିଁ । ସେଥିପାଇଁ କମ୍‌ ଅପରାଧୀ ନୁହେଁ ତମ ପାଖରେ ମୁଁ । କିନ୍ତୁ କରିବି କଅଣ ? ମୁଁ ଏତେ ଦୂର ଆତ୍ମପ୍ରତ୍ୟୟ–ବିହୀନ ମନୁଷ୍ୟ ଯେ ସତ କଥାଟିକୁ କହିବାକୁ ମଧ୍ୟ ଏତେ ଭୟ କରୁଛି–ପୁଣି ତମ ପାଖରେ । ତମକୁ ଲୁଚାଇବାର ମୋର କିଛି ନାହିଁ ... ।’’

 

‘ସତେ ?’ ମୁଁ ଟିକିଏ ହସିଲି । ଭିତରେ କିନ୍ତୁ କି ଅପୂର୍ବ ନିଧି ପାଇଲା ପରି ଦିହଟା ଶୀତେଇ ଉଠିଲା ଏକା । ମୋର ମନେ ହେଲା, ଇମିତି ଆପଣାର କରି କହିବାର ତ ଆଉ କାହାରିକି ଶୁଣି ନାହିଁ ଦିନେ । ମୋର ଶ୍ରଦ୍ଧାଞ୍ଜଳି ଆପେ ଆପେ କିଶୋରବାବୁଙ୍କ ପାଦରେ ଲୋଟି ହୋଇପଡ଼ିଲା । ତମେ ହୁଏତ ଏଟାକୁ ନିତାନ୍ତ ଖରାପ କଥା ବୋଲି ମନେ କରିବ; କିନ୍ତୁ ତମେ ଯଦି ମୋ ପରି କାମଦାସୀ ହୋଇ କାହାରି ଘରେ ରହିଥାନ୍ତ, କେବଳ ଖଟି ଖଟି ସେବାକରି ଯାଉଥାନ୍ତ, ଆଉ ତା’ ବଦଳରେ ପାଉଥାନ୍ତ ଖାଲି ଟିକିଏ ନାକୁ ମୁହଁରେ ନୁଖୁରା ଶରଧା ଆଉ ଶୁଖିଲା ସୁହାଗ, ତମେ ଯଦି ମୋର ପରି ପ୍ରକୃତ ହୃଦୟ ଚିହ୍ନିବା ଲୋକର ଅଭାବ ହେଲେ ଉପଲବ୍‌ଧି କରିଥାନ୍ତ କେବେ, ତେବେ ଯାଇ ସିନା ବୁଝନ୍ତ ମୋର ଏପରି ଭାବିବା କେତେ ଦୂର ସ୍ୱାଭାବିକ ।

 

ସ୍ୱାମୀ ମୋତେ ଖୁବ୍‌ ଭଲ ପାଉଥିଲେ;କିନ୍ତୁ ସେ ଭଲ ପାଇବାରେ ତାଙ୍କର ସ୍ୱାର୍ଥ ସିଦ୍ଧି ବ୍ୟତିରେକେ ମୋର ସ୍ୱଚ୍ଛନ୍ଦତା ତ ଦେଖା ହୁଏ ନାହିଁ ମୋଟେ । ସେ ଦେବତା, ତାଙ୍କର ଚରିତ୍ର ନିର୍ମଳ, ହୃଦୟ ସରଳ; କିନ୍ତୁ ଗୋଟାଏ ସ୍ତ୍ରୀ ତା’ର ଜୀବନର ସମସ୍ତ ସୁଖର ଆଧାର ବୋଲି ଯାହାକୁ ନିଧାର୍ଯ୍ୟ କରି ବସିଛି, ତାଠୁଁ କଅଣ ଆଶା କରେ ଏତିକି ? ମୋର ହୃଦୟ ଯେତେବେଳେ ସୁହୃଦୟର ହୃଦୟ ସହିତ ଆଲିଙ୍ଗନ ଦେବାକୁ ବସିଥିଲା, ମୋର ବେଦନା ଯେତେବେଳେ ଦରଦୀର ଅନ୍ୱେଷଣରେ ଅସହ୍ୟ ହେଇ ଉଠୁଥିଲା, ସେତିକିବେଳେ ମୁଁ ପାଇଥିଲି କିଶୋରବାବୁଙ୍କୁ । ସେ(ସ୍ୱାମୀ) ମୋର ଶରୀରର ରାଜା, ମୋର ଜୀବନର ଇଶ୍ୱର ହୋଇ ରହିଥିଲେ ମଧ୍ୟ କିଶୋରବାବୁ ଆଜିଠାରୁ ମୋର ଏକାନ୍ତ ହୃଦୟର ମନେ ହେଲେ ।

 

‘‘....ତେବେ ଯଥା ସମୟରେ ମୋର ମନ କଥା ମୁଁ ଜଣେଇବି । କାରଣ, ତମ ଛଡ଼ା ସଂସାରରେ ଆଉ ଦ୍ୱିତୀୟ ବ୍ୟକ୍ତି ନିକଟରେ ଜଣାଇ ଫଳ ନାହିଁ । କେବଳ କହିବାକୁ ସାହସ ହେଉ ନ ଥିଲା । କିନ୍ତୁ ତମର ପୂର୍ବ ପତ୍ର ଏବଂ ସେ ଦିନର କଥାରୁ ମୁଁ ଯଥେଷ୍ଟ ସାହସ ପାଇଛି । ତମେ ମୋତେ ଏତେ ଆପଣାର ମନେ କରି କୃତାର୍ଥ କରିଛ ଏବଂ ମୁଁ ବୁଝୁଛି ତା’ର କୃତଜ୍ଞତା ଜ୍ଞାପନ ହେବ ଏକମାତ୍ର ମୋର ମରମ ବେଦନା ତମ ନିକଟରେ ଆବେଦନ କରିବାରେ ।...’’

 

ମୁଁ ସ୍ପଷ୍ଟ ଭାବରେ ବୁଝି ପାରିଲି ନାହିଁ ମୋର କେଉଁ କଥାରୁ ସେ ଏତେ ଦୂର ସାହସ ପାଇଲେ । ତେବେ, ଯାହା ସନ୍ଦେହ ହେଲା ସେଇଟା ଯେ ନିରାଟ ସତ୍ୟ, ଏହା ମୁଁ ବୁଝି ଅବୁଝା ପରି ହେଲି । ମୋ ନିକଟରେ ତାଙ୍କର ମନକଥା କହିବାକୁ ସାହସର ଲୋଡ଼ା କାହିଁକି ? ଭାବି ଡର ମାଡ଼ିଲା । କିଶୋରବାବୁ ତେବେ କଅଣ ମୋତେ–

 

ଛି,ଛି,ଇୟା କଅଣ ହୋଇପାରେ ? ହେବା ଅସମ୍ଭବ ବା କଅଣ ? ଯୁବା ବୟସ, ଅବିବାହିତ, ପୁଣି ମୋର– । ନାହିଁ କଅଣ ? ରୂପ ଗୁଣରେ ତ ୟାଙ୍କ (ମୋ ସ୍ୱାମୀ) ପରି ଗୋଟିଏ ଲୋକ ଏକପ୍ରକାର ମୋର ବଶରେ ରହିଛନ୍ତି । କିଶୋରବାବୁ ଯେ ମୋ ପ୍ରତି ଆକୃଷ୍ଟ ହୋଇଥିବେ ଏଥିରେ ଆଶ୍ଚର୍ଯ ହେବାର ବିଷୟ ରହିଲା କେଉଁଠି ?

 

ଏଟା କି କଳଙ୍କ କଥା ଯଦି ସତ ହୋଇଥାଏ ? ପୁଣି ମୋ ସ୍ୱାମୀ ଥାଉଁ ଥାଉଁ ?

 

ଲାଜରେ ମୋ ମଥା ତଳକୁ ହୋଇଗଲା ।

 

କେତେବେଳେ ପରେ ଚିଠି ପୁଣି ପଢ଼ିଲି–‘‘ହଁ, ଗୋଟାଏ କଥା ଶୁଣି ହସିବ ନିଶ୍ଚୟ । ଆମ ସଙ୍ଗୀମାନଙ୍କ ଭିତରେ ଗୋଟାଏ ରହସ୍ୟ ଚାଲିଛି ତମ ଆଉ ମୋ କଥା ଘେନି । ବଡ଼ ଅସୁନ୍ଦର ବୋଧ ହେଉଥିବ ତମକୁ–ନୁହେଁ ? ବର୍ତ୍ତମାନକୁ ଅସୁନ୍ଦର । ସମାଜ କରିଛି ସେଇୟା । କିନ୍ତୁ ଦିନ ଥିଲା,ଯେତେବେଳେ ତମର ମୋ ସହିତ ବିଭାଘର ପ୍ରସ୍ତାବ ଚାଲିଥିଲା, ସେତେବେଳେ ଅସୁନ୍ଦର ନ ହୋଇ ବରଂ ଏଟା ଅତି ସୁନ୍ଦର ହୋଇଥାନ୍ତା । କିନ୍ତୁ ଭଗବାନ ତା’ କରେଇ ଦେଲେ ନାହିଁ ।’’

 

ସମାଜ ! ସମାଜ କରିଛି ସେଇୟା ! ସମାଜ କଅଣ ଅନ୍ୟାୟ କରିଛି ?ସମାଜ ଯଦି ଏଟାକୁ ଅସୁନ୍ଦର ଭିତରେ ନେଇଥାଏ, ତେବେ ସମାଜର ଦୋଷ ରହିଲା କେଉଁଠି ? ସମାଜ ମନୁଷ୍ୟକୁ କୁପଥଗାମୀ ହେବାରୁ ରକ୍ଷା କରେ । ସମାଜରୁ ବହିର୍ଭୂତ ହେବା ଅର୍ଥ ପତନ । ସମାଜର ଶୃଙ୍ଖଳା ଯିଏ ଛିନ୍ନ କରିବ ସେ ପତିତ । ମୁଁ ଏ କଥା ବେଶ୍‌ ବୁଝି ପାରିଲି । କିନ୍ତୁ ସେ ଦିନ କିଶୋରବାବୁଙ୍କ ପତ୍ରର ଉତ୍ତରରେ ଯାହା ଲେଖିଥିଲି, ଅବିକଳ ମୋର ମନେ ପଡ଼ିଗଲା–‘ପ୍ରକୃତ ପ୍ରେମ ନିକଟରେ ବଜ୍ରଦୃଢ଼ ସମାଜ, ସହସ୍ର ବର୍ଷର ସଂସ୍କାର ପରାଜୟ ସ୍ୱୀକାର କରେ–ଏ ଗୋଟାଏ ବଡ଼ ଆପତ୍ତି ହୋଇ ନ ପାରେ । ତେବେ କିଶୋରବାବୁଙ୍କ ପ୍ରତି ମୋର ଭଲ ଭାବଟା କଅଣ ପ୍ରକୃତ-? ହଠାତ୍‌ ଯେ ମୋ ଭିତରେ କାହିଁକି ଏ ପ୍ରଶ୍ନ ଉଠିଲା, ମୁଁ ନିଜେ ଭାବି ଚମକି ପଡ଼ିଲି । ଚିଠିଟାକୁ ସେଇ ଅଭିମାନରେ ଚିରି ପକାଇବାକୁ ଯାଉଥିଲି, ଦରଚିରା କରିଛି, ଶେଷ ଦି’ଧାଡ଼ି ନ ପଢ଼ି ଫୋପାଡ଼ି ଦେବାକୁ ମନ ବଳିଲା ନାହିଁ । ପଢ଼ିଲି–‘‘...ମୁଁ ନିହାତି ଅଭାଗାଟିଏ–ମୋ ପ୍ରତି ଦୟା ରଖିଥିବ । ରାଗ କରିବ ନାହିଁ । ତମର ବିରାଗରେ ମୋର ମୃତ୍ୟୁ ଜାଣିବ । ଆଜି ଏତିକି ଥାଉ-। ଇତି । ତମର–ଏକାନ୍ତ ଆପଣାର...’’

 

ଚିଠିଟା ପଢ଼ି ମୁଁ ସୁଖୀ ହେଲି କି ଦୁଃଖୀ ହେଲି ଠିକ୍‌ ବୁଝି ପାରିଲି ନାହିଁ । କିନ୍ତୁ କିଶୋରବାବୁଙ୍କ ଉପରେ ମାନ କରି ରାଗିବାକୁ ଯାଇ ରାଗି ପାରୁ ନ ଥାଏ, ଏଟା ବେଶ୍‌ ବୁଝିପାରିଲି ।

 

ପତନ–ବଡ଼ ସୁନ୍ଦର, ବଡ଼ ଉପଭୋଗ୍ୟ–କାରଣ ତା’ ଯେପରି ଅନିବାର୍ଯ୍ୟ । ତା’ ଛଡ଼ା, ମୁଁ କ’ଣ ଚେଷ୍ଟା କରି ନାହିଁ ପତନରୁ ରକ୍ଷା ପାଇବା ପାଇଁ ନା ମୋଠାରୁ ବେଶୀ କିଏ କରିବ–କିନ୍ତୁ ପାରିନାହିଁ–କେହି ମଧ୍ୟ ପାରିବେ ନାହିଁ ।

 

ପତନ ସୁଖଦ । ପତନର ସୁଆଦ ଥରେ ଚାଖିଲେ ଛାଡ଼ି ହୁଏ ନାହିଁ । ପତନକୁ ସାମାନ୍ୟ ପ୍ରଶୟ ଦେଲେ, ହାତ ଦେଖାଇଦେଲେ ବାହା ଗିଳି ଯାଏ । ସମସ୍ତେ ବୁଝି ପାରିଥିବେ, ଗୋଟାଏ ଉଚ୍ଚ ସ୍ଥାନକୁ ଉଠିବାରେ କି କଷ୍ଟ, କି ସାଧନା ଆବଶ୍ୟକ;କିନ୍ତୁ ଉପରୁ ତଳକୁ ଓହ୍ଳାଇବାରେ କି ଆମୋଦ, କି ଶାନ୍ତି !

 

ମୋର ସେଇୟା ହେଲା, ମନର ଯେଉଁ ପତନ ଆରମ୍ଭ ହେଲା, ସେ ମୋତେ କ୍ରମେ କ୍ରମେ ଏକାବେଳେ ରସାତଳକୁ ନେଇ ଚାଲିଯିବାକୁ ବସିଲା । ମୁଁ ସେତେବେଳେ ଦେଖୁଥିଲି ତା’ ଭିତରେ ଆମୋଦ, ଆନନ୍ଦ । ଉପରକୁ ଚାହିଁଲେ ଡର ମାଡ଼େ–ମୋର ପୂର୍ବ ଅବସ୍ଥା ମନେ ପଡ଼ି ଗୋଟାଏ ନିଭୃତ ଚେତନା ଆସେ–ମନରେ କଷ୍ଟ ହୁଏ–ସେଥିପାଇଁ ମୁଁ ଆଖି ବୁଜିଦିଏଁ । ତେଣିକି ମନ ଆଉ ପ୍ରଶାନ୍ତ ରହିପାରେ ନାହିଁ । ସମୁଦ୍ର ସଦୃଶ ନିସ୍ତରଙ୍ଗ ହୋଇପାରେ ନାହିଁ । ଗୋଟିଏ ହେଲେ ଗୋଟିଏ ତରଙ୍ଗ ତହିଁରେ ନିଶ୍ଚୟ ଦେଖା ଦେବ । ସେ ତରଙ୍ଗ ପୁଣି ଘାତପ୍ରତିଘାତ ଦ୍ୱାରା ଅନ୍ୟ ତରଙ୍ଗ ସୃଷ୍ଟି କରିବ । ସେ ଯେଉଁ ସାମାନ୍ୟ ପବନ ସୃଷ୍ଟି କରିବ ତାହାରି ସାହାଯ୍ୟରେ ସେ ଆହୁରି ଫୁଲି ଉଠିବ । କ୍ରମେ ମନ–ସରୋବର ତରଙ୍ଗାୟିତ ହୋଇ ସତ୍ୟର ନାବକୁ ଇତସ୍ତତଃ କରିଦେବ । କିଛି ସମୟ ପରେ ସତ୍ୟ ଏକାବେଳକେ ଲୋପ ପାଇଯିବ । ଏଇ ତ ମନ !

 

ମୋ ଜୀବନରେ ତାହାହିଁ ଘଟିବାକୁ ବସିଲା । କିଶୋର ବାବୁଙ୍କ ସହିତ ଆଳାପର ଉତ୍କଣ୍ଠା ମୋତେ ଏହି ନରକର ପୂତିଗନ୍ଧମୟ ଅନ୍ଧକାରରେ ଘାଣ୍ଟି ଘାଣ୍ଟି ସତ୍ୟାନାଶ କଲା । ମୁଁ ବୁଝୁଥାଏଁ । କିନ୍ତୁ ଉପାୟ ?

 

ସେ ଦିନ ସେ କଚେରୀରୁ ଫେରି ମୋତେ କହିଲେ–‘‘ଶୁଣିଲ, ତମ ବାପା ଆଉ ଟଙ୍କା ଦେଇ ପାରିବେ ନାହିଁ ବୋଲି କହି ପଠେଇଛନ୍ତି ।’’

 

‘‘ସେ ଆଉ କେତେ ଦିନ ଦିଅନ୍ତେ ? ତମେ ତ ପାସ୍‌ କଲ, କଚେରୀକି ଗଲ,ଏଥର ଆଉ ସେ କାହିଁକି ଟଙ୍କା ଦେବେ ଯେ ?’’

 

’’ସବୁ ବୁଝୁଛ ! କଚେରୀକି ଗଲ–କଚେରୀକି ଗଲ । କିରେ ବାବୁ, କଚେରୀରେ ଦି’ପଇସା ହେଲେ ତ ହୁଏ ।’’

 

‘‘ତେବେ, ଗୋଟା ଦିନ ସେଠି କଅଣ କର ବସି ?’’

 

‘‘ତାସ ଖେଳେଁ, ଆଉ କଅଣ କରିବି ?’’

 

‘‘ତମ ପରି ବି ନିଷ୍କର୍ମା ଲୋକ ଅଛନ୍ତି ଆଉ ସେଠି ?’’

 

ସେ କିଛି କହିଲେ ନାହିଁ । ମୁହଁଟି ତାଙ୍କର ଖରାଦିନିଆ ଖରାବେଳର ନିପାଣିଆ ତେନ୍ତୁଳି ଗଛ ପରି ଶୁଖି ଯେମିତି ଏଡ଼ିକି ଟିକିଏ ହେଇଗଲା । ମୋ ଥଟାର ପରାଭବ ପାଇଗଲି–ମନରେ ବଡ଼ କଷ୍ଟ ହେଲା ।

 

‘‘ତେବେ କିମିତି ଚଳିବ ଭାବୁଛ ?’’ ମୁଁ କେତେବେଳେ ପଚାରିଲି । ‘କିମିତି ଆଉ ଚଳିବି’ ସେ ଫଁ ପରି ନିଃଶ୍ୱାସ ଛାଡ଼ି ବସିଲେ–‘କଅଣ କରିବି ? ସଂସାରରେ ଏତେ ଚିନ୍ତା କରିବାକୁ ପଡ଼େ ପୁଣି ?’’

 

‘‘କଅଣ ଆଗରୁ ଜାଣି ନ ଥିଲ କି ?’’

 

‘‘ଜାଣିଥିଲେ–’’

 

ସେ ରହି ଯିବାର ଦେଖି ମୁଁ ବାକିତକ ପୂରାଇ ଦେଇ କହିଲି–‘‘ବାହା ହେଇ ନ ଥାନ୍ତ, ଏଇ କଥା କହୁଛ ତ ? ଏବେ ଛାଡ଼ପତ୍ର ଦେଇଦିଅ ।’’

 

ସେ ମୋ ଚିବୁକଟି ଧରି ମୁଣ୍ଡକୁ ହଲାଇ ଦେଇ ହସି ହସି କହିଲେ–‘‘ଆହା, କି ସୁନ୍ଦର ପରାମର୍ଶ ରେ !’’

 

ଗର୍ବରେ ମୋ ଛାତି ଫୁଲି ଉଠିଲା । ଏତେ ବଡ଼ ଦୁଃଖ ଭିତରେ ବି ସେ ମୋର ଏତେ କିଣା ।

 

ମୋତେ ଲାଜ ବି ମାଡ଼ୁଥାଏ । ମୁଁ ତଳକୁ ମୁହଁ ପୋତିଛି, ସେ ମୋତେ କେତେବେଳେ ତାଙ୍କ ପାଖୁ ଭିଡ଼ି ନେଲେଣି, ମୋର ହୋଶ୍‌ ନାହିଁ । ମୁଁ ନିଜ ଭିତରକୁ ଫେରିବା ବେଳକୁ ଶୁଣିଲି ସେ କହୁଛନ୍ତି–‘‘ନା,ନା, ମୋର କିଛି ଅଚଳ ରହିବ ନାହିଁ–ମୋର କିଛି ଚିନ୍ତା କରିବାର ନାହିର୍ । ତମେ ଯେତେବେଳେ ଯାଏ ମୋର ହେଇ ମୋ ପାଖରେ ଥିବ ସେତେବେଳେ ଯାଏଁ ମୋର ଦୁଃଖ କଅଣ-?’’

 

ଆଶ୍ଳେଷର ମାଦକତାର ମୁଁ ଢଳି ପଡ଼ିଲି । ମନେ କଲି ଆଜି ବହୁ ସଉଭାଗ୍ୟରେ ମୋର ସ୍ୱାମୀକୁ ମୁଁ ଫେରି ପାଇଛି–ମୁଁ ଯାହା ଏତେ ଦିନ ଆତୁର ହୋଇ ଖୋଜିଛି ସେ ଆଜି କି ପୁଣ୍ୟ ବଳରେ କିଜାଣି ମୋ ପାଖରେ ଆପେ ଆପେ ଆସି ପହଞ୍ଚୁଛି । ମୁଁ ସ୍ୱାମୀର ପ୍ରେମ ପାଇଛି–ହୃଦୟ ପାଇଛି–ଶରୀର ପାଇଛି–ସବୁ ପାଇଛି । ମୋର ଆଉ ଲୋଡ଼ା କଅଣ ସଂସାରରେ ? ନା–ନା, ଯାହା ହବାର ହୋଇ ଯାଇଛି–ଆଉ ଅନ୍ୟ ଦିଗକୁ ଟିକିଏ ହେଲେ ବି ଚାହିଁବ ନାହିଁ କେବେ । ଏ ନିଧିକ ଆଉ ହରାଇବି ନାହିଁ ଦିନକ ପାଇଁ । ଆଜିଠାରୁ ମୋର ଏକନିଷ୍ଠ ଆରାଧନା ଚାଲିବ ।

 

Unknown

ଠିକ୍‌ କଲି, ସତ୍ୟ କଲି; କିନ୍ତୁ–କିନ୍ତୁ–

 

ସେ ଦିନ ସମସ୍ତେ ଗଲୁ ସିନେମା ଦେଖି । କିଶୋରବାବୁ ବି ଆମ ସାଙ୍ଗରେ ଥିଲେ । କଅଣ ଗୋଟାଏ ଭଲ ଖେଳ ଥିଲା ସେ ଦିନ । ଲୋକ ଭୟଙ୍କର ଭିଡ଼ । ଆମେ ତିନିହେଁ ଫାଷ୍ଟ କ୍ଳାସ ଟିକଟ କିଣି ସବା ଶେଷରେ ଯାଇ ଚଉକି ଉପରେ ବସିଲୁଁ–ମଝିରେ ମୁଁ, ଏ ପାଖକୁ କିଶୋରବାବୁ, ସେ ପାଖକୁ ‘ସେ’ । ବେଳେବେଳେ କିଶୋରବାବୁ ତାଙ୍କୁ କ’ଣ କହିବା ପାଇଁ ମୋ ଆଗରେ ମୋ କୋଳ ଉପରେ ନଇଁ ପଡ଼ନ୍ତି । ମୋ ଦିହଟା କିମିତି କଣ୍ଟ କଣ୍ଟ କରି ଉଠେ । ମୋତେ ବଡ଼ ଅଡ଼ୁଆ ଲାଗେ ।

 

ସିନେମାଦେଖା ମୋର ହେଲା ନାହିଁ ଏହି ଅସୁବିଧା ଯୋଗୁଁ । ଛବିଗୁଡ଼ାଏ ଆଖି ଆଗରେ ନାଚି ଯାଉଛନ୍ତି, କିନ୍ତୁ କଥାର ଭାବ ଗୁଡ଼ାକ ତାଙ୍କର, ମୋଟେ ମୋ ମନରେ ଧରୁ ନ ଥାଏ-। କାକାରତିନ୍ତା ପବନରେ ସକାଳର ନସମା ଫୁଲପାଖୁଡ଼ାପରି କିଶୋରବାବୁଙ୍କ ନିଃଶ୍ୱାସ ବାଜି ମୋ ଦିହଟା କିମିତି ଶୀତେଇ ଉଠୁଥାଏ ଯେ ମୁଁ ଖାଲି ନ ହସି ପଡ଼ୁଥାଏ ସେଥିରେ । ତାଙ୍କ, ଅଙ୍ଗଲାଗି ବାସ ସବୁର କି ଗୋଟାଏ କଟୁ ମହକ ଥିଲ କିଜାଣି, ସେ ଅମାନିଆ ବାସନାଟା ମୋ ନାକ ବାଟେ ପଶି ମୋ ମଗଜଟାକୁ ଭାରି କରି ପକେଇଥାଏ ଯିମିତି ।

 

କାହିଁକି ? ଇମିତି ମୋର ହେଲା କାହିଁକି ? ପରପୁରୁଷ ସେ, ତାଙ୍କ ସହିତ ମୋର ଏଭଳି କଅଣ ଗୋଟାଏ ଗୋପନ ସମ୍ଭନ୍ଧ ଆପେ ଆପେ ବସି ଯାଇଛି କେଜାଣି, ଯେତେ ଚେଷ୍ଟା କଲି ଯେତେ ପଣ କଲି, ସେ ଆଉ ବାରି ହେଲା ନାହିଁ । ମୁଁ କଅଣ ଏଡ଼େ ଦୁର୍ବଳ ?

 

ନିଜକୁ ମୁଁ ଧିକ୍‌କାର କଲି । ଆଖିଦୁଇଟାକୁ ବୁଜି, ଦାନ୍ତ ଚିପି ମୋ ଦେହଟାକୁ–ଛାତିଟାକୁ ବଧିଆ, କାଲୁଆ କରି ନେବାକୁ ଚେଷ୍ଟା କଲି । କିନ୍ତୁ–କିନ୍ତୁ–ତେବେ ବି–ତେବେ ବି–ପାରି ହେଲା ନାହିଁ ।

 

କିଶୋରବାବୁଙ୍କୁ ମନ ଭିତରୁ ଦୂର କରି ଦେଇପାରୁ ନାହିଁ । କାହିଁକି ? ସେ ଗାତ ନା ଚୂଲି ନିଆଁ ପାଉଁଶ ମୋର ଯେ ଆଉ ଭୁଲିପାରୁ ନାହିଁ ତାଙ୍କୁ ? ଭାବି ଦେଖିଲି, ଏଇ ଭୂଲିଯିବାକୁ ଜବରଦସ୍ତି କରିବା ହିଁ ମୋର ହେଲା କାଳ । ଭୂଲିଯିବାକୁ ମୁଁ ଯେତେ ମନ କରୁଛି ସେ ମୋ ମନ ଭିତରେ ସେତିକି ଅଭୂଲା ହୋଇ ଯାଉଛନ୍ତି । ତାଙ୍କୁ ଭୂଲିଯିବାଟାକୁ ମୁଁ ଯଦି ଏତେ ବଡ଼ କରି ମୋ ମନରେ ଠାବ ଦେଇ ନ ଥାନ୍ତି ତେବେ ମୁଁ ତାଙ୍କୁ ଭୂଲିଯାଇ ସାରନ୍ତଣି କୋଉ ଦିନୁଁ । କିନ୍ତୁ ଆଜି ମୁଁ ବୁଝିପାରୁ ନାହିଁ ମୋ ଭିତରେ ସେଟା କଅଣ, ଯାହା ମୋତେ ବାଧ୍ୟ କରି ତାଙ୍କର ଅନୁରକ୍ତା କରେଇ ଦେଉଛି ।

 

ମୁଁ ବିବାହିତା । ମୋର ସ୍ୱାମୀ ଅଛନ୍ତି; ପୁଣି ସେ ମୋତେ ଏତେ ଭଲ ପାଆନ୍ତି । ମୋର ମନର ଅରିମାନ କଅଣ ସେତିକିରେ ମେଣ୍ଟୁନାହିଁ ଯେ ମୁଁ ଗୋଟାଏ ପରପୁରୁଷର ପଉରୁଷରେ ଏଡ଼େ ଅନ୍ଧ ହେଇ ଯାଉଛି ! ପ୍ରକୃତରେ ଦେଖିବାକୁ ଗଲେ, କିଶୋରବାବୁଙ୍କ ପ୍ରତି ମୋର ଏକ ଆକର୍ଷଣ ମୂଳରେ ତାଙ୍କର ପଉରୁଷ ଛଡ଼ା ଆଉ କଅଣ ଅଛି ? ତାଙ୍କର ଏତେ ଗୁଡ଼ାଏ ଗୁଣ ସିନା ମୋତେ ଏଇ ଅଠାକାଠିରେ ପକେଇଛି ଆଣି ।

 

କିନ୍ତୁ ପହିଲୁ ପହିଲୁ ଯେତେବେଳେ ମୁଁ କିଶୋରବାବୁଙ୍କ ଗୁଣକୁ ମନେ ମନେ ପ୍ରଶଂସା କରି ଶିଖିଲି, ତାଙ୍କ ହାଉଆ ବାଜିଲେ ଦିନେ ମୋ ଭିତରେ କ’ଣ ଗୋଟାଏ ଇମିତି ହୋଇଯିବ ବୋଲି, କାହିଁ ଜାଣି ନ ଥିଲି ତ ଆଦୌ । ମୁଁ ସେତେବେଳେ ଭାବୁଥିଲି–ନା, ମନକୁ ବହଲଉ ଥିଲି–ଗୁଣର ଆଦର କଲେ କ୍ଷତି କଅଣ ? ଯାହା ଦେହରେ ଯେଉଁ ଗୁଣ ଅଛି ତାକୁ ଚିହ୍ନି ତା’ର ସନମାନ ଯିଏ ନ କରିପାରେ ସେ କି ମଣିଷ ଗୋଟାଏ ! କିନ୍ତୁ ସ୍ତ୍ରୀ ଜନମ ପାଇ କାହାରି ଗୁଣରେ ମୁଗ୍‌ଧ ହେବାକୁ ଭଗବାନ ଯେପରି ଅନ୍ୟାୟ ବୋଲି ନିଦେଶ ଦେଇଛନ୍ତି କି କଅଣ ! ମୋ ଅବସର ଯେତକ ଯୁବତୀ ଏଇ ଗୁଣରେ ଘାରି ହେଇଛନ୍ତି ସେମାନେ ଭଲ କରି ଜାଣିଥିବେ ଗୁଣରେ ଭୂଲିବା କେଡ଼େ ବିଷମ ।

 

ମଣିଷ ପ୍ରଥମେ ଯଉଁଠି ଗୁଣର ପୂଜା କରେ ସେ ଯଦି ସେଇ ନିରାକାର ଗୁଣବାଚକ ପଦାର୍ଥଟିରେ ନିଜର ଭଲ ପାଇବାଟାକୁ ପର୍ଯ୍ୟବସିତ କରି ରଖି ପାରୁଥାନ୍ତା ତେବେ ଆଉ ଚିନ୍ତା ଥିଲା କଅଣ କି ? କିନ୍ତୁ ମଣିଷ ତା’ ପାରେ ନାହିଁ । ଗୁଣର ଉପାସନା କରିବାକୁ ଯାଇ ମଣିଷ ସାକାର ରୂପର ଆରାଧନା କରିବାକୁ ବାଧ୍ୟ ହୋଇ ପଡ଼େ । ରୂପ ଛଡ଼ା ସେ ଗୁଣର କଳ୍ପନା କରି ପାରେ ନାହିଁ । ଗୁଣର ଆଧାରକୁ ସୁଖ ନ ପାଇ ସେ କେବଳ ଗୁଣଟାକୁ ଆଦର କରିବ କିମିତି ? ମୋର ଯଦି ସେଇୟା ହୋଇଥାଏ, ତେବେ ମୁଁ ଇମିତି କି ମାରହାଣର ଅପରାଧ କରି ପକାଇଲି ? ତଥାପି–ତଥାପି–ମୋର ଯିମିତି ଦୋଷ ରହିଗଲା କୋଉଁଠି, ଯୋଉଁ ଦୋଷଟାକୁ ମୁଁ ଧରି ନ ପାରିଲେ ବି ଆଜି ବେଶ୍‌ ବୁଝିପାରୁଛି ଯେ ସେଟା ଦୋଷ । କିନ୍ତୁ ସେତେବେଳେ ପାରି ନ ଥିଲି ।

 

ତମେ କହିବ ସଂସାରରେ ତ ଢେର ଗୁଣୀ ଲୋକ ଅଛନ୍ତି–କିଶୋରବାବୁଙ୍କଠୁ ଅଧିକ ଗୁଣର ଲୋକ ଦୁନିଆରେ ତ ଅଭାବ ନାହାନ୍ତି, ତେବେ କିଶୋରବାବୁଙ୍କ ଗୁଣରେ ମୁଁ ଏତେ ମୋହି ହେଲି କାହିଁକି ?

 

ଏ ଯୁକ୍ତି ଅକାଟ୍ୟ ମଧ୍ୟ ହୋଇପାରେ । କିନ୍ତୁ ମନ ତ ଯୁକ୍ତି ମାନିବାକୁ ଚାହେଁ ନାହିଁ । ମୁଁ ଏବେ ସେଥିକୁ କରିବି କଅଣ କୁହ । ମନ ଯେ କେତେବେଳେ କୋଉଁଠି ବସିଯାଏ ତା’ର ଧରାବନ୍ଧା ନିୟମ ନାହିଁ କିମ୍ବା ତା’ର ଗୋଟିଏ ବୀଜ ସୁତ୍ର କେହି ଆବିଷ୍କାର କରିପାରିବ ନାହିଁ । କିଶୋରବାବୁଙ୍କ ଗୁଣ, କିଶୋରବାବୁଙ୍କ ରୂପ, କିଶୋରବାବୁଙ୍କ ପ୍ରକୃତି ମୋତେ ଯେ କାହିଁକି ଏତେ ଭଲ ଲାଗିଲା, ତା’ ମୋ ମନ, ମୋ ପ୍ରାଣ, ମୋ ଆଖି ଯିଏ ପାଇଥିବ, କେବଳ ତାରି ଛଡ଼ା ଆଉ କେହି ବୁଝି ପାରିବ ନାହିଁ ।

 

ତା’ ଛଡ଼ା କିଶୋରବାବୁଙ୍କ ପରି ଜଣେ ଗୁଣୀ ଲୋକ, ଜୀବନର ସୁଖ ବୋଲି କଅଣ ଜାଣନ୍ତି ନାହିଁ ସେ, ତାଙ୍କ ପ୍ରତି ମୋର ଗୋଟାଏ ସହାନୁଭୂତି ହେବା ସ୍ୱାଭାବିକ । ଯା ବୁକୁ ଭିତରେ ଏତେ ବ୍ୟଥା, ଏତେ ବେଦନା, ତା’ ଦୁଃଖରେ ମୁଁ ପ୍ରଥମେ ଯେତିକି ଦୁଃଖୀ ହେଲି, ମୋର ମନେ ହୁଏ ସେଟା ଅତି ସାମାନ୍ୟ । ମୋର ଇଚ୍ଛା ହେଉଥିଲା, ସେତେବେଳେ, ମୁଁ କିମିତି ତାଙ୍କର ଉପକାର କରି ପାରନ୍ତିକି ! ତା’ର ସୁବିଧା ନ ପାଇ ଏ ଇଚ୍ଛାଟା ମୋର ଆହୁରି ବଳବତୀ ହୋଇ ଉଠିଲା । ମନେ ହେଲା, ସୁଯୋଗ ମିଳିଲେ ମୋର ପ୍ରାଣ ପର୍ଯ୍ୟନ୍ତ ଦେଇ ତାଙ୍କର ଯଦି କିଛି ଉପକାର କରି ତାଙ୍କୁ ଦେଖେଇ ଦେଇ ପାରନ୍ତି ମୋ ହୃଦୟରେ କେତେ ସହାନୂଭୂତି ତାଙ୍କ ପ୍ରତି, ତେବେ ମୋ ଜୀବନର ଗୋଟାଏ ବଡ଼ ସାଧ ମେଣ୍ଟିଯାଆନ୍ତା ।

 

କିନ୍ତୁ ନାରୀ ଜନମ ପାଇ କାହାରିକି ଦୟା କରିବା କି କାହାରି ପ୍ରତି ସହାନୁଭୂତି ଦେଖାଇବା ଯେମିତି ପାପ । କାରଣ ଏଇ ଦୟା ଅନୁକମ୍ପାରୁ ମଣିଷ ଭିତରେ ଯେଉଁ ସୁଖପାଇବା ଜାତ ହୁଏ, ତାକୁ ମୁଁ ପହିଲୁ ପହିଲୁ ଯେତେ ଦାମିକା ମନେ କଲେ ସୁଦ୍ଧା ଆଜି ମୋର ମନେ ହୁଏ, ମୋର ଏକ ପ୍ରକାଣ୍ଡ ଭୁଲ ହେବାର କାରଣ ଭିତରେ ଏ ଗୋଟାଏ ନିତାନ୍ତ ଅପ୍ରଧାନ ଉପକରଣ ନୁହେଁ ।

 

ସିନେମା ସରିଲା । ସମସ୍ତେ ଉଠିଲେ ଏକାଥରକେ ହୋ–ହୋ ହୋଇ । ମୋ ଛାତି ଭିତରେ ଯେମିତି ଗୋଟାଏ ଛନକା ପଶିଯାଏ–ସେମିତି ଲାଗିଲା ମୋତେ । କାହିଁକି କେଜାଣି–କି ଗୋଟାଏ ବେଦନା ମୋ ପ୍ରାଣକୁ ଆଘାତ କଲା ପରି ଲାଗିଲା । ସେଟା ଯେ କୋଉଁଥିପାଇଁ ତା’ ଭାବିବା ଲାଗି ମୋର ସମୟ ନ ଥିଲା ସେତେବେଳେ । ପରେ ମୁଁ ମନକୁ ତନ୍ନ ତନ୍ନ କରି ଖୋଜି ଦେଖିଛି, ସେଇମିତି କେତେ ଦୁଃଖର ଦାଗ ଯେ ସାନ ବଡ଼, ସରୁ ମୋଟ ହୋଇ ରହିଥିଲା ସେଠି, ତା’ର ଠିକ୍‌ ନାହିଁ ।

 

ସେ (ମୋ ସ୍ୱାମୀ) ସେଇ ମଣିଷ ଗହଳି ଭିତରେ କୁଆଡ଼େ ପଶିଗଲେ କେଜାଣି, ମୁଁ ଆଉ ଦେଖି ପାରିଲି ନାହିଁ ତାଙ୍କୁ । ୟାଙ୍କୁ(କିଶୋରବାବୁଙ୍କୁ) ବି ପଚାରିବାକୁ ସାହସ ହେଉ ନ ଥାଏ ମୋର । ମୁଁ ତାଙ୍କୁ ଭଲ କରି ନିରେଖି ଖୋଜିବାପାଇଁ ସତର୍କ ଆଖି ଥରେ ଚାରିଆଡ଼େ ବୁଲେଇ ଆଣିଲା କିଶୋରବାବୁଙ୍କ ପାଟି ଶୁଭିଲା–‘‘ତରୁଣ–ତରୁଣ–ତରୁଣ କୁଆଡ଼େ ଚାଲିଗଲା !’’

 

ଇଙ୍ଗିତରେ ମୋତେ ଗୋଟାଏ କରକୁ ଠିଆ ହେବା ଲାଗି କହି ସେ ଦି’ ଲେଉଟ ବୁଲି ଆସି କହିଲେ, ‘‘ତରୁଣ ବୋଧହୁଏ ବାହାରିଗଲା ଆଗରେ, ଆସିଲ ଦେଖିବା ।’’

 

ମୋ ଗୋଡ଼ ଉଠୁ ନ ଥିଲା । କି ଗୋଟାଏ ଭୟ ଆସି ମୋତେ ଘାରି ବସିଲାଣି ସେତେବେଳକୁ, ମନ ଚାହୁଁ ନ ଥାଏ ଯେପରି ସେଟା ଜଣେଇଦେବା ପାଇଁ ମୋତେ ।

 

ଭିଡ଼ ଭିତରେ ରହି ରହି ସାବଧାନରେ ବାଟ କାଢ଼ି ମୋ ଆଗେ ଯାଉଥିବା ବେଳେ ସେ ତାଙ୍କ ହାତଟା ବଢ଼େଇ ଦେଲେ ମୋ ଆଡ଼କୁ ଧରିବା ପାଇଁ । ମୁଁ ବଡ଼ କଷ୍ଟରେ ସେତକ କଲି ଏକା–ବାଧ୍ୟ ହୋଇ–କାଳେ ରହିଯିବି ପଛରେ ଏଇ ଡରେ । କିନ୍ତୁ ତାଙ୍କ ହାତ ଧରି ଯିବାରେ ମୋ ମନ ଭିତରେ ଯଦି ଗୋଟାଏ ପୁଲକ ଅନୁଭବ କରିବାର ସ୍ୱାର୍ଥ ଟିକକ ନ ଥାନ୍ତା, ତେବେ ବିଧାତା ପୁରୁଷ, ଯେ ଦିନ ରାତି କରୁଛନ୍ତି–ବାହାର ଭିତର ସବୁ ଦେଖୁଛନ୍ତି, ସେ ମୋ ପାଇଁ ବିନା ଦୋଷରେ ଏଡ଼େ ବଡ଼ ଗୋଟାଏ ଅପମାନର ଦଣ୍ଡ ସଜାଡ଼ି ରଖିଥାଆନ୍ତେ କିଆଁ ?

 

ଆକାଶରେ ମେଘ ଉଠେଇ ଆସିଥିଲା ଦଶମୀ ନିଶିର ଚାନ୍ଦ ମୁହଁଟିକୁ ଲୁଚେଇ ଦେବା ଲାଗି । ମୁଁ ହଠାତ୍‌ ଚାହିଁ ଦେଖିଲି, ସେଦିନ ଆମ ଘରକୁ ନିମତ ଖାଇବା ପାଇଁ ଯୋଉଁ ଟୋକା ସବୁ ଆସିଥିଲେ ତାଙ୍କ ଭିତରୁ ଯୋଡ଼ିଏ ତିନୋଟି ଗୋଟିଏ ଜାଗାରେ ଠିଆ ହୋଇ ଆମ ଦୁହିଁଙ୍କୁ ଚାହିଁ ଠରାଠରି ହେଉଛନ୍ତି । ମୁଁ ତ ବୁଡ଼ିଗଲି ଲାଜରେ । ମନ ହଉଥିଲା ମରିଯାଆନ୍ତି କି କେମିତି । ସେଇ ଲୋକଗହଳି ଭିତରେ ହଜିଯାଆନ୍ତି କି କେଉଁଠି !

 

ମୁଁ ତାଙ୍କ ହାତଟାକୁ ଛାଡ଼ିଦେଲି, କିନ୍ତୁ ଲାଭ ହେଲା ନାହିଁ କିଛି । ସେ ସେତେବେଳକୁ ମୋ ହାତଟାକୁ କସି କରି ଧରିନେଇ ସାରି ଥାଆନ୍ତି–ସେଥିପାଇଁ ।

 

ସଡ଼କ ଉପରକୁ ବାହାରି ଆସିଲା ବେଳକୁ ଟୋପେ ଟୋପେ ବରଷା ପକେଇଲାଣି ଆମ ଉପରେ । ସେ କହିଲେ–‘ତେବେ ଘୋଡ଼ା ଗାଡ଼ିଟାଏ ଡାକେଁ ।’’

 

ମୁଁ କିଛି ଉତ୍ତର ଦେଇ ପାରିଲି ନାହିଁ ।

 

ସେ ଗୋଟାଏ ଘୋଡ଼ାଗାଡ଼ି ଭିତରେ ପଶିଯାଇ ମୋ ହାତ ଧରି ଟାଣୁଛନ୍ତି ଭିତରକୁ ଯିବାପାଇଁ । ଠିକ୍‌ ସେତିକିବେଳେ ମୋର କଅଣ ହେଇଗଲା କେଜାଣି, ଗାଡ଼ି ଭିତରେ ଯାଇ ବସି ପଡ଼ିଲା ବେଳକୁ ମୋର ଯିମିତି ଚେତା ହଜିଗଲା–ସବୁ ଅନ୍ଧାର ଦିଶିଲା ମୋତେ ।

 

ଠିକ୍‌ ଭାବରେ ସବୁ କଥା ବୁଝି ପାରିଲା ବେଳକୁ ଦେଖିଲି ମୁଁ ତାଙ୍କ ବାହୁ ଦୁଇଟା ମଝିରେ । ଥରି ଉଠିଲି ଗୋଟିପଣେ, ବୋଧହୁଏ ଡରରେ । ଅଠାକାଠିରେ ଚଢ଼େଇ ଭଳିଆ ମୁଁ ସେତେବେଳେ କଲବଲ ହେଉଥିଲି ମନେ ମନେ, ଧରା ପଡ଼ିଥିବା ଆତଙ୍କ ଆଉ ଅଧାର ଲୋଭରେ ସତେକି । ଗାଡ଼ିଟା ଠିଆହେଲାପରି ଲାଗିଲା ଠିକ୍‌ ସେତିକିବେଳେ । ସେ ମୋତେ ଉଠାଇବାକୁ ଯାଉଥିଲେ । ମୁଁ କହିଲି–‘‘ଥାଉ, ଏଥର ମୁଁ ଆପେ ଯିବି ଯେ ।’’ ଅଲଗା ହୋଇଯିବାର ସୁବିଧା ପାଇ କହିଲି, କି ମୋ ପାଟିରୁ ବାହାରି ପଡ଼ିଲା ଏ କଥା, ମୁଁ ଠିକ୍‌ କରି କହି ପାରୁ ନାହିଁ । ତେବେ ତଫାତ୍‌ ହେଲାକୁ ମୋତେ ଟିକିଏ ଶାନ୍ତି ଲାଗିଲା ।

 

କିନ୍ତୁ ଗାଡ଼ିରୁ ଓହ୍ଳେଇ ପଡ଼ି ଚାହିଁ ଦେଇ କାଠ ହେଇଗଲି–ଏ ତ ଆମ କୋଠା ନୁହେଁ !

 

ବର୍ଷା ଟିକିଏ ଜୋର୍‌ରେ ପଡ଼ୁଥିଲା । ସେ ବାରନ୍ଦାକୁ ଉଠିଯାଇ କହିଲେ–‘‘ଆସ ଆସ, ତିନ୍ତିଗଲ ଯେ !’’

 

ମୁଁ ପାଣିରେ ଓଦା ହେବା ଭୟରେ ପିଣ୍ଡାକୁ ଉଠିଯାଇ କହିଲି–‘‘ଏଠି କଅଣ ?’’

 

ଗାଡ଼ିବାଲାଟା ବି ଆଗରୁ ପଇସା ନେଇ ସାରିଥିଲା ଯେ ମୁଁ ପିଣ୍ଡା ଉପରେ ଗୋଡ଼ ଦେଇଛି କି ନାହିଁ ସେ ଟାକରା ଫୁଟେଇ ଗାଡ଼ି ଛାଡ଼ି ଦେଲା । ମୋର ମନ ହେଲା ଚିତ୍କାର କରି ଡାକିବାକୁ–‘ଏ ଗାଡ଼ିବାଲା, ରହ–ରହ !’ କିନ୍ତୁ ପାରିଲି ନାହିଁ ।

 

‘‘ଗାଡ଼ି ଯେ ଚାଲିଗଲା–ମୁଁ ବସାକୁ ଯିବି କିମିତି ?’’ ବଡ଼ ଧୀର ଅଥଚ କର୍କଶ କଥାରେ କହିଲି, ସେ ଯେପରି ଶୁଣି ପାରନ୍ତି ।

 

‘‘ଏ ବର୍ଷାରେ ତିନ୍ତି ତିନ୍ତି ଯିବାରେ କି ଲାଭ ? ବର୍ଷା ଛାଡ଼ିଯାଉ । ଏଠି ଦଣ୍ଡେ ରହିଗଲେ କଅଣ କିଛି କ୍ଷତି ହବ ନା ? ନ ହେଲା ଆଜି ରାତିରେ ଏଠି ରହିଯିବ । ଗରିବ ଘରେ ଯାହା ଶାଗଭାତ ଗଣ୍ଡିଏ ମିଳିବ ସେଇୟା ଖାଇବ । ପୁରୀ କ୍ଷୀରି ଭୂଞ୍ଜାଇବାର କ୍ଷମତା ତ ମୋର ନାହିଁ–କଅଣ କରିବି ?’’

 

ଏଥର ବୁଝିବାକୁ କିଛି ଆଉ ବାକି ରହିଲା ନାହିଁ ମୋର । ତେବେ ବି ତାଙ୍କ ପରି ଭଦ୍ରଲୋକଠାରୁ କୌଣସି ମନ୍ଦ ଆଚରଣର ଆଶଙ୍କା କରିବାକୁ ମୋତେ କିପରି ମାଡ଼ି ପଡ଼ୁଥିଲା । ଆଉ ଡର ମାଡ଼ୁଥିଲା କାଳେ ସେ (ମୋର ସ୍ୱାମୀ) କିଛି ମନେ କରନ୍ତି ।

 

ସେ ଦିନ ମୋର ଖିଆ ସେମିତି ସେମିତି ହେଲା । ସେ ଶାଗଭାତ କହି ପୁରି କ୍ଷୀରମୋହନ ଦେବା ସତ୍ତ୍ୱେ, ମୁଁ ତାଙ୍କ ଘରଠି–କେହି ମାଇପେ ନାହାନ୍ତି–ସେଥିପାଇଁ ଆଦୌ ଖାଇ ପାରିଲି ନାହିଁ । ତା’ ଛଡ଼ା କିଶୋରବାବୁ ନିଜେ ଆସି ମୋ ଖାଇବା ପାଖରେ ମାଇଚିଆଙ୍କ ପରି ଠିଆ ହେଇ ରହିଲେ । ମୋତେ ବଡ଼ ଲାଜ ମାଡ଼ିଲା ।

 

ଲାଜ, ଭୟ ଆଉ ଭଦ୍ରତା ଏଇ ତିନୋଟି ଜିନିଷକୁ ମନରେ ଧରି ଖୁବ୍‌ କଷ୍ଟରେ ଯେତିକି ଖାଇ ହୁଅନ୍ତା, ଖାଇ ଉଠିଲାରୁ ମୋତେ ସେ ଡାକିଆଣି ତାଙ୍କ ଘରେ ଟେବୁଲ୍‌ ପାଖିଆ ଗୋଟିଏ ଚଉକିରେ ବସିବାକୁ କହି ଦଶ ପନ୍ଦର ମିନିଟ ପାଇଁ କୁଆଡ଼େ ଚାଲିଗଲେ–ବୋଧହୁଏ ଖାଇବାକୁ ।

 

ତା‘ର ଭିତରେ ତାଙ୍କ ଟେବୁଲ ଉପରେ ଖଣ୍ଡିଏ ସୁନ୍ଦର ଚକଚକିଆ ଖାତା ପଡ଼ିଥିଲା । ନେଇ ଦେଖିଲି ଯେ ସେଥିରେ କବିତାସବୁ ଲେଖା ଯାଇଛି–ଆଉ ଅଧିକାଂଶ ପ୍ରେମ କବିତା ।

 

କାହାକୁ ଆଉ ଏମିତି ପ୍ରିୟା ପ୍ରିୟା କହି କାନ୍ଦି ବୋବାଳି ଉଚ୍ଛନ୍ନ ଏକାବେଳେକେ ? ମୁଁ ଭାବିଲି–ସେ ଆଉ ମୁଇଁକି ?

 

ଛିଃ–ମୁଁ କଅଣ ଏ ମିଞ୍ଚାକ ଭାବୁଛି ବସି ? ଆପଣାକୁ ଲାଜ ଲାଗିଲା ।

 

ମୋ ମନ ଭିତରେ ଥାଇ କିଏ ସେତେବେଳେ କହୁଥାଏ ମୋ’ରି କଥାରେ–ତାଙ୍କ ମତି ଗତି ତ କିଛି ଭଲ ଦେଖାଯାଉ ନାହିଁ । ମୋ ବସାରେ ମୋତେ ଛାଡ଼ି ଦେଇ ନ ଆସି ଏଠିକି ନେଇ ଆସିବା କଅଣ ଗୋଟାଏ ଚକ୍ରାନ୍ତ ନୁହେଁ ? କାହିଁକି କେଜାଣି ମୋ ମନକୁ ଇମିତି ପାପ ଛୁଉଁଥାଏ ଖାଲି । ମୁଁ ନିଜେ ନିଜ ମନକୁ ବହଲେଇ ଦେବାପାଇଁ କହୁଥାଏ...ତାଙ୍କ ପରି ଭଦ୍ରଲୋକର କୌଣସି ଖରାପ ଉଦ୍ଦେଶ୍ୟ ଥିବ ବୋଲି ସନ୍ଦେହ କରିବା ଅନ୍ୟାୟ; ମୋ’ର ପାପ ମନ ମୋତେ ମିଛଟାରେ ଡରଉଛି ସିନା !

 

ବରଷାଧୁଆ ଶୀତଳ ପବନ ବାଡ଼ି ଆଡ଼ୁ ରଜନୀଗନ୍ଧାର ମହକ ଚୋରାଇ ଖିଡ଼ିକି ବାଟେ ପଶି ଆସୁଥିଲା ଘର ଭିତରକୁ । କେତେବେଳେ ଯେ ମୋ ମଥା ଉପର ଓଢ଼ଣାଟା ଖସାଇ ଦେଇ ପଣତକୁ ଟାଣି ଚଗଲାମି କରି ବସିଲାଣି ସେଠି, ମୋତେ ଆଉ ଜଣା ନାହିଁ ସେ କଥା । ଗୋଟାଏ କି ମାସିକ ପତ୍ରିକାରେ ତାଙ୍କ ନାଁଟା ଦେଖି ମୁଁ ଜାଣେ ନାହିଁ କାହିଁକି ମୋ ଛାତିଟା ଫୁଲି ଉଠିଲା । ମୁଁ ସେ ଲେଖାଟାକୁ ଏକମନରେ କେଜାଣି କେତେ ଥର ପଢ଼ିଗଲିଣି–

 

ମରଣ ଯେବେ ଆସି ବରଣ ମାଳା ଗଳେ ଭରିବ.

ଚରଣ ପରେ ତୋର ଆରତ ବିନତି ମୋ ସରିବ,

ଉଷର ଶମଶାନେ

ସମାଧି ଆସ୍ଥାନେ

ମୋ ନାମ ଅଙ୍କନ କରିବ !

ମରଣ ଆସି ଯେବେ ବରଣମାଳା ଗଳେ ଭରିବ ।

କୋମଳ କରେ ଧରି ଲେଖନୀ ଲେଖିବ ମୋ ଜୀବନୀ–

‘‘ଏସନ ହତାଭାଗା ନ ଥିଲା କେହି ଭବେ ହେବନି,

ଯହିଁ ସେ ହାତ ପାତେ

ଫେରଇ ପଦାଘାତେ

ମରଣ ହେଲା ଶେଷେ ପାବନୀ ।

ଏସନ ହତଭାଗା ନ ଥିଲା କେହି ଭବେ ହେବନି ।‘‘

ଲେଖିବ ତାହା ପରେ ଅଲିଭା ଅକ୍ଷରେ ଧୃତିରେ

ଜୀବନଯାକ ଯାହା ଲୁଚାଇ ଅଛି ମୋହ କତିରେ–

‘‘ତାହାର ବ୍ୟଥା ଲାଗି

ଯା ହୃଦ ଅନୁରାଗୀ

ଜଣେ ସେ, ଲେଖିଛି ତା’ ସ୍ମୃତିରେ ।’’

 

ମୋ ଆଖିରୁ ଦୁଇ ଟୋପା ଲୁହ ବହି ବହିର ପୃଷ୍ଠାଟାକୁ ଭିଜେଇ ଦେଇଥିଲା କେତେବେଳେ । ମୋ ଅସାବଧାନତାରେ ମୋ ବାଁ ପାଖ କାଖର ଲୁଗାଟା ଢିଲା ହେଇ ଯାଇଥିଲା-। କାନ୍ଥରେ ଛାଇ ଦେଖି, କିଏ ବୋଲି ଅନାଇ ଦେଇ ଦେଖିଲା ବେଳକୁ କିଶୋର–ଲୁଗାପଟା ସଜାଡ଼ି ନେବାରୁ ସେ ପଚାରିଲେ–‘କବିତା ପଢ଼ୁଥିଲ କି ?’

 

ମୁଁ କହିଲି ଖୁବ୍‌ କଷ୍ଟରେ–‘ହଁ’ ।

 

‘କା’ର ?’

 

ମୁଁ ଏବେ କିମିତି କହିବି ତାଙ୍କର ବୋଲି ? କିନ୍ତୁ କହିବାକୁ ଯିମିତି ମନ ଥିଲା ।

 

କିଛି ନ କହିଲାକୁ ସେ ଅନେଇ ଦେଇ ଦେଖିଲେ ତାଙ୍କର । ତା’ ସଙ୍ଗେ ସଙ୍ଗେ କ’ଣ ଲୁହ ଦୁଇ ଟୋପା ତାଙ୍କ ଆଖିରେ ପଡ଼ି ନ ଥିବ ?

 

ମୋତେ ଏତେ ଳାଜ ମାଡ଼ିଲେ ଯେ କହିବାକୁ ନାହିଁ ।

 

ସେ ପଚାରିଲେ–‘‘କବିତାଟି କେମିତି ହେଇଛି ?’’

 

ମୋତେ ଖାଲି କାନ୍ଦ ମାଡ଼ିଲା–କାହିଁକି ବୁଝି ପାରିଲି ନାହିଁ । ଆଉ କ’ଣ ଲାଜରେ ? ମନର ଦୁର୍ବଳତାଟା ଧରା ପଡ଼ିଗଲେ ଯିମିତି କାନ୍ଦ ମାଡ଼େ, ମୋର ବା ପିଲାଙ୍କ ଭଳି ସେମିତି ହେଇଥିବ କିଛି ।

 

ଯାହା ହେଉ ମୁଁ ଏହି ଦୁର୍ବଳତା ଯୋଗୁଁ ଏକା ସେ କଥାର ଉତ୍ତର ଦେଇ ପାରିଲି ନାହିଁ । ଉତ୍ତର ଦେଇଥିଲେ ଯେ କିଛି କ୍ଷତି ହୋଇଥାନ୍ତା କି ସେଥିରେ କିଛି ଆପତ୍ତି ଥିଲା ତା’ ନୁହେଁ, କିନ୍ତୁ କାହିଁକି କେଜାଣି ମୁଁ ଉତ୍ତର ଦେଇ ପାରିଲି ନାହିଁ–ଯେତେ ମନ କଲେ ସୁଦ୍ଧା । କବିତାଟି ମୋତେ ଭଲ ଲାଗିଛି ! ଖାଲି ଭଲ ଲାଗି ନାହିଁ, ମୋ ହୃଦୟକୁ ସେ ଭାଙ୍ଗି ଚୂରି ବି ଦେଇଛି । କିନ୍ତୁ କେଉଁ ମୁହଁରେ କହିବି ସେ କଥା । ମୋ ମନରେ ଯଦି କିଛି ହେଲେ ଦୁର୍ବଳତା ନ ଥାନ୍ତା, ତେବେ ଏଇ ନିରାଟ ସତ କଥାଟାକୁ ଲୁଚେଇଥାନ୍ତି କିଆଁ ?

 

କିଛି ନ କହିଲାରୁ ସେ ବରଂ ଭଲକରି ବୁଝିଲେ ଯେ କବିତାଟି ମୋ ପ୍ରାଣକୁ ଆଘାତ କରିଛି । ସେଥିପାଇଁ ଦୋଷ ବା ଦେବି କାହାକୁ ?

 

ସେ ଚଉକିଟା ମୋ ପାଖକୁ ଟାଣିଆଣି ତା’ଉପରେ ବସି ମୋ ମୁହଁକୁ କିଟିମିଟି କରି ଚାହିଁ ପଚାରିଲେ–‘‘କହିବ ନି ?’’

 

ନିହାତି ମୋତେ କହିବାକୁ ପଡ଼ିଲା–‘‘ମୁଁ କବିତା ବୁଝିପାରେ ନାହିଁ ।’’

 

‘‘ସେ କବିତାଟି କ’ଣ ବୁଝି ପାର ନାହିଁ ? ହଁ, ପାରିଥିବ ।’’

 

‘‘ନା, ବୁଝିନାହିଁ ।’’

 

ସେ ମୋତେ ବୁଝାଇ ଦେବାକୁ ଆରମ୍ଭ କଲେ–‘‘କବିତାଟିର ଭାବ ଏଇ–ନାୟକ ତା’ର ଚିର ଜୀବନ ନାୟିକାର ପୂଜା କରିଛି, କିନ୍ତୁ ନାୟିକାର ଗୁମାନ ଭାଙ୍ଗି ନାହିଁ । ନାୟକ ତାକୁ ସୁଖ ପାଏ ବୋଲି ଇଙ୍ଗିତ ପାଇଲେ ମଧ୍ୟ ନାୟିକା ତାହା ନିଜେ ପ୍ରକାଶ କରିବାର ପ୍ରଗଲ୍‌ଭତା ଦେଖାଇ ନାହିଁ କେବେ । ନାୟକ ଅବଶେଷରେ ନିରାଶ ହୋଇ ନାୟିକାକୁ କହୁଛି–ଯଦି ମରଣ ହିଁ ମୋତେ ବରଣମାଳା ଦେବାର ସୌଭାଗ୍ୟ ଲାଭ କରେ, ତେବେ ମୋର ଗୋଟିଏ ପ୍ରାର୍ଥନା ଯେପରି ରକ୍ଷାକର । ମୋର ଗୋଟିଏ ସ୍ମୃତିସ୍ତମ୍ଭ କରି ତହିଁରେ ଲେଖିବ–‘ଏହା ପରି ଅଭାଗା ଆଉ କେହି ଦୁନିଆରେ ନ ଥିଲେ । ତାକୁ ସଂସାରରେ କେହି ଭଲ ପାଇ ନାହାନ୍ତି–କେବଳ ଜଣେ–ଯେ ଏହି ସ୍ମୃତିସ୍ତମ୍ଭ ତୋଳିଛି ତା’ରି ଛଡ଼ା ।’

 

ଶେଷବେଳକୁ ତାଙ୍କ କଣ୍ଠ ଥରି ଉଠିଲା । ମୁଁ ମଧ୍ୟ ଚେଷ୍ଟା କରି ନିଜକୁ ସମ୍ଭାଳି ନେଉଥିଲି ।

 

ତା’ପରେ ସତ କହୁଛି, ମୁଁ ତାଙ୍କୁ କିଛି କହି ନାହିଁ, ସେ ନିଜେ ମୋତେ ତାଙ୍କର ଗପୁଟାଏ ପଢ଼ିବାକୁ ଦେଲେ । ମୁଁ ତାଙ୍କୁ ଟିକିଏ ଚାହିଁ ଦେଇ ଲେଖା ଆଡ଼କୁ ମୁହଁ ଫେରାଇଲି । ଆଗ୍ରହ ଆଉ ଆନନ୍ଦ ତାଙ୍କ ଓଠ ଉପରେ ଯେମିତି ଗୋଟାଏ ସୁନ୍ଦର ନୂଆ ରଙ୍ଗ ମଡ଼େଇ ଦେଇଥିଲା ସେତେବେଳେ । ମୁଁ ସେତକ ଆଉ ଥରେ ନ ଦେଖି ରହିପାରି ନ ଥିଲି । ତାଙ୍କ ଓଠ ଅଗର ହସ ଟିକକରେ ବି ମୋର ଯେପରି ଗୋଟାଏ ସ୍ୱାର୍ଥ ଥିଲା ।

 

ମୁଁ ପଢ଼ିବାକୁ ଆରମ୍ଭ କରି ନ ଥିଲି, କାରଣ, ପଢ଼ିବାଠୁଁ ମୋର ବେଶୀ ମନ ଥିଲା ତାଙ୍କଠି । ସେ ଆପେ ଆପେ ପଢ଼ି ବସି କହିଲେ–ତମେ ଶୁଣ, ମୁଁ ପଢ଼େଁ । ମୁଁ ଅନୁମାନ କଲି, ଏମିତି ପଢ଼ିବାରେ ତାଙ୍କର ଯିମିତି ଆଉ ଗୋଟାଏ କି ଅଧିକା ଆନନ୍ଦ ଅଛି । ମୋତେ ପଢ଼ି ଶୁଣେଇବାରେ ମୁଁ ଯିମିତି ତାଙ୍କ ହୃଦୟର ଆହୁରି ନିକଟତର ହେଇ ଯାଉଛି ସେ ଏମିତି ଭାବୁଥିଲା ପରି ମୋର ମନେ ହେଲା ।

 

ଯାହା ହେଉ, ତାଙ୍କ ପଢ଼ିବା ଫଳରେ ମୁଁ ତାଙ୍କୁ ଟିକିଏ ଭଲ କରି ଚାହିଁବାର ସୁଯୋଗ ପାଇ ନିଜକୁ କୃତକୃତ୍ୟ ମନେ କରୁଥିଲି ।

 

ଗପୁଟା ପୂରାପୂରି ମୋର ମନେ ନାହିଁ । ତେବେ ସେଇ ପ୍ରସଙ୍ଗରେ ଯେତେ ଯୁକ୍ତି, ମୋର ଟିକ ଟିକ କରି ମନେ ରହିଛି ।

 

ସେ ଯାଉଥିଲେ ମୋତେ ଲଳିତ କଳାର ଅର୍ଥ ବୁଝାଇବା ଲାଗି । ବୁଝାଇଲେ । ମୁଁ କେତେ ବୁଝିଲି, କେତେ ବି ନ ବୁଝିଲି । ଯାହା ବୁଝିଲି ସେଥିରୁ ମୁଁ ଆଉ କଳା ବିଷୟରେ ବେଶୀ ଜାଣିବାକୁ ମନ ପଳାଇଲି ନାହିଁ । ନାରୀ ଘେନି କୁଆଡ଼େ କଳାର ସର୍ଜନା । ପ୍ରକୃତି ବିନା କୁଆଡ଼େ ପୁରୁଷର କଳାରେ ପ୍ରବୃତ୍ତି ଜନ୍ମେ ନାହିଁ । ନାରୀ ମହାୟସୀ–ନାରୀ ଦେବୀ–ନାରୀ ଲକ୍ଷ୍ମୀ–ନାରୀ ବାଣୀ–ନାରୀ ଶକ୍ତି । ଯେତେ ଖୋସାମତିଆ କଥା ଜାଣନ୍ତି କୌଣସିଟିକୁ କହିବାକୁ ଆଉ ବାକି ରଖିଲେ ନାହିଁ ସେ ସେ ଦିନ ।

 

‘ବିନା ନାରୀରେ ତମେ ତେବେ କିପରି ଗୋଟିଏ କଉଶଳୀ କଳାକାର ହେଲ ?’–ମୁଁ ପଚାରିଲି ।

 

ସେ ମୋ ପ୍ରଶ୍ନର ସଫା ଉତ୍ତର ନ ଦେଇ ତାଙ୍କୁ ଯେଉଁ କଥାଟି ଭଲ ଲାଗିବ, ଯେଉଁ କଥାଟି ତାଙ୍କର ଲୋଡ଼ା, ସେଇଭଳି କଥା କହିବସିଲେ–‘’ସତେ–ମୁଁ କ’ଣ ପ୍ରକୃତରେ କଉଶଳୀ କକାକାର ?ତେବେ–ତେବେ–ତମ ହୃଦୟରେ ମୋ କଳାର ସ୍ଥାନ ଅଛି–ମୋ କଳାକୁ ତମେ ଭଲ ପାଅ ?’’

 

‘ନ ପାଇବି କାହିଁକି ? କଳାର ସ୍ଥାନ ପରା ସମସ୍ତଙ୍କ ହୃଦୟରେ ବୋଲି କହିଲି । ମୋର କ’ଣ ହୃଦୟ ନାହିଁ ?’’

 

‘‘ଯାହାହେଉ, ଏତେ ଦିନେ ଯାଇ ମୋ ଲେଖିବାର ସାର୍ଥକତା ବୁଝି ପାରିଲି ।’’

 

‘‘ଆଗରୁ କ’ଣ ବୁଝି ନ ଥିଲ ?’’

 

‘‘କିମିତି ବୁଝନ୍ତି ?’’

 

‘‘ଏବେ ପୁଣି ବୁଝିଲ କିମିତି ?’’

 

’’ତମର ଏଇ ପ୍ରଶଂସା–ପତ୍ରଟି ପାଇ ।’’

 

‘‘କାହିଁ ପତର ଫତର ତ ମୁଁ ଦେଇନାହିଁ କିଛି ।’’

 

‘‘ତମର ସେଇ କଥା ପଦିକଠାରୁ ଅଧିକ ଭଲ ପ୍ରଶଂସାପତ୍ର କିଏ ଦେବ ମୋତେ ?’’

 

ମୋର କେମିତି ମନ ହେଲା କହିବାକୁ–ମୁଁ ଆଉ ନ କହି ରହି ପାରିଲି ନାହିଁ–‘କବିଗୁଡ଼ାକ ବଡ଼ ଖୋସାମତିଆ–ନୁହେଁ ?’’

 

‘‘କାହିଁକି ?’’ ସେ ପଚାରିଲେ ।

 

‘‘ମିଛକୁ ସତ କରି, ତିଳକୁ ତାଳ କରି ସେ ବହୁତ ବକି ପାରନ୍ତି–ସେଥିପାଇଁ ।’’

 

‘‘କବି କ’ଣ ଯାହା କହେ, ମିଛ ?’’

 

‘‘ମିଛ କହନ୍ତି ନାହିଁ ଯେ, ମିଛକୁ ସତ କରିଦିଅନ୍ତି ତାଙ୍କ ଲେଖା ଚାତୁରୀରେ–ତାଙ୍କ କହିବା ଭଙ୍ଗୀରେ ।’’

 

‘‘ମୋର ଚାତୁରୀ ଭଲା କୋଉଠି ଦେଖିଲ ?’’

 

ମୁଁ ଆଉ ଇୟାର ଉତ୍ତର କ’ଣ ଦେବି, କିଛି ଠିକ୍‌ କରି ପାରିଲି ନାହିଁ । ଆଗ କଥାଟା ପଚାରିବାର ସାମାନ୍ୟ ସୁବିଧା ପାଇ କହିଲି–‘‘ଚାତୁରୀ ନୁହେଁ ତ ଆଉ କଅଣ ? ମୁ ଯାହା ପଚାରିଲି ତା’ର ଉତ୍ତର ନ ଦେଇ ଏଣୁ ତେଣୁ ଖୋସାମତିଆ କଥା କହି ମୋତେ ମର୍ତ୍ତ୍ୟରୁ ନେଇ ସ୍ୱର୍ଗରେ ବସେଇ ଦେଇ ଭୂଲାଇ ଦେବାକୁ ବସିଛ । ଚାତୁରୀ ଆଉ କାହାକୁ କହନ୍ତି କି ?’’

 

‘‘ତମର କୋଉଁ କଥାରେ ଉତ୍ତର ମୁଁ ନ ଦେଲି ଭଲା ?’’

 

‘‘ମନରେ କର ।’’

 

‘‘ସତ ମନେ ନାହିଁ । କହିଲି କି କଥା–ମୋ ରାଣୀଟି !’’

 

ଏଇମିତି ଭୋଳା ଲୋକ ସେ । ମୋତେ ହସ ବି ମାଡ଼ିଲା, ଭଲ ବି ଲାଗିଲା । ମୁଁ କହିଲି,‘’ଯୋଉ ପ୍ରକୃତିଟି ତମ ଭିତରେ କଳା ଜ୍ଞାନର ସଞ୍ଚାର କରିଛି, ତାରି କଥା ।’’

 

ସେ ପଚାରିଲେ–‘‘କିଏ ସେ ?’’

 

‘‘ମଲା, ତମେ କହିବ ନା ମୁଁ କହିବି ?’’

 

‘‘ମୋଠୁ ତମକୁ ସେ ଭଲ ଜଣା ।’’

 

‘‘ଭଲା କଥା ତ । ମୁଁ କିମିତି ଜାଣିଲି ତାକୁ ?’’

 

‘‘ହଁ, ତମେ ଜାଣ ।’’

 

‘‘ତେବେ ତମେ ମାନୁଛ ତମର ଜଣେ ପ୍ରେମିକା ଅଛି ।’’

 

‘‘ମୁଁ ତା’ ମନା କରି ନାହିଁ କେବେ ।’’

 

‘‘ନା, ମନା କରି ନାହିଁ ଯେ ତେବେ ସେଇଟା କିଏ ଶୁଣେ ।’’

 

‘‘ଯାହା ତମେ ଜାଣ, ତାକୁ ଆଉ ବୃଥା ଶୁଣାଇବାର ପରିଶ୍ରମ କରିବି କାହିଁକି ?’’

 

‘‘ମୁଁ ଜାଣେ ? ମୋତେ ସେ କଥା କେବେ କହିଛ କହିଲ ! ଛି, ଇମିତି ମିଛୁଆ ତମେ-?’’

 

‘‘ମୁଁ କହିନାହିଁ, କିନ୍ତୁ ତମେ ଜାଣ ।’’

 

ମୋତେ କିମିତି ଟିକିଏ ଡର ମାଡ଼ିଲା ଆଉ ଆଗକୁ ବଢ଼ିବାକୁ ଇମିତି ଗୋଟାଏ ଆଡ଼ୁଆ କଥା ନେଇ । ମନେ ପଡ଼ିଗଲା, ସେ ଯଦି ଏତେବେଳେ ଆସି ଯାଆନ୍ତି । ପଛକୁ ଚାହିଁ ଦେଖିଲି କିଏ ଯେମିତି ଗୋଟାଏ ଲୁଚିଗଲା ମୁଁ ଅନେଇଲାରୁ । ଛାତିଟାରେ ଚଉଁକିନା ଲାଗିଗଲା କଅଣ । ବିଜୁଳିବତୀର ତାରକୁ ଛୁଇଁଦେଲା ପରି ମୋ ଦିହଟା ଝିମି ଝିମି ହେଇ ଉଠିଲା ।

 

ମୁଁ କିଛି ନ କହିଲାରୁ ସେ ନୂଆ କରି କଥାଟାକୁ ରୂପ ଦେବାଲାଗି କି କ’ଣ, କହିଲେ–‘‘ଶୁଣ, ଶୁଣ, ଗପର ଏଇ ଜାଗାଟି କିମିତି ହେଇଚି ଶୁଣିଲ !’’

 

ସେ ପଢ଼ିଲେ, ମୁଁ ଶୁଣିଲି । ମୋର ଭଲ ମନେ ଅଛି ।

 

‘‘ବିମଳା ଯୁକ୍ତି ଦେଖାଇଲା, ମଣିଷ ସବୁଦିନେ ଗୋଟାଏ ପଦାର୍ଥରେ ବୋଧ ହୋଇ ରହିପାରେ ନାହିଁ । ସେ ସବୁବେଳେ ନୂଆ ନୂଆ ବସ୍ତୁର ଅନୁସନ୍ଧାନ କରି ବୁଲେ ।

 

ଅମର କହିଲା–ତା’ ଜୀବନରେ ସେ ଏଭଳି କେଭେ ଅନୁଭବ କରିନାହିଁ ।

 

ବିମଳା କହିଲା–‘‘ଅନୁଭବ ନ କରି ଯିବ କୁଆଡ଼େ ? ସମୟ ଆସିଲେ ବଳେ ବୁଝିପାରିବ ଯେ ।’

 

ଅମର ପଚାରିଲା–‘ଏଇଟା କ’ଣ କେବଳ ପୁରୁଷର ପ୍ରକୃତି–ନାରୀର ନୁହେଁ ?’’

 

ବିମଳା ବୁଝେଇ ଦେଲା ତାକୁ ଯେ, ନାରୀ ପ୍ରକୃତି ପୁରୁଷ ପ୍ରକୃତିଠାରୁ ଟିକିଏ ଅନ୍ୟ ପ୍ରକାରର । ପୁରୁଷ ଟିକି, ନୂଆ ବସ୍ତୁକୁ ପାଇଲା ମାତ୍ରେ ପୁରୁଣାକୁ ଫିଙ୍ଗିଦିଏ; କିନ୍ତୁ ନାରୀ ସହଜଲଭ୍ୟ ବା ଲବ୍‌ଧ ବସ୍ତୁକୁ ଛାଡ଼ିଦେଇ ଗୋଟାଏ ଦୁରାଶା କରିବସେ ଯାହା ନ ହେବାର, ତା’ର ପାଇଁ ।

 

ବିମଳା ଇୟା ବୁଝେଇ ଦେଉଁ ଦେଉଁ ତା’ ଆଖିରେ କୁଆଡ଼େ ଲୁହ ଜମି ଆସିଲା । ତା’ପରେ ଆଉରି କେତେ କଥା । ସବୁ ମୋର ମନେ ନାହିଁ ।

 

ପଢ଼ିସାରି ସେ ପଚାରିଲେ–‘‘କିମିତି ଲାଗିଲା ?’’

 

କହିଲି–‘‘ମୁଁ ଏତେ ବଡ଼ ବଡ଼ କଥା ବୁଝିପାରେ ନାହିଁ ।’’

 

ଏତକ କହି ଉଠିଲି । ସେ ପଚାରିଲେ,–‘‘ଶୋଇବାକୁ ଯିବ ? ସେଇ ଘରେ ବିଛଣା ହୋଇଛି ।’’ ସେ ହାତ ବଢ଼ାଇ ଦେଖାଇ ଦେଲେ ।

 

ମୋ ଦିହ କିମିତି ଥରି ଉଠିଲା । ମୁଁ କହିଲି–‘‘ଘରକୁ ଯିବି ଯେ ?’’

 

‘‘ନାହିଁ, ଏତେ ରାତିରେ ଆଉ ଯିବ କିମିତି ? ମୁଁ ଅନେଇଥିଲି ତରୁଣକୁ । କାହିଁ ସେ ତ ଆସିଲା ନାହିଁ ଏତେ ବେଳଯାଏ, କଅଣ କରିବି ?’’

 

‘‘ଘୋଡ଼ାଗାଡ଼ି କି ରିକ୍‌ସାଟାଏ ହେଲେ–’’

 

‘’ଏତେ ରାତିରେ ଆଉ କିଛି ମିଳିବ ନାହିଁ ଅବିକା, ତା’ପରେ ପୁଣି ବର୍ଷା ।’’

 

‘‘ଏତେ ରାତି କିଏ କଲା ?’’ ମୋର ଏତେ ରାଗ ହେଲା ଯେ ମୁଁ ଆଉ ଟିକିକେ କହି ପକାଇଥାନ୍ତି ଏ କଥା । କିନ୍ତୁ ରାଗଟାକୁ ସମ୍ଭାଳି ନେଇ ନିଜ ମୁହଁକୁ ନିଜେ ବାନ୍ଧି ରଖି ମୁଁ କିଛି ନ କହି ଭଦ୍ରତା ଦେଖାଇଲି ।

 

ସେ ପୁଣି ଦେଖାଇ ଦେଲେ–‘‘ସେଇଠି–ଘରେ ଆଲୁଅ ଜଳୁଛି ।’’

 

କଅଣ କରିବି ? ବାଧ୍ୟ ହୋଇ ଗଲି । ଆମେ ଯେଉଁ ଘରେ ବସିଥିଲୁ ସେଇଟା ତାଙ୍କର ଶୋଇବା ଘର–ସେ ସେଇଠି ଶୋଇଲେ । ମଝିରେ ଦଲାଣଟିଏ । ତାକୁ ପାର ହୋଇ ମୁଁ ଆରପାଖ ଘରକୁ ଶୋଇବାକୁ ଗଲି । ଆଲୁଅ ଜଳୁଥିଲା । ମୋତେ କି ବୁଦ୍ଧି ଦେଖାଗଲା କେଜାଣି, ସେଟାକୁ ଲିଭାଇ ଦେଈ ଖଟ ଉପରେ ଯାଇ ଶୋଇଲି । ପ୍ରକୃତରେ ବେଶୀ ରାତି ହୋଇ ନ ଥିଲା । ଚାକର ବାକରଙ୍କ ଖିଆପିଆ ସରି ନ ଥାଏ । ବର୍ଷା ଛାଡ଼ି ଆସୁଥାଏ ସେତେବେଳକୁ । ହେମାଳ ପବନ ପିଟୁଥାଏ ଗଛ ଗହଳିରେ ହାଲୋଳ ପକେଇ ଦେଇ । ମୁଁ କବାଟଟାକୁ ଆଉଜେଇ ଦେଈ ବିଛଣାରେ ପଡ଼ି କେତେ କ’ଣ ଭାବିଲି । ନିଦ ମୋତେ ହେଲାନାହିଁ ଆଉ ।

 

କିଶୋରବାବୁ ମୋଠୁଁ କଅଣ ଚାହାନ୍ତି ? ଏକ ଏକ କଥା ମନରେ ଉଠିଲା ଖାଲି । ସେ ଗପଟାର ଶେଷକୁ ସେ ଲେଖିଥିଲେ–ଅମର ମାନିଲା–‘କମଳା ତୁ ମନର, ଆଉ ବିମଳା ତୁ ମୋର ପ୍ରାଣର ।’’

 

କି କଥା ଇଏ ? ମନ ଜଣକଠି, ପ୍ରାଣ ଆଉ ଜଣକଠି ହେବ କେମିତି ? କେତେବେଳ ପରେ ଭାବିଲି–ନ ହେବ ବା କାହିଁକି ? ମୋର ମନର ଅଧୀଶ୍ୱର ମୋର ସ୍ୱାମୀ । ମନର କାହିଁକି, ଧର୍ମତଃ ସେ ମୋର ମନର, ଶରୀରର ସବୁଥିର ଅଧିକାରୀ । କିନ୍ତୁ ହୃଦୟଟା କାହିଁକି ବେଳେବେଳେ ତାଙ୍କ ପାଖରୁ ପଳାଇ ଆସି, ଝୁଣ୍ଟିପଡ଼ି କଚଡ଼ା ଖାଇଲାପରି କିଶୋରବାବୁଙ୍କ ପାଦ ତଳେ ବଳେ ବଳେ ଲୋଟି ହୋଇ ଯାଉଛି, ମୁଁ ବୁଝିପାରୁନାହିଁ । ମୋର ମନ ମୋତେ ବାରଣ କରୁଛି–ଏଟା ଅନ୍ୟାୟ–ପାପ; କିନ୍ତୁ ହୃଦୟ ଚାହେଁ ନାହିଁ ମନର ଆଦେଶ ମାନିବାକୁ । ମନର ଜୋର୍‌ ହୃଦୟ ଉପରେ ଚଳେ ନାହିଁ । କିନ୍ତୁ ହୃଦୟ ଯେପରି ମନ ଉପରେ ପ୍ରଭାବ ବିସ୍ତାର କରି ହସୁଛି, ମୋର ଡର ହୁଏ କେତେବେଳେ ପୁଣି ହିତରେ ବିପରୀତ ଘଟିବ ।

 

ବିମଳା ମୁହଁରେ ସେ ଯାହା କୁହାଇଛନ୍ତି ସେ ଗପରେ, ସେ ତ ଅବିକଳ ମୋରି ମନର କଥା । ସେ ତାକୁ ବୁଝିଲେ କିପରି ? ମୋର ଅମାନିଆ ମନ ଚାହେଁ–ପ୍ରକୃତରେ ଚାହେଁ–ନୂତନର ଆସ୍ୱାଦା, ନା–ନା, ଦୁଷ୍ପ୍ରାପ୍ୟର ସମ୍ଭୋଗ । ମୁଁ ପୁରୁଣାକୁ ଦୂରକୁ ଦୂରକୁ ଫିଙ୍ଗି ଚାଲିଛି ନୂତନର ଅତି ଆଶା କରି । ଯାହା ମୋର ଖୁବ୍‌ ନିକଟରେ, ଯାହାଳ ମୋର ନିଶ୍ଚିତ ଧନ, ଯାହା ଧ୍ରୁବ...ଯେଉଁ ରତ୍ନ ମୋର କେହି ଅପହରଣ କରି ନ ପାରିବେ, ଦିହଘଷା ହୋଇ ସେଟା କିମିତି ଚିଡ଼ି ମାଡ଼ି ଆସିଲାଣି-। ଆଉ ଯାହା ହବାର ନୁହେଁ–ଯାହା ପାରିବା ଅସମ୍ଭବ, ଯାହା ଚାହିଁବା ଅନ୍ୟାୟ, ତାରି ପାଇଁ ମନ ଧାଉଁଛି । ପ୍ରାଣ ଧାଉଁଛି କିଶୋରବାବୁଙ୍କୁ ନିବିଡ଼ ଭାବରେ ମୋର କରିବାକୁ । ଗୋଟାଏ ଅମାନିଆ ଘୋଡ଼ାପରି ଲଗାମ ଛିଡ଼ାଇ ଦେଇ ଯେ କୁଆଡ଼େ ଧାଇଁଛି ତା’ର ଠିକ ନାହିଁ । ଇୟାର ଫଳ ପତନ–ପରିମାଣ ସର୍ବନାଶ, ମୁଁ ବୁଝୁଥାଏଁ ।

 

କିନ୍ତୁ ଏଇ ପତନରୁ–ଏଇ ସର୍ବନାଶରୁ ରକ୍ଷା କରିବ କିଏ ? ମୁଁ ନିଜେ ? ନା–ଅସମ୍ଭବ । ମୁଁ ନିଜେ ଆଉ ନିଜର ହୋଇ ରହି ନାହିଁ । ବହୁଦନିରୁ ମୁଁ ନିଜତ୍ୱ ହରାଇଛି । ତେବେ କିଏ ରଖିବ ମୋତେ ଏ ପତନରୁ ? ଆଉ କ’ଣ କିଶୋରବାବୁ ? ହେଲେ ସେଇ ହୋଇ ପାରନ୍ତି । ସେଇ ଏକା ମୋତେ ଏ ପତନରୁ ଉଦ୍ଧାର କରି ପାରନ୍ତି । ମନର ଗୋଳିଆତକ ତାଙ୍କ ପାଖରେ ପରିଷ୍କାର କରି ପାରିଲେ ଆଉ ଅଡ଼ୁଆ ରହନ୍ତା ନାହିଁ କିଛି । ମୁଁ ନିଶ୍ଚିନ୍ତ ହୁଅନ୍ତି, ସେ ଯଦି ମୋତେ ଖାଲି ଥରେ ପଚାରନ୍ତେ–‘ତମେ ମତେ ଭଲ ପାଅ ?’ ଏତକ ।

 

କିନ୍ତୁ ସେତିକିରେ କ’ଣ ମୁଁ ଏ ପତନରୁ ରକ୍ଷା ପାଇଯିବି ? ମୋ ପତନର କେବଳ କାରଣ ଯେ ମୋ ମନକଥା ତାଙ୍କ ପାଖରେ ପ୍ରକାଶ କରିବାର ସୁଯୋଗ ନ ପାଇବା, ୟା କହିଲେ କେହି କଅଣ ବିଶ୍ୱାସ ଯିବ ? କିନ୍ତୁ ଅନେକଟା ସେଇୟା । ମନ କଥାଟାକୁ ଲୁଚେଇ ରଖି ଡରି ଡରି ମୁଁ ଯିମିତି ମରି ଯାଉଥିଲି । ସେ କଥା ଏବେ କହୁଛି କିମିତି ତାଙ୍କ ପାଖରେ, ସେ ଯଦି ଆଗ କରି ମୋତେ ତାଙ୍କ ମନ କଥାଟି ନ କହନ୍ତି । ତାଙ୍କ ମନ କଥା ମୋତେ ବୁଝିବାକୁ ବାକି ନାହିଁ । ତେବେ ବି ସାହସ ହେଉ ନ ଥିଲା–‘‘କିଶୋରବାବୁ, ମୁଁ ତମକୁ ପ୍ରକୃତରେ ଭଲ ପାଏଁ ।’’ ଏ କଥା କହିବାକୁ-। କିନ୍ତୁ କହିଲେ କ୍ଷତି କଅଣ ? ଭଲ ପାଇବାଟା କ’ଣ ଏଡ଼େ ପାପ ?

 

‘କେଭେ ନୁହେଁ !’ –ମୋ ଭିତରେ ଯିମିତି କିଏ ବଜ୍ରଦୃଢ଼ କଣ୍ଠରେ କହିଲା ଏ କଥା । ମୋର ସ୍ୱଚ୍ଛନ୍ଦ ଇଚ୍ଛାର ଗତିରୋଧ କରିବାହିଁ ପାପ । ମୋତେ ଜବରଦସ୍ତି କାହାରି ଜଣକୁ ମୋ ଇଚ୍ଛାମତେ ଭଲ ପାଇବାକୁ ନ ଦେବାହିଁ ମୋ ପତନର କାରଣ । କିଶୋରବାବୁଙ୍କଠୁଁ ମୁଁ ଯାହା ଚାହେଁ, ତା’ ଚାହିଁବା ଯଦି ପାପ ହୋଇଥାଏ, ତେବେ ମୋ ମନକୁ ଇମିତି ଅନ୍ୟାୟ ଭାବରେ ଦବେଇ ଦବାଟା କ’ଣ ପୁଣ୍ୟ ? ଭୁଲ, ମିଛ କଥା । ଜଳନ୍ତା ନିଆଁ ଉପରେ ପତର ପକେଇ ବିଞ୍ଚଣା ବିଞ୍ଚିଲେ ସେ କି ଲିଭେ ? ମୁଁ ଯେତେ ବାଧା ପାଇବି, ମୋ ମନ ତେତିକି ବିଦ୍ରୋହୀ ହେଇ ଉଠିବ । ମୁଁ ପ୍ରକୃତରେ ପତିତା ନ ହେଲେ ମଧ୍ୟ ମୁଁ ଜିଦ୍‌ ଧରି ପତିତା ହେବି । ଦେଖିବି କିଏ ମୋର କଅଣ କରିବ । ମୁଁ ତ କେବେ ପତିତା ବୋଲି ଭାବି ପାରୁ ନାହିଁ ନିଜକୁ । ତମେ ମୋତେ ପତିତା ପତିତା କହି ମୋ ମନଟାକୁ ପତନ ଭିତରକୁ ଟାଣି ନେଉଛ, ସେଥିରେ ମୋର ବା ହାତ କଅଣ ? ମୁଁ ବୁଝୁଛି କିଶୋରବାବୁଙ୍କୁ ମାର ଯେମିତି ଇଚ୍ଛା ସେମିତି କରି ତାଙ୍କଠୁ ମୋର ଯେତିକି ପାଇବାର ସେତିକି ପାଇଲେ ମୁଁ ଏହି ମାନସିକ ପୀଡ଼ାରୁ ଉଦ୍ଧାର ପାଇବି । କିନ୍ତୁ ସମାଜ ମୋତେ କରେଇ ଦେବ ନାହିଁ ତା–ସଂସ୍କାର ମୋତେ ବାଧା ଦେବ । ଦେଉ–ସେ ମୋତେ ପତିତା କରୁ । ମୁଁ ଉଚିତ ବୋଲି ଯାହା ଭାବିଛି, ତାହା କଲେ ସେ ଯଦି ମୋତେ ପତିତା କରେ, ତେବେ ମୁଁ ସେଇ ପତିତା ହେବାକୁ ରାଜି ।

 

ଭାବୁଛି, ହଠାତ୍‌ ମୁଁ ଚମକି ଉଠିଲି ଏଇଠି । କଅଣ, ମୁଁ ପତିତା ହେବାକୁ ରାଜି ? ମୋର କୁଳ ଧର୍ମ ସବୁ ତ୍ୟାଗ କରି ମୁଁ ହେବି ପତିତା ? ସେଥିରେ ମୋର ସୁଖ ହେବ ! ଜଣକ ପାଇଁ ମୁଁ ଇହକାଳ ପରକାଳ ନଷ୍ଟ କରିଦେବି ? ଛି, ଛି, ଏଗୁଡ଼ାକ ମୁଁ କଅଣ ଭାବୁଛି ବସି ? ଭଗବାନ୍‌–ଭଗବାନ୍‌ ! ମୋତେ ଏ ପାପଚିନ୍ତାରୁ ମୁକ୍ତି ଦିଅ । ମୋତେ କ୍ଷମା ଦିଅ ।

 

କିନ୍ତୁ–କିନ୍ତୁ–ଏକ ଭଗବାନ, ଯାଠି ଆଜି ମୁଁ ପ୍ରାର୍ଥନା କରୁଛି, କିଏ ସେ ? ଯେତେବେଳେ ସରଳା କୁମାରୀଟିଏ ଥିଲି, କେତେ ଦିଅଁ ଦେବତା ମୁଁ ସେବା ନ କରିଛି, କେତେ ଜହ୍ନିଓଷା ମୁଁ ନ ପାଳିଛି, ବଢ଼ିଗଲା ବେଳକୁ ମୋର ମନଲାଖି ବରଟିଏ ପାଇବି ବୋଲି; ଚାନ୍ଦକୁ ଚାହିଁ କେତେ ନ ଡାକିଛି–ହେ ଭଗବାନ୍‌, ଏଇ ଚାନ୍ଦପରି ଗୋଟିଏ ସୁନ୍ଦର ବର ହେବ କି ମୋର ! ଭୂଇଁରେ କଇଁ ଫୁଲର ଘର କରି କେତେ ଜହ୍ନିଫୁଲରେ ଚାନ୍ଦ ଲେଖେଁ–ମନଘର ଭିତରେ ଆଉ ଗୋଟିଏ କେଉଁ ଅଜଣା ରାଇଜର ଜହ୍ନ ଆସି ସତକୁ ସତ ହସି ଦେଇଗଲା ପରି ଲାଗେ । ମୁଁ ସେଇ ଚାନ୍ଦକୁ ଜୁହାର ହେଇ କେତେ ନ ଡାକିଛି ମୋର ଏଇ କଳନାଟିକୁ ସତ କରି ଦେବା ପାଇଁ । କୁଆଁର ପୁନେଇ ଭୋଗ ଖାଇବାକୁ ଆମକୁ ମନା, ମନ ବି ତ ହୁଏ ନାହିଁ ଏକା ଏକା ବସି ଭୋଗ ଖାଇଦେବାକୁ, ପ୍ରାଣ ଖୋଜେ ଆଉ ଜଣକ ସହିତ ସାଙ୍ଗ ହେଇ ଆମୋଦ କରିବା ପାଇଁ । ମୁଁ କେତେ ଡାକିଚି ସେଇ ଅଜଣା ଜଣକ କିପରି ମୋର ଖୁବ୍‌ ହୃଦୟର ହେଉ ! ହାର ଗୁନ୍ଥି ଦେବତା ବେକରେ ଦେଉଁ ଦେଉଁ କେତେ ନ ମାଗିଛି ଗୋଟିଏ ଜୀଅନ୍ତା ଦେବତାର ଗଳାରେ ଏଇପରି ବରଣମାଳା ଗଳାଇ ଦେବାକୁ, ଆଉ ସେଇ ଜୀଅନ୍ତା ଦେବତା ଯେପରି ଏକାବେଳକେ ମୋ ମନଲାଖି ହେଇଥିବ, ସେତେବେଳେ ତ ସେ ଭଗବାନ ମୋ ଡାକ ଶୁଣି ନାହିଁ ତିଳେ ହେଲେ; ଆଜି କାହିଁକି ଆଖିରେ ମୋର ଅନ୍ଧପୁଟୁଳି ବାନ୍ଧି ମୋତେ ଗୋଟାଏ ଅଜଣା ଅନ୍ଧାରି ମୁଲକର ଗମ୍ଭୀରୀ ଘର ଭିତରେ ଛାଡ଼ି ଦିଆଗଲା ପରେ, ମୁଁ ଯେତେବେଳେ ନିଜ ଚେଷ୍ଟାରେ ସେଥିରୁ ମୁକ୍ତି ପାଇବାକୁ ଯାଉଛି ସେ ନିଷ୍ଠୁର ପାଷାଣ ଭଗବାନକୁ ଡାକିବି ଏତେ ? ତାକୁ ଡରି କ୍ଷମା ମାଗିବି ବା କାହିଁକି ? ମୁଁ ଏତେ କି ଅପରାଧ କଲି କି ?

ବାହାଘର ସରିଲାରୁ ମୋତେ ଯେତେବେଳେ ଟାଣି ଓଟାରି ଗୋଟାଏ ସବାରୀ ଭିତରେ ଛାଡ଼ିଦେଇ ଆସିଲେ, ଯଦି ବାପା ମା, ଦିଅଁ ଦେବତା, ସମାଜ ସବୁ ପଥର ପାଲଟି ଗଲେ ସେତେବେଳକୁ, ଆଜି କାହିଁକି ମୁଁ ସବୁ ଶୃଙ୍ଖଳକୁ ଛିଡ଼ାଇ ଦେବାପାଇଁ ଯିବାବେଳେ ସେ ମୋତେ ଆଖି ଦେଖାଇବେ ଇମିତି ? ମୁଁ ତାଙ୍କୁ ଡରିବି କୋଉଥିପାଇଁ ? ସେ ମୋର କଅଣ କରିଛନ୍ତି କି ?

କିନ୍ତୁ ଯେଉଁ ଲୋକଟି ବେକରେ ସେ ମୋତେ ବାନ୍ଧି ଦେଇଛନ୍ତି, ସେ କଅଣ ଖରାପ ଯେ ମୁଁ ତାଙ୍କୁ ଛାଡ଼ି ଦେଇ ମୋ ଇଚ୍ଛାରେ କିଶୋରବାବୁଙ୍କୁ ଗ୍ରହଣ କରିବାଟା ଉଚିତ ହେବ ? ସେ ଯେ କିଶୋରବାବୁଙ୍କଠୁ ଅଗୁଣୀ ଏ କଥା କିଏ କହିବ ? ଅସୁନ୍ଦର ବି ତ ନୁହନ୍ତି ସେ, ବେଶ୍‌ ସୁନ୍ଦର ତାଙ୍କ ଚେହେରା । କିଶୋରବାବୁ କ’ଣ ତାଙ୍କଠୁଁ ବେଶୀ ସୁନ୍ଦର ପଡ଼ିବେ ? କେଜାଣି ଠିକ୍‌ କରି କହି ହଉ ନାହିଁ । ପହିଲୁ ପହିଲୁ ତ ସେ ମୋ ଆଖିକି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ । ଏବେ କିମିତି ଦିନକୁ ଦିନ କିଶୋର ବାବୁ ଯାହାଥିଲେ ତାଠୁଁ ବେଶୀ ସୁନ୍ଦର ହେଇ ଯାଉଛନ୍ତି ଏକା । ଗୁଣ କଥା ଧରି ବସିଲେ କେହି କାହାକୁ ଊଣା ପଡ଼ିବେ ନାହିଁ । ଦୁହେଁ ଯାକ ଖୁବ୍‌ଭଲ ମଣିଷ । ତାଙ୍କ ପରି ସରଳ ମଣିଷ ଦୁନିଆଁରେ କେହି ନ ଥିବେ; କିନ୍ତୁ କିଶୋରବାବୁ ରସିକ । ସେ ଶରଧା କରନ୍ତି; କିନ୍ତୁ କିଶୋରବାବୁଙ୍କ ପରି ହୃଦୟ ବୁଝିବା ଲୋକ ଦୁନିଆଁରେ ଖୁବ୍‌ କମ୍‌ ଥିବେ । କିଶୋର ବାବୁ ସୁନ୍ଦର କବିତା ଲେଖି ପାରନ୍ତି–ସେ ପାରନ୍ତି ନାହିଁ । ତା’ ନ ପାରନ୍ତି ବୋଲି ତାଙ୍କର ଯେ ଆଉ କିଛି ଗୁଣ ନାହିଁ ୟା କିଏ କହିବ ? ସେ ଖୁବ୍‌ ଭଲ ବକ୍ତୃତା ଦେଇ ପାରୁଥିଲେ । କଲେଜରେ ପଢ଼ୁଥିଲା ବେଳେ ସେ ଥରେ ମେଡ଼େଲ ପାଇଥିଲେ ସେଥିପାଇଁ । କିନ୍ତୁ ମୁଁ ଏଇ ଗୁଣକୁ କ’ଣ ଘୋରି ପିଇବି ? ଯେଉଁଭଳି ଲୋକ ମୋ ମନକୁ ଆସନ୍ତା, କିଶୋରବାବୁ ଥିଲେ ଅବିକଳ ସେଇ ଢଙ୍ଗର ମଣିଷ ।

ମୁଁ କ୍ରମେ କ୍ରମେ କିଶୋର ବାବୁଙ୍କୁ ତାଙ୍କଠାରୁ ଇମିତି ଉଚ୍ଚ ସ୍ଥାନ ଦେବାର ଦେଖି ନିଜେ ଆଶ୍ଚର୍ଯ୍ୟ ହେଇଗଲି । ତା’ ହବାର କଥା । ଯେତେ ଭଲ ଲୋକ ହେଉ ପଛେ, ସେ ସୁନା ମୁଣ୍ଡାଟାଏ ହେଲେ ବି, ଆଉ ଲୋକେ ତମକୁ ଯାହା ବାଧ୍ୟ କରି ଧରେଇ ଦେବେ, ନିଜର ମନକୁ ଯାଉଥିବା ନିଜ ଇଚ୍ଛାରେ ବାଛିଥିବା ନିହାତି ସାମାନ୍ୟ ଲୋକଟିଏ ବି ତାଠୁଁ ଢେର୍‌ ଭଲ ଲାଗିବ; ମଣିଷର ଯିମିତି ପ୍ରକୃତି ଏ ।

ମୋର ପଣ ତେବେ ମୁଁ ଭୁଲିଗଲି ଏକାବେଳକେ ! ହଠାତ୍ ମୋ ମନରେ ପଡ଼ିଗଲା । ମୁଁ ନିଜକୁ ପୁଣି ଧିକ୍‌କାରିଲି । ଚେଷ୍ଟା କରି ମୁଁ କିଶୋରବାବୁଙ୍କୁ ମୋ ଆଖିରେ ଛୋଟ ଦେଖିବାକୁ ଠିକ୍‌ କଲି । ତାଙ୍କୁ ନିହାତି ଖରାପ ମଣିଷ ବୋଲି ଭାବିବାକୁ ଲାଗିଲି ।

ସତେ କେଡ଼େ ବଦ୍‌ଲୋକ ସେ ! ବଡ଼ ଚରିତ୍ରହୀନ ! ଗୋଟାଏ ପର ସ୍ତ୍ରୀକୁ ଇମିତି ଭଲ ପାଇବା, ପରନାରୀ ସହିତ ଏଭଳି ରସିକତା କରିବା କ’ଣ ଭଲ ଲୋକର କାମ ? ଏଟା ବଡ଼ ଅନ୍ୟାୟ ତାଙ୍କର । ମୋତେ ଗୋଟାଏ ପେଞ୍ଚ କରି ଏଠିକି ନେଇ ଆସି ନାହାନ୍ତି ତ ଆଉ କଅଣ ?

 

ମୋତେ କାହିଁକି ଭାରି ଡର ମାଡ଼ିଲା ଇୟା ଭାବୁ ଭାବୁଁ । ଦୁଆର ମୁହଁକୁ ଅନାଇ ଦେଖିଲି ପବନରେ କି କଅଣ ଟିକିଏ ମୁହଁ ମେଲା ହେଇ ଯାଇଛି ଆଗ କବାଟ ଯୋଡ଼ିକ ।

 

ମୁଁ ପୁଣି ଭାବିଲି । ଗଛ ପତରର ହୋ–ହା କମି ଆସିଥାଏ ଟିକିଏ । ମୋତେ ହସ ମାଡ଼ୁଥାଏ ମୋ ନିଜ ଢଙ୍ଗ ଦେଖି । କାହିଁକି ଭାବୁଛି ଏଗୁଡ଼ାକ ବସି ! କିନ୍ତୁ ନ ଭାବି ରହି ପାରୁ ନ ଥାଏଁ ।

 

ସେ ମୋତେ ଯେଉଁ କବିତା ପଢ଼ାଇଲେ ସେଥିରେ ସେ କି ବେହିୟାମି ନ କରିଛନ୍ତି ! ମୁହଁରେ ମାନୁଛନ୍ତି ନାରୀ ବିନା କଳାର ସୃଷ୍ଟି ଅସମ୍ଭବ । ତାଙ୍କର ତେବେ କେଉଁ ନାରୀଟିକି ନେଇ ଏ କଳାର ସର୍ଜନା ? ଏତେ ବିରହ କବିତା, ଏତେ ରସରସିଆ ଗପ କାହା ପାଇଁ ? ପଚାରିଲାକୁ କହିଲେ, ମୁଁ ଜାଣେ । କାହିଁ ମୁଁ ତ ଜାଣି ନାହିଁ । ସେ ଯଦି ମୁଇଁ ହେଇଥାଏଁ ତେବେ ହଁ, ମୁଁ ମୋତେ ଜାଣେ–ଆଉ ଭଲ କରି ଜାଣେ । କିନ୍ତୁ ମୋତେ ଘେନି ତାଙ୍କର ଏଭଳି ରସିକତା କରିବା କଅଣ ଉଚିତ ? କି ଜଘନ୍ୟ ପ୍ରକୃତିର ଲୋକ ସେ ବାସ୍ତବିକ ।

 

କିନ୍ତୁ–କିନ୍ତୁ–ତାଙ୍କର ବା ଏଡ଼େ ସାହସ ହୋଇଥାନ୍ତା କାହିଁକି–ପ୍ରତିବଦଳରେ ମୋଠୁଁ କିଛି ପାଇ ନ ଥିଲେ ? ମୁଁ ଚାଣ୍ଡାଳୀ କଅଣ କରିଛି ତାଙ୍କୁ ମନେ ମନେ ଭଲ ପାଇ ! ଛି–ଛି, ମୋ ପରି ନାରକୀ ଆଉ କେହି ନ ଥିବେ ଏ ମହୀରେ । ମୁଇଁ ତାଙ୍କୁ ଖରାପ କରିଛି । ମୋର ଏ ନିଆଁ ଲଗା ରୂପ ସିନା ତାଙ୍କୁ କରିଛି ଏପରି । ତାଙ୍କ ପରି ଭଲ ଲୋକଟିର ସତ୍ୟାନାଶ କରିଛି ମୁଇଁ । ସେ ଦିନ ମୁଁ ତାଙ୍କ ଚିଠିର ଉତ୍ତର ଦେଇ ନ ଥିଲେ, ତାଙ୍କ ସଙ୍ଗରେ ନିଲଜୀଙ୍କ ପରି କଥାଭାଷା ହେଇ ନ ଥିଲେ ଏତେ ପର୍ଯ୍ୟନ୍ତ କଥା ଉଠିଥାନ୍ତା କାହିଁକି ? ତାଙ୍କର କି ଦୋଷ ? ମୋରି ପାଇଁ ଯେତକ ଅନର୍ଥ ସବୁ ।

 

ମନ ମୋର ତାଙ୍କୁ ଦୋଷୀ ବୋଲି ମାନିନେବାକୁ ରାଜି ହେଉ ନ ଥିଲା ଯେପରି । ମୁଁ ନିଜ ଉପରେ ବଡ଼ ଚିଡ଼ିଗଲି ୟା ଦେଖି । ମୁଁ ଚେଷ୍ଟା କଲି ପ୍ରାଣପଣେ ମନରୁ ଏସବୁ ଚିନ୍ତା ଦୂର କରିଦେବା ପାଇଁ । ବିଛଣାରେ ଏପଟ ସେପଟ ଗଡ଼ି ଆସି ଚାହିଁଲି କବାଟଟା ଠିଆ ମେଲା ହେଇ ଗଲାଣି । ମୋ ମନରେ କେମିତି ଗୋଟାଏ ଡର ଆସିଲା । ଭାବିଲି, କିଶୋରବାବୁ ଯଦି ସତରେ ମୋତେ ଭଣ୍ଡି ଏଠିକି ନେଇ ଆସିଥାନ୍ତି, ତେବେ–ତେବେ– ! ନାଃ, ଛିଃ–ସେ ଏଭଳି ଅଭଦ୍ର ନୁହନ୍ତି-

 

ତଥାପି ଡର ମାଡ଼ିଲା । ମୁଁ ଯୁବତୀ ନାରୀ, ଏକାକୀ, ପୁଣି ଅସହାୟ । ତା’ପରେ ମୋତେ ଫେର୍‌ସେ ଏତେ ଭଲ ପାଆନ୍ତି ।

 

ଦରଜା ଆଡ଼କୁ ଆଉ ଥରେ ଚାହିଁ ଦେଖିଲି, ସେଠି ଜଣେ କିଏ ଠିଆ ହେଇଛି । ଭାରି ଅନ୍ଧାର ହୋଇଥାଏ । ଲୋକ ଚିହ୍ନି ହେଉ ନ ଥାଏ । ଭାବିଲି ଆଉ କ’ଣ ଚୋର ?–ନା ୟାଙ୍କ ଚାକର ବାକରଙ୍କ ଭିତରୁ କେହି, ଘରେ କିଛି କାମ ଅଛି ବୋଲି ଇୟାଡ଼ିକି ଆସିଛି ? ଲୋକଟା କ୍ରମେ ମୋ ଆଡ଼କୁ ଆସିଲା । ମୁଁ ଧଡ଼ପଡ଼ ହେଇ ଉଠିପଡ଼ିଲି । ସେ ଆସି ମୋ ଖଟକୁ ଟିକିଏ ଛାଡ଼ି ଗୋଟାଏ ଜାଗାରେ ଠିଆ ହେଲା । ମୁଁ ପାଟି କରିବାକୁ ମନ କଲି, ସାହାସ ହେଲା ନାହିଁ । ପଳେଇ ଯିବାକୁ ମନ କରି ଦୁଆର ମୁହଁକୁ ଚାହିଁ ଦେଖିଲି ଯେ ଦୁଆରଟା ବନ୍ଦ । ଚୋର କେଭେଁ ୟା କରନ୍ତା ନାହିଁ । ଏ ନିଶ୍ଚୟ–

 

ଭାବୁଛି, ସେ ଲୋକଟା ମୋ ଆଡ଼କୁ ହାତ ବଢ଼େଇଲା । ଚୋର କ’ଣ ତେବେ ମୋ ଦେହରୁ ଗହଣା ନେବାପାଇଁ ହାତ ବଢ଼ଉଛି ? କିନ୍ତୁ ସେ କୌଣସି ଗହଣା ନାଇବା ଜାଗାକୁ ହାତ ନ ନେଇ ମୋ ପାଖକୁ ଲାଗିଆସି ମୋ କାନ୍ଧରେ ହାତ ପକେଇ ଦେଲା ।

 

ମୁଁ ଚମକି ପଡ଼ିଲି । ମୋର ବୁଦ୍ଧି ହଜିଗଲା । ପାପ ଭୟର ଗୋଟାଏ ଇମିତି ଅନ୍ତର–ଦାହିକା ଶକ୍ତି ଥାଏ ବୋଲି ମୋତେ ଆଗରୁ ଜଣା ନ ଥିଲା । ଗୋଡ଼ ପାଖରୁ କେଶର ଶେଷଯାଏଁ ଗୋଟାଏ ହୁଳା ଉଠିଲା ଯିମିତି । କମ୍‌ ରାଗି ବି ନାହିଁ ମୁଁ । ହାତଟାକୁ ତା’ର ଛିଞ୍ଚାଡ଼ି ଦେଇ ତା’ ପାଖରୁ ଦୁଇହାତ ଦୂରକୁ ହଟିଯାଇ କହିଲି–‘‘ଏ ହୀନ ବୁଦ୍ଧି ତମକୁ କିଏ ଦେଲା କିଶୋରବାବୁ ? ଛି ଏଡ଼େ ବିଶ୍ୱାସଘାତକ ସଇତାନ ତମେ ?’’

 

ସେ ଲୋକଟା ଚିପି ଚିପି ହସିଲା ।

 

ମୁଁ କହିଲି–‘‘ଛି, ଏଡ଼େ ନିଲଜ ତମେ–ଆଉରି ହସୁଛ ?’’

 

ତା’ର ଉତ୍ତର ପାଇ ମୁଁ ଚମକି ପଡ଼ିଲି–‘‘ମୁଁ କିଶୋର ନୁହେଁ–ତରୁଣ ।’’

 

ଗଛ ପତର ସବୁ ଯିମିତି ଢାଳି ଦେଇ ଉଠିଲେ ଏକାଥରେ ।

 

ସେଦିନ ସେ ସେଇଠି ଆମକୁ ଖୋଜୁ ଖୋଜୁ ବରଷା ହେଲା ବୋଲି କଉଠି ଠାଏ ରହିଯାଇଥିଲେ । ବରଷା ଯାଇ ରହିଲାରୁ ବସାକୁ ଫେରିଲେ । ମନେ କରିଥିଲେ କିଶୋରବାବୁ ମୋତେ ବସାରେ ଆଣି ଛାଡ଼ିଦେଇ ଯାଇଥିବେ । ସେଠି ଯେତେବେଳେ ମୋତେ ନ ଦେଖିଲେ ସେ ଦଉଡ଼ିଲେ କିଶୋରବାବୁଙ୍କ ଘରକୁ–ସେଇ ବରଷାରେ । ତାଙ୍କର ବୋଧହୁଏ ମୋ ଉପରେ କିମିତି ସନ୍ଦେହ ହେଲା । ହବାର କଥା । ତାଙ୍କୁ ଏକୁଟିଆ ଛାଡ଼ିଦେଇ ଆମ ବସାକୁ ନ ଆସି କିଶୋରବାବୁଙ୍କ ସାଙ୍ଗରେ ତାଙ୍କ ଘରକୁ ଚାଲିଯିବାଟା ମୋତେ ତ ମାଡ଼ି ପଡ଼ୁଥାଏ କାହିଁରେ କଅଣ, ତାଙ୍କର ବା ସନ୍ଦେହ ନ ହେବ କାହିଁକି ? ତା’ପରେ ପୁଣି କିଶୋରବାବୁଙ୍କ ସହିତ ମୋର ଯେତେ କଥାବାର୍ତ୍ତା ଆଳାପ ସବୁ କୁଆଡ଼େ ସେ ଛକି ଛକି ଶୁଣିଥିଲେ ସେଦିନ । ବୋଧହୁଏ ସେଥିଲାଗି ମୋତେ ପରଖିବା ପାଇଁ ଏତେ ରାତିରେ ମୋ ଶୋଇଲା ଘର ଭିତରେ ପଶି ଏ କାଣ୍ଡ କଲେ । ମୁଁ ଯହୁଁ କହିଲି–‘‘ଯଦି ପାଟି କରିଥାନ୍ତି ?’’ ବେହିୟାଙ୍କ ପରି ସେ ଉତ୍ତର ଦେଲା–‘‘ମୁଁ ତମକୁ ଚୋରି କରି ନେଇ ପଳେଇଥାନ୍ତି ।’’

 

ସେ ଯାହାହେଉ ସେଇ ଦିନଠୁଁ ସେ ମୋତେ ଏତେ ବିଶ୍ୱାସ କଲେ ଆଉ ଇମିତି ଭଲ ପାଇଲେ ଯେ କହିବାକୁ ନାହିଁ । ମୁଁ ବି ଟିକିଏ ନିଶ୍ୱାସ ମାଇଲି ହାଲୁକା କରି । କିନ୍ତୁ ତାଙ୍କୁ ଏକା ଗୋଟାଏ ପାହି ପଡ଼ିଗଲା କିଶୋରବାବୁଙ୍କ ଦାୟିକା ଦେଇ ମୋତେ ଚିଡ଼େଇବା ଲାଗି । ମୁଁ କୋଉଠି ଏକୁଟିଆ ବସିଥିଲେ କି ସଞ୍ଜବେଳେ ବୁଲି ବାହାରିଲେ ସେ ଥଟ୍ଟା କରନ୍ତି ‘କିଶୋର ଆସିବଟି !’ ମୁଁ ହସିଦିଏଁ ସେ କଥାକୁ । ସେଟା ଉପରେ । ଭିତରେ ମୋର ଯେ କଅଣ ହୁଏ ତା’ ସେ ଜାଣନ୍ତେ କିମିତି ନା ଆଉ କିଏ ଜାଣିବ କେଉଁଠୁ ?

 

କିଶୋରବାବୁଙ୍କୁ ତାଙ୍କର ସନ୍ଦେହ ହେଲା କି ନାହିଁ ସେ ମୋତେ ସେ ବିଷୟରେ କିଛି କହନ୍ତି ନାହିଁ; କିନ୍ତୁ ତାଙ୍କ ତାଙ୍କ ଭିତରେ ମୋ ନ ଥିଲାବେଳେ କି କଥାବାର୍ତ୍ତା ହେଇଛି କେଜାଣି, କିଶୋର ଆଉ ଆମ ଘରଠିକି ଆସନ୍ତି ନାହିଁ ଆଜିକାଲି ।

 

ମୁଁ କହିଲି, ଯାଃ ଭଲ ହେଇଛି ସେ ନିଆଁଲଗା ଆଉ ଏଠିକି ନ ଆସୁଛନ୍ତି ତ । ଏଥର ମୁଁ ଦିଅଁ ଦେବତାଙ୍କୁ ବହୁତ ଜୁହାର ନେହୁରା ହେଲି ମୋ ମନକୁ ଭଲ କରିଦେବାପାଇଁ । ମନେ ମନେ ଭଗବାନଙ୍କୁ ସାକ୍ଷୀ ରଖି ନିୟମ କଲି, ଆଉ କେଭେ ତାଙ୍କ ଚରଣରୁ ଅନ୍ୟ ଆଡ଼କୁ ଟଳିବି ନାହିଁ ।

 

ଏଣିକି ବାରବ୍ରତ କଲି । ଆଉ ଆଗ ପରି ଫେଚକା ହେଲି ନାହିଁ । କଉଁଠିକି ବୁଲିଗଲେ ୟାଙ୍କୁ ସାଙ୍ଗରେ ନେଇଯାଏ । ଦିନବେଳେ ଘରୁ ବାହାରେ ନାହିଁ । ଇମିତିକି କାହାରି ଆଗରେ ବି ହୁଏ ନାହିଁ ।

 

ମୋର ଏ ଢଙ୍ଗ ଦେଖି ସେ ବି ଟିକିଏ ଆଶ୍ଚର୍ଯ୍ୟ ହେଲେ; କିନ୍ତୁ ମୋତେ କିଛି କହିଲେ ନାହିଁ । ମୋର ଯଉଥିରେ ଖୁସି, ତାଙ୍କର ମନା କରିବାକୁ ମନ ହୁଏ ନାହିଁ କି କଅଣ ତହିଁକି । ମୁଁ ଦେଖିଲି, ନିଜକୁ ଜବରଦସ୍ତି ଚେଷ୍ଟା କରି ବାନ୍ଧି ରଖିବାରେ ତ ବେଶ୍‌ ସ୍ୱାଧୀନତା ଅଛି ।

 

ପିଞ୍ଜରାରେ ଚଢ଼େଇର ବି ସ୍ୱାଧୀନତା ଥାଏ । ଆଧାର ପାଇଁ ଭାବିବାକୁ ହୁଏ ନାହିଁ କେବେ । ବିପଦର ଭୟ ବି ନ ଥାଏ ତା’ର । ପୋଷ ମାନିଗଲେ ତା’ର ଯେଉଁ ସ୍ୱାଧୀନତା ସେ ସ୍ୱାଧୀନତା ସେ ବଣ ଖମାଣରେ ପାଆନ୍ତା କେଉଁଠି ?

 

ସେଇ ପିଞ୍ଜରାରେ ଚଢ଼େଇ ପରି ମୁଁ ବଳେ ବଳେ ପୋଷ ମାନି ନେବାକୁ ମନ କରୁଥିଲି-। କିନ୍ତୁ ସେଇଟା ଯେ ମୋ ଜୀବନର ଚରମ ଗତି, ପରମ ପଦ, ଇୟା ମୁଁ ଯେତେ ଚେଷ୍ଟା କଲି, ମାନି ନେଇ ପାରିଲି ନାହିଁ କେଭେଁ ।

 

ମୋର ମନେ ହେଲା, ଏ ଜୀବନଟା କଦାପି ବାନ୍ଧିଛନ୍ଦି ରହିବା ପାଇଁ ହୋଇନାହିଁ । ତା’ ହୋଇଥିଲେ ମଣିଷ ଭିତରେ ହୃଦୟ ବୋଲି ଗୋଟାଏ ଏଡ଼େ ବଡ଼ ଦରବର ଗନ୍ଧ ବି ନ ଥାନ୍ତିା । ଦେହଟାକୁ କିଜାଣି ହେଟାଗୋଡ଼ି ପକାଇ ଅଟକାଇ ରଖିହେବ, କିନ୍ତୁ ହୃଦୟଟାକୁ ବାନ୍ଧି ରଖିବାଭଳି କ୍ଷମତା କାର ଅଛି ଦୁନିଆରେ ? ନଈସୁଅ ଭଳି ହୃଦୟ ଯେଉଁଆଡ଼କୁ ଢଳିଯାଏ ଆଉ ସେ ଲେଉଟି ଆସେ ନାହିଁ । ବନ୍ଧ ବାନ୍ଧିଲେ ବି ଭାଙ୍ଗିଦେଇ ଚାଲିଯିବ । ଜଣକର ହୃଦୟକୁ ଆଉ ଜଣେ ତା’ର ଇଚ୍ଛା ଅନୁସାରେ ଖେଳେଇବା ତ ଦୂରର କଥା, ନିଜେ ବି ନିଜ ହୃଦୟକୁ ଆୟତ୍ତରେ ସମ୍ଭାଳି ରଖିବା କାଠିକର ପାଠ । ମୋରି କଥାରୁ ମୁଁ ଏଟା ଭଲକରି ବୁଝି ପାରୁଥିଲି ।

 

ମୂଳରୁ ମୁଁ ଚେଷ୍ଟା କରୁଛି କିଶୋରବାବୁଙ୍କ ପାଖରୁ କିମିତି ଦୂରରେ ରହିବି । କିନ୍ତୁ ଲାଭ କଅଣ ସେଥିରେ ? ମୁଁ ସିନା ଲୁଚି ଛପି କଣରେ ରହିଲି, ମୋ ମନଟାକୁ–ମୋ ହୃଦୟଟାକୁ ମୁଁ ଗୋଟାଏ କଉଠି ଲୁଚାଇ ରଖିବି ଇମିତି ଏକୁଟିଆ ଜାଗା କାହିଁ ଦୁନିଆରେ ?

 

ମୋର ମନେ ହେଲା–ନାଁ, ମୁଁ ଭଲ କରି ବୁଝିଲି–ଭଲ ପାଇବାଟା ମଣିଷ ହୃଦୟର ଏଡ଼େ ଛୋଟ ଗୁଣଟେ ନୁହେଁ ଯେ ତାକୁ କେହି ତିନିଗାର କାଟିଦେଇ ପାରି ନ ହେବାକୁ ବାଧ୍ୟ କରି ରଖିବ । ଭଲ ପାଇବାଟା ବଢ଼େ ଦିଆନିଆରେ । ଯେତିକି ତା’ ପାଇଁ ତମେ ସୀମା ଠିକ୍‌ କରି କରିକା ଯାଉଥିବ, ସେ ସେତିକି ସେତିକି ଶୁଖି ଶୁଖି ଯାଉଥିବ । ପ୍ରେମକୁ ମନୁଷ୍ୟ ଯେତେ ସୀମାବଦ୍ଧ କରେ, ସେ ସେତେ ନୀଚ ହୁଏ । ଯେତେ ଅପର୍ଯ୍ୟାପ୍ତ କରିଦିଏ, ସେତେ ଉନ୍ନତ ହୋଇଯାଏ । ପ୍ରେମ ଭଳି ଗୋଟାଏ ବିରାଟ ପଦାର୍ଥକୁ ଆବଦ୍ଧ କରି ରଖିବା ବାଇୟା ପାଗଳାର କଳ୍ପନା । ଭଗବାନ ମନୁଷ୍ୟ ଭିତରେ ଭଲ ପାଇବା ଦେଇଛି, ପ୍ରେମ ଦେଇଛି, ତା’ର ସମସ୍ତ ସୃଷ୍ଟିକି ଭଲ ପାଇବା ଲାଗି । ଗୋଟାଏ ଜାଗାରେ ମନପ୍ରାଣ ସବୁଟାକୁ ବାନ୍ଧି ପକାଇ ଜୀବନର ମୁକ୍ତି ଚାହିଁବା ଧୃଷ୍ଟତା ନୁହେଁ ତ ଆଉ କଅଣ ?

 

ଭାବେଁ, ବୋଧହୁଏ ତେବେ ବି ଶୃଙ୍ଖଳାର ଆବଶ୍ୟକତା ଅଛି । ପବନ ଭଳି ବ୍ୟାପକ ତ କିଛି ନାହିଁ ସୃଷ୍ଟିରେ । ସେ ସମସ୍ତଙ୍କର ପ୍ରାଣ । ତା’ ବୋଲି ଝଡ଼ ତୋଫାନର ଆବିର୍ଭାବ ଖାଲି ବିପ୍ଳବ ଆଣି ଦେବାପାଇଁ, ସର୍ବନାଶ କରିଦେବା ପାଇଁ ଖୋଜେ ତ ନାହିଁ କେହି ।

 

ବରଷା ଜଳ ଯେତେ ମାଡ଼ିଯାଏ ସେତେ ଗୋଳିଆ ପାଲଟେ । କୂଅ ପୋଖରୀରେ କାହିଁ ଜଳ ତ ଗୋଳିଆ ହୁଏ ନାହିଁ ସେତେ । ପ୍ରେମଟା ବି ବୋଧହୁଏ ଯେତେ ଶୃଙ୍ଖଳା ଲଙ୍ଘନ କରି ଚାଲିଯାଏ, ସେତେ ଆବିଳ ହୁଏ–ଯେତେ ସୀମାବଦ୍ଧ ହୋଇ ରହେ, ସେତେ ନିର୍ମଳ ମଧୁର ହୁଏ ।

 

ମୁଁ ନିଜକୁ ଖୁବ୍‌ ବେଶି ନିୟମରେ ରଖିବାକୁ ଚାହିଁଲି । ଘର ଭିତରୁ ବାହାରକୁ ଯାହା ଯେମିତି ଥରେ ଅଧେ ଯାଉଥିଲି ଆଉ ଗଲି ନାହିଁ । ଭାଗବତ ପଢ଼ି ବସେ, ମନ ଲାଗେ ନାହିଁ ସେଥିରେ । ଉପନ୍ୟାସ ପଢ଼ିବାକୁ ଡର ମାଡ଼େ । ସେଥିପାଇଁ ବସି ବସି କାର୍ପେଟ ବୁଣେ । ଆଉ ଯାହାକି ଘର କାମ ଥାଏ କରେଁ । ମନଟାକୁ ନାନା ବିଷୟରେ ଭୁଲେଇ ଦାବାକୁ ଚେଷ୍ଟାକରେଁ । ଏଇ ନିୟମ ସଂଯମ ଭିତରେ କିନ୍ତୁ ସବୁବେଳେ ମୋ ମନରେ ସେହି ପ୍ରଶ୍ନ ଉଠୁଥାଏ–‘‘ମୋତେ ମୁଁ ଇମିତି ବାନ୍ଧି ରଖି କଅଣ ଶାନ୍ତି ପାଇ ପାରିବି ?’’ ଏ ଭାବନାରୁ ଆଉ ମୁଁ ନିଷ୍କୃତି ପାଇ ପାରିଲି ନାହିଁ ଦିନେ ।

 

ସେ ଘରକୁ ଆସିଲେ ମୁଁ ଚେଷ୍ଟା କରି ଭାବେ–ଏଇ ମୋର ଦେବତା, ଏଇ ମୋର ଗତି ମୁକ୍ତି ସବୁ । ହିନ୍ଦୁ ଧର୍ମର ପୋଥି ପୁରାଣ ତ ଏଇୟା କହେ । ମୁଁ ମୂର୍ଖ, ଆଉ ଗୋଟିଏ ନାହିଁ–ନ ଥିଲାର ଆଶାରେ ଇମିତି ବାୟାଣୀ ପରି ହଉଛି କାହିଁକି ତେବେ ? ପ୍ରକୃତରେ ଏକା ଏଇ ଅଧିକ ଗୋଟାଏ ପାଇବାର ଆଶା କରି ମଣିଷ ତା’ର ଜୀବନର ଯାବତ୍‌ ଜଞ୍ଜାଳକୁ ଆପେ ଆପେ ଡାକି ଆଣେ । ଯାହା ଅଛି ସେତିକିରେ ମନ ମାରି ରହିବାଠୁଁ ସୁଖ ଆଉ କଅଣ ଅଛି ଜୀବନରେ ?

 

ମୁଁ ଆପେ ଆପେ ଯାଇଁ ତାଙ୍କ ପାଖରେ ବସେଁ । କିଛି କଥା ନ ଥିଲେ ବିଞ୍ଚିଦିଏଁ । ଆଖିବୁଜି ଦେଇ ଚାରିଆଡ଼ୁ ମନଟାକୁ ଟାଣି ଓଟାରି ନେଇ ତାଙ୍କଠି ଠୁଳକରି ତାଙ୍କ ରୂପକୁ ଧିଆନ କଲା ପରି ଚାହିଁ ବସିଥାଏ । ତାଙ୍କ ଗୁଣ ସବୁ ମନରେ ପକାଇ ତାଙ୍କୁ ଭଲ ପାଇବାକୁ ଚେଷ୍ଟା କରେଁ-। ସେ ଯେବେ ମୋତେ ଶରଧା କରନ୍ତି, ଭାରି କାନ୍ଦ ମାଡ଼େ ।

 

ଏତେ କଥା କରୁଁ କରୁଁ ବି ଭିତରଟା ଥୟ ଧରି ଆଉ ରହିପାରୁ ନ ଥିଲା । ସେ ନ ଥିଲାବେଳେ ମୋର ଖାଲି ମନେ ପଡ଼େ ଆଉ କେତେ ଦିନ ଇମିତି ଚଳିବ ? ଏଇ ଅନ୍ଧାରରେ ଆଉ କେତେ ଦିନ ପଡ଼ି ଦହଗଞ୍ଜ ହେଉଥିବି ? କହିବ ଯେ ମୁଁ ଇମିତି କାହିଁକି ଭାବିଲି । କିନ୍ତୁ ତମେ ବି ହୋଇଥିଲେ ସେଇମିତି, ଭାବିଥାନ୍ତ ସେତେବେଳେ । ଭଲ ପାଇବାଟା ଯେ କଅଣ, ମଣିଷ ତା’ ଭଲକରି ଜାଣିବା ଆଗରୁ ତା’ର ଭଲ ପାଇବା ପାଇଁ ତମେ ପରଲୋକ ଯଦି ଜବରଦସ୍ତି ଜଣକୁ ଧରେଇ ଦେଇ ଜଗିବସ,–ସେ ଯଦି ଥକିପଡ଼ି ଛାଡ଼ିଦିଏ କେବେ, ତେବେ ତା’ଉପରେ ଅଣବିଚାର କରି ଦଣ୍ଡ ବିହିବା ଲାଗି, ତା’ ହୃଦୟଟା ଯେ କିଭଳି ଛଟପଟ ହେଉଥିବ ଏହି ନୃଶଂସତାରେ, ତମେ ଟିକିଏନାକୁ ନିରପେକ୍ଷ ହୋଇ ଭାବିଲ ! ପୁରି କ୍ଷୀରୀ ବି ହେଲା; ଜଣକୁ ମାଡ଼ିବସି ଗିଳେଇଲେ କଅଣ ତା’ ଭଲ ଲାଗିବ ତାକୁ ? ମୁଁ ତ କହୁଛି, ମୋର କାହିଁକି କ୍ରମେ ଏଟା ବେଶୀ ମନେ ହେଲା ଯେ ମୋ ବାହାଘରଟା ମୋ ପ୍ରତି ଗୋଟାଏ ଜବରଦସ୍ତି–ସେଥିପାଇଁ ଅନ୍ୟାୟ–ଅତ୍ୟାଚାର । ତମେ ତାକୁ ଭଲ କୁହ ବା ମନ୍ଦ କୁହ ।

 

ମନକୁ ଯେତେ ପର୍ଯ୍ୟନ୍ତ ପାରେଁ, ବାନ୍ଧିଛନ୍ଦି ରଖିବାରେ ମୁଁ ଟିକିଏ ହାଲୁକା ବୋଧ କରୁଥିଲି । ମନ ଭିତରେ ଯଦି ବା ଗୋଟାଏ ସମସ୍ୟାର ସମାଧାନ ପାଇଁ ପ୍ରବଳ ଆନ୍ଦୋଳନ ଲାଗିଥାଏ, ବାହାରକୁ ବେଶ୍‌ ନିରୀହ ଜଣାଯାଉଥିଲି ଠିକ୍‌ ଗହୀର ନଈ ପରି । ମୋର ଏଭଳି ଢଙ୍ଗ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ; ଆଉ କାହିଁକି କେଜାଣି ଡରିଲେ ବି–ମୁଁ ତାଙ୍କ କଥାବାର୍ତ୍ତା ଢଙ୍ଗଢାଙ୍ଗରୁ ଏଟା ବେଶ୍‌ ବୁଝି ପାରିଲି ।

 

ତମେ ଯେତେ ସତୀ ସୀତାଙ୍କ କଥା ବୁଝାଅ ପଛେ, ମଣିଷ ଦିହ ବହି ସେ ରୂପକଥାର ଅନୁରୂପ ହେବ କିଏ ? ସେଗୁଡ଼ାକ ଖାଲି କଥାର କଥା–ବୋଧହୁଏ ନାରୀ ହୃଦୟର ବହୁଦୂରରେ ଥିବା ନିଷ୍ଠୁର ପୁରୁଷର ଉପନ୍ୟାସ ଲେଖା କିମ୍ବା ନାରୀ ଜାତିଟାକୁ ନିବିଡ଼ ଭାବରେ ଉପଭୋଗ କରିବା ପାଇଁ ଗୋଟାଏ ମିଥ୍ୟା ଆଦର୍ଶ କଳ୍ପନା । ମୋତେ ତମେ ଦୋଚାରିଣୀ କହ, ଅସତୀ କହ, ଯାହା ଇଚ୍ଛା ତାହା କହ, ମୁଁ ଦିନେ ଯାହା ବେଶ୍‌ ବୁଝିପାରି ଥିଲି, ଠୁଳେ କପଟ ନ ରଖି ଠିକ୍‌ ସତ କଥା କହୁଛି ଯେ, ଯଉବନର ଶିଉଳିଲଗା ପଥରେ କେହି ନ ଖସି ରହି ପାରି ନାହିଁ–ପାରିବ ନାହିଁ ।

 

ମୋ ଜାଣତରେ ନିଜକୁ ଏତେ ତାଗିଦାରେ ରଖୁ ରଖୁ ବି ନିତି ସଞ୍ଜବେଳେ ଛାତ ଉପରକୁ ଯାଇ ନଈବନ୍ଧ ଆଡ଼କୁ ଚାହିଁ ଦଣ୍ଡେ ନ ବସିଲେ ମୋର ଚଳିଲା ନାହିଁ । ଆଉ କିଛି ନୁହେଁ, କିଶୋର ବାବୁ ଆମଘର ବାଟେ ନଈ ବନ୍ଧ ଉପରେ ନିତି ସେତିକିବେଳେ ଯେ ବୁଲି ଯାଆନ୍ତି, ବୋଧହୁଏ ତାଙ୍କୁ ଟିକିଏ ଦେଖିବା ପାଇଁ କି କଅଣ ମୁଁ ଇୟା କରେଁ । ସେ ମୋ ଆଡ଼କୁ ଚାହାନ୍ତି ବି ନାହିଁ । ଭଲ ମଣିଷଟି ପରି ସେ ତାଙ୍କ ବାଟରେ ଚାଲିଯାଆନ୍ତି । ମୁଁ ତଳକୁ ପଳେଇ ଆସେଁ । ଭାରି ଡର ମାଡ଼େ କାଳେ କେତେବେଳେ ମନ ତଳେ ଲୁଚି ରହି ରହି ତାଙ୍କ ପ୍ରତି ମୋର ସେ ଯେଉଁ ଭଲ ପାଇବାଟା ପୁଣି ପ୍ରବଳ ହୋଇ ଉଠିବ !

 

ନିହାତି ଆଉ ନିଜକୁ ସମ୍ଭାଳି ନ ପାରି ଦିନେ ତାଙ୍କୁ କହିଲି–‘‘ମୋତେ ମା’ଙ୍କ ପାଖରେ ଗାଁରେ ନେଇ ଛାଡ଼ି ଆସ । ଏଠିକା ଖରଚକୁ ଆଉ ପାରି ହେବ ନାହିଁ । ମାହାନ୍ତି ଟୋକାଟିଏ ରଖିଲେ ରୋଷେଇବାସ କାମଦାମ ସବୁ କରିବ ଯେ, ଆଉ କିଛି ଅସୁବିଧା ହେବନାହିଁ ।’’

 

ମୋର ଜିଦ୍‌ ଦେଖି ସେ ଆଉ ମନା କରି ପାରିଲେ ନାହିଁ । ଇଚ୍ଛା ନ ଥିଲେ ବି ସେ ମୋତେ ଗାଁରେ ନେଇ ରଖି ଆସିଲେ ।

 

ଦିନେ ଏଇ ଗାଁରୁ ମୁଁ ଛାଟିପିଟି ପଳେଇ ଆସିଥିଲି ଆଲୋକ ପାଇବା ପାଇଁ ସହରକୁ । ଆଜି ସହରରେ ରହିବାକୁ ସାହସ ହେଉ ନାହିଁ ବୋଲି ଫେରି ଆସୁଛି ସେଇ ଅନ୍ଧାରି ମୁଲକକୁ ଆପଣା ଦୋଷରୁ–ଗାଁ ଯେ ମୋତେ ସହରଠୁ ଭଲ ଲାଗିବ ଏ ଆଶାରେ ନୁହେଁ, ଗୋଟାଏ କି ସଙ୍କଟରୁ ରକ୍ଷା ପାଇବାଲାଗି ।

 

ଗାଁକୁ ଆସି ଦେଖିଲି ବିପଦଟା ବଢ଼ି ପଡ଼ିଲା । କିଶୋର ବାବୁଙ୍କୁ ଦେଖି ଛାତ ଉପରୁ ପଳେଇ ଆସିଲେ ରକ୍ଷା ମିଳୁଥିଲା, କିନ୍ତୁ ଦୂରରେ ଥାଇ ଯେ ତାଙ୍କ କଥା ଘଡ଼ିକ ପରେ ଘଡ଼ିକେ ମନେ ପଡ଼ି ପ୍ରାଣଟାକୁ ଉଚାଟ କରି ବସିଲା । ଭଲପାଇବା ଲୋକ, ପାଖରେ ନ ଥାଇ ଦୂରରେ ଥିଲେ ଭଲ ପାଇବାଟା ବେଶୀ ବଢ଼ିଯାଏ କି କଅଣ, ସେଥିପାଇଁ ।

 

ଦିନେ ବସିଚି, ହାଟରୁ ଫେରିବା ବେଳକୁ ସେ ସାହିର ସପନି ଆସି ଖଣ୍ଡେ ଚିଠି ପକେଇ ଦେଇ ଗଲା ଦାଣ୍ଡ ପିଣ୍ଡାରେ, ଗୋଟିଏ ମସ୍ତବଡ଼ ପାଟିରେ ଡାକଟାଏ ଦେଇ–‘ତମର ଚିଠି ଆସିଛି ହୋ, ରଖ ।’ ମୁଁ ଭାବିଥିଲି ଅବା ତାଙ୍କ ଚିଠି ହେଇଥିବ । କିନ୍ତୁ ଗୋଲାପୀ ଲଫାପାଟି ଉପରେ ମୋତି ଭଳି ନିର୍ମଳ ଅକ୍ଷର ଗୁଡ଼ିକ ଦେଖି ମୋତେ ଆଉ ବୁଝିବାକୁ ବାକି ରହିଲା ନାହିଁ କିଛି ଯେ ସେ କିଶୋର ବାବୁଙ୍କ ଚିଠି । ଚିଠିଟାକୁ ଖୋଲି ପଢ଼ିଲି–

 

‘‘ଏ ଜୀବନରେ ଆଉ କେବେ ଦେଖା ହେବ କି ନାହିଁ ସନ୍ଦେହ । ଯେ ଦୁଃଖୀ, ଯେ ଆଭାଗା, ତା’ ପକ୍ଷରେ ସୁଖ ସପନ ଦେଖିବା ଯାହା, ତମଠାରୁ ଭାଷା ଖଣ୍ଡିଏ ଆଶା କରିବା ତାହାହିଁ ହୋଇପାରେ; କିନ୍ତୁ ଆଜି ମୁଁ ବୁଝୁଛି ଯେ ଏଇ ଦୁଃଖଭରା ଜୀବନ ଭିତରେ ସେଇ ଆଶା ଟିକକ ହିଁ ସୁଖ । ତମେ ଚିଠି ଦେଇ ନ ପାର–ବୋଧହୁଏ ଦେବ ନାହିଁ । କିନ୍ତୁ ମୋର ପ୍ରାଣ ଜନମ ଜନମ ପରେ ବି କେବେ ହେଲେ ତମର ଆଦର ଭୁଲି ପାରିବ ନାହିଁ । ଜାଣେ ନାହିଁ ତମଠାରେ ମୁଁ କି ଅପରାଧ କରିଛି । ସେଥିପାଇଁ କାକୁତି କରି ପଚାରିଛି, ମୋର ସେ ଅପରାଧଟା କଅଣ ଏଡ଼େ ଗୁରୁତର ଯେ ତମର ସଙ୍ଗସୁଖରୁ ବଞ୍ଚିତ କରି ପ୍ରାଣଦଣ୍ଡଠାରୁ ଅଧିକ କଠିଣ ଦଣ୍ଡବିଧାନ କରିଦେଇ ଗଲ ? ମୋ ପ୍ରାଣରେ ଯେତେ ବ୍ୟଥା, ତା’ କଅଣ ତମେ ଜାଣ ନାହିଁ ଯେ ମୋତେ ଦୁଃଖ ଉପରେ ଦୁଃଖ ଦେଇ ଏଠାରୁ ଅନ୍ତର ହୋଇଗଲ ଏକାବେଳକେ ? ବନ୍ଧୁମାନଙ୍କ ସହିତ ଆଳାପ ମିଳାମିଶା ଯେ ଦୁଃଖୀଜନର କେଡ଼େବଡ଼ ଆଶ୍ୱାସନା ତା’ ମୁଇଁ ଜାଣେ–ତମେ ଜାଣିବ କଉଠୁଁ ? ତେବେ, ଏତିକି ଅନୁରୋଧ କରୁଛି, ଯଦି ଭୁଲିଯିବାକୁ ମନଥାଏ ଭୁଲିଯାଅ–ଏକାବେଳକେ ପାଶୋରି ପକାଅ–ମନଭିତରୁ ଚିରଦିନ ପାଇଁ ମୋ ନାଁକୁ ପୋଛି ସଫା କରିଦିଅ–ସେଇ ଭଲ–ମୁଁ ସେଇୟା ଚାହେଁ । ମୁଁ ଜାଣିବି–ନିଶ୍ଚିତରେ ଜାଣିବି–ଏ ସଂସାରରେ ମୋର ହୋଇ କେହି ନାହିଁ–ହେବ ମଧ୍ୟ ନାହିଁ । ବୁଝିବି–ଦୁଃଖୀର କପାଳକୁ ସାଗର ଶୁଖିଯିବା ପରି, ମୁଁ ଯାହାକୁ ନିରାଶ୍ରୟ ହୋଇ ଧରିବି, ସେ ମୋତେ ଏହିପରି ପର କରି ଚାଲିଯିବ । ତା’ପରେ–’’

 

‘‘ତା’ପରେ ଯେ କଅଣ କରିବି ମୁଁ ନିଜେ ଜାଣେ ନାହିଁ । ମୋର ସେ ଦୁଃଖଭାରା ନେଇ ମୁଁ ଯେ ସଂସାରର କେଉଁ କୋଣକୁ ଯିବି ଉପଶମ କରିବା ପାଇଁ, ତା’ ବୁଝିପାରୁ ନାହିଁ । ତେବେ ସେହି ଭୟର ଆଶଙ୍କାରେ ମୋ ଛାତି ଥରିଉଠେ–ଚାରିଆଡ଼ ଅନ୍ଧାର ଦିଶେ–ମୁଁ ଆଖି ବୁଜିଦିଏଁ ।’’

 

‘‘ଛାଡ଼, ଏଗୁଡ଼ାକ ଲେଖି ଲାଭ ନାହିଁ । ବୋଧହୁଏ ଚିଠି ପଢ଼ି ମୋତେ ପାଗଳ ବୋଲି ହସିବ । ହସ ପଛେ; ଚିଠିଖଣ୍ଡିଏ ଦବାର ଥିଲେ ଯେପରି ହେଳା ନ କର, ଏତିକି ଭିକ୍ଷା । ଟିକଟ ଏଥି ସଙ୍ଗେ ପଠାଇଲି ।’’

 

ଇତି

‘‘ତମର–’’

 

ଚିଠିଖଣ୍ଡ ପଢ଼ି ମୁଁ ବଡ଼ ଅସୁସ୍ଥ ବୋଧ କଲି । ମନଟା କୌଣସିମତେ ଆଉ ଥୟ ଧରିଲା ନାହିଁ । ଆଖିକୋଣରେ କେତେବେଳେ ଅଜାଣତରେ ଲୁହ ଜମି ଆସିଥିଲା ଯେ, ସେ ଆଉ ସାରା ଡୋଳାଟା ଘୋଟି ଯିବାପାଇଁ ସାହାସ କଲା ନାହିଁ ଯିମିତି । କଅଣ ଗୋଟାଏ ଭାବି ଚିଠିଖଣ୍ଡ ଧରି ଚିରି ପକାଇଲି, ଟିକଟଟାକୁ ବି ଆଉ ଯିମିତି ଲେଖିବାର ସୁବିଧା ନ ଥାଏ ।

 

ହେଲେ କଅଣ ହେବ, ମୋ ମନ ଭିତରେ ତାଙ୍କ କଥାଟା ଇମିତି ଗୋଳେଇ ଘାଣ୍ଟି ହେଲା ଯେ ମୁଁ ଆଉ ଏତେ କଷ୍ଟ ସହି ନ ପାରିବା ପରି ମନେ ହେଲା । ଭାତ ଗାଳୁ ଗାଳୁଁ ଅସାବଧାନତାରେ ପେଜ ପକେଇ ଦେଇ ହାତଟାକୁ ସିଝେଇ ଫୋଟକା କରି ଦେଲି । କିନ୍ତୁ ସେ ଯନ୍ତ୍ରଣାଠୁ ମନର ଯନ୍ତ୍ରଣା ଯେପରି ବଳିପଡ଼ିଲା ।

 

ମୋର ମତିଗତି ଦେଖି ବୋଉ ପଚାରିଲେ–‘‘କଟକରୁ କିଛି ଚିଠି ଆସିଥିଲା କି ? ପୁଅ ଦିହ କ’ଣ ଖରାପ ଅଛି କି ?’’

 

‘ମୁଁ କଅଣ କରିବି–ଚିଠି ଆସିବା କଥା ତ ସେ ଜାଣିଛନ୍ତି–ଲୁଚାଇବି କିମିତି ?’’ ଭାବି ମିଛରେ କହିଦେଲି, ‘‘ହଁ, ଚିଠି ଆସିଥିଲା, ଭଲ ଅଛନ୍ତି ।’’ ଏଡ଼େ ବଡ଼ ଡାହା ମିଛକଥାଟେ କହିବାକୁ କିମିତି ଟିକିଏ ଅଡ଼ୁଆ ଲାଗିଲା–ପାଟି ସାମାନ୍ୟ ଖନିମାରି ଗଲା ।

 

ସେ ମନେ ମନେ ଠାକୁରଙ୍କୁ କଅଣ କହି ଜୁହାରଟିଏ ହେଲେ । ମୋତେ କହିଲେ, ‘‘ତା’ ପାଖକୁ ଖଣ୍ଡେ ଭାଷା ଦେ’, ମାସେ ପନ୍ଦର ଦିନେ ଥରେ ଅଧେ ଆସି ବୁଲିଯାଉ ଏଠି । ମୁଁ ଏ ବଅସରେ ଏତେ କଥା ଦେଖି ପାରୁ ନାହିଁ ।’’ ଟିକିଏ ରହି ପୁଣି କଅଣ ମନ ହେଲା କିଜାଣି, ସେ ଜିଦ୍‌ ଧରି ବସିଲେ–‘‘ନାଇଁ, ତୁ ଆଜି ଲେଖ୍‌ ! ମୋ ମନଟା କାହିଁକି ଭାରି ଗୁଡ଼େଇ ହଉଚି । ଦଶା ମନରେ ନିଆଁ ଲାଗୁ ନାହିଁ ।ମୋତେ ଖାଲି ଲାଗୁଛି ତା’ର ଯିମିତି କଅଣ ଖରାପ ହେଲା । ସତ କହ ମା’, ତା’ ଦିହ କଅଣ କିଛି ବ୍ୟସ୍ତ ଅଛି କି ? ମୋତେ ଲୁଚାନା ।’’

 

ମୁଁ କହିଲି–‘ନା, ଦିହ କଥା ତ କିଛି ଲେଖି ନାହାନ୍ତି ସେମିତି ।’

 

‘‘ନା–ନା, ସେ ଯାହାହେଉ ତୁ ଲେଖ୍‌, ସେ ଏଠି ଆସି ଦିନେ ଦି ଦିନ ବୁଲିଯାଉ । ମୋ ମନ ଥୟ ଧରୁ ନାହିଁ । କାଳ କଥାଗୁଡ଼ାକ ଖାଲି ମନରେ ଆସୁଛି । ନାଇଁ ତୁ ଲେଖ୍‌ !’’ ସେ ଆଉ ମାନିଲେ ନାହିଁ, ହକନାକେ ଲେଖେଇଲେ । ମୁଁ ଲଫାପା ମଗେଇ ଚିଠି ଲେଖିବାକୁ ଯାଉଚି, ମୋ ହାତ ଥରିଲା, କିଶୋର ବାବୁଙ୍କ ଚିଠିର ଲେଖାଗୁଡ଼ାକ ମୋ ଆଖିରେ ଖାଲି ନିଆଁ ପରି ଜଳି ଉଠିଲା-। ’ସତେ, ସେ ଲୋକଟିର କି ଦୁଃଖ !’ ମୁଁ ଭାବିଲି, ‘ମନରେ ଟିକିଏ ହେଲେ ସୁଖ ନାହିଁ କେବେ-। ସେ ଯାହାପାଇଁ ହେଉ, ମୋ ସାଙ୍ଗରେ ଆଳାପ କରି, ମୋତେ ଟିକିଏ ଦେଖି ତାଙ୍କ ଦୁଃଖ ଭାରା ଯଦି ସାମାନ୍ୟ ଲଘୁ ହେଉଥାଏ, ତେବେ ମୋର କେଡ଼େ ଅନ୍ୟାୟ ତାଙ୍କୁ ସେ ସୁବିଧା ନ ଦେବାଟା-?’ ଭାବି ମୋ ଆଖିରେ ଲୁହ ଘୋଟି ଆସିଲା । ମାଇପି ହୃଦୟଟାକୁ ଦଇବ ଗୋଟାଏ ନାହିଁ–ନ–ଥିଲା ଅତି କୋମଳ ଉପାଦାନରେ ଗଢ଼ିଛି ବୋଲି କି କଅଣ ଦୟା କରୁଣାର ନାମ ଦେଇ ମୋ ହୃଦୟଟାକୁ ତାଙ୍କ ଆଡ଼କୁ ପୁଣି ଟିକିଏ ନ ଢଳି ରହି ପାରିଲା ନାହିଁ ।

 

ଚିଠି ଖଣ୍ଡକ ମୁଁ ଆଉ ତାଙ୍କ ପାଖକୁ ଲେଖି ପାରିଲି ନାହିଁ । ଯେତେ ମନ କଲି, ମୋ ଆଖି କାନ ହାତ ଗୋଡ଼ ସମସ୍ତେ ଯେପରି ମେଳ ହୋଇ ମୋତେ ଧରି ବସିଲେ–ମୋତେ ବାଧ୍ୟ କଲେ–ଜୋର ଜବରାଣ କଲେ–ସେଠିକି ନ ଲେଖି ଲେଖିବାକୁ କିଶୋରବାବୁଙ୍କ ପାଖକୁ । ମୁଁ ନାଚାର ହୋଇ ସେଇୟା କଲି । ଲେଖିଲି–ବଡ଼ ଚଞ୍ଚଳ ମନରେ କିନ୍ତୁ–

 

ପ୍ରିୟ କିଶୋର ବାବୁ,

 

ଆପଣଙ୍କର ପତ୍ର ପାଇଲି । ଆପଣଙ୍କ ଦୁଃଖରେ ମୁଁ ଦୁଃଖିତ । ମୁଁ ଆପଣଙ୍କୁ ଦଣ୍ଡ ଦେଇ ନାହିଁ । ଆପଣଙ୍କର ଏ ଧାରଣା କିପରି ହେଲା ? ମୁଁ ଜାଣି ନ ଥିଲି ମୋର ଆପଣଙ୍କ ନିକଟରେ ରହିବା ଦ୍ୱାରା ଆପଣଙ୍କ ଦୁଃଖର ଲାଘବ ହୁଏ ବୋଲି । ସେ ଯାହା ହେଉ, ମୋ ଦେଇ ଯେ ଆପଣଙ୍କର କିଛି ଉପକାର ହେବ ସେ ବିଷୟରେ ମୋର ଯଥେଷ୍ଟ ସନ୍ଦେହ ଅଛି । ମୋ’ଠାରୁ କୌଣସି ଆଶା କରିବା ଆପଣଙ୍କର ଭୁଲ । ଭଗବାନଙ୍କ ଇଚ୍ଛାରେ ଆପଣଙ୍କ ଦୁଃଖ ଫେରିଯିବ । ସବୁ ଦିନ ସମାନ ଯାଏ ନାହିଁ ସମସ୍ତଙ୍କର ।

 

ଏତିକି ଲେଖି ବନ୍ଦ କରିଦେବାକୁ ବସିଲି । କିନ୍ତୁ ଶେଷରେ ଟିକିଏନାକୁ ଲେଖି ଦେଲି–କ’ଣ ମନରେ ଭାବି କେଜାଣି ଅନୁରୋଧ, ମୋ ନିକଟକୁ ଆଉ ଏପରି ପତ୍ର ଦେଇ ବ୍ୟସ୍ତ କରିବେ ନାହିଁ । ଇତି ।

 

ଆପଣଙ୍କର

ସୁଲକ୍ଷଣା

 

ଚିଠି ଖଣ୍ଡିକ ଡାକଘରକୁ ପଠେଇ ଦେଲା ପରେ ବି ସେଇ କଥାଟା ମନ ଭିତରେ ଦୋହରେଇ ହେବାକୁ ଲାଗିଲା–‘‘ଅନୁରୋଧ, ମୋ ପାଖକୁ ଏପରି ପତ୍ର ଦେଇ ମୋତେ ବ୍ୟସ୍ତ କରିବେ ନାହିଁ ।’’ ଏ କଥାଟା ଯେ ମୁଁ କାହିଁକି ଲେଖିଲି ମୁଁ ନିଜେ ତା’ ବୁଝିପାରି ନ ଥିଲି ସେତେବେଳେ । ମୋ ଚିଠି ପଢ଼ି ସେ ସତକୁ ସତ ଆଉ ଯଦି କେବେ ଚିଠି ନ ଦିଅନ୍ତି, ଏ ଡର ବି ହେଲା ମୋର । ପୁଣି ଭାବିଲି, ନ ଦେବେ ତ ନ ଦିଅନ୍ତୁ । କଅଣ ଭାସିଯିବ ମୋର, ସେ ଚିଠି ନ ଦେଲେ ?

 

କିନ୍ତୁ ସେ ଯଦି ସେଇ ପଦିକରୁ ଆଉ କିଛି ଅର୍ଥ କାଢ଼ି ବସନ୍ତି ! ମୁଁ ଯେଉଁ କଥାଟି କହେ ତା’ର ଆଉ ଗୋଟାଏ ଭିନ୍ନ ଅର୍ଥ ନ କଲେ ସେ ତ ତୁନି ହୋଇ ରହି ପାରନ୍ତି ନାହିଁ । ମୋ ଚିଠିର ଏଇ କଥାଟାକୁ ସେ ଯଦି ସେମିତି ଗୋଟାଏ ନାହିଁ ନ ଥିଲା ଅର୍ଥ କରନ୍ତି, ତେବେ କ’ଣ କରିବି ମୁଁ-?

 

ମୁଁ ଯାହା ଲେଖିଛି, ସେ କଥାଟା ତ ଇମିତି ଜଟିଳ ନୁହେଁ ଯେ ଅର୍ଥ କଲେ ତା’ର କୋଡ଼ିଏଟା ଅର୍ଥ ବାହାରିବ ? ତେବେ, ଯଦି ୟା ବୁଝନ୍ତି ଯେ ମୁଁ ତାଙ୍କର ଦୁଃଖକଥା ଶୁଣି ବଡ଼ ଅଧୀର ହୋଇ ପଡ଼ୁଛି, ମୁଁ କହି ନ ପାରେ । ତା’ ନ ହେଲେ ଆଉ କି ଅର୍ଥ ବାହାରିବ ଏ ସାମାନ୍ୟ କଥାରୁ ?

 

ସେଇୟା ଯଦି ସେ ମନେ କରନ୍ତି, ତେବେ କ୍ଷତି କ’ଣ ? କିନ୍ତୁ ସେ ଯଦି ଏତିକିରୁ ଧରି ନିଅନ୍ତି ଯେ ମୁଁ ତାଙ୍କୁ ଏବେ ବି–

 

ନାଃ–ଛିଃ–ଏତେ କଥା ସେ କାହିଁକି ଭାବିବାକୁ ଯିବେ ଆଗ ? ଯାଃ, ମୁଁ ଗୋଟାଏ ପାଗଳୀଙ୍କ ପରି କଅଣ ଭାବୁଛି ବସି ଏ ଗୁଡ଼ାକ !

 

କଥାଟାକୁ ମନେ ମନେ ଏମିତି ଉଡ଼େଇ ଦେବାକୁ ବସିଲେ ବି ସେ ଖାଲି ଭିତରେ ଭିତରେ ଗୁମରେଇ ହେଲା ପଡ଼ି । ମୁଁ ବଡ଼ ବ୍ୟସ୍ତ ହୋଇ ପଡ଼ୁଥିଲି ସେଥିପାଇଁ ।

 

ସେ ହାଟ ପାଳି ଯାଇ ତହିଁ ଆର ପାଳି ଦିନ ଦୁଇ ଖଣ୍ଡ ଚିଠି ଆସିଲା ମୋ ନାଁରେ । ଖଣ୍ଡିଏ ଆସିଥିଲା ୟାଙ୍କ ପାଖରୁ, ଆଉ ଆରଖଣ୍ଡ ଦେଇଥିଲେ କିଶୋରବାବୁ । ବଉ ସେଠି ବସିଥିଲେ । କହିଲେ–‘କ’ଣ ଲେଖିଛି ପୁଅ ପଢ଼ିବୁଟି ମା !’ ମୁଁ ତାଙ୍କ ଚିଠିଟା ଆଗ ଖୋଲି ପଢ଼ି କହିଲି–‘ଦିହ ଟିକିଏ ବ୍ୟସ୍ତ ଥିଲା । ଏଇଲେ ଭଲ ଅଛନ୍ତି ।’ ସେ ପଚାରିବାରୁ ମୁଁ ପୁଣି କହିଲି ‘ଜର ହୋଇଥିଲା–ଛାଡ଼ି ଯାଇଚି । ଲେଖିଛନ୍ତି ବଉକୁ କହିବୁ, ବ୍ୟସ୍ତ ହେବ ନାହିଁ । ସେମିତି ବଡ଼ ଜର ହେଇ ନ ଥିଲା–ସାମାନ୍ୟ । ହଁ, ଆଉ ଲେଖିଛନ୍ତି କି ପୁଝାରୀ ଟୋକାଟା ବେଳେ ବେଳେ କୁଆଡ଼େ ପଳେଇ ଯାଉଛି–ସେଥିପାଇଁ ବଡ଼ ହଇରାଣ ହେଉଛନ୍ତି ।’

 

ଆର ଚିଠିଟା କଥା ପଚାରିବାରୁ ମୁଁ କହିଲି, ମୋ ସାନ ଭାଇ ଦେଇଛି ସେ ଖଣ୍ଡ ।

 

‘‘କ’ଣ ସବୁ ଭଲ ତ ସେଠି ?’’ ସେ ପଚାରିଲେ । ମୁଁ ‘ହଁ’ ମାରି ରହିଲି ।

 

ସେ ଚାଲିଗଲାରୁ କିଶୋରବାବୁଙ୍କ ଚିଠିଟିକୁ ଭଲକରି ଥିର ମନରେ ପଢ଼ିଲି । ଭଲ ଦରବଟିଏ ହେଲେ ଲୋକ ଯେମିତି ସବା ପଛକୁ ସାଇତି ରଖିଥାନ୍ତେ ଖାଇବା ପାଇଁ, କିଶୋରବାବୁଙ୍କ ଚିଠିକୁ ବି ମୁଁ ସବୁଦିନେ ଏହିପରି ଶେଷକୁ ରଖିଥାଏଁ, କାମଧନ୍ଦା ଛିଡ଼ିଗଲେ ନିରୋଳାରେ ବସି ପଢ଼ିବି ବୋଲି ।

 

ପଢ଼ିଲି–

 

ଶ୍ରୀମତୀ ସୁଲକ୍ଷଣା ଦେଈ

 

କରକମଳେଷୁ ।

 

ତୁମ୍ଭର ଶ୍ରୀହସ୍ତଲିଖିତ ପତ୍ର ପାଇ ଉତ୍ତର ଦେବା ଉଚିତ ମନେ କରି ଚିଠି ଲେଖିଲି । ଅନ୍ୟ କିଛି ମନେ କରିବ ନାହିଁ । ମୋର ତମ ସହିତ ସ୍ନେହ ପରିଚୟର ଆରମ୍ଭ ଦିନ ଠାରୁ ଆଜି ମଧ୍ୟରେ ମୋର ତମ ପ୍ରତି ବ୍ୟବହାରରେ ଯଦି ତମେ କେବେ ଅସନ୍ତୁଷ୍ଟ ହୋଇଥାଅ, ତେବେ କର ଯୋଡ଼ି ପ୍ରାର୍ଥନା କରୁଛି କ୍ଷମା କରିବ । ତମଠାରୁ ମୋର କୌଣସି ବିଷୟରେ ଆଶା କରିବା ଅନ୍ୟାୟ । କିନ୍ତୁ ତମର ସ୍ନେହଲାଭ ଛଡ଼ା ଆଉ କଅଣ ମୁଁ ଆଶା କରିଥିଲି ତମଠୁ ? ସେଇଟା ବି କଅଣ ମୋର ଭୁଲ ? ହୋଇପାରେ । ସେ ମୋର ଭାଗ୍ୟର ଦୋଷ ।

 

ବେଶୀ ଲେଖିପାରୁ ନାହିଁ । ଲେଖିବାର ମଧ୍ୟ ନାହିଁ କିଛି । ତେବେ ଏଇଟା ବୋଧହୁଏ ମୋର ଶେଷ ପତ୍ର ତମ ପାଖକୁ । ସେଥିପାଇଁ ପୁଣି ଥରେ ପରିଷ୍କାର କରି ଲେଖୁଛି–ମୋର ପତ୍ର ଦେବାଦ୍ୱାରା ତମେ ଯଦି ବାସ୍ତବରେ ଏପରି ପରିସ୍ଥିତିରେ ପଡ଼ିଥାଅ ଯାହା ଫଳରେ ତମକୁ ଏତେ ଦୂର ବ୍ୟସ୍ତ ହେବାକୁ ହେଉଛି ତେବେ ମୋର ଏଇ ଶେଷ ପତ୍ର ଖଣ୍ଡିକ ପାଇ ମଧ୍ୟ ମୋତେ କ୍ଷମା ଦେବ । ଜୀବନରେ ଆଉ ବୋଧହୁଏ ଦେଖା ହେଲା ପରି ଲାଗୁନାହିଁ । ଆଶା କରେ ଭଲ ଥିବ । ଇତି ।

 

ତମର

ଅତି ଅଭାଗା

କିଶୋରବାବୁ

 

ଚିଠିଟାକୁ ପଢ଼ି ମୋ ହଂସା ଉଡ଼ିଗଲା । ମୁଁ ଲେଖିଲି ରକମେ, ସେ ବୁଝିଲେ ଆଉ ରକମେ । ମୁଁ ମନେ ମନେ ଯାହା ଆଶଙ୍କା କରୁଥିଲି, ଫଳ ଫଳିଲା ତା’ର ଠିକ୍‌ ଓଲଟା । ଭାବିଲି, ‘ଯାଃ ହେଲା ତ ଭଲ ହେଲା–ଦକ ଗଲା–ଚିନ୍ତା ଗଲା–ବାଟରୁ ମୋର କଣ୍ଟା ଦୂର ହୋଇଗଲା । ଏଣିକି ନିଶ୍ଚିନ୍ତରେ ନିଃଶ୍ୱାସ ମାରିବି ଟିକିଏ ।’

 

କିନ୍ତୁ କାହିଁ, ନିଶ୍ଚିନ୍ତ ତ ହୋଇ ପାରିଲି ନାହିଁ । ଏକୁଟିଆ ବସି ରହିଲେ ମୋତେ କାନ୍ଦ ମାଡ଼େ । ମନ ଭୁଲେଇବା ଲାଗି ତାଙ୍କ ପାଖକୁ ଚିଠି ଦେଲି । ଲେଖିଲି, ତାଙ୍କ ଦିହ କଥା ଶୁଣି ଆମେ ବଡ଼ ବ୍ୟସ୍ତ ଅଛୁ । ଯଦି ବେଶୀ କିଛି ହୁଏ, ତାର କଲେ ଆମେ ଯିବୁ । ଚିଠି ଯାଇ ଶୀଘ୍ର ଉତ୍ତର ଦେବେ ଇତ୍ୟାଦି ଇତ୍ୟାଦି ।

 

ତାଙ୍କ ପାଖକୁ ଚିଠି ଲେଖାଟା ବଡ଼ ଚଞ୍ଚଳ ସରିଗଲା । ଏବେ କଅଣ କରେଁ ?

 

ମନ ଖାଲି ଗୁଡ଼େଇ ହେଲା । ବାଧ୍ୟ ହୋଇ କିଶୋରବାବୁଙ୍କ ପାଖକୁ ଖଣ୍ଡେ ଚିଠି ଲେଖିଲି । ମନେ ମନେ ପ୍ରତିଜ୍ଞା କଲି ଯେ, ଏଇ ଥରକ ଛଡ଼ା ସେ ଯେତେ ଚିଠି ଲେଖନ୍ତି ପଛେ ଆଉ କେଭେଁ ମୁଁ ଚିଠି ଦେବି ନାହିଁ ତାଙ୍କ ପାଖକୁ ।

 

କିନ୍ତୁ ଲେଖି ବସି କଅଣ ଯେ ଲେଖିବି, ଆଉ ଭାବି ପାରିଲି ନାହିଁ । କିଛି କଥା ନାହିଁ, ଖାଲିଟାରେ ଗୁଡ଼ାଏ କ’ଣ ଲେଖିବି ? ମୋର ଚିଠିର ଅର୍ଥ ସେ ଯାହା ବୁଝୁଛନ୍ତି ତା’ ନୁହେଁ, ଆଉ ରକମେ ଏଇ କଥାଟା ଖୋଲି ଯେ କେମିତି ଲେଖିବି ମୋତେ ଆସିଲା ନାହିଁ । ତା’ଠୁ କେତେ ବଡ଼ ବଡ଼ ଅଲାଜୁକୀ କଥା ନ ଲେଖିଛି, ନ କହିଛି ଆଗରୁ; କିନ୍ତୁ ଆଜି ମୋତେ କାହିଁକି କେଜାଣି ଏଇ ପଦକ ଲେଖିବାକୁ ଭାରି ମାଡ଼ି ପଡ଼ୁଥିଲା । ବହୁ କଷ୍ଟରେ ଲେଖି ଆରମ୍ଭିଲି–

 

ପ୍ରିୟ କିଶୋରବାବୁ !

 

ଆପଣଙ୍କର ପତ୍ର ପାଇ ବଡ଼ ଦୁଃଖିତ ହେଲି । ମୋର ଭାଷାକୁ ଆପଣ ଠିକ୍‌ ବୁଝିପାରି ନାହାନ୍ତି । ଆପଣଙ୍କ ଜୀବନର କରୁଣ କାହାଣୀ ଶୁଣି କିଏ ବ୍ୟସ୍ତ ନ ହେବ ଭଲା ! ମୁଁ ଯଦି ହୋଇଥାଏଁ, ତେବେ ମୋର ଅପରାଧ କଅଣ ? ଆପଣ ମନେ କରିଛନ୍ତି ମୋ ଉପରେ କେହି ବିରକ୍ତ ହେଉଥିବେ ଆପଣ ଚିଠି ଦେଉଛନ୍ତି ବୋଲି; କିନ୍ତୁ କିଏ କାହିଁକି ବିରକ୍ତ ହୁଅନ୍ତା ? ହେଲେ ମଧ୍ୟ ମୁଁ ବା ବ୍ୟସ୍ତ ହେବି କାହିଁକି ସେଥିଲାଗି ? ଆପଣଙ୍କ ପାଖକୁ ଚିଠି ଦେଲେ କି ଆପଣଙ୍କ ଚିଠି ପଢ଼ିଲେ କଅଣ ପାପ ଲାଗିଯିବ ଯେ ମୁଁ ଡରିବି ସେଥିପାଇଁ ? ସ୍ତ୍ରୀ ଜନ୍ମ ହେଲା ବୋଲି ଏତିକି ସ୍ୱାଧୀନତା ନାହିଁ ମଣିଷର ?

 

କ୍ଷମା କରିବେ, ଯଦି କିଛି ଦୋଷ ଥାଏ ମୋର । ତାଙ୍କ ଦିହ କୁଆଡ଼େ ଖରାପ ଥିଲା । କିପରି ଅଛନ୍ତି, ନିଶ୍ଚୟ ଲେଖିବେ ।

 

ଆପଣଙ୍କର

ସୁଲକ୍ଷଣା

 

ଚିଠି ଖଣ୍ଡ ଲେଖି ଆଉ ତାକୁ ଦୋହରେଇ ପଢ଼ିବାକୁ ମନ ହେଲା ନାହିଁ । କାରଣ ଚିଠିଟା ମୋର ଅନ୍ତରର କଥା ହେଲେ ବି ମୁଁ ଯେପରି ବାଧ୍ୟ ହୋଇ ଲେଖିଥିଲି ସେ ଖଣ୍ଡ, ମୋର ଇମିତି ମନେ ହେଲା ।

 

ଲଫାଫାରେ ପୂରେଇ ଏ ଚିଠି ଆଉ ତାଙ୍କ ଚିଠି ଦୁଇ ଖଣ୍ଡଯାକ ଅଲଗା ଅଲଗା କରି ପଠେଇଦେଲି ଡାକଘରକୁ ।

 

ତହିଁ ଆରଦିନ କଅଣ ମନକୁ ଆସିଲା କେଜାଣି, ପୁଣି ଆଉ ଦୁଇଖଣ୍ଡ ଚିଠି ଲେଖି ବସିଲି ତାଙ୍କ ପାଖକୁ । ଆଗ ଚିଠିଟାରେ ଯେଭଳି ଲେଖା ହେଇଥିଲା, ସେତିକିରେ ମୋ ପ୍ରାଣର କଥାଗୁଡ଼ିକ ଭଲ ଭାବରେ ଜଣା ପଡ଼ୁ ନ ଥିଲା ବୋଲି ମୋର ଗୋଟାଏ ଧାରଣା ହେଲା କିମିତି । ଜାଣତରେ ହେଉ, ଅଜାଣତରେ ହେଉ, କାହାରି ପାଖରେ କୌଣସି ଅପରାଧ କରିପକାଇ ନିଜର ଦୋଷ ଛଡ଼ାଇବା ପାଇଁ ତା’ ଆଗରେ ଯେତେ ଭାବରେ କହିଲେ ବି ମନଟା ବୋଧ ମାନେ ନାହିଁ; ନିଜ ପ୍ରତି ସେ ଲୋକର ଧାରଣାଟା କାଳେ ପୂରାପୂରି ଘୁଞ୍ଚିଯାଇ ନ ଥିବ, ଏହି ସନ୍ଦେହରେ ଆଉ ଭୟରେ । ସେଥିଯୋଗୁ ପୁଣି ଦୁଆତ କଲମ ଧରି ଲେଖିଲି ।

 

ପ୍ରିୟ କିଶୋରବାବୁ,

 

ମୋ ଚିଠି ପାଇଥିବେ । ଆଉ ବୋଧହୁଏ ରାଗ ନ ଥିବ ମୋ ଉପରେ । ସତ କହୁଛି କିଶୋରବାବୁ, ଆପଣଙ୍କର ଦୁଃଖ କଥା ଶୁଣିଲେ ମୋର ଯେତେ କଷ୍ଟ ହୁଏ, ଆଉ କଉଁ କଥାରେ ବୋଧହୁଏ ଏତେ ବେଶୀ ହେଉ ନ ଥିବ । ସେଥିପାଇଁ ଲେଖିଥିଲି, ଆଉ ଯେପରି ମୋତେ ଭବିଷ୍ୟତରେ ସେଭଳି ବେଦନାର କଥା କହି ବା ଲେଖି କଷ୍ଟ ନ ଦିଅନ୍ତି । ଆପଣ ତା’ର ଅର୍ଥ ଏଭଳି ଭୁଲ ବୁଝିବେ ବୋଲି ମୁଁ ସନ୍ଦେହ ମଧ୍ୟ କରି ନ ଥିଲି । ମୋ ରାଣ ଅଛି, ମୋ ଉପରେ ରାଗିବେ ନାହିଁ । ରାଗିଲେ ମୋର ବଡ଼ କଷ୍ଟ ହେବ କାରଣ ମୋର କିଛି ଦୋଷ ନାହିଁ । ଏ ଚିଠିର ଉତ୍ତର ପାଇବି କି ନାହିଁ ଜାଣେ ନାହିଁ । ତେବେ ମୋ ଉପରୁ ଅଭିମାନଟା ଦୂର ହୋଇଗଲା, ୟା ନ ଜାଣିବା ଯାଏ ମୋ ମନ ଥୟ ଧରିବ ବୋଲି ବିଶ୍ୱାସ ହେଉ ନାହିଁ । ଆପଣଙ୍କ ଇଚ୍ଛା । ଏତିକି ଆଜି-

 

ଆପଣଙ୍କର

ନୂଆବୋଉ

 

ସବୁଦିନେ ତାଙ୍କ ପାଖକୁ ଚିଠି ଲେଖିବାର ଢଙ୍ଗ ଏଇମିତି । କେତେବେଳେ ଯେ କି ସମ୍ବୋଧନ କରେ, ଆଉ କେତେବେଳେ ଯେ ନିଜେ ‘ସୁଲକ୍ଷଣା’, ନୂଆବୋଉ’ କିମ୍ବା ‘ମୁଁ’ ହୋଇଯାଏ, ତା’ର ଠିକ୍‌ ନ ଥାଏ ।

 

ଯାହାହେଉ, ଚିଠିଟାକୁ ଦେଇ ମୁଁ ଅନେଇ ବସିଥିଲି ତା’ର ଉତ୍ତର ପାଇବାକୁ । କିନ୍ତୁ ସେ ଦିନେ ଯାଇ ତହିଁ ଆର ଦିନ ଗଲା, ତା’ ବାସି କି ତିଆସି କିଶୋରବାବୁ ନିଜେ ଆସି ପହଞ୍ଚିଗଲେ । ମୁଁ ତ କାବା ହୋଇଗଲି । ବୋହୂ ଭୂଆସୁଣୀ ଘର । ମିଣିପେ ବୋଲି କେହି ନାହାନ୍ତି । ଚାକର ବାକର ବା ଆମର ଆସିବେ କେଉଁଠୁ ? ମୁଁ ଏବେ କରେ କଅଣ ! ବୋଉଙ୍କୁ ଯାଇ କହିଲି । ବୋଉ ବି ବଡ଼ ବ୍ୟସ୍ତ ହୋଇ ପଡ଼ିଲେ । ସେ ଆଗ ଯାଇ ପଚାରିଲେ ତାଙ୍କ ଦିହ କଥା । ମୁଁ କବାଟ ସନ୍ଧିରେ ଚାହିଁ ଦେଖୁଥାଏଁ । କିଶୋରବାବୁ ଭୂଇଁ ଉପରେ ଦଣ୍ଡବତଟିଏ କରି ଠିଆ ହେଲେ ଭଲ ଲୋକଙ୍କ ପରି । ସେ ଚୋରଙ୍କ ଭଳି ଏଣିକି ତେଣିକି ଆଖି ବୁଲଉ ବୁଲଉ କହିଲେ, ‘‘ତରୁଣ ଦେହ ଟିକିଏ ଭଲ ଅଛି ଆଗଠଉଁ । ମେଲେରିଆ ଜର । ନିତି ଆସୁଛି ନିତି ଛାଡ଼ୁଛି । ପୁଝାରୀ ଟୋକାଟା ବଡ଼ ହଇରାଣ କରୁଛି । ବେଳେ ବେଳେ ପଳଉଛି କୁଆଡ଼େ । ମୁଁ ସେଥିପାଇଁ ଆସିଛି ନୂଆବୋଉଙ୍କୁ ନେଇଯିବି ସାଙ୍ଗରେ ।’’

 

ମୋ ଦିହଟା କାହିଁକି ଫୁଲି ପଡ଼ିଲା ଏଇଠି । ବୋଉ ଯିବାକୁ କହିଲାରୁ ସେ ମନା କଲେ-। କହିଲେ, ‘‘ଡାକ୍ତର କହୁଛି ଜର ଛାଡ଼ିଯିବ ଦିନେ ଦୁଇଦିନ ଭିତରେ । ଡରିବାର କିଛି କାରଣ ନାହିଁ-। ତରୁଣ ବି ମନା କରିଛି, ଆପଣଙ୍କର ଯିବା ଦରକାର ହବ ନାହିଁ । ତା’ ଦିହ ସେମିତି କିଛି ବେଶୀ ହୋଇ ନାହିଁ । ଦୁର୍ବଳ ହୋଇଛି । ପୁଝାରୀଟା ଅବସ୍ଥା କରୁଛି । ନୂଆବୋଉ ଏକାକୀ ଗଲେ ଚଳିବ, କିଛି ଦିନ ପରେ ପୁଣି ଚାଲି ଆସିବେ ଯେ । ଆପଣ ବ୍ୟସ୍ତ ହେଉଛନ୍ତି କାହିଁକି ? ନୂଆବୋଉଙ୍କୁ କହନ୍ତୁ, ସେ ତିଆରି ହୋଇଯାନ୍ତୁ ଜଲ୍‌ଦି । ସଞ୍ଜ ବେଳ ଭିତରେ ଷ୍ଟେସନରେ ପହଞ୍ଚିବାକୁ ହେବ-। ଗାଡ଼ି ଆଜିକାଲି ଚଞ୍ଚଳ ଆସୁଛି । ପୁଣି ଗାଡ଼ି ସବାରୀ ଗୋଟାଏ କିଛି ସଜିଲ ନ କଲେ ସେ ଯିବେ କେମିତି ?

 

ବୋଉ ଆଉ ବେଶୀ କିଛି ନ କହି ବେଳ ହୋଇ ଯାଉଥିବାର ଦେଖି ତାଙ୍କୁ ଗାଧୋଇବାକୁ କହି ମୋତେ ଆସି ସବୁ କାମ ବରାଦ କଲେ । ମୋ ଦେହ ସେତେବେଳେ ଖୁସିରେ କି ଛାନିଆରେ–ମୁଁ ଠିକ୍‌ ଧରି ପାରିଲି ନାହିଁ–ଖାଲି ଛନ ଛନ ହେଉଥାଏ । ତୁଚ୍ଛା ତେଲ ଗିନାଟାକୁ ତାଙ୍କ ପାଖରେ ନେଇ ଥୋଇ ଦେଲି । ତେଲ ନାହିଁ ବୋଲି ସେ ଯାଇ କହିବାରୁ ଘଡ଼ିରୁ ତେଲ ଗଡ଼େଇ ପୁଣି ଦେଲି ପଛରେ । ଆସିନି ନ ପକେଇ ଭାତ ଥାଳି ଥୋଇଦେଲି ବୋଲି ବୋଉ ଯେତେ ରାଗିଲେ ମୋ ଉପରେ ! ମୁଁ କଅଣ କରିବି ? ମୋର ତ କାହିଁକି ଭୁଲ ହୋଇଯାଉଥାଏ ସବୁ । ଏଇ ଭୁଲଟାର ମୂଳ କାରଣ ଯେ କଅଣ, କିଶୋରବାବୁ ଯଦି ସେଟା ଧରି ପାରିଥିବେ ତେବେ ସେ କଅଣ ମନେ କରିଥିବେ ସେତେବେଳେ, ଭାବିଲେ ମୋତେ ଆଜିଯାଏ ବି ସରମ ଲାଗେ ସେ କଥା ।

 

ଡରୁଥିଲି ବୋଉ କାଳେ କିଶୋରବାବୁଙ୍କ ସାଙ୍ଗରେ ପଠାଇବାକୁ ନ ମଙ୍ଗନ୍ତି । କିନ୍ତୁ ତାଙ୍କ ଦେହକଥା ଶୁଣି କିଛି କହିଲେ ନାହିଁ ସେ ବିଷୟରେ ।

 

ସବାରୀ ମିଳିଲା ନାହିଁ–ଗାଡ଼ି ହେଲା । ସେ କିନ୍ତୁ ଚାଲି କରି ଗଲେ । ମୋତେ ସେଟା ବଡ଼ ଅଡ଼ୁଆ ଲାଗିଲା ! ମନ ହେଉଥାଏ ଡାକିବିକି ଆଉ ଗାଡ଼ିକି ! ‘ଛି’ ବୋଲି ଆପଣା ମନକୁ କହି ଚୁପ୍‌ ରହୁଥାଏଁ । କେତେବେଳେ କେତେବେଳେ ଭାବେ–ଏଇ ନାଳଟା ଗଲେ ନ ହେଲେ ସେଇ ମୋଡ଼ଟା ପାର ହୋଇଗଲେ ଡାକିବି । ଏଇମିତି ଡାକିବି ଡାକିବି କରୁ କରୁ ଷ୍ଟେସନ ଦିଶିଲା–ମୁଁ ଲାଜେ ଭୟେ କିଛି କହି ପାରିଲି ନାହିଁ ତାଙ୍କୁ । ପହୁଞ୍ଚିଲା ବେଳକୁ ଗାଡ଼ି ଘଣ୍ଟି ହେଇ ଯାଇଥିଲା । ସେ ତରତର କରି ଯାଇ ଟିକଟ କିଣି ଆଣିଲେ । ମୁଁ ତାଙ୍କୁ ଟିକଟ ଖରଚାଟା ଦବାକୁ ମନ କରି ପଚାରିଲି–କେତେ ପଡ଼ିଲା ?

 

ସେ ଅଳପ ହସି କହିଲେ–‘‘କାହିଁକି, ପଇସା ଦେବ କି ?’’

 

‘‘ଟିକଟ ଖର୍ଚ୍ଚା ତ ଆଉ ତମେ ହାତରୁ ଦେବ ନାହିଁ ?’’ କହି ମୁଁ ପଇସା କାଢ଼ୁଥିଲି, ସେ ମୋ ହାତଟାକୁ ମୁଠାଇ ପକାଇ କହିଲେ–‘‘ଥାଉ, ଥାଉ, ସେତିକି ଥାଉ ।’’

 

କୌଣସି ମତେ ଆଉ ସେ ପଇସା କଢ଼େଇ ଦେଲେ ନାହିଁ । ବଦଳି ଗାଡ଼ିବାଲାକୁ ବି ତା’ର ଭଡ଼ାଟା ସେଇ ଦେଲେ ।

 

ଗାଡ଼ି ଆସିଲା । ସେ ଷ୍ଟେସନଟାରେ ଗାଡ଼ି ମୋଟେ ତିନି ମିନିଟ ରହେ । ଗାଡ଼ିରେ ଚଢ଼ୁ ଚଢ଼ୁ ଗାଡ଼ି ଛାଡ଼ି ଦେଲା ।

 

ଆମେ ଯେଉଁ ଛୋଟ ଡବାଟିରେ ଥିଲୁ ସେଟା ଶେଷ ଆଡ଼କୁ ଥାଏ । ସେଠି ଆଉ କେହି ନ ଥାନ୍ତି । ମୁଁ ପଚାରିଲି–ଏଟା ତ ମାଇପଙ୍କ ପାଇଁ ନୁହେଁ ?

 

‘‘ନା’’, ସେ ଉତ୍ତର କଲେ । ମୁଁ ଅନେଇଥାଏଁ, ତାଙ୍କ ମୁହଁ କଳା ପଡ଼ି ଆସିଲା ।

 

‘‘ମୋତେ ସ୍ତ୍ରୀ ଲୋକଙ୍କ ଡବାରେ ଛାଡ଼ି ଦେଇ ଆସିଲ ନାହିଁ ?’’ –ମୁ ପୁଣି ପଚାରିଲି ।

 

ଦୋଷୀଙ୍କ ଭଳି ଆଉ କିଛି ଉତ୍ତର ନ ଦେଇ ସେ ଇମିତି ଭାବରେ ଚାହିଁଲେ ଯେ, କିଛି ନ କହୁଥିଲେ ବି ତାଙ୍କ ବ୍ୟସ୍ତ ହେବାରୁ ଜଣେ ଯେମିତି ବୁଝିବ, ଏଇ ଆର ଷ୍ଟେସନରେ ସେ ମୋତେ ନେଇ ସେଠି ଛାଡ଼ି ଦେଇ ଆସିବେ ଯେମିତି । ତାଙ୍କର ଏ ଭଳି ଅବସ୍ଥା ଦେଖି ମୁଁ ମୋ କଥାଟାକୁ ନରମ କରିଦେବା ପାଇଁ କହିଲି–‘‘ହଉ, ନ ହେଲା ନାହିଁ । ଏତେ ଚଞ୍ଚଳ ଫିମେଲ୍‌ କମ୍ପାଟମେଣ୍ଟ୍‌ ଖୋଜି ଗାଡ଼ି ଚଢ଼େଇ ପାରି ଥାଆନ୍ତ ବା କେମିତି ? ଏଠି ବି ତ ଆଉ ବାହାର ମଣିଷ ନାହାନ୍ତି କେହି । କ୍ଷତି କଅଣ ?’’

 

ସେ ଟିକିଏ ମୁହଁ ପାଇ ଯାଇ କହିଲେ–‘‘ତା’ପରେ, ଏତେ ପଛକୁ ବି କେହି ଆସିବେ ନାହିଁ ଯେ ସେମିତି । ଖାଲି ବେଞ୍ଚ ପଡ଼ିଛି, ବିଛେଇ ଦେଇ ଟିକିଏ ଆରାମରେ ବି ଶୋଇ ହବ । ମୋତେ ବି ବଡ଼ ଥକା ଲାଗୁଛି ।’’

 

‘‘ଲାଗିବ ନାହିଁ, ଘର ପାଖରୁ ଏତେ ବାଟ ଚାଲି ଚାଲି ଆସିଲ !’’ ମୁଁ କହିଲି । ମୋର କାହିକିଁ ବଡ଼ ଦୟା ହେଲା ।

 

ସେ ତାଙ୍କ ବିଛଣା ଖୋଲୁଥିଲେ । ମୁଁ ଯାଇ ତାଙ୍କ ବିଛେଇବାରେ ସାହାଯ୍ୟ କଲି । ସେ ଶୋଇଲେ । ମୁଁ ମୋ ବିଛଣା ଖୋଲି ଦେଲି, କିନ୍ତୁ ଶୋଇ ପାରିଲି ନାହିଁ । ବାହାରର ଅନ୍ଧାର ଆଡ଼କୁ ଚାହିଁ, ଅଲାବଲା କଅଣ ଗୁଡ଼ାଏ ଭାବୁଥାଏ, ଯାର କି କିଛି ଅର୍ଥ ନାହିଁ । ହଠାତ୍‌ ମୋ ମନକୁ କଅଣ ଆସିଲା କେଜାଣି, ତାଙ୍କ ପାଖକୁ ଉଠିଯାଇ କହିଲି, ‘‘ଯେମିତି ଶୋଇ ନ ପଡ଼ଟି ଏକାବେଳେ ।’’

 

‘‘କଟକରେ ଗାଡ଼ି ତ ଅନେକ ବେଳ ରହିବ ।’’ କହି ସେ ଶୋଇ ପଡ଼ିଲେ । ବଡ଼ ଥକା ହୋଇଛନ୍ତି ଭାବି, ଆଉ କିଛି ନ କହି, ଆସି ମୋ ଜାଗାରେ ମୁଁ ବସିଲି । କେତେ ଆଶଙ୍କା ଭିତରେ ମୁଣ୍ଡଟା ଟିକିଏ ଭାରି ହୋଇ ପଡ଼ିଲା କି କଅଣ, ମୁଁ କେତେବେଳେ ଢୋଳେଇ ପଡ଼ିଲି । ଇୟା ଭିତରେ ଗୋଟାଏ ଷ୍ଟେସନରେ ଗାଡ଼ି ଅନେକ ବେଳ ରହିଲା । ବହୁତ ଲୋକ ଓହ୍ଲେଇଗଲେ । ସେଥିପାଇଁ ଟିକିଏ ଗୋଳମାଳ ବି ହେଉଥିଲା । ଷ୍ଟେସନ ଭେଣ୍ଡରଗୁଡ଼ାଙ୍କର ଚିତ୍କାର ବି ବେଳେ ବେଳେ କାନକୁ ଆସୁଥାଏ । ମୋ ଆଖି ମାଡ଼ି ପଡ଼ୁଥାଏ, ନିଦରେ । ଭଲ କରି କିଛି କଥା ବୁଝି ହେଉ ନ ଥାଏ–ଖାଲି ସେଇ ଗୋଳମାଳ ହୋ ହା । କଟକ ଯେ ଏତେ ଚଞ୍ଚଳ ହୋଇଯିବ ମୋର ସେ ଧାରଣା ନ ଥିଲା–ସେଥିପାଇଁ ନିଶ୍ଚିନ୍ତରେ ଶୋଇବାକୁ ଲାଗିଲି । ଅଳପ ବରଷା ପଡ଼ୁଥାଏ ।

 

କେତେ ବେଳ ପରେ ଯେତେବେଳେ ଆଉ ଗୋଟାଏ ଷ୍ଟେସନରେ ଗାଡ଼ି ଅନେକ ବେଳଯାଏ ରହିଲା, ମୁଁ ଚଟ୍‌କରି ଉଠି ତାଙ୍କୁ ଡାକିଲି । ଦୁଇ ତିନି ଥର ଡାକିଲି । ସେ ଶୁଣୁ ନ ଥାନ୍ତି-। ମୁଁ ଝରକା ଖୋଲି ଅନାଇ ଦେଖିଲି, ବତୀଖୁଣ୍ଟର କାଚ ଦେହରେ ଲେଖା ଅଛି ‘ଖୋର୍ଦ୍ଧା ରୋଡ଼’-

 

‘ଖୋର୍ଦ୍ଧା ରୋଡ଼ଟା କଟକ ପରେ ପଡ଼େ ପରା !’ ମୋ ଦିହରୁ ଚାଉଁ କିନା ଲହୁ ଶୁଖିଗଲା ।

 

ମୁଁ ଅତରଛରେ ପାଖକୁ ଯାଇ ହଲାଇ ଦେଇ ଡାକିଲି–‘‘ହେଇଟି, ହେଇଟି–ଓଃ–ଶୁଭୁଛି ନା–ମଲା–ଉଠ–ଉଠ–ଉଠିବ ନାହିଁକି–ଆମେ ଯେ କଟକ ଛାଡ଼ି ଆସିଲେ–ଆଚ୍ଛା ନିଦ ତ–ଶୁଭୁ ନାହିଁ ନା–ଭଲା କଥା–ଓଃ–କିଶୋରବାବୁ–କିଶୋର ବାବୁ !’’

 

କିଶୋର ବାବୁଙ୍କୁ ନାମ ଧରି ଡାକିବା–ଏମିତି ଅଲଜ୍ୟା ଭାବରେ ଏଇ ମୋର ପ୍ରଥମ ।

 

ସେ ଆସ୍ତେ ଆସ୍ତେ ଉଠି ଆଖି ମଳୁ ମଳୁ କହିଲେ–ଯିମିତି କି ତାଙ୍କର ଚିନ୍ତା ବୋଲି ଟିକିଏ ବି ନାହିଁ ସୁଦ୍ଧା–‘ଉଁ, କଅଣ କହୁଛ !’

 

‘‘କଟକ ଯେ ଛାଡ଼ି ଆସିଲ !’’ ମୁଁ ପୁଣି ଥରେ କହିଲି ।

 

‘‘ଏଁ–କଟକ ଛାଡ଼ି ଆସିଲେ ? ନାଇଁ ମ–କଟକ ଏତେ ଚଞ୍ଚଳ ଚାଲିଯିବ ନା !’’ ସେ ଚମକି ପଡ଼ି ଉଠିଲେ ।

 

‘‘କଟକ ଛାଡ଼ି ଖୋର୍ଦ୍ଧାରେ ଆସି ପହୁଞ୍ଚିଲେଣି, କହୁଛ–ନାଇଁ ମ ?’’ ମୁଁ ରାଗ ଚୋଟରେ କଡ଼ା କରି କହିଦେଲି ।

 

ସେ ମୁହଁଟିକୁ ଶୁଖାଇପକାଇ କହିଲେ–‘‘ସତେ ?’’

 

‘‘ଦେଖୁନ ସେଠି କ’ଣ ଲେଖା ଅଛି ବତୀଖୁଣ୍ଟରେ !’’

 

‘‘ସତେ ତ, କଅଣ କଲେ ଆମେ !’’

 

‘‘ହଁ, ଏତେବେଳକୁ ‘ଆମେ’ ବୋଲି ନ କହି ଦୋଷଟାକୁ ଏକୁଟିଆ ନିଜ ଉପରେ ପକାଇବ କାହିଁକି ?’’ ମୁଁ ମନେ ମନେ କହିଲି–ବଡ଼ ରାଗିଯାଇ ।

 

ସେ କିଛି ନ କହି ଖାଲି ଏଣିକି ତେଣିକି ଚାହିଁଲେ । ମୁଁ ଜୋର୍‌ କରି ପଚାରିଲି–‘‘କଅଣ କରିବ ଏଇଲେ ?’’

 

‘‘ମୁଁ କୁଲି ଡାକି ଆଣେ–ଓହ୍ଲେଇ ଯିବା ଏଇଠି ।’’

 

‘‘ଜଲ୍‌ଦି ଯାଅ !’’ ବୋଲି ତାଙ୍କୁ ପଠେଇ ମୁଁ ବିଛଣାପତର ବାନ୍ଧିବୁନ୍ଧା ଦେଲି । ଏଠି ବି ବରଷା ହେଉଥାଏ ବଡ଼ ଜୋର୍‌ରେ । ସେ କଥାକୁ ମୁଁ ନିଜର ବି ଦେଲି ନାହିଁ । ସେ ସେଇ ବରଷାରେ ତିନ୍ତି ତିନ୍ତି କୁଲି ଡାକିବାକୁ ଗଲେ । ସେ ମୋତେ ନିଷ୍ଠୁର ବୋଲି ମନେ କରିଥିବେ । ସେ ମୋତେ ଯାହା ଭାବନ୍ତୁ ବା ମୋ ମନଭିତରେ ତାଙ୍କ ପ୍ରତି ଯାହା ଥାଉ, ସେ ସବୁ ଭାବିବାର ବେଳ ନ ଥିଲା ମୋର ।

 

ବଡ଼ ଡେରି ହେଲା ତାଙ୍କ ଆସିବାରେ । ମୁଁ ‘କୁଲି କୁଲି’ ରଡ଼ି ଛାଡ଼ିଲି । ବହୁତ ବେଳକେ ଗୋଟାଏ କୁଲି ଆସିଲା । ବିଛଣା ଉତାରି ଦେବାକୁ ତାକୁ କହିଲି । କହି ତ ଦେଲି ସତ, କିନ୍ତୁ କିଶୋରବାକୁଙ୍କର ତ ଦର୍ଶନ ମିଳିଲା ନାହିଁ । ଟିକଟ କଲେକ୍ଟର ଟିକଟ ମାଗିଲେ ମୁଁ କରିବି କଅଣ-? କେତୁଟା ଜିନିଷ ତଳକୁ ବାହାରି ଗଲାଣି । ମୁଁ କୁଲିକି ଦଉଡ଼ାଇ ଦେଲି–‘ଗଲୁ ତୁ ବାବୁଙ୍କୁ ଡାକି ଆଣିବୁ ଆଗ । ଏଇଆଡ଼େ ଯାଇଛନ୍ତି । ଗୋରା ହୋଇ ଡେଙ୍ଗା । ସିଲ୍‌କ ପଞ୍ଜାବୀ ପିନ୍ଧିଛନ୍ତି-। ଜଲ୍‌ଦି ଯା ।’

 

ସେ ଦଉଡ଼ିଲା । ମୁଁ ତାହାରି ରାହାକୁ ଚାହିଁ ରହିଲି । ଗାଡ଼ିରୁ ଓହ୍ଲାଇ ନ ଥାଏଁ–ତିନ୍ତି ଯିବି ବୋଲି; କିନ୍ତୁ ଜିନିଷପତ୍ର ଗୁଡ଼ାକ ଯେ ତିନ୍ତିଲା । କୁଲିର ଦେଖା ନାହିଁ କି ବାବୁଙ୍କର ଦେଖା ନାହିଁ ଏପର୍ଯ୍ୟନ୍ତ । ରାଗରେ ମୁଁ ନିଆଁ ହାଇ ଗଲିଣି ସେତେବେଳକୁ । ଗାଡ଼ି ଛାଡ଼ିବାର ଘଣ୍ଟି ହୋଇଗଲା । ମୁଁ କଅଣ କରିବି ବିଚାରି ପାରିଲି ନାହିଁ । ବଡ଼ ବ୍ୟସ୍ତ ହୋଇ ପଡ଼ିଲି । ଜିନିଷପତ୍ର ତଳକୁ ଓହ୍ଲାଇ ନେଇ ଷ୍ଟେସନରେ ଏକୁଟିଆ ରହିବାକୁ ବି ସାହସ ହେଲା ନାହିଁ । ମୁଁ ଅତରଛରେ ତଳକୁ ଯାଇ ଯେଉଁ ଜିନିଷ ଓହ୍ଲେଇ ଦେଇଥିଲି, ତାକୁ ଉପରକୁ ଟେକିବାକୁ ବସିଲି । ଟେକି ହେଲା ନାହିଁ । ଜଣେ ଭଦ୍ରଲୋକ ସେଇ ବାଟେ ଯାଉଥିଲେ । ଅବସ୍ଥା ଦେଖି ସେ ମୋତେ ସାହାଯ୍ୟ କଲେ । ମୁଁ ଯାଇ ଗାଡ଼ିରେ ଚଢ଼ିଲି । ସେ ପଚାରିଲେ–‘ଆପଣ କ’ଣ ଏକା ?’

 

‘ନା, ମୁଁ ବଡ଼ ଲଜ୍ଜିତ ହୋଇ କହିଲି ।

 

‘‘ତେବେ ସଙ୍ଗରେ କିଏ ଅଛନ୍ତି–ଆପଣଙ୍କର ସ୍ୱାମୀ ?’’

 

କଅଣ କହିବି ? କଅଣ କହିବି ମୁଁ ଗୋଟାଏ ପରପୁରୁଷ ସଙ୍ଗରେ ଯାଉଛି–ମୋ ସ୍ୱାମୀ ସଙ୍ଗରେ ନୁହେଁ–ଏ କଥା କହିବି କିପରି ? ଭାବୁ ଭାବୁ ଉତ୍ତର ଦେବାରେ ଏତେ ଡେରି ହେବାକୁ ବସିଲା ଯେ ସେ କାଳେ କିଛି ସନ୍ଦେହ କରିବେ, ଏହି ଡରରେ ମୁଁ ବଡ଼ କଷ୍ଟରେ କହିଲି–‘‘ଏଁ, ହଁ ।’’

 

‘‘କୁଆଡ଼େ ଗଲେ ସେ ?’’

 

‘‘ଏଇଆଡ଼େ ତ ଗଲେ–ଏତେବେଳଯାଏ ଫେରିଲେ ନାହିଁ କାହିଁକି କେଜାଣି–ଟିକିଏ ଯଦି ଦେଖନ୍ତେ !’’

 

ଗାର୍ଡ ହୁଇସିଲ ଦେଲାଣି ସେତେବେଳକୁ । ମୋଡ଼ା ହୋଇଥିବା ପତାକାଟା ସେ ଧୀରେ ଧୀରେ ଖୋଲିବାକୁ ବସିଲା–ହଲାଇଲେ ଗାଡ଼ି ଛାଡ଼ିବ । ଭଦ୍ରଲୋକଟି ଦଉଡ଼ିଲେ ତାଙ୍କୁ ଖୋଜିବା ପାଇଁ ।

 

ଗାଡ଼ି ଛାଡ଼ିଦେଲା–ଖୁବ୍‌ ଆସ୍ତେ । ମୁଁ କଅଣ କରିବି–କଅଣ କରିବି ବୋଲି ମଥା ଘୂରେଇ ଦେଲା ମୋର । ବଡ଼ ଅସ୍ଥିର ହୋଇ ପଡ଼ିଲି । ଯେତେବେଳେ ଉପାୟ ଆଉ କିଛି ମୁଣ୍ଡରେ ନ ପଶିଲା, ମୁଁ କାଠ ପିତୁଳୀ ପରି ହାଁ କରି ଅନାଇ ରହିଲି ସେମିତି । କିଶୋରବାବୁଙ୍କର ଖବରଟା ଅନ୍ତତଃ ଜାଣିଥିଲେ ହେଲେ, କୋଉଁଠି ରହିଗଲେ, କି ଆଉ କୋଉଁ ଡବାରେ ଉଠିଲେ ମୁଁ ଟିକିଏ ନିଶ୍ଚିନ୍ତ ହୋଇଥାନ୍ତି । ଏକୁଟିଆ ଲୋକ, ପୁଣି ମାଇପି ଜାତି । ଡରରେ ମୋ ଛାତି ଖାଲି ଉଠ୍‌ ପଡ଼ ହେଉଥିଲା । ଏତିକିବେଳେ ଦେଖିଲି, ସେ ଦଉଡ଼ି ଦଉଡ଼ି ଆସୁଛନ୍ତି । ମୁଁ ଆଉ କହନ୍ତି କଅଣ ସେତେବେଳେ ? ‘ଉଠି ପଡ଼–ଜଳଦି ଉଠି ପଡ଼’ ରଡ଼ି ଛାଡ଼ିଲି । ଏତିକିବେଳେ ଦେଖିଲି, ସେଇ ଭଦ୍ରଲୋକଟି ପ୍ଲାଟଫର୍ମ ଉପରେ ଛିଡ଼ା ହୋଇଛନ୍ତି । ତାଙ୍କୁ ଚାହିଁଦେଇ ମୁଁ ଲାଜରେ ଜଳିଗଲି ଗୋଟିପଣେ । ସେ କଅଣ ଭାବିଥିବେ, ମନେ କରିଥିବେ ଏହି ମୋର ସ୍ୱାମୀ ! ଓଃ–ମୁଁ ମରି ନ ଗଲି କାହିଁକି ?

 

ଗାଡ଼ି ଜୋର୍‌ରେ ଛାଡ଼ି ଦେଇଥିଲା । ସେ ନିରାପଦରେ ଚଢ଼ି ଯାଇଥିଲେ, ମୁଁ ଯେଉଁ ଡବାରେ ଥାଏଁ, ତା’ର ଗୋଟିଏ ଡବା ଆଗକୁ ଆଉ ଗୋଟାଏ ଡବାରେ । ମୁଁ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିଲି । କିନ୍ତୁ ମନ ଭିତରେ ମୋର ଯେଉଁ ଝରଣା ବହୁଥିଲା ସେ ଆଉ ଥମିଲା ନାହିଁ । ମୋର ଟିକିଏ କାହିଁକି ସନ୍ଦେହ ହେଲା । ଏ ଏ ଦୁର୍ଘଟଣାଗୁଡ଼ାକ ଆପେ ଆପେ ଘଟୁଛି, ନା ଆଉ କାହାରି ହାତ ଅଛି ଏଥିରେ ? ମୁଁ ଭାବି କିଛି ଠିକ୍‌ କରିପାରିଲି ନାହିଁ । କିଶୋରବାବୁଙ୍କୁ ସନ୍ଦେହ କରିବା ଯେମିତି ମୋ କୋଷ୍ଠିରେ ଲେଖା ନ ଥିଲା । ତାଙ୍କୁ ସନ୍ଦେହ କରନ୍ତି କେମିତି ? ଏଡ଼େ ବଡ଼ ଅନ୍ୟାୟ ମୁଁ କରି ପାରିଲି ନାହିଁ ।

 

ଗାଡ଼ି ଯେତେ ଆଗକୁ ଦଉଡ଼ିଥାଏ ମୋତେ ସେତେ ଭାରି ଲାଗୁଥାଏ–ସେତେ ବେଶି ମାଡ଼ି ପଡ଼ୁଥାଏ । ଆର ଷ୍ଟେସନରେ ତ କିଶୋରବାବୁ ବଳେ ଆସିବେ । ଆସିଲେ ମନଇଚ୍ଛା କରି ଶୋଧିଯିବି ପରସ୍ତେ ବୋଲି ଆଣ୍ଟ କରି ବସିଲି ।

 

ଷ୍ଟେସନ ପଡ଼ିଲା । ଗାଡ଼ି ଠିଆ ହେଲା । କିଶୋରବାବୁ ମୋ ପାଖକୁ ଆସିଲେ । କିନ୍ତୁ ମୁଁ ଆଉ ଗାଳି ଦେଇ ପାରିଲି ନାହିଁ ତାଙ୍କୁ ।

 

ସେ ଆଗ ଡବା ଭିତରକୁ ପଶି ଆସି କହିଲେ,–‘ମୋ ମୁଣ୍ଡ କାହିଁକି ବିନ୍ଧୁଛି–ଭାରି ବିନ୍ଧୁଛି-।’ ମୁଁ ତାଙ୍କୁ ଚାହିଁଦେଲି । ତାଙ୍କ ମୁହଁଟା କେମିତି ଫଣଫଣିଆ ଦେଖା ଯାଉଥିଲା । ପଚାରିଲି, ‘ଜରଫର ହେଇ ନାହିଁ ତ ?’ ସେ କହିଲେ,–‘କେଜାଣି !’ ମୁଁ ତାଙ୍କ ଦିହରେ ହାତ ମାରି ଦେଖିଲି, ଉଷୁମ ଲାଗିଲା ।

 

‘ଜର ତ !’ ମୁଁ ଛାନିଆ ହୋଇ କହିଲି । ସେ ବର୍ଷାରେ ଗୋଟିପଣେ ତିନ୍ତି ଥାଆନ୍ତି । ମୁଁ ତାଙ୍କୁ ଲୁଗା ପାଲଟିବାକୁ କହିଲି । ସେ ଲୁଗା ପାଲଟି ଶୁଖିଲା ପଞ୍ଜାବୀ ପିନ୍ଧି ବଡ଼ ଆସକତରେ ବେଞ୍ଚ ଉପରେ ବସି ପଡ଼ିଲେ । ତାଙ୍କ ଆଖି ସେତେବେଳକୁ ନାଲ ପଡ଼ି ଆସିଲାଣି । ପରିଷ୍କାର କର-। ଏଥିରେ ଆଉ ସନ୍ଦେହ କରିବାର ନ ଥିଲା କିଛି ।

 

‘କଅଣ କରିବା ?’ ମୁଁ ପଚାରିଲି । ମୋତେ କିଛି ବୁଦ୍ଧି ଦିଶିଲା ନାହିଁ ।

 

‘କଅଣ ଆଉ କରିବା ?’ ସେ କହିଲେ, ‘ଏଠି ତ ଆଉ ଓହ୍ଲେଇବାର ବାଟ ନାହିଁ । ଓହ୍ଲେଇଲେ ରହିବ କେଉଁଠି ଫେରନ୍ତା ଗାଡ଼ି ଧରିବା ଯାଏ ? ଯେମିତି ହଉ ପୁରୀ ପର୍ଯ୍ୟନ୍ତ ଯିବାକୁ ହବ । ନ ଯାଇ ଚାରା ନାହିଁ ।’

 

‘ଟିକଟ ?’ ମୁଁ ପଚାରିଲି ।’

 

‘ଟିକଟ ହେଇଛି ।’

 

‘ହେଇଛି ?’ ମୁଁ ଆଶ୍ଚର୍ଯ୍ୟ ହେଲି । ‘ତେବେ କଅଣ–ତେବେ କଅଣ ଜାଣି ଶୁଣି– ।’ ମୋର ମନେ ମନେ ବଡ଼ ସନ୍ଦେହ ହେଲା ।

 

‘ହେଇ ନାହିଁ ଯେ ମୁଁ ଗାର୍ଡ଼କୁ କହି ଆସିଛି ।’ ସେ ଆପେ ଆପେ କହିଲେ ।

 

କି ଅଦ୍ଭୁତ ଲୋକ ଏ ! ଗାର୍ଡ଼କୁ ଏ କାହିଁକି କହିବାକୁ ଗଲେ ? ଖୋର୍ଦ୍ଧାରା ନ ଓହ୍ଲେଇଲେ ବା କାହିଁକି ? ପୁରୀ ଯିବାକୁ ତାଙ୍କୁ କିଏ କହିଥିଲା ? ମୁଁ ତ କିଛି କିହି ନାହିଁ । ତେବେ କଅଣ ନିଜ ଇଚ୍ଛାରେ ୟା କଲେ ?

 

ମୋ ଚାହିଁବାରୁ ସେ ମୋ ମନର କଥା ବୁଝି ପାରିଲେ କି କଅଣ କହିଲେ–‘ମୁଁ ଯାହା କରିଛି ଭାବି ଚିନ୍ତି କରିଛି । ତମେ ଏମିତି କାହିଁକି ହଉଛ ? ପୁରୀ ଦେଖାଟା ତ ହେଇଯିବ ।’

 

‘ପଇସା ଖର୍ଚ୍ଚ ହବ ତ ପୁଣି ସେଥିରେ ?’ ମୁଁ ରାଗରେ ପଚାରିଲି ।

 

‘ବେଶୀ ନୁହେଁ । କଟକରୁ ଖୋର୍ଦ୍ଧା ଗାଡ଼ିଭଡ଼ାଟା ତ ପଡ଼ିଥାନ୍ତା–ତା’ଉପରେ ପୁଣି ପେନାଲ୍‌ଟି । ତାଠୁଁ ବେଶୀ କ’ଣ ଖର୍ଚ୍ଚ ହବ ପୁରୀ ଯିବାରେ ?’

 

‘ପୁରୀ ଗଲେ କଟକ ଖୋର୍ଦ୍ଧା ଭଡ଼ାଟା ପଡ଼ିବ ନାହିଁ ପରା ?’

 

‘ନା–ପଡ଼ିବ ନାହିଁ ।’

 

‘କିମିତି ?’

 

‘ତା’ର ଉପାୟ ମୁଁ କରିଛି ।’

 

ସେତେବେଳକୁ ସେ ଷ୍ଟେସନରୁ ଗାଡ଼ି ଛାଡ଼ିବା ଉପରେ । ମୁଁ ଅତରଛରେ ପଚାରିଲି–‘ତେବେ କ’ଣ ପୁରୀ ଯିବ ?’

 

ଗାଡ଼ି ଛାଡ଼ି ଦେଲା । ସେ କହିଲେ–‘ ନ ଯାଇ ଆଉ କରିବା କ’ଣ ଏଇଲେ ?’

 

ମୁଁ ଅଭିମାନରେ ରାଗରେ ଆଉ ପଦିଏ ବି କଥା କହିଲି ନାହିଁ ତାଙ୍କୁ । ସେ ବଳେ ବଳେ ଯାଚିହେଇ ଆସି କହିଲେ କି, ତାଙ୍କ ପରି ଚାଲାଖ ଲୋକ ଆଉ ଦୁନିଆରେ କେହି ନାହାନ୍ତି । ସେ କୁଆଡ଼େ ରେଲ କମ୍ପାନୀକୁ ଠକାଇ ଦେଇ ଆସିଛନ୍ତି । କେମିତି ଠକାଇଲ ବୋଲି ମୁଁ ପଚାରିବାରୁ ସେ ଉତ୍ତର ଦେଲେ–ସେ କୁଆଡ଼େ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗାର୍ଡ଼ ହୁଇସିଲ ଦେବାଯାଏ ପ୍ଲାଟଫର୍ମର ଏପାଖ ସେପାଖ ହେଉଥିଲେ । ଗାଡ଼ି ଛାଡ଼ିବା ଉପରେ ହେଲାଣି, ସେ ଦଉଡ଼ି ଯାଇ ଗାର୍ଡ଼କୁ ଜଣେଇ ଦେଲେ ଯେ, ସେ ଓ ଆଉ ଜଣେ (ମୁଁ) ଖୋର୍ଦ୍ଧାଠାରୁ ପୁରୀ ଯାଉଥିଲେ । ଡେରି ହୋଇଯିବାରୁ ଟିକଟ କାଟି ପାରିଲେ ନାହିଁ । ଗାର୍ଡ଼ କୁଆଡ଼େ ତାଙ୍କୁ ଅନୁମତି ଦେଲା । ସେଥିପାଇଁ ଗାର୍ଡ଼ ପରା ଆଉ କଟକଠାରୁ ଚାର୍ଜ କରିବ ନାହିଁ–ଖାଲି ଖୋର୍ଦ୍ଧାଠାରୁ ପୁରୀ । ୟା କହି ସେ ବଡ଼ ପଉରୁଷ ଦେଖେଇ ହଉଥିଲେ ।

 

ମୋର ସେଟା ସହ୍ୟ ହେଲା ନାହିଁ । କାହିଁକି କେଜାଣି ? ତାଙ୍କର ଏଇ ପଉରୁଷ ତ ମୋ ଜୀବନର ଗତିକୁ ଗୋଟାଏ ଭୁଲ ବାଟରେ ଟାଣି ଘୋଷାରି ନେଇଯାଉଥିଲା ବୋଲି, ଅବୁଝା ମୁଁ ଅଜାଣ ମୁଁ, ନିଜକୁ ବଡ଼ ଭାଗ୍ୟବତୀ ମନେ କରୁଥିଲି ଦିନେ; କିନ୍ତୁ ଆଜି କାହିଁକି ତାଙ୍କର ବାହାଦୁରୀଟା ମୋ ଆଖିଶୂଳ ହେଲା ମୁଁ ବୁଝି ପାରିଲି ନାହିଁ । ବୋଧହୁଏ ତାଙ୍କ ଉପରେ ରାଗିଥିଲି ସେତେବେଳେ, ସେଥିପାଇଁ । ଅଥବା ଅନ୍ୟାୟ କଥାଟା ମୋତେ ସବୁଦିନେ ଭଲ ଲାଗେ ନାହିଁ, ସେଥିପାଇଁ ବି ହୋଇପାରେ । ବେଶୀ ସମ୍ଭବ, ତାଙ୍କୁ ମୁଁ ମୋ ଜାଣତରେ କେବେ ଅନ୍ୟାୟ କରିବାକୁ ନ ଦେବାର ମୋ ଭିତରେ ଯୋଉଁ ବଳବତୀ ଇଚ୍ଛା, ତାହାରି ଯୋଗୁ ତାଙ୍କର ଠକପଣିଆର ବାହାଦୁରୀଟା ମୋତେ ଭଲ ଲାଗିଲା ନାହିଁ ।

 

‘ଟଙ୍କା ଗୋଟାଏ ଦୁଇଟା ପାଇଁ କାହିଁକି ଭଲା ଅପରକୁ ଠକିଲ ?’ ମୁଁ କହିଲି ।

 

ତାଙ୍କ ମୁହଁଟି ଏଡ଼ିକି ବକଟେନାକୁ ହୋଇଗଲା–ଯେମିତି ଅସଲ ଚୋର ଧରା ପଡ଼ିଲେ ହୁଅନ୍ତି ସେମିତି ।

 

ମୁଁ ଆଉ କିଛି କହିଲି ନାହିଁ । ସେତେବେଳକୁ ସେ ଏତେ ବେଶୀ ଥକା ହେଇଗଲେଣି ଯେ ଯେମିତି ଢଳି ପଡ଼ିବେ ବସିଲାଠିଁ, ଏମିତି ଜଣାଯାଉଥିଲା । ମୁଁ ତାଙ୍କ ଦେହରେ ହାତ ମାରି ଦେଲି, ଖଇ ଫୁଟି ଯାଉଛି ଜରରେ । ମୋତେ କାହିଁକି ବଡ଼ ଡର ମାଡ଼ିଲା । ମୁଁ ତାଙ୍କୁ ନେଇ ବିଛଣା ପାରି ଶୁଆଇ ଦେଲି ।

ପୁରୀ ପହଞ୍ଚିଲା ବେଳକୁ ତାଙ୍କର ଅବସ୍ଥା ଆହୁରି ଖରାପ ହୋଇଗଲାଣି । ବଡ଼ କଷ୍ଟରେ ତାଙ୍କୁ ଉଠାଇ, ଯାଇ ଘୋଡ଼ା ଗାଡ଼ିରେ ଚଢ଼ିଲୁ । ଗାଡ଼ିବାଲା ପଚାରିଲା–‘କୋଉଠିକି ଯିବେ ବାବୁ ?’

ମୁଁ ତାଙ୍କୁ ଚାହିଁଲି । ସେ ବଡ଼ କଷ୍ଟରେ କହିଲେ ‘ଧର୍ମଶାଳା’ ?

ଧର୍ମଶାଳାରେ ଯାଇ ରହିଲୁଁ । ସଞ୍ଜ ଗାଡ଼ିରେ ଆମର କଟକ ଫେରି ଯିବାର କଥା; କିନ୍ତୁ ସଞ୍ଜବେଳେ ତାଙ୍କର ଅବସ୍ଥା ଦେଖି ମୁଁ ଛାନିଆ ହୋଇ ପଡ଼ିଲି । ଏକାଠାଏ ବସି ରହି ହେଲା ନାହିଁ-। ମନ ଭିତରେ ଗୋଟାଏ ମଟର ଦଉଡ଼ୁଛି ଯେମିତି । କେତେ ରାସ୍ତା ନଈ ନାଳ ପାରି ହୋଇ ମୁଁ ଯେମିତି କୋଉଠିକି ଗୋଟାଏ ଯାଉଚି, ତା’ ମୁଁ ନିଜେ ଜାଣେ ନାହିଁ ।

‘ଶୁଣିବ ଟିକିଏ ?’ କିଶୋରବାବୁ ଡାକିଲେ ।

‘କ’ଣ ?’ ମୁଁ ତାଙ୍କ ପାଖରେ ଯାଇ ଠିଆ ହେଲି ।

‘ମୋ ଉପରେ ତମେ ରାଗିଛ, ନାଇଁ ?’

‘କେତେବେଳେ ? ରାଗିଲି କେତେବେଳେ ?’

‘ରାଗି ନା ?’

‘କାହିଁ–ନା–ରାଗିବି କାହିଁକି ମ ?’

‘ସତ କହୁଛ ?’

‘ସତ, ମୁଁ ତମ ଉପରେ ଆଦୌ ରାଗିନାହିଁ ।’

ସେ ଗୋଟିଏ ନିଃଶ୍ୱାସ ଛାଡ଼ିଲେ । ନିଶ୍ଚିନ୍ତ ନିଃଶ୍ୱାସ । ସେ ନିଶ୍ଚିନ୍ତ ହେଲେ । କିନ୍ତୁ ମୁଁ କ’ଣ ସତ କହିଲି ତାଙ୍କ ଆଗେ ? ମୁଁ କ’ଣ ତାଙ୍କ ଉପରେ ଟିକିଏ ହେଲେ ବି ରାଗି ନାହିଁ ? ରାଗିଥିଲି । କିନ୍ତୁ ସେ ପଚାରିବାବେଳକୁ ମୋର ତ ରାଗ ନ ଥିଲା ଆଉ । ରାଗ ଫାଗ ସବୁ କୁଆଡ଼େ ପାଣିରେ ମିଶିଗଲାଣି ସେତେବେଳକୁ । ସତ ଏକା, କିଶୋରବାବୁଙ୍କ ଉପରେ ଯିଏ ଯେତେ ରାଗିଥାଏ ପଛକେ, ତାଙ୍କ ଚେହେରାରେ ଗୋଟାଏ ଏପରି ଅଦ୍ଭୁତ ଠାଣି ଥିଲା ଯେ, ତାଙ୍କୁ ଦେଖି ପକାଇଲାକ୍ଷଣି ସାତ ଶତ୍ରୁ ହେଇଥାଉ ପଛେ, ରାଗ ଅହଙ୍କାର ସବୁ ଏକାବେଳକେ ଦୂର ହୋଇଯିବ ତା’ର ।

ତାଙ୍କର ଏହି ବିଶେଷତ୍ୱ ସବୁ ଭାବୁ ଭାବୁ ମୋର କେତେ କଥା ମନେ ପଡ଼ିଗଲା । କିଶୋରବାବୁଙ୍କ ସହିତ ପରିଚୟ ହେବାର ଆରମ୍ଭଠାରୁ ଆଜିଯାଏ ସମସ୍ତ ଘଟଣା ଏକଜୁଟ କରି ମନ ଭିତରେ ମୋର କେଉଁ ଅଦ୍ଭୁତ କଳାକାର ସେ, ଚିତ୍ର ଉଠାଇ ଗୋଟିକପରେ ଗୋଟିଏ, ଗୋଟିକ ପରେ ଗୋଟିଏ ସୁନ୍ଦର ରୂପେ ସଜାଇ ମୋ ଆଖି ଆଗରେ ଚଳଚିତ୍ର ଦେଖାଇ ଯାଉଥାଏ–ଖୁବ୍‌ ବେଗରେ । ଏ ଅଭିନୟର ଶେଷ ଅଙ୍କ ଯେ କେଉଁଠି, ସେଇ ଆଶଙ୍କାରେ ମନ ମୋର ଗୁଡ଼ାଇ ହେଉଥାଏ ପଡ଼ି । ଏହାର ଯବନିକା ଦୁଃଖାନ୍ତ କି ସୁଖାନ୍ତ, ତା’ର ଠିକଣା ମଧ୍ୟ ମୁଁ କରି ପାରୁ ନ ଥାଏ ।

ସେ ଡାକିଲେ–‘ଗେହ୍ଲି !’

ମୁଁ ଚମକି ପଡ଼ିଲି । ମୋ ନାଁ ଧରି ସେ ତ ୟା ଆଗରୁ କେବେହେଲେ ଡାକି ନାହାନ୍ତି ଦିନେ । ଲେଖି ବି ନାହାନ୍ତି ଥରେ !

ମୁଁ ତାଙ୍କ ମଥା ଉପରକୁ ଠିଆ ହୋଇଗଲି । ସେ ଡୋଳା ଟେକି ମୋତେ ଚାହିଁଲେ । ବେଶୀ ବେଳ ଚାହିଁ ପାରିଲେ ନାହିଁ । ପତା ମାଡ଼ି ପଡ଼ିଲା ।

‘ଓଃ ଛାତିଟା ଜଳିଗଲା ।’ ସେ ଅସ୍ଥିର ହେଲେ ।

ମୁଁ ପାଖରେ ଯାଇ ବସିଲି ।

ଟିକିଏ ମୋ ଛାତି ଉପରେ ହାତ ରଖ, ଗେହ୍ଲି !’

ରଖିଲି । ସେ ଖାଲି ଗୋଟାଏ ନିଶ୍ୱାସ ଛାଡ଼ିଲେ । ଆଉ କିଛି କହିଲେ ନାହିଁ । ଯେମିତି କଷ୍ଟ ତାଙ୍କର ଟିକିଏ କମି ଯାଉଥିଲା । ମୋତେ ବି ଭଲ ଲାଗିଲା ।

ସେ ଅଳ୍ପକ୍ଷଣ ପାଇଁ । ବେଶୀ ବେଳ ସେ ଥିର ହୋଇ ରହି ପାରିଲେ ନାହିଁ । ବଡ଼ ଅସ୍ଥିର ହେଲେ । ମୁଁ ଡାକ୍ତର ଡକାଇ ପଠାଇଲି । ଡାକ୍ତର ଆସି ଦେଖିଲା । କହିଲା–‘ଡବଲ ନିମୋନିଆ । ହାସପାତାଳ ନେଇଯାଅ ।’

ମୋର ତ ହଂସା ଉଡ଼ିଗଲା । ମୁଁ କ’ଣ କରିବି ? ତେଣେ ଯେ ମୋର ନିଜର ସ୍ୱାମୀ ଅସୁସ୍ଥ, ସେ କଥା ମୁଁ ପାସୋରି ସାରିଲିଣି । ଠିକ୍‌ ପାସୋରି ନ ଥିଲେ ବି ସେ କଥା ଭାବିବାକୁ ମୋର ବେଳ ନ ଥିଲା ।

ତାଙ୍କୁ ହାସପାତାଳ ନେଇଗଲି । ମାଇପି ଲୋକ, ପୁଣି ଏକୁଟିଆ–ବିଦେଶ ବୋଲି ମୁଁ ବାହାରକୁ ବାହାରି ସବୁ କାମ କଲି ସିନା, କିନ୍ତୁ ମୋତେ ସବୁ କଥାରେ କେମିତି ଗୋଟାଏ ମାଡ଼ି ପଡ଼ୁଥାଏ ଖାଲି । ବିପଦ ବେଳରେ ମଣିଷ ଯେ ଅସାଧ୍ୟ ସାଧନ କରେ, ମୁଁ ସେଦିନ ମୋରି କଥାରୁ ଭଲ କରି ବୁଝି ପାରିଲି । ଲାଜସରମ ଭୁଲି ଡାକ୍ତରକୁ କେତେ ଖୋସାମତ କଲାରୁ ସେ ତାଙ୍କୁ ହାସପାତାଳରେ ରଖିଲା ।

ମୋ ହାତରୁ ପଇସା ସରିଲାଣି ସେତେବେଳକୁ । ଅଳ୍ପ ଯାହା ଆଣିଥିଲି, ଡାକ୍ତର ଫିସ, ଫଳମୂଳ କିଣାରେ ସରିଗଲା । ଯେତେବେଳେ ସେ ପୁଣି ଫଳ ପାଇଁ କହିଲେ, ମୁଁ ବଡ଼ ବିପଦରେ ପଡ଼ିଗଲି । ତାଙ୍କୁ ମାଗିବାକୁ ସାହସ ହେଉ ନ ଥାଏ, ଏଣେ ମୋ ପାଖରେ ପଇସା ନାହିଁ; ସଫା ସଫା ଏ ସତ କଥାଟା କହି ଦବାକୁ ଖୁବ୍‌ ସହଜ ମନେ କରୁ ନ ଥାଏଁ । ଶେଷରେ ବହୁ କଷ୍ଟରେ କହିଲି–‘କେତେକର ଫଳ ଆଣିବି ? ବେଶୀ– ?’

ସେ ହସିଲେ । ମୋତେ ଭାରି ଲାଜ ମାଡ଼ିଲା । ମୁଁ ମରି ନ ଗଲି କାହିଁକି ? ସେ ତାଙ୍କ ପକେଟରୁ ମନିବେଗ୍‌ଟା କାଢ଼ି ମୋ ହାତକୁ ବଢ଼େଇ ଦେଲେ । ମୁଁ ଦେଖିଲି, ପଚାଶ ଟଙ୍କା ସରିକି ନୋଟ ଆଉ କେତେ ଖୁଚୁରା ଅଛି । କହିଲି, ‘ଏତେ ଗୁଡ଼ାଏ କ’ଣ ହେବ ?’ ସେ ଭଲକରି କଥା କହି ପାରୁ ନ ଥାନ୍ତି । ବଡ଼ କଷ୍ଟରେ କହିଲେ–‘ରଖିଥାଅ ।’ ମୋର ଆଉ ବେଶୀ କିଛି କହିବାକୁ ସାହସ ହେଲାନାହିଁ ତାଙ୍କୁ–ତାଙ୍କର କଷ୍ଟ ଦେଖି ।

ତହିଁ ଆର ଦିନ, ଭୋର୍‌ ହେଇ ଆସୁଥାଏ । ଫରଚା ପଡ଼ିଗଲାରୁ ତାଙ୍କ ଚେହେରା ଟିକିଏ ତୋରା ଦିଶିଲା । ମୁଁ ରାତିଟାଯାକ ତାଙ୍କରି ମୁଣ୍ଡ ପାଖରେ ବସି ଉଜାଗର ଯାପିଛି । ଲାଜସରମ ମୁଁ ଭୁଲିଗଲିଣି ଏକାଥରେ ।

 

ସେ ଡାକିଲେ–ସେ ଡାକ–ଗେହ୍ଲି !’

 

ମୁଁ ଶୁଣିଲି ନାହିଁ । ଖାଲି ଚାହିଁଥାଏ ତାଙ୍କ ମୁହଁକୁ ।

 

‘‘ଶୁଣିବ ନାହିଁ ?–ମୋର ଶେଷ ବେଳରେ ଏଡ଼େ ସାଧର ଡାକ ତମେ–’’ ତାଙ୍କ କଣ୍ଠନାଳି ରୁଦ୍ଧ ହେଇ ଆସିଲା ।

 

ମୋର ଭାରି ଦୁଃଖ ହେଲା !

 

‘‘ନା–ନା, ତମେ ମୋର ନୂଆବୋଉ ନୁହଁ–ସୁଲକ୍ଷଣା ନୁହଁ–ତମେ ମୋର ପ୍ରାଣର ଗେହ୍ଲି-।’’

 

ମୋତେ ବଡ଼ ଡର ଲାଗିଲା । ସେ କଅଣ ଗୋଟାଏ ନାହିଁ ନ ଥିଲା କଥା କହି ପକାଇବେ ପରା !

 

‘‘ଗେହ୍ଲି, କ୍ଷମା କରିବ–ଯଦି କିଛି ଭୁଲ କରିଥାଏ । ଏତିକି–’’

 

ସେ ଆଉ ଚାହିଁ ପାରିଲେ ନାହିଁ । କେତେ ବଳଯାଏ ଆଉ କହି ପାରିଲେ ନାହିଁ । ମୋତେ ଆହୁରି କଷ୍ଟ ହେଲା । କଅଣ ହବ ? ୟାର ଶେଷ କେଉଁଠି ? ମୋତେ କିଏ କହି ଦେବ-?

 

ସେ କାନ୍ଦୁଥିଲେ । ଦୁଇ ଆଖିରୁ ଦୁଇଧାର ଲୁହ ଗଡ଼ି କାନର ରନ୍ଧ୍ର ବନ୍ଦ କରି ଦେଉଥିଲା-। ମୁଁ ପୋଛି ଦେଲି । ଖାଲି ତାଙ୍କର ନୁହେଁ, ତାଙ୍କ ଅନ୍ତରାଳରେ ମୋର ନିଜ ଲୁହ ବି କାନିରେ ପୋଛିଲି ।

 

ପୁଣି ଡାକିଲେ–‘ଗେହ୍ଲି ।’

 

ମୋତେ ଭାରି କାନ୍ଦ ମାଡ଼ିଲା ସେ ଡାକ ଶୁଣି ।

 

‘‘ଗୋଟେ କଥା କହିବି ?’’

 

‘‘କି କଥା ?’’

 

‘‘ଯାହା ଆଜିଯାଏ କହିବି କହିବି ବୋଲି କହି ନାହିଁ ।’’

 

‘‘କଅଣ ?

 

‘‘ଜାଣ ମୁଁ କାହାକୁ ଭଲ ପାଇଥିଲି ?’’

 

‘‘ନା, ଜାଣିଲି କେମିତି ଆଉ ?’’

 

‘‘ଯାହାଲାଗି ମୁଁ ଆଜିଯାଏ ବାହା ହୋଇନାହିଁ, ଜାଣ ନା ସେ କିଏ ?’’

 

‘‘ମୋତେ ଆଉ କହିଲ କୋଉ ଦିନ ? କୁହ କିଏ ସେ ?’’ ଏ କଥାଟା ମୁଁ ପଚାରିଲା ବେଳକୁ ମୋ ଦିହଟା କାହିଁକି ଥରି ଉଠୁଥାଏ ।

 

‘‘ଜାଣନା–ଜାଣନା–ସତ ଜାଣନା ? ଓଃ–’’ ତାଙ୍କର ଗୋଟାଏ ଦୁର୍ବଳ ହାତ ମୋ କୋଳ ଉପରେ ଢଳି ପଡ଼ିଲା । ମୁଁ ଆଉଁସି ଦେଲି । କିନ୍ତୁ ମୋ ମନ ବିଦ୍ରୋହୀ ହୋଇ ଉଠୁଥିଲା । ଏ କ’ଣ-? ଏ କି ବିଡ଼ମ୍ବନା ? ଭଗବାନ–ଭଗବାନ ! ଏ କ’ଣ କରୁଛ ? ମୋତେ ଏ ଅଗ୍ନିପରୀକ୍ଷାରେ ପରୀକ୍ଷିତ କରାଇ ନେବାକୁ ତମର ଏତେ ସାଧ କାହିଁକି ? ମୁଁ ତ କହି ନ ଥିଲି ତାଙ୍କୁ ମୋତେ ଭଲ ପାଇବାପାଇଁ । ସେ କାହିଁକି ମୋତେ ଭଲ ପାଇଲେ ? ମୋତେ ସେ କାହିଁକି ଏପରି ବିପଦରେ ପକାଇଲେ ? ମୁଁ ତାଙ୍କୁ ସ୍ନେହ କରିଛି । ସେଟା କଅଣ ମୋର ଦୋଷ ? ମୁଁ ତାଙ୍କୁ ଭଲ ପାଇଛି, ତା’ ବୋଲି ତା’ ବୋଲି–

 

ମୁଁ ଶିହରି ଉଠିଲି । ମୋର ଆଉ ମୁହୂର୍ତ୍ତେ ବି ସେଠି ରହିବାର ଇଚ୍ଛା ନ ଥିଲା । କିନ୍ତୁ କାହିଁକି କେଜାଣି, ଉଠିପାରୁ ନ ଥାଏଁ । ମୋର ବ୍ୟସ୍ତ ହେବା ସେ ବୁଝିପାରିଲେ । କହିଲେ ‘କୋଉଠିକି ଯିବ କି ? ଯା ।’

 

‘ନା’ କହି ମୁଁ ବସି ରହିଲି ସେଠି ।

 

‘‘କୋଉଠିକି ଚାଲିଯିବ ନାହିଁ ଗେହ୍ଲି, ଏ ଅସମୟରେ । ଆଉ ବୋଧେ ବେଶୀ ସମୟ ନାହିଁ । ମୋର ମରିବାବେଳରେ ପାଖରେ ରହିବ । ଭଗବାନ ସେଥିପାଇଁ ବୋଧହୁଏ ମୋତେ ଏ ବୁଦ୍ଧି ଦେଲେ । ସେଥିପାଇଁ ବୋଧହୁଏ, ମୁଁ ତମକୁ–’’

 

‘‘ଏଁ ?’’

 

ମୁଁ ଚମକି ପଡ଼ିଲି । ‘କଅଣ, ତମେ ମୋତେ ଜାଣିଶୁଣି ଏଠିକି ନେଇ ଆସିଛ ତେବେ-?’ ମୋର ଇଚ୍ଛା ହେଉଥିଲା ମୁଁ ପଚାରି ଥାନ୍ତି; କିନ୍ତୁ ପାରିଲି ନାହିଁ ।

 

ନର୍ସ୍‌ ଆସି କହିଲା, ‘‘ବେଶୀ କଥା କହିବାକୁ ଦିଅ ନାହିଁ, ମା ! ବାବୁ ସେଠି ଶୋଇଥାନ୍ତୁ-। ତମେ ଯାଅ, ମୁହଁ ହାତ ଧୋଇ ଟିକିଏ ବାହାରୁ ବୁଲି ଆସିବ । ଅନେକ ବେଳ ଗୋଟାଏ ଜାଗାରେ ବସିଲଣି । ନିଜର ଲୋକ ନ ହେଲେ ଏମିତି କିଏ କରିପାରେ ?’’

 

କିଶୋରବାବୁ ମୋର ନିଜର ଲୋକ, ଏ କଥା ଶୁଣି ମୋତେ ସମୟରେ ଲାଜ ମାଡ଼ୁଥିଲା । କ୍ରମେ ସେଟା ଏତେ ବେଶୀ ଅଭ୍ୟାସ ହୋଇଗଲା ଯେ ଆଉ ଲାଜ ଲାଗିଲା ନାହିଁ–ହସ ମାଡ଼ିଲା । କିନ୍ତୁ ନର୍ସର କଥା ଶୁଣି ମୋର ବଡ଼ ରାଗ ହେଲା । ମନେ ମନେ କହିଲି–‘‘ହଁ, ନିଜର ଲୋକ ନା–ନିଆଁ–ପାଉଁଶ–ଚୁଲି ମୋର ସେ ।’’

 

ମୁଁ ମୁହଁ ହାତ ଧୋଇ ସମୁଦ୍ର କୂଳକୁ ଟିକିଏ ବୁଲି ବାହାରି ଆସିଲି–ଏକୁଟିଆ । ପୁରୀ ଯେ ଆଗରୁ ନ ଆସିଛି ତା’ ନୁହେଁ, କିନ୍ତୁ ଏକୁଟିଆ ହୋଇ କେଭେଁ ଆସି ନ ଥିଲି କି ଏକୁଟିଆ ହୋଇ କେବେ ଏମିତି ବୁଲି ବାହାରି ନ ଥିଲି । ଏକୁଟିଆ ହେଲେ କ’ଣ ହେବ, ଆଜି ମୋର ଯେମିତି ଅତୁଳ ବଳ–ଅସୀମ ସାହସ, ଏମିତି ମନେ ହେଲା । ମଣିଷ ଯେତେବେଳେ ଯାହା କରିଛି ଠିକ୍‌ କରିଛି ବୋଲି ଭାବେ, ତା’ର ଏଇପରି ଦମ୍ଭ ମନରେ ହୁଏ କି କ’ଣ ?

 

ସିଧା ସମୁଦ୍ରକୂଳରେ ଯାଇ ପହଞ୍ଚିଲି । ବତାସ ପିଟୁଥାଏ । ନିରର୍ଥକ–କିଛି ଉଦ୍ଦେଶ୍ୟ ନାହିଁ । କାହିଁକି ଯେ ଆସିଛି–କେଉଁଠିକି ଯାଉଛି, କିଛି ଠିକ୍‌ ନାହିଁ ତା’ର । ତା’ ସାଙ୍ଗକୁ ମିଶିଥାନ୍ତି ଢେଉଗୁଡ଼ାକ, ମୋ ଜୀବନର ପ୍ରତି ମୁହୂର୍ତ୍ତ ଯେପରି ଏଇ ଢେଉ ପରି–ନିରର୍ଥକ, ନିରୁଦ୍ଦେଶ ।

 

ଭାବି ନ ଥିଲି, ଚିନ୍ତି ନ ଥିଲି–ହୃଦୟ ଅଛି, ଯୌବନ ଅଛି–ସେଥିପାଇଁ ଭଲ ପାଇବାକୁ ହେବ । ଭଲ ତ ପାଇଲି । ଯାହାକୁ ମନ ମାନିଲା ତାଙ୍କୁ ଭଲ ପାଇଲି । କିନ୍ତୁ ପୁଣି ଏ କ’ଣ ! ଭାବିଲି ନାହିଁ–ଚିନ୍ତିଲି ନାହିଁ–ସେଇ ଭଲ ପାଇବାଟା ଇମିତି କି ଖରାପ ହୋଇଗଲା ଯେ ଗୋଟାଏ ମୁମୂର୍ଷୁ ରୋଗୀକୁ ପକାଇ ଦେଇ ମୁଁ ଆସିଛି ପୁଣି ବୁଲି ବାହାରି । ଅବୋଧ–ହଁ ଅବୋଧ–ଏଇ ପବନ ପରି–ଏଇ ଢେଉ ପରି ନିର୍ବୋଧ–ଅତି ନିର୍ବୋଧ ।

 

ଢେଉ ଗର୍ଜିଲା–ବିତାସ ଗର୍ଜିଲା–ମୋ ଭିତର ଥରି ଉଠିଲା । କିଶୋରବାବୁ–କିଶୋରବାବୁ, କ’ଣ କଲ ତମେ କ’ଣ କଲ ତମେ ? ମୋତେ କେଉଁଠି ଆଣି କେଉଁଠି ଛାଡ଼ି ଦେଇଛ ? ମୁଁ କରିବି କ’ଣ ? ମୋ ଜୀବନର ଗତି କୁଆଡ଼େ–ମୋର ସତ୍ୟାନାଶ କଲ–ମୋର ସର୍ବନାଶ କଲ–ଓଃ–ନ କଲ କ’ଣ ? ମୋ ବିନ୍ଦୁ ବିନ୍ଦୁ ରକ୍ତ ଶୋଷିଚ–ମୋର ହାଡ଼ ମାଂସ ଏକାଠି ଚୋବାଇଚ । ମୋତେ ଦାଣ୍ଡରେ ଆଣି ବସେଇ ଦେଇଚ । ମୁଁ କରିବି କ’ଣ–ମୁଁ ଯିବି କେଉଁଠିକି ?

 

ପର ମୁହୂର୍ତ୍ତରେ ପୁଣି କିଶୋରବାବୁଙ୍କ ପ୍ରତି ମୋର ଦୟା ହେଲା । ସମୁଦ୍ରକୁ ଚାହିଁ ଦେଇ ମୋତେ କାହିଁକି କାନ୍ଦ ମାଡ଼ିଲା । ସେ ମୋତେ ଭଲ ପାଇଲେ ପ୍ରାଣ ଭରି–ମୁଁ ତ ତାଙ୍କୁ ପ୍ରତିବଦଳରେ ଦେଇ ପାରିଲି ନାହିଁ କିଛି । ଦେଉଛି କ’ଣ ଏଇ ଅଭିଶାପ ? ସବୁ କ’ଣ ତାଙ୍କରି ଦୋଷ ? ମୋର ଆଉ କିଛି ନାହିଁ ? ମୋତେ ଜଣକୁ ଗତେଇ ଦିଆ ଯାଇଛି । ବାଧ୍ୟ ହୋଇ ସେଠି ପଡ଼ି ରହିବାକୁ ମୋତେ ଧର୍ମ, ସମାଜ ସମସ୍ତେ ଏକ କଣ୍ଠରେ ନିର୍ଦ୍ଦେଶ କରିଛନ୍ତି । ସେ ଆଦେଶକୁ ଯେତେବେଳେ ଲଙ୍ଘନ କଲି, ତା’ର ନିର୍ଦ୍ଦେଶକୁ ଯେତେବେଳେ ଫିଙ୍ଗିଦେଲି ଅବାଧ୍ୟ ହୋଇ, ମୋର ଦୋଷ ହୋଇନାହିଁ, ତ, ହୋଇଛି କ’ଣ ? କିନ୍ତୁ ଜଣକୁ ଭଲ ପାଇବାଟା ଯଦି ଅନ୍ୟାୟ ହୋଇଥାଏ, ତେବେ ମୋର ସ୍ୱାମୀକୁ ମଧ୍ୟ ଭଲ ପାଇବା ଅନ୍ୟାୟ ନ ହେବ ବା କାହିଁକି ? ମୁଁ ତ ଲେଖିଦେଇ ନ ଥିଲି ଯେ ତାଙ୍କ ଛଡ଼ା ଆଉ କାହାକୁ ଭଲ ପାଇବି ନାହିଁ ବୋଲି ? ହଁ, ଭଲ ପାଇବାଟା ଯେଉଁଠି ଦୁଇଆଡ଼ୁ ନ ହୋଇ ଏକତରଫିଆ ହୋଇଥାଏ, ସେଠି ସିନା ଅସୁନ୍ଦର ଦିଶେ । ଏଠି ଯେ ଉଭୟ ଉଭୟଙ୍କୁ ଭଲ ନ ପାଇଛନ୍ତି ଏ କଥା ଦମ୍ଭକରି କହିପାରିବ କିଏ ? ସେ ଯଦି ମୋତେ ଭଲ ପାଇ କିଛି ଦୋଷ କରିଥାନ୍ତି ତେବେ ମୁଁ ବି ନିର୍ଦ୍ଦୋଷ ନୁହେଁ । ସେ ଯଦି ମୋ ଜୀବନକୁ ଭୁଲ ପଥରେ ଟାଣି ଆଣିଥାନ୍ତି, ତେବେ ମୁଁ ବି ଠିକ୍‌ ବାଟରୁ ଖସଡ଼ି ନ ଆସିବାକୁ ପ୍ରବଳ ଚେଷ୍ଟା କରି ନାହିଁ । ସେ ଯେପରି ଦୋଷୀ, ମୁଁ ମଧ୍ୟ ତାଙ୍କଠାରୁ ଊଣା ନୁହେଁ କେଉଁ ଅଂଶରେ । ତାଙ୍କର କାହିଁକି ତେବେ ବୃଥା ଦୋଷ ଦେଉଛି ? କାହିଁକି ମୁଁ ତାଙ୍କ ଉପରେ ଅକାରଣରେ ରାଗୁଛି ?

 

ଫେରିଲି । ସମୁଦ୍ର କୂଳରେ ଆଉ ବସିବାକୁ ମନ ହେଲା ନାହିଁ । ଖାଲି ତାଙ୍କର ସେଇ ରୋଗ ବିକଳ ସ୍ୱର କାନରେ ପଶିଲା–ତାଙ୍କର କାତର ଚାହାଣୀ ମୋ ଆଖିରେ ନାଚିଲା । ମୁଁ ପଳାଇ ଆସିଲି ।

 

ଯାଉଁ ଯାଉଁ ବାଟରେ ଗୋଟିଏ କୋଠାଘର ପଡ଼ିଲା । କେତେ କୋଠାଘର ଠିଆ ହୋଇଥାଏ । ତା’ ଭିତରୁ ଏଇ ଘରଟା ଏଡ଼େ ଭଙ୍ଗା ଦଦରା ଯେ ବଳେ ବଳେ ଆଖି ଯାଇ ସେଇଠି ଅଟକି ଯାଉଚି । ମୋରି ବୟସର ମାଇପିଟିଏ, ମଳି ଲୁଗା ଖଣ୍ଡେ ପିନ୍ଧି ସେଇ ଘର ଦୁଆର ମୁହଁରେ ଠିଆ ହୋଇଥାଏ । ମନରେ ତା’ର ସୁଖ ନାହିଁ । ଗୋଟାଏ ଆଡ଼କୁ ସେ ଚାହିଁ ରହିଥାଏ । ମୋତେ ଦେଖି ପାଖକୁ ଡାକିଲା । ବୋଧହୁଏ ମୋତେ ଏକୁଟିଆ ଦେଖି ଡାକିଲା ସେ । ମୁଁ ଗଲି । ସେ ଖଣ୍ଡେ ମସିଣା ପକେଇ ବସିବାକୁ କହିଲା । ମୁଁ ବସିଲି ତା’ ରୂପରେ, ତା’ କଥାରେ ଏମିତି ଗୋଟାଏ ଶକ୍ତି ଥିଲା ଯେ ତା’ର ଅନ୍ୟଥା କରିବାକୁ ମୋର ଯେପରି ଟିକିଏ ସାହସ ହେଉ ନ ଥାଏ-

‘ତମ ଘର କେଉଁଠି ଭଉଣୀ ?’ ସେ ପଚାରିଲା ।

ମୁଁ ମିଛ କହିଲି । ଆମ ଗାଁ ନା ଲୁଚେଇ ଘର କଟକ ବୋଲି କହିଦେଲି । ଆଜି ଭାବେ, ସେତେବେଳେ ଗୋଟାଏ ଭୁଲ ବାଟରେ ଚାଲୁଥିଲି ବୋଲି ବିବେକ ଯଦି ଆଖି ଦେଖାଉ ନ ଥାନ୍ତା, ତେବେ ଏ ମିଛ କଥା ମୁଁ କହିଥାନ୍ତି କାହିଁକି ?

‘ଏଠିକି କ’ଣ ବୁଲି ଆସିଥିଲ ?’

‘ହଁ ।’

‘ଏକୁଟିଆ ଏକୁଟିଆ ଯେ ?’

‘ନାଇଁ ମୋ ସାଙ୍ଗରେ–’

‘କିଏ ଅଛନ୍ତି ?’

‘ସେ ହଉଛନ୍ତି–’

‘ସ୍ୱାମୀ ?’

ମୁଁ କିଛି କହିଲି ନାହିଁ । ଲାଜ ମାଡ଼ିଲା, କିଶୋରବାବୁଙ୍କ ଉପରେ ଭାରି ରାଗ ବି ହେଲା-। ତାଙ୍କ ଲାଗି ମୁଁ କି ଅଡ଼ୁଆରେ ନ ପଡ଼ିଲି ଭଲା ।

‘ସେ କଅଣ ପଛରେ ଆସୁଛନ୍ତି ?’

ସେଇ ଅଡ଼ୁଆ । ଦୁନିଆର ଜୀବଜନ୍ତୁ ପାଣି ପବନ ସମସ୍ତେ ଯେପରି ଚାହାନ୍ତି ମୋତେ ଏଇମିତି ଅଡ଼ୁଆରେ ପକାଇ ପୃଥିବୀର ଦରବାର ଆଗରେ ସ୍ୱୀକାର କରେଇ ନେବାକୁ ଯେ କିଶୋରବାବୁ ମୋର ସ୍ୱାମୀ ।

ହେଲା–ସେଇୟା ହେଲା । ମୁଁ ତା’ର ପ୍ରତିବାଦ ନ କରି କହିଲି–‘ନା, ସେ ହାସପାତାଳରେ ।’

‘କ’ଣ ହୋଇଛି ?’ ସେ ହଠାତ୍‌ ପ୍ରଶ୍ନ କଲା । ଯେମିତି ଚମକି ପଡ଼ିଲା ସେ । ମୋର ମନେ ହେଲା, ସତେ ଏ ଲୋକଟି କେତେ ଆପଣାର କରି ପଚାରୁଛି ।

‘ନିମୁନିଆ’, ମୁଁ ଜବାବ ଦେଲି ।

‘ଭଲ ଅଛନ୍ତି ତ ଟିକିଏ ?’

‘ହଁ, ଟିକିଏ ଭଲ ଅଛନ୍ତି ।’

‘‘ଭଗବାନ୍‌ !’’ ସେ ନିଶ୍ୱାସ ଛାଡ଼ିଲା । ମୋ ମୁହଁରୁ ଏହି ପଦକ ଶୁଣିବାକୁ ସେ ଯେମିତି ଚିଲ ପରି ଚାହିଁ ବସିଥିଲା । ‘‘ମୋର ବି ସେଇ ଅବସ୍ଥା ଭଉଣୀ ! କଅଣ କରିବି–କପାଳ । ତାଙ୍କ ଦିହ ଛଅ ମାସ ହେଲା ଖରାପ । ଡାକ୍ତର କହିଲା ଯକ୍ଷ୍ମା, ପୁରୀ ନେଇଯାଆ । ନେଇ ତା ଆସିଲି, ଭଲ ହଉଛି କାହିଁ ? ଦିନୁ ଦିନ ତ ଅବସ୍ଥା ଖରାପ ହେଉଛି ! ତାଙ୍କରି ଇଚ୍ଛା ।’’ ସେ ଉପରକୁ ଚାହିଁଲା ।

‘ପିଲାଝିଲା କିଛି ଅଛନ୍ତି ?’ ମୁଁ ପଚାରିଲି ।

ସେ ମନା କଲା ।

‘କେତେ ବର୍ଷ ହବ ଶାଶୁ ଘରକୁ ଆସିଲ ?’

‘ଦୁଇ ବର୍ଷ ପୂରି ନାହିଁ–ଏଇ ଆଷାଢ଼କୁ ଦୁଇ ବର୍ଷ ହେବ ।’

‘ଡାକ୍ତରମାନେ କ’ଣ କହୁଛନ୍ତି ? ଭଲ ହବ ବୋଲି ଆଶା ଦଉଛନ୍ତି ନା ?’

‘ଆଉ କି ଆଶା ଦେବେ ଭଉଣୀ ? ଏ ପରା ଯକ୍ଷ୍ମା’–ତା’ ଆଖିରେ ଲୁହ ଭରିଗଲା ।

ଗୋଟାଏ ବଡ଼ ବେଶୀ ରକମର ଯନ୍ତ୍ରଣା ମୋ ଛାତିରେ ଲାଗିଲା । ମୁଁ ଆଉ ଅଧିକ ସମୟ ସେଠି ବସି ରହି ପାରିଲି ନାହିଁ । ‘ଅନେକବେଳୁ ଆସିଲିଣି, ସେ ଖୋଜୁଥିବେ ।’ ବୋଲି କହି ପଳାଇ ଆସିଲି ।

ବାଟଯାକ ଖାଲି ଭାବୁଥାଏଁ–ସେ ତା’ ଭିତରେ ତଫାତ୍‌ କେଉଁଠି ? ମୁଁ ଜୀବନର ମୁକ୍ତିପାଇଁ ଚିତ୍କାର କରିଛି–ପ୍ରକୃତ ପ୍ରେମକୁ ଖୋଜିବାକୁ ଯାଇ ପାଗଳ ହୋଇ ପଡ଼ିଛି–ଜୀବନର ଉଦ୍ଦେଶ୍ୟ ଆଉ ସାର୍ଥକତା ବୁଝିବାକୁ ଅଧୀର ହୋଇ ଯାଇଛି । ସେଥିପାଇଁ ଯାଉଛି ଆଜି ସମାଜ, ସଂସ୍କାର ସବୁକୁ ଉପେକ୍ଷା କରି ନିଜର ଇଚ୍ଛାନୁସାରେ ଯେଉଁ ଦିଗକୁ ପାରେ ସେଇ ଦିଗକୁ ପଳାଇ ଯିବାପାଇଁ । କାହାରି ବାଧା ମାନିବାକୁ ଚାହେଁ ନାହିଁ–କାହାରି ବାରଣ ପ୍ରତି କର୍ଣ୍ଣପାତ କରେ ନାହିଁ–ମୁଁ ଆଜି ଏକ ଅଦ୍ଭୁତ ଜନ୍ତୁ ।

କିନ୍ତୁ ସେ ? ଠିକ୍‌ ତା’ର ଓଲଟା । ସେ କ’ଣ କେବେ ତା’ର ଜୀବନ କଥା ଭାବି ନ ଥିବ-? ତା’ର ଭବିଷ୍ୟତ ଚିନ୍ତା କରି ନ ଥିବ ? ନିଶ୍ଚୟ କରିଥିବ । କିନ୍ତୁ ସେ ମୋ ପରି ଉଚ୍ଛୃଙ୍ଖଳ ହେବାକୁ ଯାଇ ନାହିଁ । ଉଦ୍ଧତ ହେବାକୁ ମନ କରି ନାହିଁ । ନୀରବରେ ସେ ଚାହିଁ ବସିଛି, ଜୀବନ ତରୀଟି ତା’ର ଯେଉଁ ଆଡ଼କୁ ଭାସି ଚାଲିଛି ସେଇ ଆଡ଼କୁ ଭାସିଯିବା ପାଇଁ । ଉଜାଣି ଯିବାକୁ ଇଚ୍ଛା କରି ନାହିଁ–ବାଆ ବତାସକୁ ଖାତିର କରି ନାହିଁ । କେତେବେଳେ ଭାସୁଛି, କେତେବେଳେ ଡୁବୁଛି, ସେ କଥାକୁ ସେ ମନ ଦେଇ ନାହିଁ । ବେଶ୍‌ ନିଶ୍ଚିନ୍ତରେ ଚାଲିଛି ସେ ।

ଠିକ୍‌ କିଏ ? ସେ ନା ମୁଁ ? ଯେଉଁ ଜୀବନରେ ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ନୂତନତ୍ୱ ନାହିଁ, ଯେଉଁ ଜୀବନର ଜଳନ ନାହିଁ, ଉତ୍‌ଥାନ ନାହିଁ, ସେ ଜୀବନ ଥିବା ଯେତେ ନ ଥିବା ସେତେ ।

କିନ୍ତୁ ମୁଁ ଯାହା କରିବାକୁ ଯାଉଛି–ନା–ନା–ମୋ ଅଜାଣତରେ ଯାହା ହେଉଯାଉଛି–ତା’ କ’ଣ ପ୍ରକୃତରେ ନୂତନତ୍ୱ ? ତା’ କଅଣ ବାସ୍ତବିକ ନ୍ୟାୟସଙ୍ଗତ ବିଦ୍ରୋହ ? ଆଉ ସେ ଯାହା ନୀରବରେ କରିଯାଉଛି, ସେଟା କ’ଣ ଏପରି ସାମାନ୍ୟ, ଏତେଦୂର ସାଧାରଣ ପୁରୁଣା କଥା ?

ଏଇଠି ମୋ ମନରେ ଖଟକା ଲାଗିଲା । ମୋ ମନ ଭିତରେ ସବୁ ଖାଲି ଗୋଳେଇ ହେଇଯାଉଥାଏ । ମୋ ଛାତି ଭିତରେ ସେଇ ଦୁଃଖିନୀ ନାରୀଟିର ବେଦନାଭରା ଲୋତକସବୁ ବରଫ ପରି ଜମିଯାଉଥାଏ ଯେପରି ।

 

ତା’ ଜୀବନର ସବୁ ସୁଖ ତ ଚୂନା ହେଇଯାଇଛି । ସ୍ୱାମୀଠାରେ ତା’ର ଆଉ କି ସ୍ୱାର୍ଥ ? ତେବେ ସେ ସେଠି ପଡ଼ିରହିଛି କାହିଁକି ? କି ସୁଖ ଆଶାରେ ? କି ମାୟା ତାକୁ ବାନ୍ଧି ରଖିଛି ସେଠି ? ସେ କଅଣ ଭାବିପାରୁ ନାହିଁ ଯେ ସେଇ ରୋଗୀଟା ପାଖରେ ପଡ଼ି ପଡ଼ି ତା’ ଜୀବନର ବହୁମୂଲ୍ୟ ସମୟ ନଷ୍ଟ ହେଇଯାଉଛି-? ସେ କ’ଣ ବୁଝିପାରୁ ନାହିଁ ଯେ ତା’ ଜୀବନର ଉଦ୍ଦେଶ୍ୟ କି ମହତ୍ତର-? ତେବେ ସେ କାହିଁକି ଏ ବନ୍ଧନ ଆପେ ଆପେ ବରି ନେଇଛି ? ମୋ ପରି ସେ ମୁକ୍ତିର ପାଗଳ ବେଶ ନ ସାଜୁଛି କାହିଁକି ? ଯାହାକୁ ସେ ସ୍ୱାମୀ ବୋଲି, ଦେବତା ବୋଲି ପୂଜା କରୁଛି, ସେ ତାକୁ ହୁଡ଼ି ଚାଲିଯିବ–ତା’ ଜୀବନକୁ ଧୂଳିରେ ମାଟିରେ ମିଶାଇ ଦେଇ ଚାଲିଯିବ–ସମାଜରେ ତାକୁ ହେୟ ତୁଚ୍ଛ କରିଦେଇ ଚାଲିଯିବ–ତାକୁ ଦରିଦ୍ର ଭିକାରୁଣୀ ସଜାଇଦେଇ ଯିବ, ତେବେ ବି–ତେବେ ବି–ସେ କେଉଁ ଆଶାରେ ତା’ ପାଖରେ ପଡ଼ି ରହିଛି ? ତା’ର କଅଣ ଜୀବନର ସାର୍ଥକତା ଏତିକିରେ ?

 

ସେ ଦେବୀ ମୂର୍ତ୍ତି ଯେପରି ମୋ ଆଖି ଆଗରେ ଆସି ଠିଆ ହେଇଗଲା । ତା’ର ପ୍ରଶାନ୍ତ ରୂପ ଦେଖି ବଳେ ବଳେ ମୋ ମଥା ନଇଁଗଲା । ସେ ଯେପରି ମୋତେ ପରିହାସ କରୁଛି–ପାଣି ପରକ୍ଷଣରେ କେଡ଼େ ଆଦରରେ କହୁଛି–‘ଦୂର, ପାଗଳି ! କଅଣ ଗୁଡ଼ାଏ ଭାବୁଛୁ ତୁ ?’

 

ମୁଁ କଅଣ ତେବେ ଅନ୍ୟାୟ ଭାବୁଛି ? ମୁ କଅଣ ଅନ୍ୟାୟ କରୁଛି ? ସେ ଯାହା କରୁଛି ଠିକ୍‌ କରୁଛି, ଆଉ ମୁଁ ଯାହା କରୁଛି ସବୁ ଭୁଲ ? ସେ ଗୋଟାଏ ଆଦର୍ଶ ଉପରେ ଆସ୍ଥା ରଖି କହୁଛି ସେ ଠିକ୍‌ କରୁଛି ବୋଲି–ପ୍ରକୃତ କଥାକୁ ସେ ମୋଟେ ଦୃଷ୍ଟି ଦବାକୁ ନାହିଁ । ମୁଁ ଯାହା କହୁଛି ନିରାଟ ସତ୍ୟ କହୁଛି–ପ୍ରକୃତ ଘଟଣା କହୁଛି; ସେ କଲା ଠିକ୍‌ ଆଉ ମୋର ହେଲା ଭୁଲ ? ବେଶ୍‌ ତ !

 

ଆଦର୍ଶରେ ସେ ସୁଖ ପାଏ । ତା’ ଛଡ଼ା ଆଉ କ’ଣ ? ସ୍ୱାମୀର ସେବା କରିବା–ସ୍ୱାମୀକୁ ପ୍ରାଣ ଭରି ଏକାନ୍ତରେ ଭଲ ପାଇବା ନାରୀର ଧର୍ମ । ଏଇ ହେଲା ଆଦର୍ଶ । ସ୍ୱାମୀ ମୂର୍ଖ ହେଉ, ଅପଦାର୍ଥ ହେଉ, ତାକୁ ଭଲ ପାଇବା, ତା’ପାଇଁ ପ୍ରାଣ ଦେବା–ତା’ପାଇଁ ଜୀବନକୁ ମାଟି କରିଦେବା–ଜୀବନର ସମସ୍ତ ସୁଖକୁ ବଳି ଦେବା ହେଲା ନାରୀର ଆଦର୍ଶ । ସେଇ ଆନର୍ଶକୁ ଅନାଇ ସେ ସୁଖ ପାଏ । ବେଶ୍‌ ତ ! ମୋତେ ହସ ମାଡ଼ିଲା ।

 

କିନ୍ତୁ ଆଦର୍ଶରେ ଯଦି ଜଣେ ସୁଖର ସ୍ୱପ୍ନ ଦେଖେ କଳ୍ପନାରେ ଯଦି ଆନନ୍ଦ ଉପଭୋଗ କରିପାରେ, ତେବେ ଅନ୍ୟାୟ କ’ଣ ? କଳ୍ପନାରେ ହେଉ, ବାସ୍ତବରେ ହେଉ, ସୁଖଭୋଗ ତ ଆଉ ଦୁଇ ପ୍ରକାର ନୁହେଁ । ତେବେ ସେ ଯାହା କରୁଛି ତାହା ଠିକ୍ ନ ହେବ କାହିଁକି ? ମୋର ମନେ ହେଲା, ବରଂ ଆଦର୍ଶରେ ସୁଖର ସନ୍ଧାନ ପାଇବା ଶ୍ରେୟସ୍କର । କାରଣ, ବାସ୍ତବ ପଦାର୍ଥକୁ ସୁଖର ଆଧାର କରିବା ଅତି ସ୍ୱାଭାବିକ ଆଉ ନିହାତି ସାଧାରଣ, ପୁଣି ସହଜ । ଯେତେବେଳେ ବାସ୍ତବ ପଦାର୍ଥ ନଷ୍ଟ ହୋଇଯାଏ, ସେତେବେଳେ ସୁଖ ତା’ର ଧୂଳିରେ ମାଟିରେ ମିଶି ଛାରଖାର ହୁଏ । କିନ୍ତୁ କଳ୍ପନାମୋଦୀର ସୁଖ ଚିରନ୍ତନ–ଅବିନଶ୍ୱର । ସେ ସ୍ତ୍ରୀ ଲୋକର ପତି–ଭକ୍ତିର ଆନନ୍ଦ ସେଥିପାଇଁ ଅବିନାଶୀ । ସ୍ୱାମୀ ତା’ର ମରିବ–ନିଶ୍ଚୟ ମରିବ–ସେ ଜାଣେ–ତଥାପି ଗମ୍ଭୀର–ତଥାପି ଅଟଳ । ସେ ତାକୁ ନିରର୍ଥକ ଅକାରଣ ମନେ କରି ଛାଡ଼ି ଦେଇ ପଳାଇ ଆସୁନାହିଁ । ସେ ମୋ ପରି ନିଜର ସ୍ୱାମୀ ରୋଗଶଯ୍ୟାରେ ପଡ଼ିଥିବା ବେଳେ ପଳାଇ ଆସି ଗୋଟାଏ ପରପୁରୁଷ ପାଇଁ ପାଗଳ ହେଇ ବୁଲୁ ନାହିଁ । ଜୀବନର ସମସ୍ତ ସୁଖ ଆଶାକୁ ନିଜ ଇଚ୍ଛାରେ ଦମନ କରି ସେ ବୁଝୁଛି ତା’ର ଜୀବନର ସାର୍ଥକତା । କେବଳ ଜଣକପାଇଁ, ସେ ଜୀବନ ଭରି ପ୍ରତି ମୁହୂର୍ତ୍ତରେ ସ୍ୱାର୍ଥକୁ ବଳି ଦେଇ ଆନନ୍ଦ ପାଉଛି । ମୋ ଭଳି ସେ ନିଜର ସ୍ୱାମୀକୁ ଅପଦାର୍ଥ ମନେ କରି ଆଉ ଗୋଟିଏ ସୁଗୁଣୀ ପୁରୁଷକୁ ହୃଦୟ ଯାଚି ନାହିଁ–ପୁଣି ଅନ୍ୟ ଏକ ତତୋଽଧିକ ଉତ୍ତମ ପୁରୁଷ ପାଇଲେ ସେ ଦ୍ୱିତୀୟକୁ ବର୍ଜନ କରିବାକୁ ପ୍ରସ୍ତୁତ ନୁହେଁ । ମୁଁ କିଶୋରବାବୁଙ୍କୁ ଯେଉଁଥିପାଇଁ ଭଲ ପାଏ, ତା’ ଯଦି ଅନ୍ୟ କାହାରି ପାଖରେ ତାଠୁଁ ବେଶୀ ଦେଖେ, ତେବେ କଅଣ କିଶୋର ବାବୁଙ୍କ ଛାଡ଼ି ଚାଲିଯିବାକୁ କୁଣ୍ଠିତ ହେବ କି ? ବୋଧହୁଏ ନା । ସୌନ୍ଦର୍ଯ୍ୟ ଉପଭୋଗରେ ଅବସାଦ ଆସିବା ଅସମ୍ଭବ । ମୋର ଠିକ୍‌ ମନେ ହେଲା, ମଣିଷ କେବଳ ନିଜର ବାସନା ପୂରଣ ପାଇଁ ମନର ଲଗାମ ଛାଡ଼ିଦେଇ ତାକୁ ଯେଣିକି ଇଚ୍ଛା ତେଣିକି ଦଉଡ଼ାଇବାରେ ଶାନ୍ତି ପାଏ ନାହିଁ । ନିଜ ଇଚ୍ଛାରେ ମନକୁ ଧରି ରଖିବା ହିଁ ପ୍ରକୃତ ଶାନ୍ତି–ପ୍ରକୃତ ଆନନ୍ଦ । ଜୀବନଟାଯାକ ମନୁଷ୍ୟକୁ କେବଳ ତା’ର ସ୍ୱାର୍ଥ ଆଉ ବାସନାକୁ ବଳି ଦେଇ ଦେଇ ଆସିବାକୁ ପଡ଼େ । ସେଟାକୁ ସେ ଯଦି ବାଧ୍ୟ ହୋଇ କରୁଛି ବୋଲି ମୋରି ପରି ମନରେ ଭାବେ, ତେବେ ସେ ଶାନ୍ତି ପାଇବ କେଉଁଠୁ ?

 

ମୋର କ’ଣ ମନେ ହେଲା କେଜାଣି, ମୁଁ ଆଉ ଡାକ୍ତରଖାନା ଆଡ଼କୁ ନ ଫେରି ସିଧା ଚାଲିଲି ଷ୍ଟେସନ ମୁହଁରେ । ମୋ ଭିତରେ କିଏ ଯେପରି ଚିତ୍କାର କରି ଉଠୁଥାଏ–‘‘ଆଉ ନା–ଆଉ ନା–ଯେତିକି ହୋଇଛି ସେତିକି ।’’ ମୁଁ ଏଥର ଖୁବ୍‌ଜୋର୍‌ରେ ଷ୍ଟେସନ ଆଡ଼କୁ ଚାଲିଲି । କିନ୍ତୁ ହଠାତ୍‌ ମନେ ପଡ଼ିଗଲା–ମୋ ପାଖରେ ତାଙ୍କର ପଚାଶଟା ଟଙ୍କା ଅଛି । ଖରଚ ପାଇଁ ସେ ମୋତେ କାଲି ରାତିରେ ଏ ଟଙ୍କା ଦେଇଥିଲେ । ମୁଁ ପୁଣି ଫେରିଲି । ଭାରି ଡର ମାଡ଼ୁଥାଏ ତାଙ୍କ ଆଗକୁ ଯିବାକୁ । ଧୀରେ ଧୀରେ ଯାଇ କବାଟ ପାଖରେ ଦେଖିଲି, ସେ ବୋଧହୁଏ ଖୁବ୍‌ ନିଦରେ ଶୋଇ ଯାଇଥିଲେ କି କଅଣ, ସେଥିପାଇଁ ଆଉ ହାତ ଗୋଡ଼ ହଲେଇବାକୁ ନାହାନ୍ତି । ଆଖି ପ୍ରାୟ ବନ୍ଦ ହୋଇ ଯାଇଥାଏ । ସୁବିଧା ପାଇ ଟଙ୍କାତକ ତାଙ୍କ ମୁଣ୍ଡତଳେ ରଖିଦେଇ ଚାଲି ଆସିଲି । ହୃଦୟଟା ଛଟପଟ ହୋଇ ଉଠିଲା । ମୁଁ ଥରୁଥିଲି ଗୋଟିପଣେ । ଥରେ ପଛକୁ ଫେରି ଚାହିଁଲି, କାନ୍ଦ ମାଡ଼ିଲା । ‘ନା–ନା–ଆଉ ନା’–କହି ଫେରି ପଡ଼ିଲାବେଳକୁ ଦୁଆର ମୁହଁରେ ଦେଖିଲି, ଠିଆ ହୋଇଛନ୍ତି ସେ–ମୋର ସ୍ୱାମୀ । ମୋ ମଥା ଉପରେ ଯେମିତି ଗୋଟାଏ ବଜ୍ର ପଡ଼ିଲା । ମୋ ପିଣ୍ଡରୁ ଯେମିତି ପ୍ରାଣ ଛାଡ଼ିଗଲା । ମୁଁ ଯେତେ ବାଟ ଯାଇଥିଲି, ଆଉ ପାଦେ ବି ଆଗେଇ ନାହିଁ ସେଠୁ । ଏତକ ଛଡ଼ା ଆଉ କିଛି ବୁଝି ପାରୁ ନ ଥାଏଁ ।

 

ସେ ପଚାରିଲେ–‘କିଶୋର ଦେହ କିପରି ?’

 

ଦେବତା ? ପ୍ରକୃତରେ କ’ଣ ଦେବତା ଏ ? –ମୁଁ କାନ୍ଦି ପକାଇଲି ।

 

ଜର ଟିକିଏ ଛାଡ଼ିବାରୁ ଏକୁଟିଆ ବଡ଼ ହଇରାଣ ହେଉଥିଲେ ବୋଲି ମୋତେ ସେ ନେଇ ଯିବାପାଇଁ ଘରକୁ ଆସି ଦେଖିଲେ ଯେ, ମୁଁ କିଶୋରବାବୁଙ୍କ ସାଙ୍ଗରେ ଆଗ ଦିନକଠୁଁ ବାହାରି ଗଲିଣି । କିଶୋରବାବୁଙ୍କୁ ସେ ମୋତେ ନେଇ ଯିବାପାଇଁ କହି ନ ଥିଲେ, ଅଥଚ ତାଙ୍କ ଦିହ ଖରାପ ଥିବା କଥା ମୋ ଚିଠିରୁ ଜାଣି ଗୋଟାଏ ଫନ୍ଦି କରି କିଶୋରବାବୁ ମୋତେ ନେଇଗଲେ ଘରଠୁଁ । ତାଙ୍କର ବଡ଼ ସନ୍ଦେହ ହେଲା । ସେ ଷ୍ଟେସନ ମାଷ୍ଟରକୁ ଆସି ପଚାରିଲାରୁ ସେ କୁଆଡ଼େ କହିଲା ଯେ, ତହିଁ ଆଗ ଦିନ ଜଣେ ଭଦ୍ରଲୋକ ବୋଧହୁଏ ତାଙ୍କର ସ୍ତ୍ରୀ ସହିତ ପୁରୀ ଟିକଟ କାଟି ଗଲେ । ସେଇଠୁଁ ଏ ସିଧା ପୁରୀ ଆସି ଧର୍ମଶାଳାରେ ଓହ୍ଲେଇଥିବୁଁ ବୋଲି ସନ୍ଦେହ କରି ସେଠାକୁ ଆସି ଶୁଣିଲେ ଯେ ଜଣେ ଭଦ୍ରଲୋକ ତାଙ୍କ ସ୍ତ୍ରୀ ସହିତ ସେଠାରେ ଥିଲେ; ଭଦ୍ରଲୋକଟିକୁ ନିମୁନିଆ ହେବାରୁ ସେମାନେ ହାସପାତାଳକୁ ଚାଲି ଯାଇଛନ୍ତି । ସେ ହାତପାତାଳରେ ଆସି ମୋତେ ଭେଟିଲେ ! ତାଙ୍କ ପାଖରୁ ଏ ସବୁ କଥା ଶୁଣି କିଶୋରବାବୁଙ୍କ ଉପରେ ରାଗରେ ମୋ ଦିହ ନିଆଁ ହୋଇଗଲା । କି ମିଥ୍ୟାବାଦୀ–ଠକ–ଜୁଆଚୋର ସେ ! କିନ୍ତୁ–କିନ୍ତୁ–ଛାଡ଼ ।

 

ମୁଁ ମୋର ନିର୍ଦୋଷତା ତାଙ୍କୁ ଜଣାଇଲି; ଦେବତା ସେ, ସମସ୍ତ ବିଶ୍ୱାସ କଲେ । ମୁଁ କିଶୋରବାବୁଙ୍କ ଉପରେ ରାଗିଲି ସିନା, ତାଙ୍କ ମୁହଁରୁ କିନ୍ତୁ ମୁଁ କେବେ କିଶୋରବାବୁଙ୍କୁ ଗାଳି ଦବାର ଶୁଣି ନାହିଁ; ଖୁବ୍‌ ବେଶୀ ଏତିକି କହନ୍ତି–ଅଭାଗା ସେ–ବଡ଼ ନିର୍ବୋଧ ।

 

ଦିନେ ରାତିରେ ମୁଁ ତାଙ୍କ ଗୋଡ଼ ଆଉଁସି ଦେଉଥାଏଁ; ସେ କହିଲେ–‘ସେପରି ଅବସ୍ଥାରେ କିଶୋରକୁ ତମର ଛାଡ଼ି ଦେଇ ପଳେଇ ଆସିବା ଉଚିତ ହେଇ ନ ଥାନ୍ତା । ଯେଡ଼େ ବଡ଼ ଶତ୍ରୁ ହେଉ, ବିପଦ ବେଳେ ପ୍ରତିଶୋଧ ନେବା ଅନ୍ୟାୟ । କାରଣ ବିପଦ ଦିନେ ନା ଦିନେ ସମସ୍ତଙ୍କ ଜୀବନରେ ଆସେ ।’

 

ମୋତେ କାନ୍ଦ ମାଡ଼ିଲା । ମୋର ବଡ଼ କଷ୍ଟ ହେଲା । ମୁଁ ତାଙ୍କ ପାଦଧୂଳି ନେଇ ମଥାରେ ମାରିଲି । ବୁଝି ପାରିଲି ନାହିଁ, ଏ ଦେବତାଙ୍କ ପାଖରେ ଥାଉଁ ଥାଉଁ ମୋର ଏଡ଼େ ବଡ଼ ଭୁଲ ହେଲା କେମିତି ! ମୋର କାହିଁକି ବିଶ୍ୱାସ ହେଲା, ପ୍ରତ୍ୟେକ ମନୁଷ୍ୟ କିଛି ନା କିଛି ବିଶେଷତ୍ୱ ନେଇ ଯେପରି ଜନ୍ମ ହେଇଥାଏ; କାହାରିକୁ କାହାରିଠାରୁ ନିକୃଷ୍ଟ ମନେ କରିବା ଅନ୍ୟାୟ । ମୁଁ ପୁଣି ଥରେ ତାଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରିଲି ।

 

ସ୍ନେହର ଦାନ

 

କଲ୍ୟାଣୀୟା ସୁଷି

ତୋର ବାହାଘର ହେଇ ଯାଇଚି । ସେଦିନ ନିମିତା ଆସିଥିଲା ଯାଇ ପାରିଲି ନାହିଁ । ଦେହଟା ସବୁବେଳେ ମନକୁ ପରାସ୍ତ କରୁଚି । ଆଜି ଜୀଇଁବାର ଛଳନା କରି ଜୀଇଁଚି । ଜୀବନରେ ଏଇଟାଇ ବଡ଼ ଭୁଲ । ତୋ ବାହାଘର । ତୋତେ ଗୋଟେ ଉପହାର ଦେବାର କଥା । ଏ ଉପହାର ଦେବା ରୀତିଟାକୁ ସମାଜ ଜବରଦସ୍ତି କରି ଲଦିଛି । ସେଥିପାଇଁ ଉପହାର ଦେବା କଥା କେହି କହେ ନାହିଁ, ଉପହାର ଦେବାକୁ ପଡ଼ିବ ବୋଲି କହନ୍ତି ସମସ୍ତେ । ସେଇଠି ହୁଏ ଭୁଲ । ଯେଉଁଠି ଉପହାର ଦେବାକୁ ପଡ଼େ ମୁଁ ସେଠି ଦେବାପାଇଁ ପ୍ରସ୍ତୁତ ନୁହେଁ । ମୁଁ ଉପହାର ଦେବାକୁ ଚାହେଁ–କୁଣ୍ଠା ନୁହେଁ–କୃପଣତା, ନୀଚତା ଆଉ ସ୍ୱାର୍ଥପରତାର ଉଚ୍ଛିଷ୍ଟ ଦେବାକୁ ଚାହେଁ ନାହିଁ ।

ଏଇ ବାହା ହବାଟା ଭୁଲ କି ଠିକ୍‌ କହି ହେବ ନାହିଁ । ତଥାପି ଲୀଳା ଲାଗିଚି । ବାହା ସମସ୍ତେ ହଉଚନ୍ତି । ସମସ୍ତେ ଯାହା କରନ୍ତି ସେଟା ହୁଏତ ଠିକ୍‌ । କିନ୍ତୁ ଭୁଲ ବି ହେଇପାରେ । ହୁଏ ତ ବାହା ହେବାଟା ଭୁଲ କିନ୍ତୁ ସେଇ ଭୁଲ ଭିତରୁ ଠିକ୍‌ କେତେ ସେତକ ବାଛି ନେବାଇ ଜୀବନର ସାର୍ଥକତା । ଅସଜଡ଼ାକୁ ସଜାଡ଼ି ନେଇ ଯେତିକି ପାଇବ ସେତିକି ଠିକ୍‌ । ତା’ ଯେ ନ କରି ପାରେ ତା’ରି ହୁଏ ଭୁଲ ।

ମୁଁ ‘ଭୁଲ’ ଲେଖିଥିଲି, ନିହାତି ତରୁଣ ବୟସରେ । କୋଡ଼ିଏ ପାରି ହେଇଥାଏ । ପାଟଣାର ଲୁହାତାରବେଢ଼ା ଜେଲ ଭିତରେ ‘ଭୁଲ୍‌’ ର ଜନ୍ମ । ପଢ଼ାପଢ଼ି ଛାଡ଼ି ଜେଲରେ ପଶିବାଟା ଭୁଲ କି ଠିକ୍‌, ସେଇ ପ୍ରଶ୍ନଟାଇ ମୋତେ ସେତେବେଳେ ବିଚଳିତ କରିଥିଲା । ତା’ର ଉତ୍ତର ମୋତେ ମିଳିଲା ନାହିଁ । ସେଇ ମନ କଥାଟା ରୂପ ପାଇଲା ଆଉ ଏକ ଆକାରରେ–ଏଇ ‘ଭୁଲ୍‌’ ଭିତରେ । ମଣିଷ ଯେଉଁ ଅବସ୍ଥାରେ ଆସି ପଡ଼େ ତାକୁ ସେ ଠିକ୍ କରିବାକୁ ଚେଷ୍ଟା ନ କରି, ନିଜ ଜାଗାରେ ନିଜେ ଦୃଢ଼ ନ ହେଇ ଆଉ ପାଞ୍ଚ ଆଡ଼ିକି ହାତ ବଢ଼େଇବାଠାରୁ ବଡ଼ ଭୁଲ ଆଉ କ’ଣ ଅଛି ? ମଣିଷ ଯେଉଁ ଅବସ୍ଥାରେ ଥାଉ, ସେଇ ଅବସ୍ଥାକୁ ଗୌରବମୟ କରି ନେବାଇ ଠିକ୍‌–ଆଉ ସବୁ ଭୁଲ୍‌ ।

ଭୁଲ୍‌ ଯେତେବେଳେ ‘ନବଭାରତ’ ରେ ବାହାରିଲା, ସେତେବେଳେ ଏ ଦେଶର ତରୁଣ ମନରେ ଗୋଟାଏ ହାଲୋଳ ପଡ଼ିଗଲା ! ‘ନବଭାରତ’ ର ସହକାରୀ ସଂପାଦକଙ୍କ ମୁହଁରୁ ଶୁଣିଛି–ନବଭାରତର ଗ୍ରାହକ ସଂଖ୍ୟା ପ୍ରାୟ ଦ୍ୱିଗୁଣ ହେଇଗଲା । ସେତେବେଳେ ଭୁଲକୁ ତରୁଣ ତରୁଣୀ ‘ଭୁଲ’ ବୋଲି ଭୁଲ ବାଛିବାକୁ ପଢ଼ୁଥିଲେ କି ‘ଭୁଲଟାକୁଇ ଠିକ୍‌ ଧରିନେଇ ମୁଗ୍‌ଧ ହେଇ ଯାଉଥିଲେ ସେ କଥା ମୁଁ କହିପାରୁ ନାହିଁ । କିନ୍ତୁ ଲେଖାଟାର ପ୍ରଶଂସା ମୁଁ ଚାରିଆଡ଼ୁ ଶୁଣୁଥାଏଁ । ‘ଭୁଲ’ ରୁ ଭୁଲ କେହି ବାଛିବା ମୋ କାନରେ ପଡ଼ି ନ ଥାଏ । ହଠାତ୍‌ ଦିନେ, ‘ଉର’ ଆସି କହିଲା ‘ଭାଇ, ସୁଷମା କହୁଥିଲା, ତମ ଭୁଲଟା ଭୁଲ–ବାଜେ ।’ ସେତେବେଳେ ମୁଁ ତୋତେ ଚିହ୍ନି ନ ଥିଲି । କିନ୍ତୁ ମୋ ମନରେ ଆଘାତ ଲାଗିଥିଲା । ସେଇ ଆଘାତ ପାଇବାଟା ବା ସେ ଆଘାତକୁ ଆଘାତ ବୋଲି ମନେ କରିବାଇ ମୋର ହେଲା ଭୁଲ । ଆଜି ତୋ ମୋ ଭିତରେ ଯେଉଁ ନିର୍ମଳ ସମ୍ବନ୍ଧ ରହିଚି ସେଇ କ’ଣ ସୂଚାଇ ଦେଉନି ସେ କଥା ?

ଆଜି ଜୀବନର ମଧ୍ୟାହ୍ନରେ ପହଞ୍ଚିଲି । ଆଗରେ ଧୂଷର ସନ୍ଧ୍ୟା । ବେଳେ ବେଳେ ଭୟ ହେଉଛି ହୁଏତ ଅଦିନ ବଉଦ ଖଣ୍ଡେ ଘୋଟି ଆସିବ । ମୁଁ କିନ୍ତୁ ବିଚଳିତ ହେଉନାହିଁ । ବିଚଳିତ ହେବାଟାଇ ହୁଅନ୍ତା ଭୁଲ ।

ଜୀବନଯାକ ଭୁଲ କରି କରି, ଭୁଲ କରିବାକୁ ଆଉ ଡର ନାହିଁ । ଭୁଲକୁ ସଜାଡ଼ିବାର ଅଭ୍ୟାସ ଚାଲିଛି କେତେ ବର୍ଷ ହେଲା । ସେଥିପାଇଁ ଆପେ ଆପେ ଭୁଲ ହେବାର ଭୟ ବି ଆଉ ନାହିଁ । ଏଣିକି ଯାହା ଭୁଲ ହେବ, ସେ ଅଜାଣତରେ ହେଇଗଲା ବୋଲି ଦୋଷ ଛଡ଼େଇ ବସି ପାରିବି ନାହିଁ ।

ଭୁଲ ବାଟଟା ବଡ଼ ସହଜ । ସେଥିପାଇଁ ସବୁବେଳେ ମୋତେ ଅମଡ଼ା ଅରଣା ବାଟରେ ଚାଲିବାକୁ ଭଲ ଲାଗେ । ଭାବେଁ, ଏ ଚଲାରେ ଭୁଲ ନ ଥିବ । କିନ୍ତୁ ତର୍କ ତାକୁ ସମର୍ଥନ କରେ ନାହିଁ । ଅଭିଜ୍ଞତା ବା କରନ୍ତା କିମିତି !

ଭୁଲ୍‌ ଠିକ୍‌ ସବୁ ଗୋଳେଇ ହେଇ ଯାଉଛି । ତଥାପି ମୁଁ ‘ଭୁଲ’ ର ଲେଖକ ।

ଏ ଭୁଲକୁ ତୋତେ ତୋ’ର ଠିକ୍‌ ବାହାଘରରେ ଉପହାର ଦେବାଟା ଭୁଲ କି ଠିକ୍‌ ମୁଁ କହିପାରୁନାହିଁ । ସବୁ ଗୋଳିଆ ହେଇ ଯାଉଚି । ତଥାପି ଦେଉଛି । ସେଦିନ ତୁ ଭୁଲକୁ ‘ଭୁଲ’ ବୋଲି କହି କିଛି ନୂଆ କଥା କରିନୁ । ଆଜି ଯଦି ମୋର ଏ ଦାନଟା ଭୁଲ ବି ହେଇଥାଏ, ତାକୁ ଯଦି ତୁ ଠିକ୍‌ ବୋଲି ମାନି ନେଉ, ବା ତା’ ଭିତରୁ ଯେତକ ଠିକ୍‌ ସେତକ ମାନିନେଇ ମୋତେ କୃତାର୍ଥ କରୁ ତେବେ ସିନା ତୋର ବାହାଦୂରୀ !

ତୋର

ନିତୁଭାଇ

Image